ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
(ଆମ ‘ମୁଦ୍ରାରାକ୍ଷସ’ କାହାଣୀରେ ସିକନ୍ଦର ଏ ପର୍ଯ୍ୟନ୍ତ ଭାରତ ସୀମାରେ ଅଛନ୍ତି ଏବଂ ତାଙ୍କୁ ତଡିବା ପାଇଁ ଚାଣକ୍ୟ ମଗଧ ଶାସନ ନିକଟରୁ ସାହାଯ୍ୟ ଭିକ୍ଷା କରିବାକୁ ଆସିଛନ୍ତି। ପ୍ରସଙ୍ଗ କ୍ରମେ ସିକନ୍ଦରଙ୍କର ଶେଷ ଇଚ୍ଛା ବିଷୟରେ ଗତ ଅଧ୍ୟାୟରେ କିଛି ରୋଚକ ତଥ୍ୟ ପ୍ରକାଶ ପାଇଥିଲା। ଆମେ ଅବଶ୍ୟ ତାଙ୍କ ମୃତ୍ୟୁ ବିଷୟ ଆଲୋଚନା କଲା ସମୟରେ ତାଙ୍କର ଏ ପାରମାର୍ଥିକ ପରିବର୍ତ୍ତନର କାରଣ ଆଲୋଚନା କରିବା। ଏବେ ଆଗକୁ।)
ଚାଣକ୍ୟଙ୍କ ସମ୍ବନ୍ଧରେ ଏପର୍ଯ୍ୟନ୍ତ ବର୍ଣ୍ଣିତ କାହାଣୀକୁ ଆମେ ଏଇଠି ରଖିବା। ‘ମୁଦ୍ରାରାକ୍ଷସ’ ନାଟକର ଉପକ୍ରମଣିକାରେ ନନ୍ଦବଂଶ ଧ୍ଵଂସର ଯେଉଁ ବର୍ଣ୍ଣନା ଅଛି, ତାହା ବିଶ୍ୱାସଯୋଗ୍ୟ ନ ହେଲେ ମଧ୍ୟ ତନ୍ମଧ୍ୟରୁ କେତେକାଂଶ ଆମର ଅସ୍ଥିମଜ୍ଜାଗତ ହୋଇସାରିଛି। ଆଜି ଆମେ ବିଶାଖଦତ୍ତଙ୍କର ରଚିତ କାହାଣୀ ଆଲୋଚନା କରିବା। ତଦନୁସାରେ ଶକଟାରଙ୍କ ପରିବାର ବନ୍ଦୀଶାଳାରେ ପ୍ରାଣତ୍ୟାଗ କରିଥିଲେ। ସେମାନଙ୍କର ବିଚ୍ଛେଦ ଅମାତ୍ୟ ଶକଟାରଙ୍କ ମନରେ ଧନନନ୍ଦ ପ୍ରତି ଘୋର ବିଦ୍ଵେଷ ସୃଷ୍ଟି କରିଥିଲା। ସେ ତାଙ୍କର ସର୍ବନାଶ କରିବା ପାଇଁ ମନେ ମନେ ଉପାୟ ଖୋଜୁଥାନ୍ତି। ଏହି ଅବସ୍ଥାରେ ଦିନେ ସେ ଗୋଟିଏ କୃଷ୍ଣକାୟ, କୁତ୍ସିତ ଦର୍ଶନ ବ୍ରାହ୍ମଣକୁ କୁଶବୁଦା ସବୁ ଉପାଡୁଥିବାର ଦେଖିଲେ। ତା ପରେ ସିଏ ସେହି ବୁଦା ମୂଳରେ ଦହି ଢାଳିଲା। କୌତୁହଳୀ ହୋଇ ଶକଟାର ସେହି ବ୍ରାହ୍ମଣ ନିକଟକୁ ଗଲେ, ଏବଂ ତାର ପରିଚୟ ପଚାରିଲେ। ତା ପରର ଘଟଣା ସମସ୍ତଙ୍କୁ ଜଣା। ଚାଣକ୍ୟ ନିଜକୁ ବେଦ ବେଦାନ୍ତ ଏବଂ ଅନ୍ୟ ଅନେକ ଶାସ୍ତ୍ରରେ ପଣ୍ଡିତ ବୋଲି ପରିଚୟ ଦେଇଥିଲେ। ଶକଟାରଙ୍କ ଅନ୍ତରରେ ଆଶାର ଉଦ୍ରେକ ହେଲା। ସେ ପ୍ରଥମେ ତାଙ୍କୁ ବିଦ୍ୟାଳୟଟିଏ ସ୍ଥାପନା କରି ଛାତ୍ରମାନଙ୍କୁ ଶିକ୍ଷା ଦେବାକୁ ଅନୁରୋଧ କଲେ। କିନ୍ତୁ ତାଙ୍କ ମନରେ ଗୋଟିଏ ଯୋଜନା ଥାଏ, ସେ କିପରି ରାଜାଙ୍କ ସହ ଏହି କ୍ରୋଧୀ ଏବଂ ପ୍ରତିହିଂସା ପରାୟଣ ବ୍ରାହ୍ମଣର ଶତ୍ରୁତା ସୃଷ୍ଟି କରିବେ। ସେ ସୁଯୋଗ ଆସିଲା। ରାଜାଙ୍କର ପିତୃପୁରୁଷଙ୍କର ଶ୍ରାଦ୍ଧ ଦିବସ ଆସିଲା। କର୍ମ କର୍ମାଣି ଜାଣିଥିବା ବିପ୍ରଟିଏ ଲୋଡା ହେଉଥିଲା। ସେ ଚାଣକ୍ୟଙ୍କୁ ‘ଅନେକ ଦାନ ଦକ୍ଷିଣା ମିଳିବ’ କହି ରାଜାଙ୍କ ଭାବନକୁ ନେଇଗଲେ ଏବଂ ଶ୍ରାଦ୍ଧ ସ୍ଥାନରେ ବସାଇ ଦେଲେ। କିଛି ସମୟ ଉତ୍ତାରେ ଧନନନ୍ଦ ସେଠାକୁ ଆସିଲେ
ସେ ଚାଣକ୍ୟଙ୍କୁ ଦେଖି ଚିତ୍କାର କଲେ, “ଆରେ ଏଇଟା କିଏ? ଏ ମ୍ଳେଚ୍ଛକୁ ରାଜଭବନରେ ପଶିବାକୁ କିଏ ଦେଲା?” ଚାଣକ୍ୟ ବିନୀତ ବଶମ୍ବଦ ଭାବରେ ନିଜର ପରିଚୟ ଦେଲେ ଏବଂ ଶ୍ରାଦ୍ଧ କରିବାକୁ ଆସିଛନ୍ତି ବୋଲି କହିଲେ। ରାଜାଙ୍କ କ୍ରୋଧ ଦ୍ଵିଗୁଣିତ ହେଲା। ଆରେ ଚାଣ୍ଡାଳ, ତୋତେ ବ୍ରାହ୍ମଣ ବୋଲି କିଏ ମାନିବ? ତୋ ହାତରୁ ମୋ ପୂର୍ବପୁରୁଷ ପିଣ୍ଡ ଗ୍ରହଣ କରିବେ ବୋଲି ତୁ ଆଶା କଲୁ କେମିତି?” ଚାଣକ୍ୟଙ୍କର ଧୈର୍ଯ୍ୟ ସୀମା ଲଂଘୁଥିଲା। ସେ କହିଲେ,”ମହାରାଜ, ଆପଣ ଜଣେ ଶିକ୍ଷିତ ବ୍ରାହ୍ମଣଙ୍କର ଅନାଦର କରୁଛନ୍ତି।” ନନ୍ଦ ଆହୁରି ଉତ୍ତେଜିତ ହେଲେ। ସେ ଚାଣକ୍ୟଙ୍କର କେଶ ଗୁଚ୍ଛକୁ ଧରି ଘୋଷାରିଦେଲେ। ଚାଣକ୍ୟ ଭୂମି ଉପରେ ପଡ଼ିଗଲେ। ତାଙ୍କୁ ପାଦରେ ଠେଲି ଦେଇ ନନ୍ଦ ଗର୍ଜନ କଲେ, “ଦୁଷ୍ଟ ବ୍ରାହ୍ମଣ, ଚକ୍ରବର୍ତ୍ତୀ ସମ୍ରାଟ ଧନନନ୍ଦ ତୋତେ ଆଦର କରିବ? ସିଂହାସନରେ ବସାଇ ପାଦ ଧୌତ କରିବ? ବଞ୍ଚିବାର ଇଚ୍ଛା ଅଛି ତ ଶୀଘ୍ର ମୋ ଦୃଷ୍ଟି ସମ୍ମୁଖରୁ ଅପସରି ଯା। କେବଳ ରାଜଭବନରେ ନୁହେଁ, ସମଗ୍ର ମଗଧରେ ମୁଁ ଯେମିତି ତୋତେ ଦେଖିବାକୁ ନ ପାଏଁ!” ଏଥର ଚାଣକ୍ୟ ଉଠିଲେ। ନିଜ ଲମ୍ବଶିଖାର ଗଣ୍ଠି ଖୋଲିଲେ ଏବଂ ଦୃଢ ନିର୍ଭୀକ କଣ୍ଠରେ ଘୋଷଣା କଲେ, “ମହାରାଜ ନନ୍ଦ, ମୁଁ ଚଣକ ପୁତ୍ର ବିଷ୍ଣୁଗୁପ୍ତ ଚାଣକ୍ୟ, ଆଜି ଏହିଠାରେ ପ୍ରତିଜ୍ଞା କରିଯାଉଛି, ଯେଉଁ ସିଂହାସନରେ ଅଧିଷ୍ଠିତ ହୋଇ ତୋର ଏତେ ଦର୍ପ, ସେ ସିଂହାସନରୁ ମୁଁ ତୋତେ ଓହ୍ଲାଇ ଦେବା ଆଜିଠାରୁ ମୋର ଏକମାତ୍ର ବ୍ରତ ହେବ। ନନ୍ଦବଂଶକୁ ଧ୍ଵଂସ କଲା ପରେ ହିଁ ମୁଁ ମୋର ଏହି ଉନ୍ମୁକ୍ତ ଶିଖା ବନ୍ଧନ କରିବି।” ପ୍ରତିଜ୍ଞା ପରର ମୁହୂର୍ତ୍ତମାନ ନିଶ୍ଚୟ ବିପଦସଙ୍କୁଳ ହୋଇଥିବ। ରାଜାଙ୍କ ସମ୍ମୁଖରେ ତାଙ୍କୁ ଏଭଳି ଆହ୍ଵାନ ଦେଇ ଚାଣକ୍ୟ କେମିତି ନିରାପଦରେ ରାଜଭବନରୁ ନିଷ୍କ୍ରାନ୍ତ ହେଲେ, ତାହା କେଉଁଠି ମଧ୍ୟ ବର୍ଣ୍ଣନା ନାହିଁ । ସମ୍ଭବତଃ ନନ୍ଦରାଜ ତାଙ୍କର ପ୍ରତିଜ୍ଞାକୁ ପ୍ରଳାପ ଜ୍ଞାନ କରି ଗୁରୁତ୍ୱ ଦେଇ ନ ଥିବେ। ସେ ତାତ୍ସଲ୍ୟର ହସ ହସୁଥିବା ଅବସ୍ଥାରେ ଚାଣକ୍ୟ ପଳାୟନ କରିଥିବେ। ଏହା ମଧ୍ୟ ସମ୍ଭବ, ଶ୍ରାଦ୍ଧ ଦିବସରେ ବ୍ରାହ୍ମଣ ଅବଧ୍ୟ ଜ୍ଞାନ କରି ସେ ତାଙ୍କୁ ଯିବାକୁ ଦେଇଥିବେ। ଶକଟାର ମଧ୍ୟ ତାଙ୍କର ସୁରକ୍ଷିତ ପଳାୟନର ବ୍ୟବସ୍ଥା କରିଥିବେ ବୋଲି ମଧ୍ୟ ବିଶ୍ୱାସ କରାଯାଇ ପାରେ।
ବାହାରେ ଅପେକ୍ଷା କରିଥିଲେ ଶକଟାର। ସବୁ କିଛି ତାଙ୍କ ଯୋଜନା ଅନୁସାରେ ହେଉଥିଲା। ସେ ତାଙ୍କୁ ନିଜ ଗୃହକୁ ନେଇ ନନ୍ଦଙ୍କ ବିରୁଦ୍ଧରେ ବିଭିନ୍ନ କଥା କହି ଚାଣକ୍ୟଙ୍କୁ ଆହୁରି ଉତ୍ତେଜିତ କରାଇଲେ। ‘ଏଭଳି ଏକ ଅତ୍ୟାଚାରୀ ରାଜାର ଶୀଘ୍ର ଅନ୍ତ ହେବା ଏବଂ ତାଙ୍କୁ ମିଳିଥିବା ଅପମାନର ପ୍ରତିଶୋଧ ଅବଶ୍ୟ ନେବା ଉଚିତ’ ବୋଲି ନିଜର ମତ ପ୍ରକାଶ କଲେ। ଚାଣକ୍ୟ କହିଲେ, “ରାଜାଙ୍କର ଯେ କୌଣସି କ୍ଷତି ଘଟାଇବା ପାଇଁ ଆମକୁ ଅନ୍ତଃପୁରରୁ ଜଣେ କେହି ସାହାଯ୍ୟ କରିବା ଆବଶ୍ୟକ।” ବିଚକ୍ଷଣା ନାମ୍ନୀ ଦାସୀ ଶକଟାରଙ୍କର ପ୍ରିୟ ଥିଲା। ଥରେ ସେ ତାକୁ ରାଜାଙ୍କ କ୍ରୋଧରୁ ବଞ୍ଚାଇଥିଲେ। ଚାଣକ୍ୟ, ଶକଟାର ଓ ବିଚକ୍ଷଣା ମିଶି ନନ୍ଦ ବଂଶକୁ ସମୂଳେ ବିନାଶ କରିବାର ଯୋଜନା ପ୍ରସ୍ତୁତ କଲେ। କିନ୍ତୁ ପ୍ରଶ୍ନ ଥିଲା, ପରବର୍ତ୍ତୀ ଶାସକ କିଏ ହେବ! ‘ମୁଦ୍ରାରାକ୍ଷସ’ରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଚନ୍ଦ୍ରଗୁପ୍ତ ଧନନନ୍ଦଙ୍କ ଔରସରୁ ମୂରା ନାମକ ଦାସୀ ଗର୍ଭରୁ ଜନ୍ମ ନେଇଥିଲା। ସେ ଜ୍ୟେଷ୍ଠ ହୋଇଥିଲେ ମଧ୍ୟ ଦାସୀ ପୁତ୍ରକୁ ସିଂହାସନ ମିଳିବାର ସମ୍ଭାବନା କମ ଥିଲା। ତାକୁ ରାଜା କରିବାର ପ୍ରତିଶ୍ରୁତି ଦେଇ ଏମାନେ ନିଜ ସହ ସମ୍ମିଳିତ କରିନେଲେ।
ଚାଣକ୍ୟ ଔଷଧି ଶାସ୍ତ୍ରରେ ମଧ୍ୟ ପ୍ରବୀଣ ଥିଲେ। ସେ ନିଜ କୁଟୀରରେ ଏପରି ଏକ ବିଷ ପ୍ରସ୍ତୁତ କଲେ, ଯାହା ପ୍ରାଣନାଶ କରିପାରିବ, କିନ୍ତୁ ସାଧାରଣ ପରୀକ୍ଷାରେ ଧରା ପଡିବ ନାହିଁ। ସେହି ହଳାହଳକୁ ସେ ବିଚକ୍ଷଣା ହସ୍ତରେ ଦେଲେ ଏବଂ ସେ ତାହା ରାଜା ଧନନନ୍ଦ ଏବଂ ତାଙ୍କ ପୁତ୍ରମାନଙ୍କ ଖାଦ୍ୟରେ ମିଶାଇ ଦେଲା। ଉତ୍କଟ ଜହର ପ୍ରଭାବରେ ଗୋଟିଏ ରାତ୍ରିରେ ଧନନନ୍ଦ ବଂଶର ସମସ୍ତ ସଦସ୍ୟଙ୍କର ଜୀବନ ଦୀପ ଲିଭିଗଲା। କିନ୍ତୁ ଅନ୍ୟ ନନ୍ଦ ଭ୍ରାତାମାନେ ଥିଲେ। ଅନେକ ରାଜଭକ୍ତ ପାର୍ଷଦ ଥିଲେ ଏବଂ ଥିଲେ ରାଜ ବଂଶ ଅନୁରକ୍ତ ପ୍ରଧାନ ଅମାତ୍ୟ ରାକ୍ଷସ। ସେମାନଙ୍କୁ ହୁଏ ତ ହତ୍ୟା କରି ଅଥବା ଅନୁଗତରେ ପରିଣତ କରି ଚାଣକ୍ୟ ଯେଉଁ ପରି ଚନ୍ଦ୍ରଗୁପ୍ତଙ୍କ ସିଂହାସନକୁ ନିଷ୍କଣ୍ଟକ କଲେ, ତାହାହିଁ ମୁଦ୍ରାରାକ୍ଷସ ନାଟକର ସାରାଂଶ। ଆମେ ଏ ପର୍ଯ୍ୟନ୍ତ ଇତିହାସରେ ବର୍ଣ୍ଣିତ ବିବିଧ କଥନ ଓ କିମ୍ବଦନ୍ତୀ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ପ୍ରୟାସରେ ଅଛନ୍ତି। ଏବେ ପାଠକ ପାଠିକାମାନଙ୍କ ଉପରେ ନିର୍ଭର କରେ ଯେ ଆମେ ଏହି କାହାଣୀକୁ ଆଧାର କରି ଆଗକୁ ବଢିବା କିମ୍ବା ପୂର୍ବ ବର୍ଣ୍ଣନା ଅନୁସାରେ ତତ୍କାଳୀନ ଭାରତ ଇତିହାସର ଭିନ୍ନ ଭିନ୍ନ ଘଟଣା ଏବଂ ଚରିତ୍ରମାନଙ୍କୁ ଆମ ଆଲୋଚନା ପରିସରକୁ ଆଣିବା।
କ୍ରମଶଃ