Coin Monster: Episode 16

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ସମୟର ଚକ୍ର ଘୁରୁଥିଲା। ଇତିହାସ କଡ ଲେଉଟାଉଥିଲା। ହର୍ଯ୍ୟଙ୍କ ରାଜବଂଶର ଶେଷ ରାଜା ନାଗଦଶକ ଅତ୍ୟନ୍ତ ଅଯୋଗ୍ୟ ଥିଲେ। ରାଜ୍ୟରେ ଶାସନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିଲା। ତାଙ୍କର ପ୍ରଧାନ ମନ୍ତ୍ରୀ ଶିଶୁନାଗ ତାଙ୍କଠାରୁ ବଳପୂର୍ବକ ମଗଧ ସିଂହାସନ ଛଡାଇ ନେଇଥିଲେ। କୁହାଯାଏ ଯେ, ପ୍ରଜାମାନେ ସଂଗଠିତ ଭାବରେ ବିଦ୍ରୋହ କରିଥିଲେ ଏବଂ  ରାଜାଙ୍କୁ ସିଂହାସନରୁ ଓହ୍ଲାଇ ଦେଇ ପ୍ରଧାନ ଅମାତ୍ୟ ଶିଶୁନାଗଙ୍କୁ ରାଜା ଘୋଷିତ କରିଥିଲେ। ସମ୍ଭବତଃ ନିକଟବର୍ତ୍ତୀ କେତେକ ପ୍ରଜାତନ୍ତ୍ରର ପ୍ରଭାବ ମଗଧ ରାଜନୀତିରେ ପ୍ରବେଶ କରିଥିଲା। ଶିଶୁନାଗଙ୍କ ପରେ ତାଙ୍କ ପୁତ୍ର କାଲାଶୋକ ମଗଧର ରାଜା ହେଲେ। ତାଙ୍କୁ କେତେକ ସ୍ଥାନରେ କାକବର୍ଣ୍ଣ ନାମରେ ଅଭିହିତ କରାଯାଇଛି।

କାଲାଶୋକଙ୍କର ଦଶଟି ପୁତ୍ର ଥିଲେ। ପୁତ୍ରମାନଙ୍କ ମଧ୍ୟରେ ଅବିରତ କଳହ ସୃଷ୍ଟି ହେବାରୁ ସେ ନବମ ପୁତ୍ର ମହାନନ୍ଦିନଙ୍କୁ ମଗଧରେ ଅଭିଷିକ୍ତ କଲେ ଏବଂ ଅନ୍ୟ ପୁତ୍ରମାନଙ୍କୁ ଭିନ୍ନ ଭିନ୍ନ ରାଜ୍ୟ ବାଣ୍ଟିଦେଲେ। ମହାନନ୍ଦିନ ମହା ଆନନ୍ଦରେ କାଳାତିପାତ କରୁଥିଲେ। ନାମକୁ ମାତ୍ର ତାଙ୍କର ଜଣେ ରାଣୀ ଥିଲେ। କିନ୍ତୁ କାମବାସନା ଚରିତାର୍ଥ କରିବାପାଇଁ ଦାସୀ ପରିଚାରୀଠାରୁ ଆରମ୍ଭ କରି ଗଣିକାଙ୍କ ଭଳି ଅନ୍ୟ ଅନେକ ସାଧନ ତାଙ୍କ ନିକଟରେ ଉପଲବ୍ଧ ଥିଲା। କେତେବେଳେ କେମିତି ସେ ଅନ୍ତଃପୁରକୁ ଆସି ମହାରାଣୀଙ୍କୁ କୃତାର୍ଥ କରୁଥିଲେ। ତାଙ୍କର ଅଧିକାଂଶ ସମୟ ମଦିରା ପାନ କରି ନର୍ତ୍ତକୀଙ୍କ ନୁପୂର ଚୁମ୍ବନ କରିବାରେ ଅତିବାହିତ ହେଉଥିଲା। ସମଗ୍ର ରାଜଧାନୀରେ ତଥା ଅନ୍ତଃପୁରରେ ନାନା ବିଶୃଙ୍ଖଳା ମୁଣ୍ଡ ଟେକୁଥିଲା। କିନ୍ତୁ ମହାନନ୍ଦିନ ସେଥିପାଇଁ ତିଳେ ମାତ୍ର ଚିନ୍ତିତ ନ ଥିଲେ। ରାଜପ୍ରାସାଦ ବାହାରେ ଏବଂ ଭିତରେ ଜଣେ ବ୍ୟକ୍ତିକୁ ସମସ୍ତେ ବିଶ୍ଵାସ କରୁଥିଲେ। ସମସ୍ତେ ଗୁରୁତ୍ଵ ଦେଉଥିଲେ। ସବୁଠାରେ ତାର ପ୍ରବେଶ ଅବାରିତ ଥିଲା। ସେ ଥିଲା ରାଜକୀୟ ନାପିତ ନନ୍ଦ। ନନ୍ଦର ପିତା ମଧ୍ୟ ରାଜପରିବାରରେ କେଶସଜ୍ଜା କରୁଥିଲେ। ସେ ଗୋଟିଏ ବେଶ୍ୟାକୁ ଆଣି ଗୃହଲକ୍ଷ୍ମୀ କରି ରଖିଥିଲେ ଏବଂ ତାହାରିଠାରୁ ଜନ୍ମ ନେଇଥିଲା ନନ୍ଦ। 'ନରାଣାମ୍  ନାପିତୋ ଧୂର୍ତ୍ତଃ' ଆପ୍ତବାକ୍ୟଟି ନନ୍ଦ ପାଇଁ ଶତ ପ୍ରତିଶତ ପ୍ରଯୁଜ୍ୟ ଥିଲା। ମହାରାଜଙ୍କର ରୂପସଜ୍ଜା କରି ନନ୍ଦ ତାଙ୍କର ସ୍ତୁତିଗାନ କରୁଥିଲା, "ମହାରାଜ, ଆପଣ କନ୍ଦର୍ପ ତୂଲ୍ୟ ରୂପବାନ। ଯେ କୌଣସି ନାରୀ ଆପଣଙ୍କୁ ଦେଖିବ, ମୋହିତ ହୋଇଯିବ।" ମହାରାଜ ତାର ତୋଷାମଦରେ ସନ୍ତୁଷ୍ଟ ହୋଇ ନିଜ ଗଳାରୁ କାଢି ସୁବର୍ଣ୍ଣ ହାରଟିଏ ପୁରସ୍କାର ଦେଉଥିଲେ। ମନ୍ତ୍ରୀ, ସେନାପତି ସମସ୍ତଙ୍କ ପାଇଁ ନନ୍ଦ ହିଁ ରାଜାଦେଶ ବହନ କରି ଆଣୁଥିଲା। ସମସ୍ତଙ୍କ ନିକଟରେ ସେ ରାଜପରିବାରର ସଦସ୍ୟ ରୂପେ ମାନ୍ୟ ହେଉଥିଲା। ଅତ୍ୟନ୍ତ ଚତୁରତାର ସହିତ ସେ ଶାସନର ଗୁରୁତ୍ଵପୂର୍ଣ୍ଣ ପଦବୀରେ ଥିବା ଅଧିକାରୀମାନଙ୍କୁ ନିଜ ଆୟତ୍ତକୁ ନେଇ ଆସିଥିଲା।
ନନ୍ଦ ଆଉ ଜଣକର ମଧ୍ୟ ଘନିଷ୍ଠ ଥିଲା। ରାତ୍ରିର ପ୍ରଥମ ପ୍ରହରରେ ମହାରାଜ ବିଳାସ ଭବନରେ ପ୍ରବେଶ କଲା ପରେ ଦ୍ୱିତୀୟ ପ୍ରହରରେ ମହାରାଣୀଙ୍କ ଶୟନ କକ୍ଷରେ ଲୁଚି ଛପି ପ୍ରବେଶ କରୁଥିଲା ଧୂର୍ତ୍ତ ନାପିତ। ଉଭୟଙ୍କର ଗୁପ୍ତ ଅଭିସାର ଏକ ଭୟଙ୍କର ଷଡଯନ୍ତ୍ରକୁ ରୂପ ଦେବାକୁ ଯାଉଥିଲା।

ସେଦିନ ପ୍ରଭାତରେ ମହାନନ୍ଦିନ କ୍ଷୌର ହେବା ପାଇଁ ବସିଥାନ୍ତି। ରାତ୍ରିର ନିଶା ଛାଡି ନ ଥାଏ। ଆଖିପତା ବୁଜି ବୁଜି ଆସୁଥାଏ। ନନ୍ଦ ପ୍ରଥମେ କିଛି ଅଙ୍ଗ ମର୍ଦ୍ଦନ କରି ରାଜାଙ୍କର ପ୍ରୀତି ଉତ୍ପାଦନ କଲା। ତତ୍ପରେ ଖିଅର କରିବାପାଇଁ କ୍ଷୁର କାଢିଲା। ରାଜାଙ୍କ ମୁଖରେ ସ୍ପର୍ଶ କଲା। ଧୀରେ ଧୀରେ ହାତ ଗଳା ଆଡକୁ ଗତି କଲା। ଗୋଟାଏ ଚିତ୍କାର! ବାସ, ଢଳି ପଡିଲା ରାଜାଙ୍କ ମସ୍ତକ ଗୋଟିଏ ପଟକୁ। ଶେଷ ହୋଇଗଲା ମଗଧ ସିଂହାସନ ଉପରେ ଶିଶୁନାଗ ବଂଶର ରାଜତ୍ୱ। ପୂର୍ବରୁ ସବୁ କିଛି ପ୍ରସ୍ତୁତ ଥିଲା। ନାପିତ ନନ୍ଦ ମହାପଦ୍ମନନ୍ଦ ନାମ ଧାରଣ କରି ମଗଧ ସିଂହାସନ ଅଳଙ୍କୃତ କଲେ। ସମ୍ବାଦ ପାଇ ପ୍ରତିଶୋଧ ନେବାପାଇଁ ଅନ୍ୟ ଭ୍ରାତାମାନେ ଆସିଥିଲେ ମଗଧକୁ। କିନ୍ତୁ ନନ୍ଦଙ୍କ ଦ୍ଵାରା ନିୟୋଜିତ ସେନା ସେମାନଙ୍କୁ ନିର୍ମମ ଭାବରେ ହତ୍ୟା କରିଦେଲେ।

କ୍ରମଶଃ


Please follow and like us:
0
20
Pin Share20