ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଅମାତ୍ୟ ବର୍ଷକାର ହିଁ ସେ ନିଷ୍ଠୁର ସମ୍ବାଦ ଅଜାତଶତ୍ରୁଙ୍କ ନିକଟରେ ପହଞ୍ଚାଇଥିଲେ। ଆମ୍ରପାଲିଙ୍କୁ ବନ୍ଦୀ କରାଯାଇଛି ଏବଂ ନିକଟ ଭବିଷ୍ୟତରେ ଜୀବନ୍ତ ଦଗ୍ଧ କରାଯିବ ବୋଲି ଶୁଣି ଅଜାତଶତ୍ରୁ ତତକ୍ଷଣାତ୍ ଯୁଦ୍ଧ ଅଭିଯାନ ପାଇଁ ଆଦେଶ ଦେଲେ। ବୈଶାଳୀଠାରୁ ପରାଜିତ ହେବା ମାସଟିଏ ଅତିକ୍ରାନ୍ତ ହୋଇ ନଥିଲା। ଅମାତ୍ୟ ବର୍ଷକାର ଏହି ପ୍ରସ୍ତାବର ଘୋର ବିରୋଧ କଲେ। କିନ୍ତୁ ଅଜାତଶତ୍ରୁ ନିଜ ନିଷ୍ପତ୍ତିରେ ଅଟଳ ରହିଲେ। ମତ ବିରୋଧ ବାଦ ବିସମ୍ବାଦ ପର୍ଯ୍ୟନ୍ତ ଗଲା। ବୈଶାଳୀ ଆକ୍ରମଣ ସ୍ଥଗିତ ରହିଲା, କିନ୍ତୁ କ୍ରୁଦ୍ଧ ଅଜାତଶତ୍ରୁ ବର୍ଷକାରଙ୍କୁ ନିଜର ମନ୍ତ୍ରୀ ପଦରୁ ବହିଷ୍କାର କଲେ। ବର୍ଷକାର ବୈଶାଳୀକୁ ଯାଇ ସନ୍ଥାଗାରରେ ଶରଣ ଭିକ୍ଷା କଲେ। ସାମାନ୍ୟ ବେତନରେ କିଛି କାର୍ଯ୍ୟ କରିବା ପାଇଁ ଅନୁମତି ମାଗିଲେ। କିନ୍ତୁ ମନୁଦେବ ତାଙ୍କୁ ବିଶ୍ଵାସ କଲେ ନାହିଁ। ତଥାପି ତାଙ୍କର ଅନୁପସ୍ଥିତି ମଗଧକୁ ଦୁର୍ବଳ କରିଦେବ ବୋଲି ଚିନ୍ତା କରି ସେ ବର୍ଷକାରଙ୍କୁ ବୈଶାଳୀରେ ରହିବାକୁ ଅନୁମତି ଦେଲେ। ବର୍ଷକାର ନିଜକୁ ବୈଶାଳୀର ଶୁଭଚିନ୍ତକ ରୂପେ ପ୍ରମାଣ କରିବାକୁ ଚେଷ୍ଟା କରୁଥିଲେ। ପାର୍ଶ୍ଵବର୍ତ୍ତୀ ରାଜ୍ୟରୁ ଆସି ‘ଭଦ୍ରନନ୍ଦିନୀ’ ନାମକ ଏକ ଅତ୍ୟନ୍ତ ସୁନ୍ଦରୀ ନଗରଶୋଭିନୀ ସେ ସମୟରେ ବୈଶାଳୀରେ ଅବସ୍ଥାନ କରୁଥାଏ। ଭଦ୍ର ନନ୍ଦିନୀର ବିଶେଷତ୍ୱ ଥିଲା ଯେ, ସେ କେବଳ ବାର୍ତ୍ତାଳାପ ଦ୍ଵାରା ଗ୍ରାହକମାନଙ୍କୁ ତୁଷ୍ଟ କରୁଥିଲା। ତାର ବିଳାସ ଭବନରେ ନୃତ୍ୟ, ଗୀତ, ମଦିରାପାନ ଏବଂ ଅନ୍ୟ ଗଣିକାଙ୍କର ବ୍ୟବସ୍ଥା ଥିଲେ ମଧ୍ୟ ସେ ନିଜେ କାହାରିକୁ ତାର ଅଙ୍ଗସ୍ପର୍ଶ କରିବାକୁ ଦେଉ ନ ଥିଲା। ବର୍ଷକାର ସେହି କନ୍ୟାକୁ ବୈଶାଳୀକୁ ଆଣିଥିଲେ। ଏବେ ସ୍ଵର୍ଣ୍ଣସେନ, ଭଦ୍ରକେତୁ ଆଦି ଯୋଦ୍ଧାମାନେ ଆମ୍ରପାଲି ଅଭାବରେ ଭଦ୍ରନନ୍ଦିନୀ ନିକଟରେ ନିଜର ପ୍ରେମ ନିବେଦନ କରିବାକୁ ଯିବାରେ ଲାଗିଲେ। କିନ୍ତୁ କେହି ତାଙ୍କର ବାସନାର ପରିତୃପ୍ତି କରିପାରୁ ନ ଥିଲେ। ପ୍ରତ୍ୟେକ ଭାବୁଥିଲେ ଯେ ଭଦ୍ରନନ୍ଦିନୀ ଆରଜଣକୁ ଅଧିକ ପ୍ରେମ କରୁଛି। ସନ୍ଦେହ ଘନୀଭୂତ ହେଲା। ସେମାନଙ୍କ ମଧ୍ୟରେ ଆଉ ପୂର୍ବ ଭଳି ଅଭେଦ୍ୟ ବନ୍ଧୁତା ରହିଲା ନାହିଁ। ଏହା ଥିଲା, ବର୍ଷକାରଙ୍କର ଗୁପ୍ତଚର ଭାବରେ ପ୍ରଥମ ସଫଳତା। ଭଦ୍ରନନ୍ଦିନୀ ରାଜପୁରୁଷମାନଙ୍କୁ ନିଶାସକ୍ତ କରାଇ କୌଶଳରେ ରାଜ୍ୟର ସାମରିକ ତଥ୍ୟମାନ ଜାଣିବାର ପ୍ରୟାସ କରୁଥିଲେ। ସେ ବର୍ଷକାରଙ୍କ ନିକଟକୁ ଏହି ସବୁ ସମ୍ବାଦ ଅତ୍ୟନ୍ତ ସାବଧାନତାର ସହିତ ପ୍ରେରଣ କରୁଥିଲେ। ଏଥିପାଇଁ ସେ ଚନ୍ଦନ ସାହୁ ନାମକ ଜଣେ କାମୁକ ବ୍ୟବସାୟୀକୁ ନିଜ ବିଶ୍ଵାସକୁ ନେଇଥିଲେ। ଭଦ୍ରନନ୍ଦିନୀ ଏବଂ ବର୍ଷକାରଙ୍କ ମଧ୍ୟରେ ଚନ୍ଦନ ସାହୁ ଯୋଗସୂତ୍ର ରୂପେ କାର୍ଯ୍ୟ କରୁଥିଲା। ମଗଧ ସୈନ୍ୟବାହିନୀ ନିଜକୁ ସୁଦୃଢ କରୁଥିଲେ। ଏକ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ସବୁପ୍ରକାର ପ୍ରସ୍ତୁତି ଚାଲିଥିଲା। ନୂତନ ଅସ୍ତ୍ରମାନ ନିର୍ମାଣ କରାଯାଉଥିଲା। ପୂର୍ବ କଥିତ ମହାଶିଳାକଣ୍ଟକ ଯନ୍ତ୍ର ଏବଂ ରଥମୂଷଳ ଏହି ସମୟରେ ନିର୍ମିତ ହୋଇଥିଲା।
କିନ୍ତୁ ବୈଶାଳୀର ଗୁପ୍ତଚରତନ୍ତ୍ର ସକ୍ରିୟ ଥିଲା। ବର୍ଷକାରଙ୍କ ଉପରେ ଗୁପ୍ତଚରମାନେ ସତର୍କ ଦୃଷ୍ଟି ରଖିଥିଲେ। ସେମାନେ ଏହି ସମସ୍ତ ଷଡଯନ୍ତ୍ରର ସୂତ୍ର ଅଚିରେ ଆବିଷ୍କାର କରିନେଲେ। ଚନ୍ଦନ ସାହୁ ଏବଂ ଭଦ୍ରନନ୍ଦିନୀଙ୍କୁ ବନ୍ଦୀ କରାଗଲା। ବର୍ଷକାରଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା। ମଗଧର ଅନ୍ୟ କେତେକ ଗୁପ୍ତଚର ମଧ୍ୟ ବନ୍ଦୀ ହେଲେ। ଅସହ୍ୟ ଶାରୀରିକ ଯନ୍ତ୍ରଣା ଦେଇ ସେମାନଙ୍କଠାରୁ ମଗଧର ସମରସଜ୍ଜା ସମ୍ପର୍କରେ କେତେକ ତଥ୍ୟ ସଂଗ୍ରହ କରାଗଲା। ଜଣାପଡ଼ିଲା ଯେ, ଆମ୍ରପାଲିଙ୍କ ପ୍ରତି ପ୍ରେମ ହିଁ ଅଜାତଶତ୍ରୁଙ୍କ ଏହି ଆକ୍ରମଣର ମୂଳ ହେତୁ। କେତେକ ପଦସ୍ଥ ସେନାଧିକାରୀ ଶୀଘ୍ର ଅମ୍ବାଙ୍କୁ ପ୍ରାଣଦଣ୍ଡ ଦେବାକୁ ପରାମର୍ଶ ଦେଉଥିଲେ ମଧ୍ୟ ଅନ୍ୟ କେତେଜଣ ତାଙ୍କୁ ଆବଶ୍ୟକ ସ୍ଥଳେ ଯୁଦ୍ଧରେ ପଣ ରୂପେ ବ୍ୟବହାର କରାଯାଇପାରେ ବୋଲି କହି ସେହି ପ୍ରସ୍ତାବର ପ୍ରତିବାଦ କଲେ।
ପ୍ରିୟବନ୍ଧୁ ଏବଂ ମଗଧର ପରମ ହିତାକାଂକ୍ଷୀ ପ୍ରିୟ ଅମାତ୍ୟଙ୍କର ପ୍ରାଣଦଣ୍ଡ ସମ୍ବାଦ ଶ୍ରବଣ କରି ଅଜାତଶତୁ ଅବିଳମ୍ବେ ଯୁଦ୍ଧ ଘୋଷଣା କରିଦେଲେ। ଉଭୟ ପକ୍ଷ ପ୍ରସ୍ତୁତ ଥିଲେ। ତେଣୁ ଯୁଦ୍ଧ ବହୁକାଳ ଧରି ଚାଲିଲା। ପୂର୍ବବର୍ଣ୍ଣିତ ଏହି ‘ମହାଶିଳାକଣ୍ଟକ ଯୁଦ୍ଧ’ରେ ବୈଶାଳୀ ଧ୍ଵସ୍ତ ବିଧ୍ଵସ୍ତ ହୋଇଗଲା। ମଗଧ ସେନା ଜୟଲାଭ କଲେ। ସ୍ଵୟଂ ଅଜାତଶତ୍ରୁ କାରାଗାରକୁ ଯାଇ ବନ୍ଦିନୀ ଆମ୍ରପାଲିଙ୍କୁ ମୁକ୍ତ କରି ଆଣିଲେ। ତାଙ୍କ ପ୍ରତି ଅନ୍ତରରେ ପୋଷଣ କରିଥିବା ପ୍ରଗାଢ ପ୍ରେମକୁ ସାକାର କରିବା ପାଇଁ ସେ କିପରି ଗୋଟାଏ ସମୃଦ୍ଧ ରାଜ୍ୟକୁ ଧ୍ଵଂସସ୍ତୂପରେ ପରିଣତ କରିଦେଇଛନ୍ତି, ତାହା ଗର୍ବର ସହ ବର୍ଣ୍ଣନା କରିବାରେ ଲାଗିଲେ। ଅମ୍ବାଙ୍କ ହସ୍ତ ଧରି ରଣପ୍ରାନ୍ତରକୁ ନେଇଗଲେ ସେ। “ଦେଖ ଅମ୍ବା! ଦେଖ। ଏମାନେ ତୁମକୁ ବନ୍ଦୀ କରିବାର ପ୍ରତିଫଳ ଭୋଗ କରିଛନ୍ତି। ଏମାନେ ମୋ ମିତ୍ରକୁ ହତ୍ୟା କରିଥିଲେ। ତାର ପ୍ରତିଶୋଧ ନେଇଛି। ତୁମକୁ ଜୀବନ୍ତ ଦଗ୍ଧ କରିବାର ଯୋଜନା ଥିଲା ଏମାନଙ୍କର। ସେ ଯୋଜନାକୁ ମୁଁ ପଣ୍ଡ କରିଦେଇଛି। ଏବେ ଆଉ ତୁମ ଓ ମୋ ଭିତରେ କୌଣସି ପ୍ରତିବନ୍ଧକ ନାହିଁ। ଆସ, ମଗଧର ସିଂହାସନ ତୁମକୁ ଅପେକ୍ଷା କରିଛି।”
ଆମ୍ରପାଲିଙ୍କ ଦୃଷ୍ଟି ସମ୍ମୁଖରେ କୁଢ କୁଢ ଶବ ବିସ୍ତୃତ ଅଞ୍ଚଳ ମାଡି ପଡ଼ିଥିଲେ। ଅସଂଖ୍ୟ ଆହତ ସୈନ୍ୟଙ୍କର ଆର୍ତ୍ତ ଚିତ୍କାର ପରିବେଶକୁ କରୁଣ କରି ତୋଳୁଥିଲା। ନଗରର ସୁଉଚ୍ଚ ଅଟ୍ଟାଳିକାମାନ ଧୂଳିସାତ୍ ହୋଇଯାଇଥିଲା। ସାରା ନଗର ଶ୍ମଶାନ ପରି ପ୍ରତୀୟମାନ ହେଉଥିଲା। ବୈଶାଳୀ ଆକାଶରେ ଅସଂଖ୍ୟ ଗୃଧ୍ର ଓ ଛଞ୍ଚାଣ ଉଡି ଉଡି ବିକଟ ଶବ୍ଦ କରୁଥିଲେ। ସେ ଅଜାତଶତ୍ରୁଙ୍କ ହାତରୁ ନିଜ ହାତ ଛଡାଇନେଲେ। କହିଲେ, “ମୁଁ ବୈଶାଳୀର ଭ୍ରଷ୍ଟ ଶାସକ, ତାଙ୍କର ସ୍ଵାର୍ଥପରତା, କାମୁକତା ବିରୁଦ୍ଧରେ ବିଦ୍ରୋହ କରିଥିଲି ମହାରାଜ। ମୁଁ ସେମାନଙ୍କଠାରୁ ପ୍ରତିଶୋଧ କାମନା କରିଥିଲି। କିନ୍ତୁ ତାହା ମୋର ମାତୃଭୂମି ବୈଶାଳୀର ସ୍ଵାଧୀନତା ବିନିମୟରେ ନୁହେଁ। ଏହି ଭୟଙ୍କର ବିନାଶକୁ ଆମନ୍ତ୍ରଣ କରି ନୁହେଁ। ଏବେ ତ ବୈଶାଳୀ ଆପଣଙ୍କର। ସମଗ୍ର ଗଣରାଜ୍ୟ ଆପଣଙ୍କର। ନିରଙ୍କୁଶ ଶାସନ କରନ୍ତୁ। ଆପଣଙ୍କ ପ୍ରତି ମୋର କୌଣସି ଆକର୍ଷଣ ନାହିଁ। ରାଣୀ ହୋଇ ଭୋଗ ବିଳାସରେ କାଳ ଯାପନ କରିବାର କୌଣସି ସ୍ପୃହା ନାହିଁ। ଏବେ ଅବଶିଷ୍ଟ ଜୀବନ ମୋର ଏହି ପଶ୍ଚାତ୍ତାପରେ କଟିବ ଯେ, ମୋ ପାଇଁ ହିଁ ଏତେବଡ ସଂହାର ଲୀଳା ସଂଘଟିତ ହେଲା। ଇତିହାସ ଚିରକାଳ ସ୍ମରଣ କରୁଥିବ ଯେ, ଗୋଟାଏ ଘୃଣ୍ୟ ବାରାଙ୍ଗନା ପାଇଁ ଦୁଇ ଦୁଇଟି ରାଜ୍ୟର ଅସଂଖ୍ୟ ନିର୍ଦ୍ଦୋଷ ବ୍ୟକ୍ତି ପ୍ରାଣ ହରାଇଥିଲେ। ଯାଆନ୍ତୁ। ଦୟା କରି ଆମ୍ରପାଲି ଜୀବନରୁ ବିଦାୟ ନେଇ ଯାଆନ୍ତୁ ମଗଧର ବିଜୟୀ ନରପତି। ବିଦାୟ!”
ଅଜାତଶତ୍ରୁଙ୍କର ମଧ୍ୟ ମୋହଭଙ୍ଗ ହେଲା। ଉଭୟ ସନ୍ତପ୍ତ ପ୍ରାଣ ଜୀବନରେ ପ୍ରକୃତ ସୁଖ ପ୍ରାପ୍ତି ପାଇଁ ବିକଳ ହେଉଥିଲେ। ଦୂରରୁ ଶୁଭିଲା “ବୁଦ୍ଧମ୍ ଶରଣମ୍ ଗଚ୍ଛାମି।”
କ୍ରମଶଃ