ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଏବେ ଏହି ଆଲୋଚନା ପରିସରକୁ ମଗଧ ଶାସନ ତଥା ପାଟଳୀପୁତ୍ରର କେତେକ ବିଶିଷ୍ଟ ବ୍ୟକ୍ତି ବାରମ୍ବାର ଆସିବେ। ସେମାନଙ୍କ ପରିଚୟ ପୁନଃ ଉପସ୍ଥାପିତ କରିବା ସମୀଚୀନ ମନେ କରୁଛି। ପ୍ରଧାନ ଅମାତ୍ୟ ବରରୁଚି, ତାଙ୍କ ପରବର୍ତ୍ତୀ ଉପପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତ ଅମାତ୍ୟ ରାକ୍ଷସ, ସେନାପତି ଭଦ୍ରଶାଳ, ଗୁପ୍ତଚରମୁଖ୍ୟ ଭାଗୁରାୟଣ, ଅବସର ପ୍ରାପ୍ତ ବରିଷ୍ଠ ଅମାତ୍ୟ ଶକଟାର, ରାକ୍ଷସଙ୍କ ମିତ୍ର ଶ୍ରେଷ୍ଠୀ ଚନ୍ଦନ ଦାସ, ଶ୍ରେଷ୍ଠୀ ଶକଟ ଦାସ ଏବଂ ଦକ୍ଷ ଗୁପ୍ତଚର ସୁସିଦ୍ଧାର୍ଥକ। ଏହା ବ୍ୟତୀତ ଅଶ୍ଵ ବ୍ୟବସାୟୀ ଶିହରଣ ଏବଂ ଚାଣକ୍ୟଙ୍କ ଶିଷ୍ୟ ଶାର୍ଙ୍ଗରବଙ୍କ ସହିତ ମଧ୍ୟ ଆମର ପ୍ରସଙ୍ଗ କ୍ରମେ ସାକ୍ଷାତ ହେବ। ଅମାତ୍ୟ କାତ୍ୟାୟନଙ୍କୁ ତାଙ୍କର ନିଷ୍ଠୁର ବ୍ୟବହାର ପାଇଁ ଲୋକେ ରାକ୍ଷସ ନାମ ଦେଇଥିଲେ ଏବଂ ସେ ଏହି ନାମକୁ ସାଦରେ ଗ୍ରହଣ କରିଥିଲେ। ଅନ୍ୟ ଜଣେ ପ୍ରମୁଖ ବ୍ୟକ୍ତି ଥିଲେ, କ୍ଷପଣକ ଜୀବସିଦ୍ଧି। ଧନନନ୍ଦ ଅନେକ ସମୟରେ ଏହି ଜୈନଭିକ୍ଷୁଙ୍କ ନିକଟରୁ ଆଶୀର୍ବାଦ ଗ୍ରହଣ କରିବାକୁ ଯାଉଥିଲେ। ପାଟଳୀପୁତ୍ର ଶାସନତନ୍ତ୍ରରେ ଧନନନ୍ଦ କେବଳ ଜଣକୁ ଗୁରୁତ୍ୱ ଦେଉଥିଲେ। ସେ ଥିଲେ ମହାମନ୍ତ୍ରୀ ରାକ୍ଷସ। ପ୍ରଧାନ ଅମାତ୍ୟ ବରରୁଚି ନ୍ୟାୟ ଏବଂ ତର୍କସଙ୍ଗତ ମତ ରଖୁଥିଲେ ମଧ୍ୟ ସେ ତାଙ୍କୁ ଅବଜ୍ଞା କରୁଥିଲେ। ଏପରିକି ବରରୁଚି ଉତ୍ଥାପିତ କରିଥିବା ବିଶ୍ଵବିଦ୍ୟାଳୟ ପ୍ରସଙ୍ଗକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ, ରାକ୍ଷସଙ୍କ ଅନୁରୋଧରେ ତାହା ସ୍ଥଗିତ ରଖିଥିଲେ। ରାକ୍ଷସ ଅନୁଭବ କରୁଥିଲେ ଯେ, ସାରା ପାଟଳୀପୁତ୍ରରେ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହର ପାଦଧ୍ଵନି ଶୁଣାଯାଉଛି। ଇତିମଧ୍ୟରେ ଭାରତର ଉତ୍ତର ପଶ୍ଚିମ ସୀମାନ୍ତରେ ଯବନମାନଙ୍କର ପତନର ପୃଷ୍ଠଭୂମିରେ ଚାଣକ୍ୟଙ୍କର ମୁଖ୍ୟ ଭୂମିକା ଥିଲା ବୋଲି ନିଶ୍ଚିତ ସମ୍ବାଦ ପହଞ୍ଚିଲା। ଏଣୁ ଚାଣକ୍ୟଙ୍କ କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ପାଇଁ ରାକ୍ଷସଙ୍କ ଚିନ୍ତା ବଢିଗଲା।
ଏବେ ଯତ୍ର ତତ୍ର ସର୍ବତ୍ର ନନ୍ଦକୁଳ ପ୍ରତି ବିଦ୍ଵେଷ ଭାବ ରଖିଥିବା ବ୍ୟକ୍ତି ଦୃଷ୍ଟିଗୋଚର ହେଉଥିଲେ କେବଳ ରାକ୍ଷସ ଏବଂ ତାଙ୍କର ବିଶ୍ଵସ୍ତ କେତେକ ରାଜକର୍ମଚାରୀଙ୍କୁ ଛାଡି। ପଦଚ୍ୟୁତ ଅମାତ୍ୟ ଶକଟାରଙ୍କ ପୁତ୍ର ‘ଶ୍ରୀୟକ’ ଅମାତ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ଚାଣକ୍ୟଙ୍କ ମିତ୍ର ଥିଲେ। ତାଙ୍କ ବ୍ୟତୀତ ଆହୁରି ଅନେକ ବ୍ୟକ୍ତି ବିଷ୍ଣୁଗୁପ୍ତଙ୍କ ସହ ସମ୍ପର୍କ ରଖିଥିଲେ। ତଥାପି ରାକ୍ଷସ ଜାଣିପାରୁ ନ ଥିଲେ ଯେ, ଚାଣକ୍ୟଙ୍କର ପ୍ରକୃତ ଉଦ୍ଦେଶ୍ୟ କଣ ଏବଂ ସେ କଣ କରିବାକୁ ଯାଉଛନ୍ତି। ମଗଧ ବାହାରେ ମଧ୍ୟ ମହାପଦ୍ମନନ୍ଦ ଜୟ କରିଥିବା ଗଣରାଜ୍ୟଗୁଡିକ ମୁକ୍ତି ଲାଭ ପାଇଁ ବ୍ୟାକୁଳ ହେଉଥିଲେ। ସେମାନଙ୍କୁ ସଂଗଠିତ କରିବା ପାଇଁ କେବଳ ନେତୃତ୍ୱର ଅଭାବ ଥିଲା। ମଗଧ ରାଜପରିବାର ମଧ୍ୟରେ ମଧ୍ୟ ଅନ୍ତର୍କଳହ ଲାଗିରହିଥିଲା। ଦିନେ ଧନନନ୍ଦ ଯୁବରାଜ ସୁକେଶଙ୍କୁ ତାଙ୍କର ଉତ୍ତରାଧିକାରୀ ଘୋଷିତ କରିଦେଲେ। ଏଥିରେ ତାଙ୍କର ଅନ୍ୟ ଏକ ପୁତ୍ର ସୁତନୁ ଅତ୍ୟନ୍ତ କ୍ଷୁବ୍ଧ ହେଲା ଏବଂ ସିଂହାସନ ଅଧିକାର ପାଇଁ ସେନାପତି ଭଦ୍ରଶାଳଙ୍କ ସହ ଗୁପ୍ତ ମନ୍ତ୍ରଣା କରିବାରେ ଲାଗିଲା।
ଅମାତ୍ୟ ରାକ୍ଷସ ନନ୍ଦ ରାଜବଂଶ ପ୍ରତି ଅତିଶୟ ଅନୁରକ୍ତି ପ୍ରକାଶ କରୁଥିଲେ। ଭିତରୁ ଏବଂ ବାହାରୁ ନନ୍ଦବଂଶ ପ୍ରତି ବିପଦ ଘନେଇ ଆସୁଥିଲା। ଯା ମଧ୍ୟରେ ସମ୍ବାଦ ମିଳିଲା ଯେ, ପଞ୍ଜାବ ଏବଂ ପାଞ୍ଚାଳ ଆଦି ରାଜ୍ୟରୁ ଯବନ ଶାସନକୁ ମୂଳୋତ୍ପାଟନ କରିବା ମୂଳରେ ବିଷ୍ଣୁଗୁପ୍ତଙ୍କର ମୁଖ୍ୟ ଭୂମିକା ଥିଲା।” ରାକ୍ଷସ ଏହି ସମ୍ବାଦ ମହାରାଜ ନନ୍ଦଙ୍କୁ ଜଣାଇ ଦେଲେ। ନନ୍ଦ ରାଜ ତତ୍କ୍ଷଣାତ୍ ଆଦେଶ ଦେଲେ, “ସେହି ବ୍ରାହ୍ମଣକୁ ଶୀଘ୍ର ମୋ ରାଜ୍ୟରୁ ନିର୍ବାସିତ କର।” କିନ୍ତୁ ରାକ୍ଷସ ରାଜଭକ୍ତ ହେବା ସହ ରାଜନୀତି ନିପୁଣ ଥିଲେ। ଏହି ପଦକ୍ଷେପ ଫଳରେ ପାଟଳୀପୁତ୍ରରେ କୁହୁଳୁଥିବା ବିଦ୍ରୋହ ଆତ୍ମପ୍ରକାଶ କରିବ ବୋଲି ସେ ଜାଣିଥିଲେ। ବିନା ଅପରାଧରେ ଚାଣକ୍ୟଙ୍କୁ କୌଣସି କଠିନ ଶାସ୍ତିରେ ଦଣ୍ଡିତ କରିବା ସମ୍ଭବ ନ ଥିଲା। ତାଙ୍କ ବିରୁଦ୍ଧରେ ଏକମାତ୍ର ଅଭିଯୋଗ ଥିଲା ଯେ ସେ ରାଜାଙ୍କର ଅପ୍ରିୟ ଏବଂ ରାଜାଙ୍କ ପ୍ରତି ଅସନ୍ତୁଷ୍ଟ ଲୋକମାନଙ୍କ ସହ ଯୋଗସୂତ୍ର ରକ୍ଷା କରୁଥିଲେ। ଏହା ସେପରି କିଛି ଦଣ୍ଡନୀୟ ଅପରାଧ ନ ଥିଲା। ସେ କିଛି ଲୋକଙ୍କୁ ଚାଣକ୍ୟଙ୍କୁ ଉତ୍କ୍ଷିପ୍ତ କରି କିଛି ଅପରାଧ କରିବା ପାଇଁ ପ୍ରରୋଚିତ କରିବାକୁ ନିଯୁକ୍ତ କଲେ।
ଦିନେ ଚାଣକ୍ୟଙ୍କର ଶିଷ୍ୟ ଶାର୍ଙ୍ଗରବ ପାଟଳୀପୁତ୍ରରେ ପହଞ୍ଚିଲା। ନଗର ପ୍ରବେଶ ଦ୍ଵାରରେ ସେ ନିଜର ପରିଚୟ ଏବଂ ଆସିବାର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରକାଶ କଲା ଯେ, ସେ ତାର ଆଚାର୍ଯ୍ୟଙ୍କ ଅନୁସରଣ କରି ଆସିଛି, ବାକୀ ଥିବା ଶିକ୍ଷା ଗ୍ରହଣ ପାଇଁ। କିନ୍ତୁ ସେ ବାସ୍ତବରେ ବାହ୍ଲୀକରୁ ଚନ୍ଦ୍ରଗୁପ୍ତଙ୍କର ବାର୍ତ୍ତା ନେଇ ଆସିଥିଲା। ଚନ୍ଦ୍ରଗୁପ୍ତ ସମ୍ବାଦ ପଠାଇଥିଲେ ଯେ, ମଗଧ ଆକ୍ରମଣ ପାଇଁ ସେ କାଶ୍ମୀର, ନେପାଳ, କୁଲୁ ଏବଂ ମଳୟ ରାଜ୍ୟମାନଙ୍କୁ ଏକତ୍ରିତ କରି ସାରିଛନ୍ତି ଏବଂ ପୁରୁଙ୍କ ଭ୍ରାତୁଷ୍ପୁତ୍ର ପୌରବରାଜ ମଧ୍ୟ ଏହି ଅଭିଯାନରେ ସାମିଲ ହେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ଅମାତ୍ୟ ରାକ୍ଷସ ସତର୍କ ଥିଲେ। ତାଙ୍କର ଗୁପ୍ତଚର ଅନ୍ୟ ରାଜ୍ୟରେ ମଧ୍ୟ କାର୍ଯ୍ୟରତ ଥିଲେ। ନେପାଳ ସୀମାନ୍ତରୁ ମଗଧ ଆକ୍ରମଣର ଷଡୟନ୍ତ୍ର ଚାଲିଛି ବୋଲି ତାଙ୍କୁ ସମ୍ବାଦ ମିଳିଲା। ଏହି ବାହିନୀର ନେତୃତ୍ୱ ଚନ୍ଦ୍ରଗୁପ୍ତ ନେଉଥିବା ବିଷୟ ମଧ୍ୟ ଜଣା ପଡିଗଲା। ମାତ୍ର ଚନ୍ଦ୍ରଗୁପ୍ତ ଓ ଚାଣକ୍ୟଙ୍କ ମଧ୍ୟରେ ସମ୍ପର୍କ ଅଛି କି ନା ଜାଣିବା ପାଇଁ ଅଧିକ ଅନୁସନ୍ଧାନର ଆବଶ୍ୟକତା ଥିଲା। ଚାଣକ୍ୟଙ୍କୁ ତାଙ୍କର ଅନ୍ତରଙ୍ଗ ବନ୍ଧୁମାନେ ପାଟଳୀପୁତ୍ରରୁ ପଳାୟନ କରିବାକୁ ପରାମର୍ଶ ଦେଲେ। କିନ୍ତୁ ଚାଣକ୍ୟ କହିଲେ, “ବିନା ଦୋଷରେ ମୋତେ ଅମାତ୍ୟ ରାକ୍ଷସ କଦାପି ବନ୍ଦୀ କରିବେ ନାହିଁ।”
ମଗଧର ଅଶ୍ଵାଧ୍ୟକ୍ଷ ଶିହରଣ ନିକଟରୁ ଅଶ୍ଵ କିଣିନେଇ ମଗଧ ଅଶ୍ଵଶାଳାରେ ରଖି ସାରିଥିଲେ। ଏହି ଅଶ୍ଵ ବ୍ୟବସାୟରେ ଘୋର ଭ୍ରଷ୍ଟାଚାର ହେଉଥିଲା। ସେନାବାହିନୀର ସୁସ୍ଥ ସବଳ ତୁରଗମାନଙ୍କୁ ବିକ୍ରୟ କରି ଦେଇ ସେ ସ୍ଥାନରେ ଅପେକ୍ଷାକୃତ କମ ଦାମର ଦୁର୍ବଳ ଅଶ୍ଵମାନଙ୍କୁ ରଖା ଯାଉଥିଲା। ଏହି ଅବ୍ୟାପାରରୁ ମିଳୁଥିବା ଧନକୁ ମଗଧର ଅଶ୍ଵାଧ୍ୟକ୍ଷ ଏବଂ ସେନାପତି ଉଭୟ ଭାଗ କରି ନେଉଥିଲେ। ଅମାତ୍ୟ ରାକ୍ଷସ ଏହି ସବୁ ଦୁର୍ନୀତି ପାଇଁ ସେନାପତିଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ସମ୍ଭାବିତ ଯୁଦ୍ଧ ଦୃଷ୍ଟିରୁ ଶିହରଣର ଗତିବିଧି ସନ୍ଦେହଜନକ ଥିଲା। ଅଗତ୍ୟା ସେନାପତି ଦୁଇଜଣ ସୈନ୍ୟଙ୍କୁ ପଠାଇ ତାଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇ ନେଲେ। ସୀମାନ୍ତରେ ବାଜୁଥିବା ରଣ ଦୁନ୍ଦୁଭି ସହ ଶିହରଣର କିଛି ସମ୍ପର୍କ ଅଛି କି ନା ଜାଣିବା ତାଙ୍କର ଉଦ୍ଦେଶ୍ୟ ଥିଲା।
କ୍ରମଶଃ