ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଦାନ ଦେବା ପାଇଁ ପାଟଳୀପୁତ୍ର ରାଜମହଲରେ ଏକ ସ୍ଵତନ୍ତ୍ର କକ୍ଷ ନିର୍ଦ୍ଧାରିତ ହୋଇଥିଲା। ସେଠାରେ ସିଂହାସନରେ ଉପବେଶନ କରିଥିଲେ ଧନନନ୍ଦ। ଦୁଇଜଣ ରୂପସୀ ତରୁଣୀ ଉଭୟ ପାର୍ଶ୍ଵରେ ବ୍ୟଜନ ଚାଳନା କରୁଥିଲେ। ମନ୍ତ୍ରୀମଣ୍ଡଳ ରାଜସଭା ମଣ୍ଡନ କରୁଥିଲେ। ସ୍ୱର୍ଣ୍ଣ ମୁଦ୍ରା, ରୌପ୍ୟ ମୁଦ୍ରା ଆଦି କକ୍ଷ ମଧ୍ୟରେ ପୋଟଳୀ ବନ୍ଧା ହୋଇ ରଖା ହୋଇଥିଲା। ଦୁଇଜଣ ଭୃତ୍ୟ ସେ ସବୁ ଆଣି ରଖୁଥିଲେ। ଜଣେ ସଭାସଦ ଗୋଟିଏ ଗୋଟିଏ ପୋଟଳି ଆଣି ରାଜାଙ୍କ ହାତକୁ ବଢାଇ ଦେଉଥିଲେ। ରାଜା ତାହା ଦାନ ନେବାକୁ ଆସିଥିବା ବ୍ରାହ୍ମଣମାନଙ୍କୁ ବଢାଇ ଦେଉଥିଲେ। ଚାଣକ୍ୟ ଏବଂ ଅଧିରାଜ ମଧ୍ୟ ପରସ୍ପରଠାରୁ କିଛି ଦୂରତ୍ୱ ବଜାୟ ରଖି ଦାନ ନେବାପାଇଁ ପ୍ରତୀକ୍ଷା କରୁଥିଲେ। ଚାଣକ୍ୟଙ୍କ ସମୟ ଆସିଲା। ଧନନନ୍ଦଙ୍କ ହାତ ଲମ୍ବି ଆସିଲା ଧନ ଦାନ କରିବା ପାଇଁ। କିନ୍ତୁ ଚାଣକ୍ୟ କର ଯୋଡି ବିନୟର ସହ ନିବେଦନ କଲେ, “ମହାରାଜ, ମୁଁ ସ୍ଵର୍ଣ୍ଣ, ରୌପ୍ୟ ମୁଦ୍ରା ଦାନ ନେବାପାଇଁ ଆସିନାହିଁ।” ମାହାରାଜ ଦେଉଥିବା ଦାନକୁ ଗୋଟାଏ ତୁଚ୍ଛ ବ୍ରାହ୍ମଣ ପ୍ରତ୍ୟାଖ୍ୟାନ କରିବା ଘୋର ଅପମାନସୂଚକ ବ୍ୟବହାର ଥିଲା। କିନ୍ତୁ ଧନନନ୍ଦ ଧୈର୍ଯ୍ୟ ଧରି ପ୍ରଶ୍ନ କଲେ, “ଆସିଥିଲ କାହିଁକି ବିପ୍ରବର? ରାଜାଙ୍କର ଅନାଦର କରି ରହସ୍ୟ ଦେଖିବା ପାଇଁ? କିଏ ତୁମେ ଦୁଃସାହସୀ ବ୍ରାହ୍ମଣ?” ଚାଣକ୍ୟ କହିଲେ, “ମହାରାଜ, ମୁଁ ତକ୍ଷଶିଳା ଗୁରୁକୁଳର ରାଜନୀତି ବିଜ୍ଞାନ ଶିକ୍ଷକ ଆଚାର୍ଯ୍ୟ ବିଷ୍ଣୁଗୁପ୍ତ। ମୁଁ ଆପଣଙ୍କ ଅମର୍ଯ୍ୟାଦା କରିବାକୁ ଆସିନାହିଁ। ମୁଁ କିଛି ବୃହତ୍ତର ଭିକ୍ଷା ଆଶାରେ ଆସିଛି।” ଧନନନ୍ଦ ପ୍ରଶ୍ନ କଲେ, “କଣ ଗୋଟାଏ ରାଜ୍ୟ ମାଗିବାକୁ ଆସିଛ? ମୋ ଠାରୁ ଏ ମଗଧ ସିଂହାସନ ମାଗି ନେବ ନାହିଁ ତ?” ଚାଣକ୍ୟ କହିଲେ, “ମୁଁ ଆସିଛି, ଆପଣଙ୍କୁ ସମଗ୍ର ଭାରତରେ ସାର୍ବଭୌମ ଅଧିକାର ସାବ୍ୟସ୍ତ କରିବା ପାଇଁ ଅନୁରୋଧ କରିବାକୁ! ଆପଣ ସମ୍ପୂର୍ଣ୍ଣ ଭାରତକୁ ଗୋଟିଏ ଶାସନ ଅଧୀନରେ ନେଇ ବିଦେଶୀ ଯବନ ଆକ୍ରମଣକାରୀ ଅଲକ୍ଷେନ୍ଦ୍ରକୁ ଭାରତରେ ପ୍ରବେଶ କରିବାରେ ବାଧା ଦିଅନ୍ତୁ।
ଭାରତର ସର୍ବଶ୍ରେଷ୍ଠ ସମ୍ରାଟ ଭାବରେ ନିଜର ଦାୟିତ୍ୱ ନିର୍ବାହ କରନ୍ତୁ। ନିଜ ନିଜ ମଧ୍ୟରେ ଲଢୁଥିବା କ୍ଷୁଦ୍ର କ୍ଷୁଦ୍ର ରାଜ୍ୟମାନଙ୍କୁ ନିଜ ଅଧିନକୁ ନେଇ ‘ଏକ ଭାରତ’ ଗଢିପାରିଲେ, କୌଣସି ବିଦେଶୀ ଶାସକ ଆମ ମାତୃଭୂମିକୁ ଆକ୍ରମଣ କରିବାକୁ ସାହସ କରିପାରିବେ ନାହିଁ।” ଧନନନ୍ଦ ସେତେବେଳକୁ କ୍ରୋଧରେ ଅଗ୍ନିଶର୍ମା। କହିଲେ, “ଏ ପ୍ରକାର ପାଗଳାମି ପାଇଁ ପାଟଳୀପୁତ୍ର ଗୁରୁକୁଳରୁ ତୁମକୁ କଣ ବହିଷ୍କାର କରାଯାଇଛି ଆଚାର୍ଯ୍ୟ… କଣ କହିଲ ତୁମ ନାମ?” ତୁମେ ଆସିଛ ସମ୍ରାଟ ଧନନନ୍ଦକୁ ରାଜନୀତି ଶିକ୍ଷା ଦେବାକୁ? ଆରେ ମୂର୍ଖ, ଏଠାରେ ଶତ ଶତ ରାଜ୍ୟ ନିଜ ନିଜ ସୀମାରେ ଆବଦ୍ଧ। ସହସ୍ର ସଂଖ୍ୟକ ଭାଷା ସେମାନଙ୍କ ମଧ୍ୟରେ ପ୍ରଚଳିତ। ସେମାନଙ୍କର ଖାଦ୍ୟ, ପୋଷାକ, ପରିଧାନ ସବୁ କିଛି ପରସ୍ପରଠାରୁ ଭିନ୍ନ। ତୁମେ କହିବ, ସେମାନେ ଏକ ଭାରତର ପତାକା ତଳେ ଲଢିବେ? ଏଭଳି ଉଦ୍ଭଟ କଳ୍ପନା କେବଳ ଜଣେ ଉନ୍ମାଦ ହିଁ କରିପାରେ।” ଚାଣକ୍ୟ କହିଲେ, “ଯଦି ସବୁ ରାଜ୍ୟ ଆପଣଙ୍କ ଅଧୀନରେ ରହିବେ, ତେବେ ସେମାନେ ଆପଣଙ୍କୁ ମାନିବେ ନାହିଁ କାହିଁକି? ରାଜ୍ୟ ଜୟ ରାଜାଙ୍କ ପାଇଁ ଗୌରବର ବିଷୟ। କିନ୍ତୁ ଆପଣ ବିଳାସ ବ୍ୟସନରେ ରହି ନିଜର କର୍ତ୍ତବ୍ୟ ଭୁଲିଯାଉଛନ୍ତି। ଅଲକ୍ଷେନ୍ଦ୍ର ବିଶ୍ଵ ବିଜୟ ପାଇଁ ଚେଷ୍ଟିତ, ଅଥଚ ଆପଣ ଭାରତବର୍ଷକୁ ଜୟ କରିବାକୁ ଭୟ କରୁଛନ୍ତି?” ଧନନନ୍ଦ କହିଲେ, “ମଗଧ ରାଜ୍ୟର ସୀମା ତୁମକୁ ଅପ୍ରଶସ୍ତ ଲାଗୁଛି ବ୍ରାହ୍ମଣ? ମୋତେ ମୋର କର୍ତ୍ତବ୍ୟ ସ୍ମରଣ କରାଇବାକୁ ଆସିଛ? ଯଥେଷ୍ଟ କହିଲଣି। ଯଥେଷ୍ଟ ସହିଲିଣି। କିଏ ଅଛରେ, ଏ ବ୍ରାହ୍ମଣର ଚୁଟି ଧରି ଘୋଷାରି ଘୋଷାରି ରାଜମହଲ ବାହାରେ ଛାଡି ଦେଇଆସ।” ତା ପରର ଦୃଶ୍ୟ ଗତ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଦୁଇଜଣ ବଳିଷ୍ଠ ବପୁବନ୍ତ ରକ୍ଷୀ ବିଷ୍ଣୁଗୁପ୍ତଙ୍କ ଶିଖାକୁ ଧରି ଘୋଷାରି ଘୋଷାରି ବାହାରକୁ ନେଉଥିଲେ ଏବଂ ଚାଣକ୍ୟ ନନ୍ଦ ବଂଶର ଧ୍ୱଂସ କରିବାପାଇଁ ନିଜର ପ୍ରତିଜ୍ଞା ଘୋଷଣା କରି କରି ଯାଉଥିଲେ। କୌଣସି ମତେ ବିଷ୍ଣୁଗୁପ୍ତ ରାଜମହଲ ବାହାରକୁ ବାହାରି ଯାଇଥିଲେ।
ଏବେ ତାଙ୍କର ଲକ୍ଷ୍ୟ ଥିଲା, ଧନନନ୍ଦଙ୍କୁ ସିଂହାସନରୁ ଓହ୍ଲାଇ ଦେବା ଏବଂ ଅନ୍ୟ କେହି ଯୋଗ୍ୟ ଲୋକକୁ ଭାରତର ସମ୍ରାଟ ଭାବରେ ଅଧିଷ୍ଠିତ କରିବା। ପଳାୟନ ସହଜ କରିବା ପାଇଁ ଅଧିରାଜ ତାଙ୍କର ଜଣେ ଛାତ୍ରକୁ ଚାଣକ୍ୟଙ୍କ ସାଙ୍ଗରେ ପଠାଇଥିଲେ। ଉଭୟ ଏକ ଅରଣ୍ୟ ପଥ ଦେଇ ପଳାୟନ କରୁଥାନ୍ତି। ଦୁହେଁ ଦେଖିଲେ, ଦଳେ ବାଳକ ରାଜା ପ୍ରଜା ହୋଇ ଖେଳ ଖେଳୁଛନ୍ତି। ରାଜା ହୋଇଥିବା ବାଳକଟି ଗୋଟିଏ ଉଚ୍ଚ ସ୍ଥାନରେ ବସିଥାଏ। ରାଜାଙ୍କ କୋର୍ଟରେ ବିଚାର ଚାଲିଥାଏ ଦୁଇଜଣଙ୍କ କଳିର। ଚାଣକ୍ୟ ଓ ତାଙ୍କର ସାଥି ଗୋଟିଏ ବୃକ୍ଷ ଆଢୁଆଳରୁ ପିଲାମାନଙ୍କ କ୍ରୀଡ଼ା ଉପଭୋଗ କଲେ। ବାଦୀ କହିଲା, “ମହାରାଜ, ମୋର ଏହି ପଡୋଶୀ ମୋତେ ଦଶ ପନ ବିନିମୟରେ କୂଅଟି ବିକିଦେଇଥିଲା। ଏବେ କହୁଛି,”ମୁଁ ତୋତେ କୂଅ ବିକିଛି। ପାଣି ବିକିନାହିଁ। ତେଣୁ ତୁ ମୋ କୂଅର ପାଣି ପିଇ ପାରିବୁ ନାହିଁ।” ପ୍ରତିବାଦୀ ମଧ୍ୟ ନିଜର ଦାବୀର ଯଥାର୍ଥତା ଦୃଢ ଭାବରେ ଉପସ୍ଥାପିତ କଲା। ରାଜା ହୋଇଥିବା ବାଳକ ଆଜ୍ଞା ଦେଲେ, “ତୁମେ ଠିକ କହୁଛ। ତୁମେ କେବଳ କୂଅ ବିକିଛ। ତେଣୁ ତୁମ ପାଣି ସେ ବ୍ୟବହାର କରିପାରିବ ନାହିଁ।” ଚାଣକ୍ୟଙ୍କୁ ରାଜାଙ୍କ ବିଚାର ସନ୍ତୋଷଜନକ ଲାଗିଲା ନାହିଁ। କିନ୍ତୁ ରାଜାଙ୍କ ବିଚାର ସରି ନ ଥିଲା। ରାଜା କହିଲେ, “ଶୁଣ, ତୁମେ କୂଅ ବିକି ସାରିଛ। ଏହା ତୁମର ନୁହେଁ। କିନ୍ତୁ ପାଣି ତୁମର। ତୁମେ ତୁମ ପାଣି ନେଇଯାଇ କୂଅ ଖାଲି କର, ନଚେତ୍ ତା କୂଅରେ ତୁମ ରଖିଥିବା ପାଣି ପାଇଁ ମାସକୁ ମାସ ଦୁଇ ପନ ଭଡା ଦେବାକୁ ପଡିବ।”
ଚାଣକ୍ୟ ଚକିତ ହେଲେ। ସେ ଅପେକ୍ଷା କଲେ। ଜଣେ ଚୋରକୁ ଧରି ଦୁଇଜଣ କଟୁଆଳ ରାଜାଙ୍କ ବିଚାର ପାଇଁ ଆଣିଲେ। ରାଜା କହିଲେ, “ପ୍ରଜାଙ୍କର ସମ୍ପତ୍ତି ରକ୍ଷା କରିବା ରାଜାଙ୍କର ଦାୟିତ୍ୱ। ମୋ ରାଜ୍ୟରେ କେହି ଚୋରି କରିବା ବରଦାସ୍ତ କରାଯିବ ନାହିଁ। ଏହି ଚୋରକୁ ଏକବର୍ଷ ପାଇଁ କାରାଗାରରେ ବନ୍ଦୀ କର।”
ଚାଣକ୍ୟଙ୍କୁ ତାଙ୍କର ଭାବୀ ରାଜା ମିଳି ଯାଇଥିଲେ। ସେ ରାଜା ରୂପୀ ବାଳକକୁ ସାକ୍ଷାତ କରିବା ପାଇଁ ମନସ୍ଥ କଲେ।
କ୍ରମଶଃ