Coin Monster: Episode 19

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ଶିଶୁନାଗ ବଂଶର ରାଜା କାଳାଶୋକ ବୌଦ୍ଧଧର୍ମ ଦ୍ଵାରା ପ୍ରଭାବିତ ହୋଇଥିଲେ। ମହାପଦ୍ମନନ୍ଦଙ୍କ ସଭାରେ ଦୁଇଜଣ ଜୈନ ଧର୍ମଗୁରୁ ଅମାତ୍ୟ ଥିଲେ। ସେ ଜୈନ ଧର୍ମକୁ ଶ୍ରଦ୍ଧା କରୁଥିଲେ। କିନ୍ତୁ ଧନନନ୍ଦଙ୍କ ରାଜୁତି ସମୟରେ ବ୍ରାହ୍ମଣମାନଙ୍କ ପ୍ରାଧାନ୍ୟ ପୁନଃପ୍ରତିଷ୍ଠିତ ହେଉଥିବାର ଜଣା ପଡେ। ଅର୍ଥାତ୍ ନୂତନ ଧର୍ମ ସବୁର ଅଭ୍ୟୁଦୟ ସତ୍ତ୍ଵେ ସନାତନ ହିନ୍ଦୁ ଧର୍ମର ମୂଳଭିତ୍ତି ସୁଦୃଢ ରହିଥିଲା ଏବଂ ଗୁରୁକୁଳମାନଙ୍କରେ ମୁଖ୍ୟତଃ ବ୍ରାହ୍ମଣମାନେ ଆଚାର୍ଯ୍ୟ ପଦରେ ରହି ଶିକ୍ଷାଦାନ କରୁଥିଲେ। ଏହି ସବୁ ଶିକ୍ଷାଳୟରୁ ଦୀକ୍ଷାନ୍ତ ଉପାଧି ପ୍ରାପ୍ତ ହେଲା ପରେ ଛାତ୍ରମାନେ ହୁଏତ ଶିକ୍ଷକ ବୃତ୍ତିରେ ରହୁଥିଲେ ଅଥବା ଅନ୍ୟତ୍ର ସେମାନଙ୍କୁ ଜୀବିକାର୍ଜନର ପନ୍ଥା ସହଜରେ ମିଳି ଯାଉଥିଲା।

ସାଧାରଣତଃ ରାଜା ଗୁରୁକୁଳ କାର୍ଯ୍ୟରେ ହସ୍ତକ୍ଷେପ କରୁ ନ ଥିଲେ। ଗୁରୁକୁଳର ଶିକ୍ଷକମାନେ ରାଜନୀତି ବିଜ୍ଞାନ ଶିକ୍ଷା ଦେଉଥିଲେ ମଧ୍ୟ ରାଜକାର୍ଯ୍ୟରେ ତ୍ରୁଟି ବିଚ୍ୟୁତି ଆଦି ଆଲୋଚନା କରିବାରୁ ବିରତ ରହୁଥିଲେ। ଅକାରଣ ରାଜାଙ୍କର ବିଦ୍ଵେଷ ସୃଷ୍ଟି କରି ଗୁରୁକୁଳ ପାଇଁ ଅନିଷ୍ଟ ବରଣ କରିବାକୁ ଆଚାର୍ଯ୍ୟମାନେ ଚାହୁଁ ନ ଥିଲେ। ଅମାତ୍ୟ ଶକଟାର ରାତ୍ରିରେ ଚଣକଙ୍କ ସହ ଦେଖା କରି ରାଜାଙ୍କ ଅବିଚାର ସମ୍ପର୍କରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଚଣକ ସମବେଦନା ପ୍ରକାଶ କଲେ। କିନ୍ତୁ ପ୍ରତିକାରର ପନ୍ଥା ନିର୍ଦ୍ଦେଶ କରିପାରିଲେ ନାହିଁ। ଏତେବଡ ରାଜଶକ୍ତି ବିରୁଦ୍ଧରେ ପ୍ରଜାଙ୍କୁ ସଂଗଠିତ କରିବାର ପ୍ରଚେଷ୍ଟା ଆତ୍ମଘାତୀ ଥିଲା। କିନ୍ତୁ ଶକଟାର ସ୍ୱାଧିନଚେତା ଥିଲେ। ସେ ରାଜାଙ୍କୁ ସାକ୍ଷାତ କରି ଅମାତ୍ୟ ପଦବୀ ତ୍ୟାଗ କରିବାର ସଂକଳ୍ପ ଘୋଷଣା କଲେ। ବାହାରେ ରହିଲେ, ସେ ରାଜକୀୟ ଗୁପ୍ତତଥ୍ୟମାନ ପ୍ରକାଶ କରିଦେବାର ସମ୍ଭାବନା ଅଛି ବୋଲି ଦ୍ଵାହି ଦେଇ ଶକଟାରଙ୍କୁ ସପରିବାର ବନ୍ଦୀ କରାଗଲା। ଆଚାର୍ଯ୍ୟ ଚଣକ ରାଜସଭାକୁ ଯାଇ ଏହାର ପ୍ରତିବାଦ କଲେ। ଶୀଘ୍ର ଶକଟାରଙ୍କୁ ମୁକ୍ତ ନ କଲେ, ସେ ଏହି ସ୍ଵେଚ୍ଛାଚାରୀ ଶାସନ ବିରୁଦ୍ଧରେ ଜନ ଆନ୍ଦୋଳନ ସୃଷ୍ଟି କରିବେ ବୋଲି ପ୍ରତ୍ୟକ୍ଷ ଭାବରେ ରାଜା ନନ୍ଦଙ୍କୁ ଧମକ ଦେଲେ। ତାଙ୍କୁ ରାଜଦ୍ରୋହୀ ବୋଲି ଘୋଷଣା କରି ବନ୍ଦୀ କଲେ ମଗଧରାଜ। ଚଣକ ପରିବାର ଆଶଙ୍କାରେ ଏବଂ ଆତଙ୍କ ମଧ୍ୟରେ ରାତ୍ରି ଯାପନ କଲେ।

ପରଦିନ ପ୍ରଭାତରେ ପାଟଳୀପୁତ୍ରର ଘରେ ଘରେ ଗୋଟାଏ ଦାରୁଣ ସମ୍ବାଦ ପ୍ରଚାରିତ ହେଲା। ସମ୍ବାଦ ପାଇ ଚଣକଙ୍କ ପତ୍ନୀ ଚାଣେଶ୍ଵରୀ ଏବଂ ପୁତ୍ର ବିଷ୍ଣୁ ପାଟଳୀପୁତ୍ର ନଗରୀର ମୁଖ୍ୟ ଚୌଛକି ନିକଟରେ ପହଞ୍ଚିଲେ। ଗୋଟାଏ ସ୍ତମ୍ଭ ଉପରେ ଝୁଲୁଥିଲା ଆଚାର୍ଯ୍ୟ ଚଣକଙ୍କର କଟାମୁଣ୍ଡ। ସେହିଠାରେ ଟଳି ପଡିଲେ ଚାଣେଶ୍ଵରୀ। ବାଳକ ଚାଣକ୍ୟ କିନ୍ତୁ କ୍ରନ୍ଦନ କରୁ ନ ଥିଲା। ତାର ନେତ୍ରଯୁଗ୍ମରେ କାରୁଣ୍ୟର ଅଶ୍ରୁଧାରା ନୁହେଁ, ସଂହାରର ଅଗ୍ନିଶିଖା ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା। ପିତାଙ୍କର କର୍ତ୍ତିତ ମସ୍ତକ ଏବଂ ମାତାଙ୍କର ଶବକୁ ଦୁଇଜଣ ପ୍ରତିବେଶୀଙ୍କ ସାହାଯ୍ୟରେ ଶ୍ମଶାନକୁ ନେଇ ଦାହ କରିବା ସମୟରେ ବିଷ୍ଣୁ ଶବ ସତ୍କାରର ମନ୍ତ୍ର ସହ ଆଉ କିଛି ପ୍ରତିଜ୍ଞା ବାଣୀ ଉଚ୍ଚାରଣ କରୁଥିଲା। କିନ୍ତୁ ସେ ଅସହାୟ ଥିଲା। ଅସମର୍ଥ ଥିଲା। ସେ ସ୍ଥିର କଲା ଯେ, ସେ ଅପେକ୍ଷା କରିବ। ନନ୍ଦ ବଂଶଠାରୁ ପ୍ରତିଶୋଧ ନେବା ପାଇଁ ତାକୁ ସୁଯୋଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ।

କିନ୍ତୁ ପାଟଳୀପୁତ୍ରରେ ତାର ଜୀବନ ପ୍ରତି ମଧ୍ୟ ବିପଦର ଆଶଙ୍କା ଥିଲା। ତାର ଜଣେ ପିତୃବନ୍ଧୁ ତାକୁ ତକ୍ଷଶିଳାରେ ଥିବା ତାଙ୍କ ବନ୍ଧୁଗୃହକୁ ପଠାଇଦେଲେ। ଅବଶ୍ୟ ପଥ ମଧ୍ୟରେ ଯାତ୍ରା ସୁଗମ କରିବାପାଇଁ ସେ କିଛି ବ୍ୟବସ୍ଥା କରିଦେଇଥିଲେ।

ତକ୍ଷଶିଳାର ଗୁରୁକୁଳ ସେତେବେଳେ ଦେଶ ବିଦେଶରେ ଖ୍ୟାତି ଲାଭ କରିଥିଲା। ସେଠାରେ ବେଦ ବେଦାନ୍ତଠାରୁ ଆରମ୍ଭ କରି ତର୍କଶାସ୍ତ୍ର, ଅର୍ଥଶାସ୍ତ୍ର ଏବଂ ରାଜନୀତିବିଜ୍ଞାନ ଆଦି ଶିକ୍ଷା ଦିଆ ଯାଉଥିଲା। ଚାଣକ୍ୟ ସଫଳତାର ସହ ସେଠାରେ ନିଜର ଅଧ୍ୟୟନ ଶେଷ କଲେ। ତାଙ୍କର ପାଟଳୀପୁତ୍ର ଫେରିବାର ଇଚ୍ଛା ନ ଥିଲା। ତକ୍ଷଶିଳା ଗୁରୁକୁଳର ପ୍ରଧାନ ଆଚାର୍ଯ୍ୟ ତାଙ୍କୁ ସସମ୍ମାନେ ରାଜନୀତି ବିଜ୍ଞାନର ଆଚାର୍ଯ୍ୟ ପଦରେ ନିଯୁକ୍ତି ଦେଲେ। ସେ ତକ୍ଷଶିଳାରେ ଅଧ୍ୟୟନ ଏବଂ ଅଧ୍ୟାପନା କରୁଥିବା ସମୟରେ ଲକ୍ଷ୍ୟ କଲେ ଯେ ସାରା ଭାରତର ବିଭିନ୍ନ ପ୍ରାନ୍ତରୁ ସେଠାକୁ ଛାତ୍ରମାନେ ଆସୁଛନ୍ତି ଏବଂ ସେମାନଙ୍କ ମନରେ ପ୍ରାନ୍ତୀୟ ଭିନ୍ନତା ବଦଳରେ ଗୋଟାଏ ସର୍ବଭାରତୀୟ ଭାବନା ସୃଷ୍ଟି ହେଉଛି। ସେହିଠାରେ ସେ ସମଗ୍ର ଭାରତକୁ ଏକଶାସନାଧୀନ କରି ରଖିବାର ଗୁରୁତ୍ୱ ଅନୁଭବ କଲେ।

ସେତେବେଳେ ତକ୍ଷଶିଳାର ରାଜା ଥିଲେ ଅମ୍ବି ଏବଂ ପଡୋଶୀ କେକୟ ରାଜ୍ୟର ରାଜା ଥିଲେ ପର୍ବତେଶ୍ଵର। ଉଭୟ ରାଜ୍ୟ ମଧ୍ୟରେ ସୀମା ବିବାଦ ଚାଲିଥାଏ। ହଠାତ୍ ଦୁଇ ରାଜ୍ୟ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲା। ତକ୍ଷଶିଳାରସେହି ସମୟରେ ସିକନ୍ଦର ବିଶ୍ୱବିଜୟ ଅଭିଯାନରେ ବାହାରି ଭାରତର ଦ୍ୱାରଦେଶରେ ପହଞ୍ଚି ସାରିଥିଲେ। ବିଦେଶୀ ଆକ୍ରମଣ ବିରୁଦ୍ଧରେ ଚିନ୍ତା ନ କରି ଛୋଟ ଛୋଟ ରାଜ୍ୟମାନେ ନିଜ ନିଜ ମଧ୍ୟରେ ଯୁଦ୍ଧ କରୁଥିବା ଦେଖି ସେ ଚିନ୍ତିତ ହେଲେ। ସେ ସର୍ବଦା ନିଜ ଛାତ୍ରମାନଙ୍କ ମଧ୍ୟରେ ‘ଏକଭାରତ’ର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଲାଗିଲେ। ଯୁଦ୍ଧ ହେତୁ ତକ୍ଷଶିଳାର ଗୁରୁକୁଳକୁ କିଛିଦିନ ପାଇଁ ବନ୍ଦ କରିବାକୁ ପଡିଲା। ଚାଣକ୍ୟଙ୍କୁ ଅବସର ମିଳିଲା ପାଟଳୀପୁତ୍ର ଫେରିବା ପାଇଁ। ସମ୍ଭବତଃ ତାଙ୍କର କର୍ମକ୍ଷେତ୍ର ତାଙ୍କୁ ହାତ ଠାରି ଡାକୁଥିଲା।

ଆଚାର୍ଯ୍ୟ ବିଷ୍ଣୁଗୁପ୍ତ ପାଟଳୀପୁତ୍ରରେ ପହଞ୍ଚିବା ପୂର୍ବରୁ ନନ୍ଦରାଜଙ୍କ ଶାସନ ସଂସ୍ଥାରେ କେତୋଟି ପରିବର୍ତ୍ତନ ଘଟି ଯାଇଥିଲା। ପୂର୍ବର ପ୍ରଧାନ ଅମାତ୍ୟ ବଦଳି ଯାଇ ଅମାତ୍ୟ ‘ରାକ୍ଷସ’ଙ୍କୁ ସେହି ସ୍ଥାନରେ ଅବସ୍ଥାପିତ କରାଯାଇଥିଲା। ତାଙ୍କ ଅନୁରୋଧ କ୍ରମେ ବନ୍ଦୀଶାଳାରୁ ଶକଟାରଙ୍କୁ ସପରିବାର ମୁକ୍ତି ଦିଆଯାଇଥିଲା। ପୁନର୍ବାର ମନ୍ତ୍ରୀପଦ ଅଳଙ୍କୃତ କରିବାପାଇଁ ପ୍ରଧାନ ଅମାତ୍ୟଙ୍କ ପ୍ରସ୍ତାବକୁ ଶକଟାର ସବିନୟ ପ୍ରତ୍ୟାଖ୍ୟାନ କରିଥିଲେ।

ଚାଣକ୍ୟ ପ୍ରଥମେ ନିଜର ପରିତ୍ୟକ୍ତ ନିବାସକୁ ଗଲେ। ଅତୀତର ଚରିତ୍ରମାନେ ତାଙ୍କ ସମ୍ମୁଖରେ ଆତଯାତ ହେଲେ। ବିଗତ ସ୍ମୃତିର ରୋମନ୍ଥନରେ ଜୀବନ୍ତ ଭଳି ଦୃଶ୍ୟମାନ ହେଲେ ଦିବଙ୍ଗତ ପିତାମାତା। ଅନ୍ୟାୟ ବିରୁଦ୍ଧରେ ଲଢି ପିତାଙ୍କର ଆତ୍ମୋତ୍ସର୍ଗ, ମାତାଙ୍କର ପତିଭକ୍ତି ଓ ପୁତ୍ରସ୍ନେହ ସବୁ ସଦ୍ୟ ଘଟିଥିବା ଘଟଣା ଭଳି ସେ ଅନୁଭବ କଲେ। ଶରୀରରେ ଅଦ୍ଭୁତ ଶକ୍ତିର ସଂଚାର ହେଲା। ହୃଦୟରେ ଏକ ଦୃଢ ସଂକଳ୍ପ ଜନ୍ମ ନେଲା। ନଷ୍ଟ ଭ୍ରଷ୍ଟ ଶ୍ରୀହୀନ ନିବାସସ୍ଥଳକୁ ବାସଯୋଗ୍ୟ କରିବାପାଇଁ ଚେଷ୍ଟା କରୁଥିଲେ ସେ। ତାଙ୍କର ବାଲ୍ୟବନ୍ଧୁ ଅଧିରାଜ ପ୍ରବେଶ କଲେ। ଅଧିରାଜ ଏବେ ପାଟଳୀପୁତ୍ର ଗୁରୁକୁଳର ଆଚାର୍ଯ୍ୟ ପଦରେ ନିଯୁକ୍ତ ଥିଲେ। ତାଙ୍କ ଅନୁରୋଧ କ୍ରମେ ସେଦିନ ଚାଣକ୍ୟ ତାଙ୍କର ଆତିଥ୍ୟ ଗ୍ରହଣ କଲେ।


କ୍ରମଶଃ

Please follow and like us:
0
20
Pin Share20