ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଅଜାତଶତ୍ରୁ ଆମ୍ରପାଲିଙ୍କ ନିକଟରେ ପ୍ରତିଜ୍ଞା କରି ଯାଇଥିଲେ ଯେ ଶୀଘ୍ର ସେ ତାଙ୍କୁ ତାଙ୍କର ପୂର୍ବର ବୈଶାଳୀ ଫେରାଇ ଦେବେ। ନିଜର ପ୍ରତିଜ୍ଞା ରକ୍ଷା କରି ସେ ଏହି ବିପର୍ଯ୍ୟସ୍ତ ନଗରକୁ ଅତିଶୀଘ୍ର ପୁନର୍ଗଠନ କରି ସୁନ୍ଦର ନଗରୀରେ ପରିଣତ କରିଥିଲେ। ସେତିକି ନୁହେଁ ସେ ମଧ୍ୟ ବୁଦ୍ଧଙ୍କ ଅହିଂସା ନୀତିରେ ଅନୁପ୍ରାଣିତ ହୋଇଥିଲେ। ନିଜ ରାଜଧାନୀ ରାଜଗୃହରେ ସେ ଅଠରଟି ବୌଦ୍ଧବିହାର ନିର୍ମାଣ କରାଇଥିଲେ। ସାରା ମଗଧରେ ଅନେକ ସ୍ଥାନରେ ବୌଦ୍ଧ ସ୍ତୂପମାନ ଗଢିଉଠିଥିଲା। ରାଜଧାନୀ ରାଜଗୃହ ସହ ଅନେକ ବିଭତ୍ସ ସ୍ମୃତି ଜଡ଼ିତ ଥିଲା। ପିତୃହତ୍ୟା ଅପରାଧ, ମିତ୍ରର ଆତ୍ମୋତ୍ସର୍ଗ, ରାଜ୍ୟଜୟ ନାମରେ ନିର୍ମମ ଗଣହତ୍ୟା ଏବଂ ବିଦାୟ ବେଳାରେ କ୍ଷୁବ୍ଧ ଆମ୍ରପାଲିଙ୍କର ସେ ନିଷ୍ଠୁର ପ୍ରତ୍ୟାଖ୍ୟାନ ତାଙ୍କୁ ଅହରହ ବିଚଳିତ କରୁଥିଲା। ରାଜଧାନୀକୁ ଉଠାଇ ନେବା ପାଇଁ ଅନ୍ୟ ଏକ ସ୍ଥାନ ନିରୂପଣ କରିବାକୁ ସେ ନିଜର ନିର୍ମାଣ କର୍ମଚାରୀମାନଙ୍କୁ ଚତୁର୍ଦ୍ଦିଗକୁ ପ୍ରେରଣ କଲେ। ସେମାନେ ସର୍ବତ୍ର ଭ୍ରମଣ କରିବା ପରେ ଗଙ୍ଗା ଏବଂ ସୋନନଦୀର ସଙ୍ଗମ ସ୍ଥଳରେ ଥିବା ପାଟଳୀଗ୍ରାମକୁ ଉଚିତ ସ୍ଥାନ ଭାବେ ନିର୍ଣ୍ଣୟ କଲେ। ପରେ ଏହା ପାଟଳୀପୁତ୍ର ନାମରେ ନାମିତ ହେଲା।ତାଙ୍କର ପୁତ୍ର ଉଦୟନଙ୍କ ସମୟରେ ଏହି ରାଜଧାନୀ ସ୍ଥାନାନ୍ତରୀକରଣ ହୋଇଥିଲା। ପାଟଳୀପୁତ୍ର ନିର୍ମାଣ ସମୟରେ ଗୌତମ ବୁଦ୍ଧ ଭବିଷ୍ୟବାଣୀ କରିଥିଲେ ଯେ, ଅଗ୍ନି, ଜଳ ଏବଂ ଗୃହକଳହ ଏହି ନଗରୀ ପାଇଁ ସଦା ସର୍ବଦା ବିପଦର କାରଣ ହୋଇ ଦେଖାଦେବ। ତାଙ୍କର ସେହି ଭବିଷ୍ୟବାଣୀ ଇତିହାସରେ ବାରମ୍ବାର ପ୍ରମାଣିତ ହୋଇଛି। ବର୍ତ୍ତମାନ ମଧ୍ୟ କେତେବେଳେ ବହ୍ନି, କେତେବେଳେ ବନ୍ୟା, ଆଉ କେତେବେଳେ ରାଜନୈତିକ ଗୃହକଳହ ବିହାରକୁ ଅସ୍ଥିର କରି ତୋଳୁଛି।
ଅଜାତଶତ୍ରୁ ରାଜଗୃହକୁ ଲେଉଟିଗଲା ପରେ ଆମ୍ରପାଲି ନିଜ ସପ୍ତଭୂମିପ୍ରାସାଦକୁ ଫେରିଯାଇଥିଲେ। କିନ୍ତୁ ସେ ଏବେ ଆଉ ରାଜନର୍ତ୍ତକୀ ନ ଥିଲେ। ଜନପଦକଲ୍ୟାଣୀ ନ ଥିଲେ। ସେ ନିରାଡମ୍ବର ଭାବରେ ଏକ ସାଧାରଣ ଗୃହିଣୀ ଭଳି ଜୀବନ ଯାପନ କରୁଥିଲେ। ଏହି ସମୟରେ ଶାକ୍ୟମୁନି ଗୌତମ ବୁଦ୍ଧ ବୈଶାଳୀକୁ ଆସିଥିଲେ। ଆମ୍ରପାଲି ବୁଦ୍ଧଦେବଙ୍କୁ ନିଜ ପ୍ରାସାଦରେ ଭୋଜନ କରିବାକୁ ନିମନ୍ତ୍ରଣ କରିଥିଲେ। ଅନ୍ୟ ଅନେକ ବିତ୍ତଶାଳୀ ସାମନ୍ତଙ୍କ ଅନୁରୋଧକୁ ଅସ୍ଵୀକାର କରି ବୁଦ୍ଧଦେବ ଆମ୍ରପାଲିଙ୍କୁ ଅନୁଗୃହୀତ କରିଥିଲେ। ଆନନ୍ଦରେ ଅଧୀର ହୋଇ ଉଠିଥିଲେ ଆମ୍ରପାଲି। ସେ ନିଜର ସମୃଦ୍ଧ ପ୍ରାସାଦ, ସୁବିସ୍ତୃତ ଆମ୍ରକାନନ ଏବଂ ଚଳାଚଳ ସମସ୍ତ ସମ୍ପତ୍ତି ସଂଘ ଉଦ୍ଦେଶ୍ୟରେ ପ୍ରଦାନ କରିଦେଲେ। ଗୌତମଙ୍କ ଚରଣରେ ତାଙ୍କର ଗୋଟିଏ ମିନତି ଥିଲା। ସେ ଚାହୁଁଥିଲେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇ ଅବଶିଷ୍ଟ ଜୀବନ ସାଧ୍ଵୀ ରୂପରେ ବିତାଇବାକୁ। ଅନ୍ୟ ଭିକ୍ଷୁମାନେ ଏଥିରେ ଘୋର ଆପତ୍ତି କରିଥିଲେ।
ଅନେକ ଦିନ ତଳର କଥା। ରାଜପୁତ୍ର ସିଦ୍ଧାର୍ଥ ବୁଦ୍ଧତ୍ଵ ପ୍ରାପ୍ତ ହେବା ପରେ ପ୍ରଥମ ଥର କପିଳବାସ୍ତୁ ଯାଇଥାଆନ୍ତି। ସେଠାରେ ଅନେକ ଭକ୍ତ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ। ପତ୍ନୀ ଯଶୋଧାରା ମଧ୍ୟ ଶିଷ୍ୟା ଭାବରେ ତାଙ୍କର ସହଚରୀ ହେବାପାଇଁ ଜିଦ୍ ଧରିଥିଲେ। ସିଏ ଥିଲେ ପବିତ୍ର ରାଜକୁଳର ସତୀ ଶିରୋମଣି ରାଜବଧୂ। 'ନାରୀମାନଙ୍କର ଉପସ୍ଥିତି ଧ୍ୟାନ ଧାରଣାରେ ବାଧା ସୃଷ୍ଟି କରିବ' କହି ସେ ତାଙ୍କୁ ଦୀକ୍ଷା ଦେଇ ନ ଥିଲେ। ଆଜି ଜଣେ ନଗରବଧୂ ନିଜ ଯୌବନକୁ ବୈଶାଳୀର ବିପଣୀରେ ବର୍ଷ ବର୍ଷ କାଳ ବିକ୍ରୟ କରିବା ପରେ, ଭିକ୍ଷୁଣୀର ଜୀବନ ଭିକ୍ଷା କରି ତାଙ୍କ ନିକଟକୁ ଆସିଥିଲା। ଆମ୍ରପାଲିଙ୍କୁ ସେ କୋମଳ ବଚନରେ ତୁଷ୍ଟ କରି ବିଦାୟ ଦେଲେ। ତାଙ୍କର ରୂପ ଲାବଣ୍ୟ ସଙ୍ଘର ଯୁବକମାନଙ୍କୁ ପଥଭ୍ରଷ୍ଟ କରିବ ବୋଲି ଶଙ୍କା ପ୍ରକଟ କରି ସେ ଅମ୍ବାଙ୍କ ପ୍ରାର୍ଥନାକୁ ଅସ୍ଵୀକାର କରି ଦେଲେ। କିନ୍ତୁ ଆମ୍ରପାଲି ନିଜ ନିଷ୍ପତ୍ତିରେ ଅଟଳ ଥିଲେ। ସେ ପରଦିନ ପୁନର୍ବାର ବୁଦ୍ଧଦେବଙ୍କ ନିକଟରେ ଉପସ୍ଥିତ ହେଲେ।
ଧ୍ୟାନମଗ୍ନ ଥିଲେ ବୁଦ୍ଧଦେବ। ଅନେକ ସମୟ ପରେ ତାଙ୍କର ମୁଦ୍ରିତ ନେତ୍ର ଉନ୍ମିଳିତ ହେଲା। ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ତାଙ୍କ ସମ୍ମୁଖରେ ଶ୍ଵେତ ବସ୍ତ୍ର ପରିହିତା ଅମ୍ବା ଆଣ୍ଠୁମାଡି ବସିଥିଲେ। ତାଙ୍କର କାକକୃଷ୍ଣ କବରୀକୁ ସେ ଅତି ନିର୍ଦ୍ଦୟ ଭାବରେ ସମୂଳେ କର୍ତ୍ତନ କରିଦେଇଥିଲେ। ନା ଥିଲା କର୍ଣ୍ଣରେ ହୀରକ ଖଚିତ କର୍ଣ୍ଣଭୂଷା, ନା ଗଳାରେ ବହୁମୂଲ୍ୟ ରତ୍ନମାଳା। ଉଭୟ ହସ୍ତ ଅଳଙ୍କାରଶୂନ୍ୟ ଥିଲା। ହସ୍ତରେ କେବଳ ଭିକ୍ଷା ପାତ୍ରଟିଏ ଧାରଣ କରି ନଗ୍ନପାଦରେ ଶଙ୍କିତ ଚିତ୍ତରେ ଆସିଥିଲେ ସେ। ଅମ୍ବାଙ୍କ ହସ୍ତ ଗୌତମଙ୍କ ପାଦସ୍ପର୍ଶ କଲା। ତାଙ୍କ କଣ୍ଠରୁ ସମର୍ପଣର କେବଳ ଗୋଟିଏ ସ୍ଵୀକାରୋକ୍ତି, ଗୋଟିଏ ଆତୁର ପ୍ରାର୍ଥନା ଉଚ୍ଚାରିତ ହେଲା, "ମୋତେ ମାର୍ଗଦର୍ଶନ କରାନ୍ତୁ ଭଗବନ୍, ମୋତେ ଶରଣ ଦିଅନ୍ତୁ।" ପରମ କାରୁଣିକ ଶାକ୍ୟମୁନିଙ୍କର ହୃଦୟ ଦୟାରେ ବିଗଳିତ ହୋଇଗଲା। ସେ ପ୍ରସନ୍ନ ବଦନରେ ସ୍ୱୀକୃତି ସୂଚକ ହସ୍ତ ଉତ୍ତୋଳନ କଲେ। ଆମ୍ରପାଲି ବିହ୍ଵଳିତ କଣ୍ଠରେ କହିଲେ,"ବୁଦ୍ଧମ୍ ଶରଣମ୍ ଗଚ୍ଛାମି, ସଂଘମ୍ ଶରଣମ୍ ଗଚ୍ଛାମି, ଧର୍ମମ୍ ଶରଣମ୍ ଗଚ୍ଛାମି।"
କ୍ରମଶଃ