ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ସିକନ୍ଦରଙ୍କର ଓଜସ୍ଵିନୀ ଉଦ୍ବୋଧନ ସତ୍ତ୍ଵେ ଯୁନାନୀ ସେନାର ନୀରବତା ଭଙ୍ଗ ହେଲା ନାହିଁ। କିନ୍ତୁ ବିଶ୍ୱ ସମ୍ରାଟ ହେବାର ଆକାଂକ୍ଷା, କ୍ଷମତା ପ୍ରାପ୍ତିର ମୋହରେ ଅନ୍ଧ ପାଲଟି ଯାଇଥିଲେ ଆଲେକଜାଣ୍ଡାର। ସେ ଦ୍ଵିତୀୟବାର ଚେଷ୍ଟା କଲେ। “ମୋର ବୀର ସେନା ବାହିନୀ! ଆଜି ତୁମ୍ଭମାନଙ୍କୁ ଏପରି ମୁଣ୍ଡ ତଳକୁ କରି ଛିଡା ହୋଇ ରହିବା ଦେଖି ମୋତେ ଲଜ୍ଜା ଲାଗୁଛି। ମୋତେ ଲାଗୁନାହିଁ ଯେ, ତୁମ୍ଭେମାନେ ମୋର ସେହି ପରାକ୍ରମୀ ସୈନ୍ୟ, ଯାହାଙ୍କ ଶକ୍ତିରେ ବଳୀୟାନ ହୋଇ ମୁଁ ସସାଗରା ଧରା ଉପରେ ପ୍ରଭୁତ୍ଵ ପ୍ରତିଷ୍ଠା କରିବି ବୋଲି ପ୍ରତିଜ୍ଞା କରିଥିଲି। ଠିକ ଅଛି। ଯେଉଁମାନେ ଫେରିଯିବା ପାଇଁ ଇଚ୍ଛୁକ, ସେମାନଙ୍କୁ ମୁଁ ଯିବାକୁ ଅନୁମତି ଦେଉଛି। କିନ୍ତୁ ମୋର ଯାତ୍ରା ଅବ୍ୟାହତ ରହିବ ଏବଂ ମୋର ଦୃଢ ବିଶ୍ଵାସ, ତଥାପି କିଛି ସାହସୀ ଯୋଦ୍ଧା ମୋ ସହ ରହିବେ।”
କୋନସ ନାମକ ସେନାପତି ସିକନ୍ଦରଙ୍କ ସମ୍ମୁଖକୁ ଆସି ଅଭିବାଦନ କଲେ। ମସ୍ତକ ଅବନତ କରି ନମ୍ର ସ୍ଵରରେ କହିଲେ, “ହେ ମହାଭାଗ, ଆପଣଙ୍କ ସୈନ୍ୟମାନେ ଏବେ ସୁଦ୍ଧା ଆପଣଙ୍କର ବିଶ୍ଵସ୍ତ ଅଛନ୍ତି ଏବଂ ଆପଣଙ୍କ ପାଇଁ ପ୍ରାଣ ଦେବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ ଆପଣଙ୍କୁ ଦେବତା ତୁଲ୍ୟ ଜ୍ଞାନ କରନ୍ତି ଏବଂ କାହାରି ସାହସ ନାହିଁ ଯିଏ ଆପଣଙ୍କ ଇଚ୍ଛାର ପ୍ରତିବାଦ କରିବ। କିନ୍ତୁ ମୋର ଅନୁରୋଧ, ଆପଣ ସେମାନଙ୍କ ଅନ୍ତରର ଅକୁହା ବେଦନାକୁ ଅନୁଭବ କରନ୍ତୁ। ସେମାନଙ୍କ ଅନୁଚ୍ଚାରିତ ଆର୍ତ୍ତନାଦକୁ ଶ୍ରବଣ କରନ୍ତୁ ଏବଂ ଉପଯୁକ୍ତ ନିର୍ଣ୍ଣୟ ଗ୍ରହଣ କରନ୍ତୁ।” ସିକନ୍ଦର ନିରାଶ ହେଲେ। ଏପରି ଏକ ସିଦ୍ଧାନ୍ତ ଗ୍ରହଣ କରିବାକୁ ପଡିବ ବୋଲି ସେ କଳ୍ପନା କରି ନ ଥିଲେ। ସେ ନିଜର ସୈନ୍ୟ ସେନାପତିଙ୍କ ସହ କଥାବାର୍ତ୍ତା ବନ୍ଦ କରି ଏକ ରୁଦ୍ଧ ପ୍ରକୋଷ୍ଠରେ ତିନିଦିନ ବିତାଇଲେ।
ଏହି ଏକାନ୍ତବାସ ସମୟରେ ତାଙ୍କର ଅତୀତର ଅନେକ ସ୍ମୃତି ଉଜ୍ଜୀବିତ ହେଲା। ଗ୍ରୀସରେ ଥିବା ସମୟରେ ତାଙ୍କର ଗୁରୁ ‘ଅରସ୍ତୁ’ ତାଙ୍କୁ ଭାରତୀୟ ସନ୍ଥମାନଙ୍କ ବିଷୟରେ ଶୁଣିଥିବା ଅଦ୍ଭୁତ କାହାଣୀ ସବୁ କହିଥିଲେ। ଦିନେ ତାଙ୍କର ଏଭଳି ଜଣେ ଦିଗମ୍ବର ସନ୍ନ୍ୟାସୀଙ୍କ ସହ ସାକ୍ଷାତ ହୋଇଗଲା। ସୈନ୍ୟସାମନ୍ତ ଧରି ଅରଣ୍ୟ ମଧ୍ୟରେ ଯାତ୍ରା କରୁଥିବା ବେଳେ ସେ ଦେଖିଲେ, ଗୋଟିଏ ବ୍ୟକ୍ତି ପ୍ରବଳ ଶୈତ୍ୟ ମଧ୍ୟରେ ସମ୍ପୂର୍ଣ୍ଣ ନିରାଭରଣ ହୋଇ ଗୋଟିଏ ପ୍ରଶସ୍ତ ପ୍ରସ୍ତର ଚଟାଣ ଉପରେ ଶୋଇଛି। ତାଙ୍କର ପାର୍ଶ୍ଵଚରଙ୍କ ମଧ୍ୟରୁ କେହିଜଣେ କହିଲେ, ‘ୟେ ଜଣେ ସନ୍ନ୍ୟାସୀ’। ଏତେ ଲୋକଙ୍କର କୋଳାହଳ, ଅଶ୍ଵମାନଙ୍କର ଟାପୁଶବ୍ଦ ସତ୍ତ୍ଵେ ସାଧୁଙ୍କର ମୁଦ୍ରିତ ଚକ୍ଷୁ ଉନ୍ମିଳିତ ହେଲାନାହିଁ। ସିକନ୍ଦର ତା ନିକଟକୁ ଗଲେ। ସନ୍ଥଙ୍କର ଶ୍ମଶ୍ରୁବିଜଡ଼ିତ ମୁଖମଣ୍ଡଳରେ ଏକ ଅଦ୍ଭୁତ ଦୀପ୍ତି ବିରାଜମାନ କରୁଥିଲା। ସେ ତାଳି ମାରି ତାଙ୍କର ଧ୍ୟାନଭଗ୍ନ କରିବାକୁ ଚେଷ୍ଟା କଲେ। ସନ୍ନ୍ୟାସୀ ନେତ୍ର ଖୋଲିଲେ। ସିକନ୍ଦର କହିଲେ, “ମୋତେ ଦେଖି ତୁମର କୌଣସି ସମ୍ମାନ ଭାବ ଜାଗ୍ରତ ହେଉନାହିଁ? ଯେ କେହି ହୋଇଥିଲେ, ସେ ଉଠି ଆସି ମୋତେ ପ୍ରଣାମ କରିଥାନ୍ତା।” ସନ୍ନ୍ୟାସୀ କହିଲେ, “କାହିଁକି? ତୁମେ କିଏ?” ଆଲେକଜାଣ୍ଡାର କହିଲେ, “ମୁଁ ରାଜା।” ଅବଧୂତ କହିଲେ, “ମୁଁ ମହାରାଜା!” ସିକନ୍ଦର କହିଲେ, “ତୁମର ଅଙ୍ଗରକ୍ଷକ କାହାନ୍ତି?” ସନ୍ନ୍ୟାସୀ କହିଲେ, “ମୁଁ ଭୟାଳୁ ନୁହେଁ। ମୋର କାହାରିକୁ ଭୟ ନାହିଁ। ଅଙ୍ଗରକ୍ଷକର ଆବଶ୍ୟକତା କଣ?” ସିକନ୍ଦର ପ୍ରଶ୍ନ କଲେ, “ତୁମେ ଯଦି ମହାରାଜା, ତୁମ ପାଖରେ ମଣି ମୁକ୍ତା, ଧନ ରତ୍ନ, କାହିଁ?” ସାଧୁ କହିଲେ,”ଏ ସବୁ ମୋର କଣ ହେବ? ମୁଁ ଭିକାରୀ ନୁହେଁ। ଧନ ରତ୍ନର କାମନା ଭିକାରୀମାନେ କରନ୍ତି।” ସିକନ୍ଦର ସେହି ସାଧୁଙ୍କର ଆଚରଣରେ ପ୍ରଭାବିତ ହେଲେ। ସେ କହିଲେ, “ପ୍ରକୃତରେ ଆପଣ ମହାରାଜା! କିଛି ନ ଥାଇ ମଧ୍ୟ ଆପଣ ସନ୍ତୁଷ୍ଟ ଏବଂ ଅତ୍ୟନ୍ତ ଆନନ୍ଦିତ ଥିଲା ପରି ଜଣା ପଡ଼ୁଛନ୍ତି। ମୋର ଏହିପରି ସୁଖ ଆବଶ୍ୟକ।” ସାଧୁ କହିଲେ, “ବିଳମ୍ବ କାହିଁକି? ଆସ, ମୋ ନିକଟରେ ଶୋଇ ଯାଅ।” ସିକନ୍ଦର କହିଲେ, ମୋର ଆହୁରି ଅର୍ଦ୍ଧ ପୃଥିବୀ ଜୟ କରିବାର ଅଛି।
ମୁଁ ମୋ ମାତୃଭୂମିକୁ ଫେରିବା ପରେ ଚେଷ୍ଟା କରିବି।” ସନ୍ନ୍ୟାସୀ ହସିଲେ। କହିଲେ, “ଯାଅ। ତୁମେ ହୁଏ ତ ସସାଗରା ଧରାକୁ ଅଧିକାରଭୁକ୍ତ କରି ନେବ। କିନ୍ତୁ ଶେଷକୁ ତୁମ ନିକଟରେ ସେତିକି ଭୂମି ରହିବ, ଯେତିକି ତୁମ କବର ପାଇଁ ଆବଶ୍ୟକ ହେବ।” ସେଦିନ ତାଙ୍କ ମୁଖରେ ଝଲସୁଥିବା ବିଦ୍ରୂପର ଛିଟା ଏବେ ସୁଦ୍ଧା ସିକନ୍ଦରଙ୍କ ମାନସ ପଟରେ ଉଜ୍ଜୀବିତ ଥିଲା।ଅଲକ୍ଷେନ୍ଦ୍ରଙ୍କର ତିନି ଦିନ ଏକାନ୍ତବାସ ପରେ ମଧ୍ୟ ଯବନ ସୈନ୍ୟଙ୍କର ନିଷ୍ପତ୍ତିରେ କିଛି ପରିବର୍ତ୍ତନ ଆସିଲାନାହିଁ। ବାଧ୍ୟ ହୋଇ ସେ ଭାରତରୁ ବିଦାୟନେଇ ମାସିଡୋନିଆ ଫେରିଯିବା ପାଇଁ ନିଷ୍ପତ୍ତି ନେଲେ। ତା ପୂର୍ବରୁ ସେ ନିଜର ସେନାପତିମାନଙ୍କ ମଧ୍ୟରୁ କେତେଜଣଙ୍କୁ ଜିଣିଥିବା ରାଜ୍ୟମାନଙ୍କରେ ସରତାଫ ବା ରାଜ୍ୟପାଳ ନିଯୁକ୍ତ କରିଦେଇ ଗଲେ। ପ୍ରତ୍ୟେକ ରାଜ୍ୟରେ କିଛି ୟୁନାନୀ ସୈନ୍ୟଙ୍କୁ ମଧ୍ୟ ରଖିଦେଇଗଲେ। ଅର୍ଥାତ୍ ସେହି ସବୁ ରାଜ୍ୟରେ ନାମକୁ ମାତ୍ର ରାଜା ରହୁଥିଲେ ମଧ୍ୟ ପ୍ରକୃତ ଶାସନ କ୍ଷମତା ୟୁନାନୀ ଗଭର୍ଣରଙ୍କ ହାତରେ ରହୁଥିଲା। ତକ୍ଷଶିଳା ଏବଂ ପଞ୍ଜାବ ପାଇଁ ଫିଲିପ୍ସ ନାମରେ ଜଣେ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ। ସେ ଉଭୟ ରାଜ୍ୟର ଶାସନ ରଜ୍ଜୁ ନିଜ ହାତରେ ରଖିଥିଲେ। ଏହିପରି ଭାବରେ ଭାରତର ସେହି ରାଜ୍ୟସବୁ ପ୍ରକାରାନ୍ତରେ ଯବନ ଶାସନର ଅନ୍ତର୍ଭୁକ୍ତ ହୋଇ ରହିଗଲା।ମାସିଡୋନିଆ ଫେରିବା ପଥରେ ଆଲେକଜାଣ୍ଡାରଙ୍କୁ ମେଲେରିଆ ହୋଇଗଲା ବୋଲି କେତେଜଣ ଐତିହାସିକ କହନ୍ତି। ଆଉ ଦୁଇଟି ମତ ଅଛି। କେହି କେହି କହନ୍ତି, ‘ତାଙ୍କର ଶରୀରରେ ଥିବା କେତୋଟି କ୍ଷତ ବିଷାକ୍ତ ହୋଇ ଗଲା।’ ତୃତୀୟ ମତ ହେଲା ଯେ, ‘ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆ ଯାଇଥିଲା।’ ସେ ମରିବାକୁ ବହୁତ ଡରୁଥିଲେ। ନିର୍ମମ ଭାବରେ ହତ୍ୟା ପରେ ହତ୍ୟା କରି ଅସଂଖ୍ୟ ପ୍ରାଣନାଶ କରିଥିବା କ୍ରୂର ଅଲକ୍ଷେନ୍ଦ୍ର ଜୀବନର ଶେଷ ସମୟରେ ନିଜ ପ୍ରାଣ ଟିକକ ପାଇଁ କେତେ ବିକଳ ହେଉ ନ ଥିଲେ ସତେ! ରୋଗ ଶଯ୍ୟାରେ ତାଙ୍କୁ ବଞ୍ଚାଇବା ପାଇଁ ସେ ତାଙ୍କର ହକିମମାନଙ୍କୁ ଇଚ୍ଛା ମୁତାବକ ଧନ ଦେବାକୁ, ଏପରିକି ରାଜ୍ୟଟିଏ ଦେବାକୁ ମଧ୍ୟ ଲୋଭ ଦେଖାଇଥିଲେ। ଶେଷରେ ସେ ଜୀବନ ବିନିମୟରେ ତାଙ୍କ ଜିଣିଥିବା ସମଗ୍ର ଭୂମଣ୍ଡଳ ମଧ୍ୟ ଦେବାକୁ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଚିକିତ୍ସକମାନେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ମୃତ୍ୟୁ ଆସିଲା। ବିଶ୍ୱବିଜୟୀ ବୀର ଦେବପୁତ୍ର ଆଲେକଜାଣ୍ଡାରଙ୍କୁ ଶେଷରେ କେବଳ କବର ପରିମିତ ଭୂମି ହିଁ ପ୍ରାପ୍ତ ହେଲା।
କ୍ରମଶଃ