ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଭାରତର ପଶ୍ଚିମ ପ୍ରାନ୍ତରେ ଆଲେକଜାଣ୍ଡାର ଯେ ନିରଙ୍କୁଶ ଭାବରେ ଆଗକୁ ବଢୁଥିଲେ, ତାହା ନୁହେଁ। କେତୋଟି କ୍ଷୁଦ୍ର ରାଜ୍ୟ ଯୁଦ୍ଧ କରି ପରାସ୍ତ ହୋଇଥିଲେ। ତାଙ୍କର ପଞ୍ଜାବ ନରେଶ ପୁରୁଙ୍କ ସହ ଘଟିଥିବା 'ହାଇଡାସପିସ ସମର' ମଧ୍ୟ ତାଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ଇତିହାସ ପୃଷ୍ଠାରେ ପୁରୁ ପରାସ୍ତ ହେବାର କାହାଣୀ ଏବେ କେତେକଙ୍କ ଦ୍ଵାରା ଅସ୍ଵୀକୃତ ହୋଇଛି। ସେମାନେ କହନ୍ତି, 'ଏହା ପାଶ୍ଚାତ୍ୟ ଐତିହାସିକଙ୍କ ଦ୍ଵାରା ସିକନ୍ଦରଙ୍କର ମହିମାମଣ୍ଡନ ପାଇଁ ଲେଖାଯାଇଥିଲେ ମଧ୍ୟ ପ୍ରକୃତରେ ପୁରୁ ଏହି ଯୁଦ୍ଧରେ ଜୟଲାଭ କରିଥିଲେ। ନଚେତ୍ ସିକନ୍ଦର ନିଶ୍ଚୟ ଭାରତର ଆଭ୍ୟନ୍ତରୀଣ ରାଜ୍ୟଗୁଡିକୁ ଆକ୍ରମଣ କରିଥାନ୍ତେ।
ପରମ୍ପରା ସମ୍ପୂର୍ଣ୍ଣ ଭାବରେ ନ ହେଲେ ମଧ୍ୟ ଆଂଶିକ ଭାବରେ ପାଳନ କରିଥିଲେ ଆଲେକଜାଣ୍ଡାର। ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ଅପେକ୍ଷା କରିଥିଲେ। ତା ପରେ ପରେ ନିଜର ଏବଂ ସମ୍ପର୍କୀୟ ସମସ୍ତ ଭ୍ରାତାଙ୍କୁ ହତ୍ୟା କରି ସେ ମାସିଡୋନିଆର ସିଂହାସନରେ ବସିଥିଲେ। ସାରା ପୃଥିବୀର ସମ୍ରାଟ ହେବା ଲକ୍ଷ୍ୟ ନେଇ ସେ ଯୁଦ୍ଧ ଯାତ୍ରା କରିଥିଲେ। ଇରାନକୁ ଆକ୍ରମଣ କରି ବିଜୟ ହାସଲ କଲା ପରେ ସେ ନିଜକୁ ମହାନ ସିକନ୍ଦର ବୋଲି ଘୋଷଣା କରିଦେଲେ।
ଇରାନ [ପାରସ୍ୟ]ର ସୁଲତାନ ଦାରା ସାତଫୁଟ ଉଚ୍ଚ ଥିଲେ। ତାଙ୍କ ସିଂହାସନରେ ବସିବାକୁ ପାଞ୍ଚ ଫୁଟ ଉଚ୍ଚ ସିକନ୍ଦରଙ୍କୁ ଅଧିକ ଗୋଟିଏ ଷ୍ଟୁଲ ଆରୋହଣ କରିବାକୁ ପଡିଲା। ତେଣୁ ଥଟ୍ଟାରେ ଇରାନୀ ଜନତା ତାଙ୍କୁ ଛୋଟ ପିଲା (ଇସ୍କନ୍ଦର)ବୋଲି କହିଲେ। କିନ୍ତୁ ଗ୍ରୀକ ସେନାପତିମାନେ ତାକୁ ବଦଳାଇ ଡାକିଲେ 'ସିକନ୍ଦର' ଅର୍ଥାତ ବିଜୟୀ ବୀର।
ସିକନ୍ଦର ଭାରତ ଆକ୍ରମଣ କରିବା ସମୟରେ ସୀମାନ୍ତର କ୍ଷୁଦ୍ର ରାଜ୍ୟମାନେ ପରସ୍ପର ମଧ୍ୟରେ ଯେଉଁଭଳି ବ୍ୟବହାର କଲେ, ତାହା ପ୍ରକୃତରେ ଯେ କୌଣସି ଚିନ୍ତାଶୀଳ ଭାରତୀୟ ପାଇଁ ଉଦ୍ବେଗର କାରଣ ଥିଲା। ପାଶ୍ଚାତ୍ୟ ଇତିହାସ ଲେଖକମାନେ ଆଲେକଜାଣ୍ଡାରଙ୍କର ଅନେକ ସ୍ତୁତିଗାନ କରିଛନ୍ତି। କିନ୍ତୁ ଇରାନ ଏବଂ ଚୀନର ଐତିହାସିକମାନେ ତାଙ୍କୁ କେବଳ ଏକ ନିଷ୍ଠୁର ଆକ୍ରମଣକାରୀ ଭାବରେ ବର୍ଣ୍ଣନା କରିଛନ୍ତି।
ଧୂର୍ତ୍ତତା, ପ୍ରବଞ୍ଚନା, ବିଶ୍ଵାସଘାତକତା ଏବଂ କ୍ରୂରତାର ଶୀର୍ଷରେ ଥିଲେ ଆଲେକଜାଣ୍ଡାର ଦି ଗ୍ରେଟ। ସେ ପ୍ରଥମେ ସୀମାରେ ଥିବା ରାଜ୍ୟମାନଙ୍କୁ ସନ୍ଧିର ପ୍ରସ୍ତାବ ପଠାଉଥିଲେ। ତାଙ୍କ ମିତ୍ରତାର କୁଟିଳ ବନ୍ଧନରେ ଆବଦ୍ଧ ହୋଇ ଯେଉଁ ରାଜା ନିଶ୍ଚିନ୍ତ ନିଦ୍ରା ଯାଉଥିଲେ, ସେମାନଙ୍କର ନିଦ୍ରା ମହାନିଦ୍ରାରେ ପରିଣତ ହେଉଥିଲା। ମତ୍ସ୍ୟ ରାଜ୍ୟର ରାଜା ଏହିଭଳି ଏକ ଷଡଯନ୍ତ୍ରର ଶିକାର ହୋଇଥିଲେ। ପ୍ରଥମେ ଏହି ରାଜ୍ୟର କେବଳ ସୈନ୍ୟମାନେ ନୁହେଁ, ମହିଳାମାନେ ମଧ୍ୟ ରାଜମାତାଙ୍କ ନେତୃତ୍ୱରେ ସିକନ୍ଦର ସହ ଯୁଦ୍ଧ କରି ସେମାନଙ୍କୁ ଚକିତ କରିଦେଇଥିଲେ। ସିକନ୍ଦରଙ୍କ ଆଗ୍ରହ କ୍ରମେ ମୈତ୍ରୀ ଚୁକ୍ତି କରିଥିଲେ ମତ୍ସ୍ୟରାଜ। ଅର୍ଦ୍ଧରାତ୍ରରେ ଯବନ ସୈନ୍ୟ ଦସ୍ୟୁଙ୍କ ପରି ରାଜମହଲ ଉପରେ ଆକ୍ରମଣ କରି ରାଜମାତା, ଶିଶୁ, ବାଳକ ସମେତ ସମସ୍ତଙ୍କୁ ଖଡ୍ଗ ଆଘାତରେ ଦୁଇଗଡ କରିଦେଇ ଯାଇଥିଲେ।
କିଛି ଦିନ ପୂର୍ବରୁ ଅମ୍ବି ଏବଂ ପୁରୁଙ୍କ ମଧ୍ୟରେ ଯୁଦ୍ଧ ହୋଇ ଯାଇଥାଏ। ସେଥିରେ ଅମ୍ବି ପରାଜିତ ହୋଇଥାନ୍ତି। କିନ୍ତୁ ପୁରୁ ତାଙ୍କୁ ପରାଜିତ ରାଜା ଭଳି ବ୍ୟବହାର ନ କରି ତାଙ୍କୁ ବନ୍ଧୁତାର ହାତ ବଢାଇଥିଲେ। ଉଭୟଙ୍କ ମଧ୍ୟରେ ଏକ ଶାନ୍ତି ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ସ୍ଥାପିତ ହୋଇଥିଲା। କିନ୍ତୁ ପୁରୁଙ୍କ ସହ କୌଣସି ପରାମର୍ଶ ନ କରି ଅମ୍ବି ସିକନ୍ଦରଙ୍କ ଅଧୀନତା ସ୍ଵୀକାର କରିନେଲେ। ତା ପରେ ପଞ୍ଜାବର ରାଜା ପୁରୁଙ୍କ ନିକଟକୁ ସିକନ୍ଦରଙ୍କ ନିକଟରୁ ଏକ ପତ୍ର ଆସିଲା। ସେଥିରେ ସିକନ୍ଦରଙ୍କର ବଶ୍ୟତା ସ୍ଵୀକାର କରିବା ପାଇଁ ଆହ୍ୱାନ ଥିଲା। ଗ୍ରୀକ ସେନାର ଜଣେ ସ୍ପର୍ଦ୍ଧିତ ସେନାପତି ନେଇ ଆସିଥିଲା ସେ ପତ୍ର। ତାହାରି ସମ୍ମୁଖରେ ପତ୍ରଟିକୁ ପୁରୁ ଜଳାଇ ଦେଇଥିଲେ। କହିଥିଲେ, "ଯାଅ। ମୋର ଉତ୍ତର ତୁମ ଯବନ ଦସ୍ୟୁ ସମ୍ରାଟକୁ ଜଣାଇ ଦେବ।"
ଗାନ୍ଧାରର ଶାସକ ଅମ୍ବି ସିକନ୍ଦରଙ୍କ ଶରଣ ପଶିବା ସମ୍ବାଦ ପୁରୁଙ୍କ ନିକଟରେ ପହଞ୍ଚିଲା। ସେ ଆଶ୍ଚର୍ଯ୍ୟ ହେଲେନାହିଁ। କିନ୍ତୁ ସିକନ୍ଦରଙ୍କର ପ୍ରୀତିଭାଜନ ହେବାପାଇଁ ଯୁଦ୍ଧ ସମୟରେ ଅମ୍ବି ତାଙ୍କ ରାଜ୍ୟକୁ ଅନ୍ୟପଟୁ ଆକ୍ରମଣ କରିବାର ସମ୍ଭାବନା ଥିଲା। ଭ୍ରାତା ଅମର'ଙ୍କ ବାରଣ ସତ୍ତ୍ୱେ ସେ ନିଜେ ଅମ୍ବିଙ୍କ ନିକଟକୁ ଗଲେ। ଅମ୍ବିଙ୍କର ରାଜସଭାରେ ପହଞ୍ଚି ପୁରୁ ପ୍ରଶ୍ନ କଲେ, "ମହାରାଜ ଅମ୍ବି, ଗୋଟାଏ ବିଦେଶୀ ଲୁଣ୍ଠନକାରୀ ନିକଟରେ ଆତ୍ମସମର୍ପଣ କରିବାକୁ ଲଜ୍ଜା ଲାଗିଲା ନାହିଁ? ଆମ ଉଭୟ ରାଜ୍ୟ ମିଶି ଲଢିଥିଲେ, ସିକନ୍ଦର ପଳାଇବାକୁ ମଧ୍ୟ ସୁଯୋଗ ପାଇ ନ ଥାନ୍ତା। କିନ୍ତୁ ଆପଣ ୟେ କଲେ କଣ? ମୁଁ ଏବେ ବି ଆପଣଙ୍କର ବନ୍ଧୁ ଅଛି। ମୋର ଅନୁରୋଧ, ଆପଣ ଏ ଚୁକ୍ତି ଭଙ୍ଗ କରି ସେ ବନ୍ଧନରୁ ଓହରି ଆସନ୍ତୁ।" ଅମ୍ବି କହିଲେ, "ତାହା ଆଉ ସମ୍ଭବ ନୁହେଁ।" ପୁରୁ କହିଲେ, "ଆପଣ ମୋ ସହ ମିଶି ତା ବିରୁଦ୍ଧରେ ସଂଗ୍ରାମ ନ କଲେ ନାହିଁ। ଅନ୍ତତଃ ନିରପେକ୍ଷ ରହିବେ ବୋଲି ମୋତେ କଥା ଦିଅନ୍ତୁ।" ଅମ୍ବି ଲକ୍ଷ୍ୟ କଲେ, ତାଙ୍କର ମନ୍ତ୍ରୀମଣ୍ଡଳ ରାଜା ପୁରୁଙ୍କୁ ସମର୍ଥନ କରିବା ମୁଦ୍ରାରେ ଅଛନ୍ତି। ସେ ଅତ୍ୟନ୍ତ ପ୍ରଫୁଲ୍ଲତାର ସହ ପୁରୁଙ୍କ ପ୍ରସ୍ତାବକୁ ସମର୍ଥନ କଲେ ଏବଂ ତାଙ୍କୁ ଆଲିଙ୍ଗନ କରି ବିଦାୟ ଦେଲେ। କିନ୍ତୁ ଅମ୍ବି ନିଜ ପକ୍ଷରୁ ଦେଇଥିବା ଆଶ୍ଵାସନା ଅନୁସାରେ କାମ କଲେ ନାହିଁ। ରାଜନୀତିରେ ଘୃଣ୍ୟ ନୀଚତାର ସିଏ ଥିଲା ଅନ୍ୟତମ ଦୃଷ୍ଟାନ୍ତ!
କ୍ରମଶଃ