Coin Monster: Episode 26

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ଚନ୍ଦ୍ରଗୁପ୍ତଙ୍କର ଜନ୍ମ ଏବଂ ବାଲ୍ୟକାଳ ସମ୍ପର୍କରେ ମଧ୍ୟ ଅନେକ ପ୍ରକାର ମତ ଅଛି। ଯଥା-
୧. ସେ ଧନନନ୍ଦଙ୍କର ଭାଇ ଥିଲେ।
୨. ଧନନନ୍ଦ ଏବଂ ତାଙ୍କର ଦାସୀ ମୂରାଙ୍କର ପୁତ୍ର ଥିଲେ।
୩. ସୀମାନ୍ତରେ ଥିବା ଏକ ସାମନ୍ତ ରାଜାଙ୍କର ପୁତ୍ର ଥିଲେ।
୪. ମୟୂର ପାଳନ କରୁଥିବା ଗୋଟିଏ ଗୋଷ୍ଠୀର ଗୋଷ୍ଠୀପତିଙ୍କ ସନ୍ତାନ ଥିଲେ। ମୟୂରକୁ ହିନ୍ଦୀରେ ‘ମୋର୍’ କୁହନ୍ତି ଏବଂ ‘ମୋର୍’ରୁ ମୌର୍ଯ୍ୟ ହୋଇଥିବା ସମ୍ଭବ ବୋଲି କୁହାଯାଏ। ଏହି ତଥ୍ୟ ଅନୁସାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପିତା ଥିଲେ ସର୍ବାର୍ଥ ସିଦ୍ଧି ମୌର୍ଯ୍ୟ ଏବଂ ମାତା ମୂରା। ପିତା ସର୍ବାର୍ଥସିଦ୍ଧି ମଗଧ ସେନାରେ ଜଣେ ସେନାପତି ଥିଲେ ଏବଂ କୌଣସି ଯୁଦ୍ଧରେ ତାଙ୍କର ମୃତ୍ୟୁ ଘଟିଥିଲା। ତତ୍ପରେ ମୌର୍ଯ୍ୟ ପରିବାର ଉପରକୁ ବିପଦ ଘନେଇ ଆସିଥିଲା। ଚନ୍ଦ୍ରଙ୍କ ମାତୁଳ ମାତା ପୁତ୍ରଙ୍କୁ ଆଶ୍ରୟ ଦେଇଥିଲେ। ସେ ବାଳକ ଚନ୍ଦ୍ରକୁ ନାନାବିଧ ଗୃହକର୍ମ ସହ ଗୋରୁ ଚରାଇବା ଆଦି କର୍ମରେ ନିଯୁକ୍ତ କରୁଥିଲେ। ସାଥୀ ବାଳକମାନଙ୍କ ସହ ଗୋରୁ ଚରାଇବା ଅବସରରେ ଚନ୍ଦ୍ରଗୁପ୍ତ ରାଜାର ଅଭିନୟ କରୁଥିଲେ ଏବଂ ଚାଣକ୍ୟଙ୍କ ଦୃଷ୍ଟିରେ ପଡ଼ିଥିଲେ।

ଏବେ ଆମେ ପୂର୍ବ ବର୍ଣ୍ଣିତ ‘ରାଜାଙ୍କ ନ୍ୟାୟ ବିଚାର’ ଦୃଶ୍ୟକୁ ଆସିବା। ଏକ ବର୍ଷ ପାଇଁ କାରାବାସ ଦଣ୍ଡ ଲାଭ କରିଥିବା ଅପରାଧୀ ଆପତ୍ତି କଲା ଯେ, ‘ସେ ଉଦରର ଜ୍ଵାଳା ନିବାରଣ କରିବାକୁ ଯାଇ ଏ ଚୋରି କରିଛି। ସେ ବନ୍ଦୀ ହେଲେ ତାର ପରିବାର ଭୋକ ଉପାସରେ ମରିଯିବେ। ଏହାପରେ ସେ ଆଉ କେବେ ଚୋରି କରିବ ନାହିଁ।’ ରାଜା ଚୋରକୁ ଏହି ସର୍ତ୍ତରେ କ୍ଷମା ଦେଲେ ଯେ, ‘ପୁନର୍ବାର ଏଭଳି ଅପରାଧ କଲେ, ତାର ହାତ ଦୁଇଟି କାଟି ଦିଆଯିବ।’ ସଭା ମଉଳିବା ପୂର୍ବରୁ ଚାଣକ୍ୟ ଏବଂ ତାଙ୍କର ସହଚର ‘ଭଦ୍ର ଭଟ୍ଟ’ ରାଜା ହୋଇଥିବା ବାଳକ ନିକଟକୁ ଯାଇ ଅଭିବାଦନ କଲେ। ଚାଣକ୍ୟ ଭାବିଥିଲେ, ପିଲାଟି ଭୟ କରି ଆସନ ତ୍ୟାଗ କରିବ। କିନ୍ତୁ ରାଜା ନିଜ ଆସନରେ ସଦମ୍ଭେ ବିରାଜମାନ କରିଥିଲେ। ଚାଣକ୍ୟ ନିବେଦନ କଲେ, “ରାଜନ୍, ମୁଁ ଅତ୍ୟନ୍ତ ଦରିଦ୍ର ବ୍ରାହ୍ମଣଟିଏ। ଆପଣଙ୍କ ନିକଟକୁ କିଛି ଦାନ ଆଶାରେ ଆସିଛି। ମୋତେ ଗୋଟିଏ ଗାଭୀ ଦାନ କରନ୍ତୁ।” ବାଳକ ରାଜା ତତ୍ କ୍ଷଣାତ୍ ବ୍ରାହ୍ମଣଙ୍କୁ ଗାଭୀଟିଏ ଦେବାକୁ ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ଆଦେଶ ଦେଲେ।”

ଚାଣକ୍ୟ ପ୍ରସନ୍ନ ହେଲେ। ସାମ, ଦାନ, ଦଣ୍ଡ ବିଧି ଜ୍ଞାନ ଥିବା ଏହି ବାଳକ ଥିଲା ତାଙ୍କର ଅଭିପ୍ରେତ ଶିଷ୍ୟ, ଯାହାକୁ ସେ ଭାରତବର୍ଷର ଭାବୀ ସମ୍ରାଟ ରୂପେ କଳ୍ପନା କରୁଥିଲେ। ସେ ଆଶୀର୍ବାଦ ମୁଦ୍ରାରେ କର ଉତ୍ତୋଳନ କଲେ। ରାଜା ସିଂହାସନରୁ ଅବତରଣ କରି ଆଚାର୍ଯ୍ୟଙ୍କର ଚରଣ ସ୍ପର୍ଶ କଲେ। ଏହା ତାଙ୍କର ବିନୟ ସୂଚିତ କରୁଥିଲା। ଚାଣକ୍ୟ ପଚାରିଲେ, “ତୁମର ନାମ କଣ ବତ୍ସ?” ଉତ୍ତର ମିଳିଲା,”ଚନ୍ଦ୍ର, ଚନ୍ଦ୍ର ମୌର୍ଯ୍ୟ।” ଚାଣକ୍ୟ ପଚାରିଲେ,”ତୁମର ଗୁରୁ କିଏ?” ଚନ୍ଦ୍ର କହିଲା, “ମୁଁ ବିଦ୍ୟାଳୟକୁ ଯାଉନାହିଁ ଆଚାର୍ଯ୍ୟ! ମାତୁଳ ମୋତେ ଗୋଚାରଣ କାର୍ଯ୍ୟରେ ନିଯୁକ୍ତ କରିଛନ୍ତି। ଆପଣ ମୋତେ ବିଦ୍ୟା ଶିକ୍ଷା ଦେବେ?” ଚାଣକ୍ୟ ଚନ୍ଦ୍ରଠାରୁ ତାର ଦୁର୍ଦ୍ଦଶାର କାହାଣୀ ଶୁଣିଲେ। ତା ସହ ସେ ତା’ ମାତୁଳ ଗୃହକୁ ଗଲେ। ସେଠାରେ ଚନ୍ଦ୍ରର ମାତା ଏକା ଥିଲେ। ସେ ତାଙ୍କୁ ବୁଝାଇ ରାଜି କରାଇଲେ ଯେ, ସେ ଚନ୍ଦ୍ରକୁ ନେଇ ତକ୍ଷଶିଳାରେ ଶିକ୍ଷିତ କରାଇବେ। ଚନ୍ଦ୍ରର ଆଗ୍ରହ ଦେଖି ଜନନୀ ମୂରା ପୁତ୍ରକୁ ପଠାଇବାକୁ ସମ୍ମତ ହେଲେ। କିନ୍ତୁ ମାତୁଳ ମହାଶୟ ଚନ୍ଦ୍ରକୁ ଛାଡିବା ପାଇଁ ସର୍ତ୍ତଟିଏ ରଖିଲେ। ସେ ଏପର୍ଯ୍ୟନ୍ତ ଚନ୍ଦ୍ରର ଭରଣପୋଷଣ ସକାଶେ କରିଥିବା ଖର୍ଚ୍ଚ ବାବଦରେ ପାଞ୍ଚ ସହସ୍ର କାର୍ଷାପଣ ଦାବୀ କଲେ।

ରାଜା ନନ୍ଦଙ୍କ ଆଦେଶରେ ପାଟଳୀପୁତ୍ର ନଗରୀରେ ଚାଣକ୍ୟଙ୍କର ତନ୍ନ ତନ୍ନ ଅନୁସନ୍ଧାନ ଚାଲିଥିଲା। ତେଣୁ ଆଉ ଥରେ ନଗର ମଧ୍ୟକୁ ଯିବା ନିରାପଦ ନ ଥିଲା। ଏତେ ପରିମାଣର କାର୍ଷାପଣ କେଉଁଠୁ ମିଳିବ ଭାବୁଥିଲେ ବିଷ୍ଣୁଗୁପ୍ତ। ସେ ଚନ୍ଦ୍ରକୁ ଡାକି ତା ହସ୍ତରେ ନିଜ ନିକଟରେ ଥିବା ଅର୍ଥନୀତିର ପୁସ୍ତକଟିଏ ଦେଲେ ଏବଂ କହିଲେ, “ଏହା ମୋର ପୂର୍ବପୁରୁଷଙ୍କ ସମୟରୁ ମୋ ନିକଟରେ ରହିଥିବା ଏକମାତ୍ର ସମ୍ବଳ। ତୁମେ ଏହାକୁ କୌଣସି ଅର୍ଥନୀତି ପଢାଉଥିବା ଆଚାର୍ଯ୍ୟଙ୍କ ନିକଟରେ ବିକି ପାଞ୍ଚସହସ୍ର କାର୍ଷାପଣ ଆଣ।” ଚନ୍ଦ୍ର ସହରକୁ ଯାଇ ଅର୍ଥନୀତି ଅଧ୍ୟାପକଙ୍କର ସନ୍ଧାନ ନେଲା। ସେଭଳି ଜଣେ ଥିଲେ ଅଧ୍ୟାପକ ‘ବିନୋଦ’। ସେ ଚାଣକ୍ୟଙ୍କର ପିଲାଦିନର ସାଥୀ ଥିଲେ। ପୁସ୍ତକଟି ଦେଖି ସେ ବୁଝିପାରିଲେ ଯେ, କୌଟିଲ୍ୟ କୌଣସି ବିପଦରେ ପଡି ଏହି ଅମୂଲ୍ୟ ପୁସ୍ତକଟି ବିକିବାକୁ ପଠାଇଛନ୍ତି। ସେ ଚନ୍ଦ୍ର ହସ୍ତରେ କାର୍ଷାପଣ ସହ ପୁସ୍ତକଟିକୁ ଫେରାଇ ଦେଲେ। ତା ପଛରେ ଅନୁସରଣ କରି ସେ ଚାଣକ୍ୟଙ୍କୁ ଭେଟିଲେ ଏବଂ ଉଭୟଙ୍କ ମଧ୍ୟରେ ବାଲ୍ୟକାଳ ସ୍ମୃତିର ରୋମନ୍ଥନ ହେଲା। ତାଙ୍କର ‘ଅବସ୍ଥାନ’ ଏବଂ ‘ଗନ୍ତବ୍ୟ’ ଉଭୟ ଗୋପନ ରଖିବାକୁ ଚାଣକ୍ୟ ବନ୍ଧୁଙ୍କୁ ଅନୁରୋଧ କଲେ। ପରଦିନ ଗୁରୁ ଶିଷ୍ୟ ତକ୍ଷଶିଳା ଅଭିମୁଖେ ଯାତ୍ରା କଲେ।

ତକ୍ଷଶିଳା ଗୁରୁକୁଳରେ ଚାଣକ୍ୟ ଚନ୍ଦ୍ରକୁ ସବୁ ପ୍ରକାର ଶାସ୍ତ୍ର ଓ ଶସ୍ତ୍ର ଜ୍ଞାନରେ ଦୀକ୍ଷିତ କରାଇଲେ। ସେ ନାନାପ୍ରକାର ଶାରୀରିକ କଷ୍ଟ ଦେଇ ତାର ଶରୀରକୁ ଯୁଦ୍ଧ ପାଇଁ ଏବଂ ବିପରୀତ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ କରାଉଥାନ୍ତି। ତା ସହ ସେ ଗୁରୁକୁଳର ଶିଷ୍ୟମାନଙ୍କୁ ମଧ୍ୟ ଆବଶ୍ୟକ ପଡିଲେ ମାତୃଭୂମି ପାଇଁ ଲଢିବାକୁ ମାନସିକ ଓ ଦୈହିକ ସ୍ତରରେ ପ୍ରସ୍ତୁତ ରହିବାକୁ ଉଦ୍ ବୋଧନ ଦେଉଥାନ୍ତି। ଅନ୍ୟ ଆଚାର୍ଯ୍ୟମାନଙ୍କ ମଧ୍ୟରୁ ସମସ୍ତେ ନ ହେଲେ ବି କେତେଜଣ ତାଙ୍କୁ ନୈତିକ ସମର୍ଥନ ଯୋଗାଉଥିଲେ।

ଇତ୍ୟବସରରେ ଗାନ୍ଧାର ସୀମାନ୍ତରେ ଦଳକୁ ଦଳ ବିଦେଶୀ ଶରଣାର୍ଥୀ ଆଶ୍ରୟ ଆଶାରେ ଉପସ୍ଥିତ ହେଲେ। ସେମାନଙ୍କଠାରୁ ଯେଉଁ ସମ୍ବାଦ ମିଳିଲା ତାହା ଆତଙ୍କ ଉଦ୍ରେକକାରୀ ଥିଲା। ‘ସୀମା ଅନ୍ୟପଟରେ ଥିବା କ୍ଷୁଦ୍ର ରାଜ୍ୟଗୁଡିକ ଜୟ କରି କରି ୟୁନାନୀ ସେନା ମାଡି ଆସୁଛନ୍ତି। ବିଜିତ ରାଜ୍ୟରେ ସେମାନେ ହତ୍ୟା, ଲୁଣ୍ଠନ ଏବଂ ଗୃହଦାହ ଭଳି ବିଭୀଷିକା ଖେଳାଇ ଦେଉଛନ୍ତି।’ ଚାଣକ୍ୟ ଯେଉଁ ଆଶଙ୍କା ବହୁ ପୂର୍ବରୁ କରୁଥିଲେ, ଏବେ ତାହା ଦେଶର ଦ୍ଵାର ଦେଶରେ କରାଘାତ କରୁଥିଲା।

କ୍ରମଶଃ

Please follow and like us:
0
20
Pin Share20