ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଆମେ ପୂର୍ବରୁ ଆଲୋଚନା କରି ସାରିଛନ୍ତି ଯେ, ଗାନ୍ଧାର ଯୁବରାଜ ଅମ୍ବି ଆକ୍ରମଣକାରୀ ସିକନ୍ଦରଙ୍କ ନିକଟରେ ମୈତ୍ରୀଚୁକ୍ତି ନାମରେ ଆତ୍ମସମର୍ପଣ କରିଦେଇଥିଲେ। ବୃଦ୍ଧ ପିତାଙ୍କ ଇଚ୍ଛା ବିରୁଦ୍ଧରେ ସେ ତକ୍ଷଶିଳା ରୂପୀ ଭାରତବର୍ଷର ଦ୍ଵାରକୁ ବିଦେଶୀ ଆକ୍ରମଣ ପାଇଁ ଉନ୍ମୋଚିତ କରି ଦେଇଥିଲେ। ପଞ୍ଜାବ ରାଜା ପୁରୁ ସମ୍ଭବତଃ ପରାସ୍ତ ହୋଇ ସିକନ୍ଦରଙ୍କ କୃପାରୁ ନିଜର ହୃତ ରାଜ୍ୟ ଫେରି ପାଇଥିଲେ। କିନ୍ତୁ ଏହି ଦୟାର ପ୍ରତିବଦଳରେ ତାଙ୍କୁ ନିଜର ସୈନ୍ୟବଳକୁ ଅଲକ୍ଷେନ୍ଦ୍ରଙ୍କ ସେନାଙ୍କ ସାହାଯ୍ୟ ପାଇଁ ଉତ୍ସର୍ଗ କରିବାକୁ ପଡିଥିଲା। ତେଣୁ ଅନେକ ଐତିହାସିକ ‘ସିକନ୍ଦରଙ୍କୁ ବାଧା ଦେବା ପାଇଁ ସେ ଯୁଦ୍ଧରେ ତାଙ୍କର ଦୁଇ ପୁତ୍ର ହରାଇଥିଲେ’ ମଧ୍ୟ ତାଙ୍କୁ ଦେଶପ୍ରେମୀର ସମ୍ମାନ ଦିଅନ୍ତି ନାହିଁ। ସିକନ୍ଦର ଯେଉଁ ରାଜ୍ୟ ସବୁ ଜିଣି ସାରି ଆଗକୁ ବଢୁଥାନ୍ତି, ସେ ରାଜ୍ୟରେ ନିଜର ଜଣେ ଶାସକ ଓ କିଛି ସୈନ୍ୟ ଛାଡିଦେଇ ଯାଉଥାନ୍ତି। ଏହିଭଳି ଗୋଟିଏ ରାଜ୍ୟ ଥିଲା ‘ଅଶ୍ଵାଟକ’। ସେହି ରାଜ୍ୟର ପରାସ୍ତ ସୈନ୍ୟ ଏବଂ ନାଗରିକମାନେ ମିଶି ବିଦ୍ରୋହ କଲେ ଏବଂ ଅଲକ୍ଷେନ୍ଦ୍ରଙ୍କ ଦ୍ୱାରା ନିଯୁକ୍ତ ରାଜ୍ୟପାଳଙ୍କୁ ହତ୍ୟା କରିଦେଲେ। ଏ ସମ୍ବାଦ ପାଇ ସେ ନିଜର ଦୁଇଜଣ ସେନାପତିଙ୍କୁ ବିଦ୍ରୋହ ଦମନ ପାଇଁ ପଠାଇଦେଲେ। କିନ୍ତୁ ତାଙ୍କର ଭାରତ ଭିତରକୁ ଅଗ୍ରଗତି ଅବ୍ୟାହତ ରହିଥିଲା। ସମ୍ମୁଖରେ ଥିଲା କଠ ନାମକ ରାଜ୍ୟ। ଏହି ରାଜ୍ୟର ବୀର ଯୋଦ୍ଧାମାନେ ଅସାଧାରଣ ଥିଲେ। ସେମାନଙ୍କୁ ଜୟ କରିବା କଷ୍ଟସାଧ୍ୟ ଥିଲା। କିନ୍ତୁ ଏହି ସମୟରେ ପୁରୁଙ୍କ ସାହାଯ୍ୟ ତାଙ୍କର କାମରେ ଆସିଥିଲା।
ତକ୍ଷଶିଳାଧୀଶ ଅମ୍ବି ପଞ୍ଜାବ ସହ ଶତ୍ରୁତା ସାଧିବା ପାଇଁ ସିକନ୍ଦରଙ୍କୁ ପାଛୋଟି ଆଣିଥିଲେ। କିନ୍ତୁ ନିଜର ଦୁର୍ବଳତାର ଦ୍ଵାହି ଦେଇ କହିଥିଲେ ଯେ ସେ ନିଜ ପ୍ରଜାଙ୍କୁ ୟୁନାନୀ ଅତ୍ୟାଚାରରୁ ରକ୍ଷା କରିବାକୁ ଯାଇ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ପଞ୍ଜାବପତି ପୁରୁ ବାଧ୍ୟ ହୋଇ ଶତ୍ରୁ ସେନାକୁ ସାହାଯ୍ୟ କଲେ, କାରଣ ତାଙ୍କର ଗତ୍ୟନ୍ତର ନ ଥିଲା। ଅଥଚ ଉଭୟ ମିଶି ଚେଷ୍ଟା କରିଥିଲେ ବିଦେଶୀ ଆକ୍ରମଣର ସଫଳ ପ୍ରତିରୋଧ କରିପାରିଥାନ୍ତେ। ଚାଣକ୍ୟ ପୁରୁଙ୍କ ପରାକ୍ରମ ଉପରେ ଅନେକ ଭରସା କରିଥିଲେ। କିନ୍ତୁ ପରିସ୍ଥିତି ବଦଳିଯିବା ଦେଖି ନିରାଶ ହେଲେ। ସେ ମାଳବ, ଶୂଦ୍ରକ, କାଶୀ ଆଦି ରାଜ୍ୟରେ ବୁଲି ବୁଲି କ୍ଷୁଦ୍ରରାଜ୍ୟ ଏବଂ ଗଣରାଜ୍ୟମାନଙ୍କୁ ଏକଜୁଟ କରାଇବା ପାଇଁ ଚେଷ୍ଟା କରିବାରେ ଲାଗିଲେ।
ଶତଦ୍ରୁ ନଦୀ ପାର ହୋଇ ଆଗକୁ ବଢିବା ସମୟରେ ସିକନ୍ଦର ଆଗକୁ ଥିବା ଭାରତୀୟ ଭୂଗୋଳ ଏବଂ ଭୂପତିମାନଙ୍କ ସମ୍ପର୍କରେ ବିଶଦ୍ ବିବରଣୀ ଜାଣିବାକୁ ଚାହିଁଲେ। ତାଙ୍କ ସହ ଥିବା ଭାରତୀୟ ବିଜ୍ଞ ବ୍ୟକ୍ତିମାନେ କହିଲେ, “ହେ ମହାନ ଯୋଦ୍ଧା ଅଲକ୍ଷେନ୍ଦ୍ର, ଆଗକୁ ବିପାଶା ନଦୀ। ନଦୀ ଆର ପଟରେ ବିସ୍ତୃତ ଅଞ୍ଚଳ ମରୁଭୂମି, ଯାହା ଅତିକ୍ରମ କରିବାକୁ ଅନ୍ତତଃ ପକ୍ଷେ ଆପଣଙ୍କ ସୈନ୍ୟବଳକୁ ଦୁଇ ପକ୍ଷ ସମୟ ଲାଗିବ। ତା ପରେ ଭାରତର ସର୍ବବୃହତ୍ ନଦୀ ‘ଗଙ୍ଗା’। ଯଦି ଆପଣ ପୂର୍ବ ଭାରତ ଆକ୍ରମଣ କରିବା ପାଇଁ ଯୋଜନା କରୁଥାନ୍ତି, ତେବେ ଆପଣଙ୍କୁ ମଗଧ ନରେଶ ଅଗ୍ରମିସ (ଧନନନ୍ଦ)ଙ୍କ ବିଶାଳ ସେନା ସହ ଯୁଦ୍ଧ କରିବାକୁ ପଡିବ।” ସିକନ୍ଦର ପଚାରିଲେ, “କେଡେ ବିଶାଳ ସେ ସେନା? ସେମାନେ କଣ ବିଶ୍ୱବିଜୟୀ ଆଲେକଜାଣ୍ଡାରଙ୍କ ଜୟଯାତ୍ରାକୁ ବ୍ୟାହତ କରିବାପାଇଁ ସମର୍ଥ ହେବେ?”
ଭାରତୀୟ ତଥ୍ୟାଭିଜ୍ଞ ବ୍ୟକ୍ତିମାନେ ମଗଧ ସେନାରେ ବିଭିନ୍ନ ଯୋଦ୍ଧାଙ୍କର ସଂଖ୍ୟା ଉପସ୍ଥାପିତ କଲେ, “ଶୁଣନ୍ତୁ ମହାନ୍ ସିକନ୍ଦର! ମଗଧର ସୈନ୍ୟବଳ ଦୁଇ ଲକ୍ଷ ପଦାତି, କୋଡିଏ ହଜାର ଅଶ୍ଵାରୋହୀ, ଦୁଇହଜାର ଅଶ୍ଵ ଚାଳିତ ରଥାରୋହୀ ସୈନ୍ୟ ଏବଂ ତିନିହଜାର ହସ୍ତୀଙ୍କର ବିଶାଳ ଯୂଥକୁ ନେଇ ସମୃଦ୍ଧ।”
ଏତିକି ଶୁଣିବା ମାତ୍ରେ ୟୁନାନୀ ସୈନ୍ୟଙ୍କର ରାଜ୍ୟ ଜୟ କରିବାର ସମସ୍ତ ଉତ୍ସାହ ଲୋପ ପାଇଗଲା। ହାଇଦାସପିସ୍ ଯୁଦ୍ଧରେ ସେମାନେ ହାତୀମାନଙ୍କର ପରାକ୍ରମ ଦେଖିଥିଲେ। ପ୍ରଥମ ଅବସ୍ଥାରେ ସେହି ହସ୍ତୀଯୂଥ ଭୟଙ୍କର ସଂହାର ଲୀଳା କରିଥିଲେ। ଅବଶ୍ୟ ପରେ ବର୍ଷା ହେବାରୁ ସେମାନଙ୍କର ଗତି ମନ୍ଥର ହୋଇଗଲା ଏବଂ ଆହତ ହୋଇ ଫେରିବା ସମୟରେ ସେମାନେ ପୁରୁଙ୍କ ସୈନ୍ୟଙ୍କ ମଧ୍ୟରୁ ଅନେକଙ୍କୁ ମାଡି ମକଚି ଦେଇଥିଲେ। ତଦ୍ବ୍ୟତୀତ ପୁରୁଙ୍କର ଅଭିଜ୍ଞ ସୈନ୍ୟ ଚାଳନା ସିକନ୍ଦରଙ୍କ ସୈନ୍ୟଙ୍କୁ ଭୟଭୀତ କରି ଦେଇଥିଲା। ୟେ ଥିଲା ପଞ୍ଜାବ ଭଳି ଏକ କ୍ଷୁଦ୍ରରାଜ୍ୟର ପରାକ୍ରମ। ସହଜରେ ଦୀର୍ଘ ଦିନ ନିଜ ଗୃହରୁ, ପରିଜନମାନଙ୍କଠାରୁ, ମାତୃଭୂମିରୁ ଦୂରରେ ରହି ସେମାନେ ବିରକ୍ତ ହୋଇ ଯାଇଥିଲେ। ଶାରୀରିକ କ୍ଳାନ୍ତି ମଧ୍ୟ ସେମାନଙ୍କୁ ଆଚ୍ଛନ୍ନ କରି ରଖୁଥିଲା।
ସେମାନଙ୍କର ଅନେକ ସାଥୀ ପ୍ରାଣବଳି ଦେଇ ସାରିଥିଲେ। ନନ୍ଦ ସାମ୍ରାଜ୍ୟର ବିପୁଳ ସେନା ସେମାନଙ୍କର କି ଅବସ୍ଥା କରିବେ, ତାହା ଚିନ୍ତା କରି ୟୁନାନୀ ସେନା ଆଗକୁ ବଢିବା ପାଇଁ ପ୍ରସ୍ତୁତ ହେଲେ ନାହିଁ। କିନ୍ତୁ ସିକନ୍ଦର ସେମାନଙ୍କୁ ସାହସ ଦେବା ପାଇଁ ଦୀର୍ଘ ସମୟ ଧରି ଓଜସ୍ଵିନୀ ବକ୍ତୃତା ଦେବାରେ ଲାଗିଲେ। ସେ ମାସିଡୋନିଆର ବୀରପୁତ୍ରମାନଙ୍କର ଶୌର୍ଯ୍ୟକୁ ପ୍ରଶଂସା କଲେ। ସେମାନେ କିପରି ଗିରି, କାନ୍ତାର, ନଦୀ, ସାଗର ଲଙ୍ଘି, ଯୁଦ୍ଧ ପରେ ଯୁଦ୍ଧ ଜୟ କରି ଆସିଛନ୍ତି ଏବଂ ତାଙ୍କୁ ବିଶ୍ଵ ବିଜେତାର ସମ୍ମାନରେ ଭୂଷିତ କରିଛନ୍ତି, ତାହା ଉଲ୍ଲେଖ କରି ପ୍ରଶଂସା କରିବାକୁ ଲାଗିଲେ। ନନ୍ଦ ସାମ୍ରାଜ୍ୟର ସୈନ୍ୟବଳ ସମ୍ପର୍କରେ ଭାରତୀୟମାନେ ଅତିଶୟୋକ୍ତି କରି ସେମାନଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ସତର୍କ କରାଇଦେଲେ। ଆଉ ଅଳ୍ପ କେତୋଟି ଯୁଦ୍ଧ ଜୟ କଲେ, ସେମାନେ ସମ୍ପୂର୍ଣ୍ଣ ଏସିଆ ଭୂଖଣ୍ଡକୁ ଜିଣି ପ୍ରକୃତ ବିଶ୍ଵ ବିଜୟୀ ହେବାର ଗୌରବ ଲାଭ କରିବେ ଏବଂ ତାଙ୍କର ଦେଶବାସୀ ତାଙ୍କୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ କରିବେ ବୋଲି ଉଦ୍ବୋଧନ ଦେଲେ।
କିନ୍ତୁ ୟୁନାନୀ ସୈନ୍ୟମାନଙ୍କର ଅବନତ ମସ୍ତକ ଉତ୍ଥିତ ହେଲା ନାହିଁ। ସେମାନେ ହସ୍ତ ଉତ୍ତୋଳନ କରି “ଜୟ ଦେବପୁତ୍ର ମହାନ ଯୋଦ୍ଧା ସିକନ୍ଦରଙ୍କର ଜୟ” ବୋଲି ହୁଙ୍କାର ବାଣୀ ଉଚ୍ଚାରଣ କଲେ ନାହିଁ। ଖଡ୍ଗର ଝନତ୍କାର ସହ ତାଳ ଦେଇ “ମକଦୁନିଆ ଜିନ୍ଦାବାଦ” ବୋଲି ସମବେତ ଉଲ୍ଲାସ-ଧ୍ଵନି ଶ୍ରୁତିଗୋଚର ହେଲାନାହିଁ। ସିକନ୍ଦର ଆଶ୍ଚର୍ଯ୍ୟ ହେଲେ।
କ୍ରମଶଃ