Coin Monster: Episode 22

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ସିକନ୍ଦରଙ୍କ ସେନାପତି ରାଜା ପୁରୁଙ୍କ ସଭାରେ ଯାହା ଘଟିଲା, ସବୁ ବିସ୍ତୃତ ଭାବରେ ସିକନ୍ଦରଙ୍କ ସମ୍ମୁଖରେ ବର୍ଣ୍ଣନା କରିଗଲେ। ‘ମହାନ ୟୁନାନ ସାମ୍ରାଟଙ୍କର ଅପମାନର ପ୍ରତିଶୋଧ ଯଥାଶୀଘ୍ର ନେବା ଉଚିତ’ ବୋଲି ରଣହୁଙ୍କାର ଦେଲେ। ଯୁଦ୍ଧ ଆରମ୍ଭ ହୋଇଗଲା। ସିକନ୍ଦରଙ୍କ ସେନାରେ ପଦାତିକ ସୈନ୍ୟ, ଘୋଡ଼ସବାର ତୀରନ୍ଦାଜ ସୈନ୍ୟ ପୁରୁଙ୍କ ସେନା ଅପେକ୍ଷା ଅଧିକ ଥିଲେ। ଗ୍ରୀକ ସେନା ନୂତନ ଯୁଦ୍ଧ କୌଶଳ ଶିକ୍ଷା କରିଥିଲେ। ଯୋଜନା ପ୍ରଣୟନ କରି ଶୃଙ୍ଖଳିତ ଭାବରେ ତାହା କାର୍ଯ୍ୟାନ୍ଵିତ କରୁଥିଲେ। ପୁରୁଙ୍କ ସୈନ୍ୟମାନେ ଶକ୍ତିଶାଳୀ ଥିଲେ ମଧ୍ୟ ସେମାନେ କେବଳ ନିଜ ରାଜାଙ୍କ ପ୍ରତି ଆନୁଗତ୍ୟ ହେତୁ ପ୍ରାଣକୁ ବାଜି ଲଗାଇ ଲଢୁଥିଲେ। ଭାରତୀୟ ରାଜାମାନେ ସେନା ପରିଚାଳନା ପୂର୍ବରୁ ଶତ୍ରୁର ରଣ କୌଶଳ, ତାର ସାମର୍ଥ୍ୟର ହେତୁ କଣ, ତାର ଦୁର୍ବଳତା କେଉଁଠି, ଏ ସବୁ ବିଚାର କରୁ ନ ଥିଲେ। ତେଣୁ ବିଦେଶୀ ସୈନ୍ୟ ଅଧିକାଂଶ ସ୍ଥଳରେ ଜୟଲାଭ କରୁଥିଲେ। ସିକନ୍ଦର ମଧ୍ୟ ପୁରୁଙ୍କ ସେନାର ଗୋଟିଏ ବିଶେଷତ୍ୱ ଉପରେ ଗୁରୁତ୍ୱ ଦେଇ ନ ଥିଲେ। ତାହା ଥିଲା ତାଙ୍କର ପରାକ୍ରମୀ ହସ୍ତୀ ବାହିନୀ।

ପ୍ରଥମ ଦିନ ଯୁଦ୍ଧରେ ସିକନ୍ଦରଙ୍କ ଅଶ୍ଵାରୋହୀ ସେନାରେ ଥିବା ତୀରନ୍ଦାଜମାନେ ପଞ୍ଜାବ ସେନାରେ ଅନେକ ସୈନ୍ୟଙ୍କୁ ମୃତାହତ କରିଦେଲେ। ଅସୀମ ଉତ୍ସାହରେ ସେମାନେ ଝେଲମ ନଦୀ ଅତିକ୍ରମ କରି ପୁରୁଙ୍କ ପଦାତିକ ସେନା ଓ ହସ୍ତୀ ବାହିନୀର ସମ୍ମୁଖୀନ ହେଲେ। ଏଥର ଯୁଦ୍ଧର ଗତି ବଦଳି ଗଲା। ପ୍ରକାଣ୍ଡକାୟ ଗଜମାନେ ଅନେକ ୟୁନାନୀ ସୈନ୍ୟଙ୍କୁ ଗୋଡରେ ଦଳି ମାରିଦେଲେ। ସେମାନେ ଶତ୍ରୁ ସୈନ୍ୟଙ୍କୁ ଶୁଣ୍ଢରେ ଟେକିନେଇ ସେମାନଙ୍କ ଉପରେ ବସିଥିବା ଯୋଦ୍ଧାମାନଙ୍କୁ ସମର୍ପି ଦେଉଥାନ୍ତି। ସେହି ଗଜାରୋହୀ ଯୋଦ୍ଧାମାନେ ଖଡ୍ଗ ଚୋଟରେ ସେମାନଙ୍କ ଶରୀରରୁ ମସ୍ତକଟିକୁ ବିଚ୍ଛିନ୍ନ କରି ଦେଉଥାନ୍ତି। ପୁରୁଙ୍କର ଅନ୍ୟ ପଦାତିକ ସୈନ୍ୟମାନେ ସାତଫୁଟ ଲମ୍ବ ଏକ ବିଶେଷ ପ୍ରକାରର ବର୍ଚ୍ଛା ବ୍ୟବହାର କରୁଥାନ୍ତି। ତା ସାହାଯ୍ୟରେ ଜଣେ ଜଣେ ସୈନ୍ୟ ଅନେକ ଶତ୍ରୁ ସୈନ୍ୟଙ୍କୁ ବିନାଶ କରୁଥାନ୍ତି। ୟୁନାନୀ ସେନା କେବେ ମଧ୍ୟ ଏଭଳି ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନ ଥିଲେ। ସିକନ୍ଦର ସୈନ୍ୟଙ୍କୁ ପଛକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଲେ। କିନ୍ତୁ ଝେଲମ ନଦୀରେ ବନ୍ୟା ଆସିଯାଇଥିଲା। ସିକନ୍ଦର ପଳାୟନ କରିବା ପାଇଁ ତାଙ୍କର ବିଶ୍ଵସ୍ତ ଶକ୍ତିଶାଳୀ ଅଶ୍ଵ ‘ବୁସେଫାଲସ୍’ ଉପରେ ଆରୋହଣ କଲେ। ତାଙ୍କର ଅନୁଧାବନ କରୁଥିଲେ ପୁରୁଙ୍କ ଭ୍ରାତା ଅମର। ସମସ୍ତ ଶକ୍ତି ଲଗାଇ ଅମର ତାଙ୍କର ତୀକ୍ଷ୍ଣ ବର୍ଚ୍ଛାକୁ ସିକନ୍ଦରଙ୍କ ଉପରକୁ ନିକ୍ଷେପ କଲେ। କିନ୍ତୁ ବର୍ଚ୍ଛା ବୁସେଫାଲସ୍ ଶରୀରର ଗୋଟିଏ ପଟରେ ଭେଦି ଅନ୍ୟ ପଟରେ ବାହାରିଗଲା। ଟଳି ପଡ଼ିଲା ସିକନ୍ଦରଙ୍କର ବହୁଯୁଦ୍ଧର ସାଥି, ପ୍ରିୟ ତୁରଙ୍ଗମ। ମୁହଁ ମାଡି ପଡିଲେ ମହାନ ଆଲେକଜାଣ୍ଡାର। ନିଜକୁ ସମ୍ଭାଳି ଉପରକୁ ମୁହଁ ଟେକିଲା ବେଳକୁ ଦେଖିଲେ, ତାଙ୍କ ବକ୍ଷରେ ତରବାରୀ ରଖି ଦଣ୍ଡାୟମାନ ହୋଇଛନ୍ତି ମହାରାଜ ପୁରୁ। ଗୋଟିଏ ଚୋଟରେ ସିକନ୍ଦରଙ୍କର ପ୍ରାଣବାୟୁ ଉଡିଯାଇଥାନ୍ତା। ଚୂର୍ଣ୍ଣ ହୋଇଯାଇଥାନ୍ତା ଏକ ନରହନ୍ତା ଆତତାୟୀର ଅହମିକାର ଦୁର୍ଗ। ଇତିହାସରେ ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଥାନ୍ତା ଭିନ୍ନ ଏକ ଅମର ଗାଥା। କିନ୍ତୁ କ୍ଷତ୍ରିୟର ଧର୍ମ ପୁରୁଙ୍କର ହସ୍ତକୁ ଶିଥିଳ କରିଦେଲା। ସଂସ୍କାରର ରଜ୍ଜୁ ବାନ୍ଧି ଦେଲା ତାଙ୍କର ହସ୍ତକୁ। ଉଦ୍ୟତ କୃପାଣ ନିମ୍ନମୁଖୀ ହେଲା। ରାଜୋଚିତ ଗାମ୍ଭୀର୍ଯ୍ୟର ସହ ସେ ସିକନ୍ଦରକୁ ତଳୁ ଉଠାଇ କହିଲେ, “ଶତ୍ରୁ ଯେତେ ପ୍ରବଳ ହେଉନା କାହିଁକି, ଭାରତବର୍ଷର ରାଜାମାନେ ନିରସ୍ତ୍ର ଉପରକୁ ଅସ୍ତ୍ର ପ୍ରୟୋଗ କରନ୍ତି ନାହିଁ। ଉଠ, ହୁଏ ତ ଅସ୍ତ୍ର ଧରି ଯୁଦ୍ଧ କର, ଅଥବା ପଳାୟନ କରି ପ୍ରାଣ ରକ୍ଷା କର।”
ରାଜା ପୁରୁଙ୍କର ଏହି ଉଦାରତା ଘାତକ ସିଦ୍ଧ ହେଲା। ହଠାତ୍ ଅମ୍ବିଙ୍କ ସୈନ୍ୟଦଳ ପୃଷ୍ଠ ଦେଶରୁ ଆକ୍ରମଣ କରିଦେଲେ। ପୁରୁଙ୍କ ସୈନ୍ୟମାନେ ବିଶୃଙ୍ଖଳିତ ହୋଇଗଲେ ଏବଂ ଗ୍ରୀକ ଅଶ୍ଵାରୋହୀ ସୈନ୍ୟ ସିକନ୍ଦରକୁ ଉଠାଇ ନିରାପଦ ସ୍ଥାନକୁ ବହି ନେଇଗଲେ। ତା ପରର ଘଟଣା ସମ୍ପର୍କରେ ଅନେକ ମତ ଅଛି। କେତେକଙ୍କ ମତରେ ବର୍ଷା ହୋଇ ଭୂମି କର୍ଦ୍ଦମାକ୍ତ ହୋଇଯିବାରୁ ହସ୍ତୀମାନେ ଆଗକୁ ପଛକୁ ଗତି କରି ପାରିଲେ ନାହିଁ। ଯୁଦ୍ଧରେ ପୁରୁଙ୍କ ଜ୍ୟେଷ୍ଠ ପୁତ୍ର ପ୍ରାଣ ହରାଇଲେ। ୟୁନାନୀ ଏବଂ ତକ୍ଷଶିଳାର ସୈନ୍ୟଙ୍କ ସମ୍ମିଳିତ ଆକ୍ରମଣରେ ପଞ୍ଜାବ ସେନା ପରାସ୍ତ ହେଲେ। ପୁରୁ ହାରିଯାଇ ବନ୍ଦୀ ହୋଇଥିଲେ ଏବଂ ସିକନ୍ଦର ତାଙ୍କୁ ପ୍ରଶ୍ନ କରିଥିଲେ, “ତୁମେ ମୋ ଠାରୁ କିପରି ବ୍ୟବହାର ଆଶା କର?” ପୁରୁ ମସ୍ତକ ଉନ୍ନତ କରି ଉତ୍ତର ଦେଇଥିଲେ,”ଜଣେ ନରପତି ଅନ୍ୟ ଜଣେ ନୃପତି ନିକଟରୁ ଯେଉଁଭଳି ବ୍ୟବହାର ଆଶା କରେ।” ତା ପରେ ସିକନ୍ଦର ତାଙ୍କୁ ମୁକ୍ତି ଦେଇ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇଥିଲେ। କିନ୍ତୁ ସିକନ୍ଦରଙ୍କର ଚରିତ୍ର ଅନୁଧ୍ୟାନ କଲେ ଏଥିରେ ସତ୍ୟତା ଥିବା ପ୍ରତୀୟମାନ ହୁଏ ନାହିଁ। ଏହା ପୂର୍ବରୁ ସେ କୌଣସି ପରାଜିତ ରାଜାଙ୍କ ସହ ଏତେ ସହୃଦୟ ବ୍ୟବହାର କରିଥିବାର ପ୍ରମାଣ ନାହିଁ।

ପିତାଙ୍କ ଅନ୍ତେ ନିଜର ସାବତମାତାଙ୍କର ଏବଂ ପିତୃବ୍ୟଙ୍କର ପୁତ୍ରମାନଙ୍କୁ ଗୋଟି ଗୋଟି ନିର୍ମମ ଭାବରେ ହତ୍ୟା କରି ସେ ସିଂହାସନରେ ବସିଥିଲେ। ସେ ପରାଜିତ ଇରାନ ଶାସକ ଦାରାଙ୍କର ମହଲରେ ନିଆଁ ଲଗାଇ ଧ୍ଵଂସ କରିଦେଇଥିଲେ। ଯୁଦ୍ଧରେ ଜୟଲାଭର ଉତ୍ସବ ନଗରମାନଙ୍କୁ ଜଳାଇ ପାଳନ କରାଯାଉଥିଲା। ତାଙ୍କର ଅଧସ୍ତନ କର୍ମଚାରୀଙ୍କ ସାମାନ୍ୟ ତ୍ରୁଟି ପାଇଁ ସେମାନଙ୍କ ହସ୍ତ ଛେଦନ କରି ଯନ୍ତ୍ରଣାଦାୟକ ମୃତ୍ୟୁ ଦେଉଥିଲେ। ଶିଶୁମାନଙ୍କୁ ଉପରକୁ ଫିଙ୍ଗି ତଳେ ବର୍ଚ୍ଛା ଦେଖାଇବା ତାଙ୍କର ପ୍ରିୟ ଆମୋଦ ଥିଲା। ତାଙ୍କର ବିରୋଧ କରିବା ଦୋଷରେ ସେ ନିଜର ଜଣେ ପ୍ରିୟ ମିତ୍ର ଏବଂ ପିତାଙ୍କ ମିତ୍ରଙ୍କ ଉପରେ ସାମାନ୍ୟ କାରଣରୁ ରୁଷ୍ଟ ହୋଇ ପ୍ରାଣଦଣ୍ଡ ଦେଇଥିଲେ। ବିଜିତ ରାଜ୍ୟରେ ଲୁଣ୍ଠନ, ନାରୀହରଣ, ଶିଶୁହତ୍ୟା, ଗୃହଦାହ କରୁଥିବା ୟୁନାନୀ ସେନାମୁଖ୍ୟ ଆଲେକଜାଣ୍ଡାର, ତାଙ୍କୁ ତାତ୍ସଲ୍ୟ କରିଥିବା ପଞ୍ଜାବପତି ପୁରୁଙ୍କୁ ପରାସ୍ତ କଲା ପରେ ଏପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କରିଥିବେ, ଏ କଥା ଅନେକଙ୍କର ବୋଧଗମ୍ୟ ହୁଏନାହିଁ। ତାଙ୍କ ମହାନତାକୁ ଅସ୍ଵୀକାର କରୁଥିବା ଐତିହାସିକଙ୍କ ସଂଖ୍ୟା ଅଳ୍ପ ନୁହେଁ।
ଅନ୍ୟ କେତେକଙ୍କ ମତରେ ସିକନ୍ଦରଙ୍କର ପରାଜୟ ନିଶ୍ଚିତ ଥିଲା। ସେ ପୁରୁଙ୍କ ନିକଟକୁ ସନ୍ଧି ପ୍ରସ୍ତାବ ପଠାଇଥିଲେ ଏବଂ ପୁରୁ ତାହା ସ୍ଵୀକାର କରିଥିଲେ। ସିକନ୍ଦରଙ୍କ ସମ୍ପର୍କରେ କୁହାଯାଏ ଯେ, ସେ କୌଣସି ଯୁଦ୍ଧ ହାରି ନ ଥିଲେ, କିନ୍ତୁ ସେଥିରେ ପରେ ଧାଡିଟିଏ ଯୋଗ କରାଯାଇଥିଲା, “ହାଇଡାସପିସ ଯୁଦ୍ଧକୁ ଛାଡି’। ସିକନ୍ଦର ଯଦି ଆଉ ଆଗକୁ ବଢି ନ ଥିଲେ, ତେବେ ତାର ପୃଷ୍ଠଭୂମିରେ ଥିଲା ହାଇଡାସପିସ ଯୁଦ୍ଧରେ ତାଙ୍କର ଅପରିମିତ ସୈନ୍ୟ କ୍ଷୟ।

ସିକନ୍ଦରଙ୍କର ଶେଷ ଆଶା ତିନୋଟି ଥିଲା—
ପ୍ରଥମ-ତାଙ୍କୁ ଚିକିତ୍ସା କରୁଥିବା ହକିମମାନେ ତାଙ୍କର ଶବାଧାରକୁ କାନ୍ଧରେ ବହି ବହି ନେବେ। ଲୋକେ ଜାଣିବେ ଯେ, ଯେତେ ଚିକିତ୍ସକ ମିଶିଲେ ମଧ୍ୟ ମୃତ୍ୟୁର ପ୍ରତିରୋଧ କରିପାରନ୍ତି ନାହିଁ। ଦ୍ଵିତୀୟ-ତାଙ୍କର ଶବଯାତ୍ରା ସମୟରେ ତାଙ୍କ ଅର୍ଜିତ ସମ୍ପତ୍ତି ତଳେ ବିଛାଇ ଦେବେ। ଏଥିରୁ ସମସ୍ତେ ବୁଝିପାରିବେ ଯେ ଯେତେ ଧନ ଥିଲେ ମଧ୍ୟ ମୃତ୍ୟୁକୁ ଅଟକାଇବା ସମ୍ଭବ ନୁହେଁ। ତୃତୀୟ-ତାଙ୍କର ଶବକୁ ସମାଧି ଯାଏଁ ନେବାବେଳେ ହାତ ଦୁଇଟି ବାହାରକୁ ଝୁଲାଇ ରଖିଦେବେ। ଲୋକେ ବୁଝିବେ ଯେ, ବ୍ୟକ୍ତି ଖାଲି ହାତରେ ଆସିଥାଏ। ଜୀବନର ଅନ୍ତଃ କାଳରେ ଶୂନ୍ୟ ହସ୍ତରେ ଫେରିଯାଏ।

Please follow and like us:
0
20
Pin Share20