ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ପାଟଳୀ ପୁତ୍ର ବାହାରେ ମଗଧର ସେନା ବାହିନୀ ଏବଂ ଚନ୍ଦ୍ରଗୁପ୍ତ ତଥା ମିତ୍ରରାଜ୍ୟମାନଙ୍କର ସେନା ବାହିନୀ ଅଳ୍ପ ଅଳ୍ପ ଦୂରରେ ଶିବିର ପକାଇ ରହିଥାନ୍ତି। କିନ୍ତୁ ସେନାନାୟକ କିମ୍ବା ସାମ୍ରାଟଙ୍କ ଆଦେଶ ନ ପାଇବା ଯାଏଁ ସେମାନେ କେହି କାହାରି ଉପରେ ଆକ୍ରମଣ କରିପାରୁ ନ ଥାନ୍ତି। ଆଦେଶ ଦେବ କିଏ? ଆପାତତଃ କୁମାର ଚନ୍ଦ୍ରଗୁପ୍ତଙ୍କର ମଗଧ ଉପରେ ଆଧିପତ୍ୟ ପ୍ରତିଷ୍ଠିତ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ, ତାଙ୍କର ମିତ୍ର ରାଜାମାନେ ଯେ କୌଣସି ସମୟରେ ମଗଧ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଦେବାର ସମ୍ଭାବନା ଥିଲା। ସେମାନଙ୍କର ନେତୃତ୍ୱ ନେଇଥିଲେ ପୁରୁଙ୍କ ପ୍ରତିନିଧି ପୌରବରାଜ। ଅମାତ୍ୟ ରାକ୍ଷସ ନନ୍ଦ ବଂଶର ଯେ କୌଣସି ବଂଶଧରକୁ ବସାଇ ମଗଧ ସେନାକୁ ନିଜ ଅଧୀନକୁ ନେଇଯିବାର ଷଡଯନ୍ତ୍ର ରଚନା କରୁଥିଲେ। ଚନ୍ଦ୍ରଗୁପ୍ତଙ୍କ ଜୀବନ ସଙ୍କଟରେ ଥିଲା। ତେଣୁ ତାଙ୍କ ନିରାପତ୍ତା ପାଇଁ ଚାଣକ୍ୟ କେତେଗୁଡିଏ ନିଷ୍ପତ୍ତି ନେଉଥିଲେ, ଯାହା ଚନ୍ଦ୍ରଗୁପ୍ତଙ୍କ ସ୍ଵାଧିକାର କ୍ଷୁର୍ଣ୍ଣ କଲା ପରି ପ୍ରତୀୟମାନ ହେଉଥିଲା। ନନ୍ଦନନ୍ଦିନୀ ଦୁର୍ଧରା ସହ ବିବାହ ଅନୁଷ୍ଠିତ ହେଲା ପରେ ସେ ଚନ୍ଦ୍ରଗୁପ୍ତଙ୍କର ରକ୍ଷାକବଚ ରୂପେ କାର୍ଯ୍ୟ କରିଥାନ୍ତେ। କିନ୍ତୁ ତାଙ୍କ ବ୍ୟତୀତ ଅନ୍ୟ ସମସ୍ତେ ସେହି ପ୍ରସ୍ତାବର ବିରୋଧ କରୁଥିଲେ। ଦିନେ ଚନ୍ଦ୍ରଗୁପ୍ତ ତାଙ୍କ ସମ୍ମୁଖରେ ‘ସେ ଏହି ବିବାହ କରିବେ ନାହିଁ’ ବୋଲି ସ୍ପଷ୍ଟ ଘୋଷଣା କରିଦେଲେ। ଏହା ଶୁଣିବା ପରେ ଚାଣକ୍ୟ ଦୁଃଖିତ ହୋଇ ଚନ୍ଦ୍ରଗୁପ୍ତଙ୍କ ସହ ନିଜର ସମ୍ପର୍କ ଏକ ପ୍ରକାର ଛିନ୍ନ କରିଦେଲେ। ସେ କହିଲେ, “କୁମାର, ଆଜିଠାରୁ ତୁମେ ସ୍ୱତନ୍ତ୍ର। ମୋର କୌଣସି ଆଦେଶ ମାନିବା ପାଇଁ ତୁମେ ବାଧ୍ୟ ନୁହେଁ। ମୁଁ କେବଳ ତୁମର ପ୍ରଭୁତ୍ଵ ନିଷ୍କଣ୍ଟକ ହେବା ଯାଏଁ ପ୍ରଧାନ ଅମାତ୍ୟ ପଦରେ ରହିବି। ତା ପରେ ତୁମେ ତୁମର ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିବ!” ନନ୍ଦପୁତ୍ରୀଙ୍କ ସହ ତୁମର ବିବାହରେ ମଧ୍ୟ କୌଣସି ବାଧ୍ୟ ବାଧକତା ନାହିଁ।” ଚନ୍ଦ୍ରଗୁପ୍ତ ଓ ଚାଣକ୍ୟଙ୍କ ମଧ୍ୟରେ ଏହି ମନାନ୍ତର ଶତ୍ରୁ ଶିବିରରେ ପ୍ରବଳ ଉତ୍ସାହ ସୃଷ୍ଟି କଲା। ଚନ୍ଦ୍ରଗୁପ୍ତଙ୍କ ମୃତ୍ୟୁ ପାଇଁ ଚେଷ୍ଟା କରିବାରେ ଅଗ୍ରଣୀ ଥିଲେ ଅମାତ୍ୟ ରାକ୍ଷସ। କିନ୍ତୁ ସେ ନିଜେ ନିଭୃତବାସ କରୁଥିଲେ। ବାହାର ଜଗତ ସହ ତାଙ୍କର ସମ୍ପର୍କ ଅଳ୍ପ କେତେକ ଘନିଷ୍ଠ ମିତ୍ରଙ୍କ ମାଧ୍ୟମରେ ହେଉଥିଲା।
ଗୁପ୍ତଚର ସୁସିଦ୍ଧାର୍ଥକ ଉଭୟ ପୌରବରାଜ ଏବଂ ରାକ୍ଷସଙ୍କର ବିଶ୍ଵାସପାତ୍ର ଥିଲା। ଦିନେ ସେ ପୌରବରାଜଙ୍କୁ ନେଇ ରାକ୍ଷସଙ୍କ ସହ ଗୁପ୍ତ ସାକ୍ଷାତର ବ୍ୟବସ୍ଥା କରାଇ ଦେଲା। ଦୁହେଁ ନାନା ଦୃଷ୍ଟିକୋଣରୁ ଆଲୋଚନା କଲେ। ରାକ୍ଷସ ପ୍ରତିଶ୍ରୁତି ଦେଲେ ଯେ, ଚନ୍ଦ୍ରଗୁପ୍ତଙ୍କ ମୃତ୍ୟୁ ପରେ ସେ ପୌରବରାଜଙ୍କୁ ଏବଂ ଅନ୍ୟ ମିତ୍ରରାଜାମାନଙ୍କୁ ସେମାନଙ୍କର ପ୍ରାପ୍ୟ ନିଶ୍ଚୟ ଦେବେ। ତାଙ୍କର ନିଜର କିଛି ସ୍ଵାର୍ଥ ନାହିଁ। କେବଳ ଚାଣକ୍ୟ ଓ ଚନ୍ଦ୍ରଗୁପ୍ତ ତାଙ୍କର ପ୍ରଧାନ ଶତ୍ରୁ। ନନ୍ଦବଂଶର ଶତ୍ରୁଙ୍କୁ ସମୂଳେ ନାଶ କରିବା ତାଙ୍କର ଧ୍ୟେୟ।
ପୌରବରାଜଙ୍କୁ ବିଦାୟ ଦେବା ସମୟରେ ଅମାତ୍ୟ ରାକ୍ଷସ ସୁସିଦ୍ଧାର୍ଥକକୁ ରାତ୍ରିରେ ଏକାନ୍ତରେ ଦେଖା କରିବାକୁ କହିଲେ। ପାଟଳୀପୁତ୍ରରେ ଶ୍ଵେତା ନାମରେ ଗୋଟିଏ ବିଷକନ୍ୟା ବାସ କରୁଥିଲା। ସେ ଅସାମାନ୍ୟା ସୁନ୍ଦରୀ ଥିଲା। ଅମାତ୍ୟ ରାକ୍ଷସ ପୂର୍ବରୁ କେତେଥର ତାର ସାହାଯ୍ୟ ନେଇଥିଲେ। ସେ ଦିନ ସନ୍ଧ୍ୟା ସମୟରେ ଅମାତ୍ୟ ରାକ୍ଷସ ସୁସିଦ୍ଧାର୍ଥକକୁ ସାଙ୍ଗରେ ନେଇ ଶ୍ଵେତା ନିକଟକୁ ଗଲେ। ତାକୁ ପ୍ରଚୁର ଅର୍ଥ ଏବଂ ସ୍ଵର୍ଣ୍ଣ ଅଳଙ୍କାର ଦେଇ ନିଜର ଅଭିସନ୍ଧି ପ୍ରକାଶ କଲେ। କହିଲେ,”ଶ୍ଵେତା! ମାତୃଭୂମିର ମଙ୍ଗଳ ପାଇଁ ତୁମକୁ ଏହି ନିଷ୍ଠୁର କର୍ମ ସମ୍ପାଦନ କରିବାକୁ ହେବ। ତୁମକୁ ଚନ୍ଦ୍ରଗୁପ୍ତ ଭବନରେ ନର୍ତ୍ତକୀ ଭାବରେ କୁମାରଙ୍କ ଚିତ୍ତବିନୋଦନ ପାଇଁ ନିଯୁକ୍ତି ଦିଆଯିବ। ତୁମେ ସମୟ ଓ ସୁଯୋଗ ଦେଖି ଚନ୍ଦ୍ରଗୁପ୍ତକୁ ନିଜ ପ୍ରେମଜାଲରେ ଛନ୍ଦି ତା ସହ ରାତ୍ରିଯାପନ କରିବା ପାଇଁ ଚେଷ୍ଟା କରିବ। କାର୍ଯ୍ୟ ଶେଷ ହେବା ପରେ ସେଠାରୁ ପଳାୟନ କରିବା ପାଇଁ ସୁସିଦ୍ଧାର୍ଥକ ତୁମକୁ ସାହାଯ୍ୟ କରିବ।”
ସେ କାଳରେ ଏଭଳି ବିଷକନ୍ୟାମାନଙ୍କୁ ଶତ୍ରୁ ବିରୁଦ୍ଧରେ ପ୍ରୟୋଗ କରାଯାଉଥିଲା। ଯିଏ ସେ କନ୍ୟାସହ ସହବାସ କରୁଥିଲା, ତାର ମୃତ୍ୟୁ ଅବଧାରିତ ଥିଲା। ଏପରି କି କେତୋଟି ଚୁମ୍ବନ ମଧ୍ୟ ପ୍ରାଣଘାତକ ସିଦ୍ଧ ହେଉଥିଲା। ସୁସିଦ୍ଧାର୍ଥକ ଚନ୍ଦ୍ରଗୁପ୍ତଙ୍କ ନିରାପତ୍ତା ପାଇଁ ଚାଣକ୍ୟ ଶୋଣୋତ୍ତରା ନାମକ ଏକ ସମରକୁଶଳା, ବୁଦ୍ଧିମତୀ ନାରୀଙ୍କୁ ନିଯୁକ୍ତି ଦେଇଥିଲେ। ସେ କୁମାରଙ୍କ ଖାଦ୍ୟ ପେୟ, ବସନ ଭୂଷଣ ଆଦି ପରୀକ୍ଷା କରି ଅନୁମୋଦନ କଲା ପରେ ସେ ସବୁ ଚନ୍ଦ୍ରଗୁପ୍ତ ବ୍ୟବହାର କରୁଥିଲେ। ଯେ କୌଣସି ନୂତନ ଦାସ, ଦାସୀ ମଧ୍ୟ ନିଯୁକ୍ତି ପୂର୍ବରୁ ଶୋଣୋତ୍ତରାଙ୍କର ପରୀକ୍ଷାର ସମ୍ମୁଖୀନ ହେଉଥିଲେ। ସୁସିଦ୍ଧାର୍ଥକ ଶ୍ଵେତାକୁ ସାଙ୍ଗରେ ନେଇ ଶୋଣୋତ୍ତରାକୁ ଭେଟିଲା। କହିଲା, “ପୌରବରାଜ ଆଜି କୁମାରଙ୍କ ମନୋରଂଜନ ପାଇଁ ନଗରୀର ସୁନ୍ଦରୀ ନର୍ତ୍ତକୀ ଶ୍ଵେତା ଦେବୀଙ୍କୁ ପ୍ରେରଣ କରିଛନ୍ତି। ଆପଣ ତାଙ୍କୁ କୁମାରଙ୍କ ସେବା ପାଇଁ ତାଙ୍କ ନିକଟରେ ଛାଡିଦେବା ପାଇଁ ଅନୁରୋଧ।” ବାସ୍ତବରେ ସୁସିଦ୍ଧାର୍ଥକକୁ ଚାଣକ୍ୟ ପ୍ରଥମରୁ ନିଜ ପକ୍ଷକୁ ନେଇ ସାରିଥିଲେ। ଏବେ ସେ ପୌରବରାଜ ଏବଂ ରାକ୍ଷସଙ୍କ ପ୍ରିୟପାତ୍ର ହେବାର ଅଭିନୟ ହିଁ କରୁଥିଲା। ସେ ଯିବା ପୂର୍ବରୁ ଏପରି ଏକ ମୁଖ ଭଙ୍ଗୀ କରି ପ୍ରସ୍ଥାନ କଲା, ଯେଉଁଥିରୁ ଶ୍ଵେତା ସନ୍ଦେହର ପାତ୍ରୀ ବୋଲି ସୂଚନା ମିଳୁଥିଲା। ଶୋଣୋତ୍ତରା ଶ୍ଵେତାକୁ ନେଇ ଗୋଟିଏ ପ୍ରକୋଷ୍ଠରେ ପରୀକ୍ଷା ନିରୀକ୍ଷା କଲେ।
ତାର ନେତ୍ର ଓ ଅଧରୋଷ୍ଠର ବର୍ଣ୍ଣ ସାମାନ୍ୟ ନୀଳ ଦେଖାଯାଉଥିଲା। ସେ ତାକୁ ବିଭିନ୍ନ ପ୍ରଶ୍ନ ପଚାରିବାକୁ ଲାଗିଲେ। ଶ୍ଵେତା କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ‘ତାର କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ’ ବୋଲି କହିଲା। ଶୋଣୋତ୍ତରା କହିଲେ, “ଲାଗୁଛି, ତୁମେ ତୃଷାର୍ତ୍ତ।” ସେ କିଛି କ୍ଷୀର ମଗାଇଲେ। ଦାସୀ କ୍ଷୀର ସହ ଗୋଟିଏ ମାର୍ଜାରକୁ ନେଇ ଆସିଲା। ଶ୍ଵେତା ବୁଝିପାରିଲା ଯେ, ତାର ତୃଷା ନିବାରଣ ପାଇଁ ଏହି କ୍ଷୀର ମଗାଯାଇ ନାହିଁ। ତାର ଉଚ୍ଛିଷ୍ଟ ଏହି ବିଡାଳକୁ ପିଇବାକୁ ଦିଆଯିବ ଏବଂ ପ୍ରତିକ୍ରିୟା ଲକ୍ଷ୍ୟ କରାଯିବ। ସେ ବିଳମ୍ବ ନ କରି ନିଜର ପ୍ରକୃତ ପରିଚୟ ପ୍ରକାଶ କଲା। ତାର ଉଦ୍ଦେଶ୍ୟ କଣ, ତାକୁ କିଏ ପଠାଇଛନ୍ତି, ସବୁ କିଛି ବୁଝିନେଲା ପରେ ଶୋଣୋତ୍ତରା ତାକୁ ଚାଣକ୍ୟଙ୍କ ନିକଟରେ ଉପସ୍ଥିତ କରାଇଲେ। ଚାଣକ୍ୟ କହିଲେ, “ତୁମପାଇଁ ପ୍ରାଣ ଦଣ୍ଡରୁ ବଞ୍ଚିବା ପାଇଁ କେବଳ ଗୋଟିଏ ଉପାୟ ଅଛି। ମୋ କଥା ଅନୁସାରେ କାର୍ଯ୍ୟ କଲେ, କେବଳ ଯେ ତୁମର ଜୀବନ ବଞ୍ଚିଯିବ ତାହା ନୁହେଁ, ପ୍ରଚୁର ଧନ ମଧ୍ୟ ମିଳିବ।” ଶ୍ଵେତା ବାଧ୍ୟ ହୋଇ ଚାଣକ୍ୟଙ୍କ ପ୍ରସ୍ତାବରେ କାର୍ଯ୍ୟ କରିବା ପାଇଁ ସମ୍ମତ ହେଲା।
ରାକ୍ଷସ ପୂର୍ବରୁ ପୌରବରାଜଙ୍କୁ ‘ଜହରବାଳା’ ଶ୍ଵେତା ସମ୍ପର୍କରେ କିଛି ସୂଚନା ଦେଇ ନ ଥିଲେ। ରାତ୍ରି ଅର୍ଦ୍ଧରେ ସୁସିଦ୍ଧାର୍ଥକ ପୌରବରାଜଙ୍କ ଶୟନ କକ୍ଷର ଦ୍ଵାର ଦେଶରେ ଆଘାତ କଲା। ଅମାତ୍ୟ ରାକ୍ଷସ ତାଙ୍କର ବନ୍ଧୁତାର ନିଦର୍ଶନ ରୂପେ ଏହି ସୁନ୍ଦରୀ କାମିନୀକୁ ରଜନୀର ସଂଗିନୀ ହେବା ପାଇଁ ପଠାଇଛନ୍ତି ବୋଲି କହିଲା। ପୌରବରାଜ ସ୍ଵଭାବରେ ରଙ୍ଗୀନ ମିଜାଜର ଥିଲେ। ସେ ଶ୍ଵେତାକୁ ଭିତରକୁ ନେଇ ଦ୍ୱାର ବନ୍ଦ କଲେ। ଏକ ନିର୍ଦ୍ଦିଷ୍ଟ ଅବଧି ପରେ ଶ୍ଵେତା ପୌରବରାଜଙ୍କ ପ୍ରକୋଷ୍ଠରୁ ବାହାରିଲା। ବାହାରେ ସୁସିଦ୍ଧାର୍ଥକ ଅପେକ୍ଷା କରିଥିଲା। ଯେମିତି ଉଭୟ ଅନ୍ୟମାନଙ୍କ ଅଲକ୍ଷ୍ୟରେ ଆସିଥିଲେ, ସେହିପରି ଅନ୍ଧାରରେ ମିଳାଇଗଲେ। ପ୍ରଭାତରେ ପୌରବରାଜଙ୍କ ପୁତ୍ର ମଳୟକେତୁ ପିତାଙ୍କ କକ୍ଷରେ ତାଙ୍କର ଶବ ଦେଖି ବିଚଳିତ ହୋଇ ପଡିଲେ। ସେ ଶବ ଉପରେ ଲୋଟି ପଡି ଅଶ୍ରୁ ବିସର୍ଜନ କରିବାକୁ ଲାଗିଲେ। ତାଙ୍କ ସହ ଆସିଥିବା ଅନ୍ୟ ରାଜାମାନେ ତାଙ୍କୁ ସମବେଦନା ଦେଇ ଧୈର୍ଯ୍ୟ ଧରିବାକୁ ବୁଝାଉଥାନ୍ତି। ପାଟଳୀପୁତ୍ରରେ ଗୋଟିଏ ସମ୍ବାଦ ପ୍ରଚାର କରାଗଲା ଯେ, କୁମାର ଚନ୍ଦ୍ରଗୁପ୍ତଙ୍କ ମିତ୍ରମାନଙ୍କୁ ଅମାତ୍ୟ ରାକ୍ଷସ ଜଣ ଜଣ କରି ମାରିବା ଚକ୍ରାନ୍ତ କରୁଛନ୍ତି। ଗତ ରାତ୍ରରେ ସେ ପୌରବରାଜଙ୍କ ଖାଦ୍ୟରେ ବିଷ ମିଶାଇ ତାଙ୍କୁ ହତ୍ୟା କରିଛନ୍ତି।
[ପୁରାଣରେ ବିଷ କନ୍ୟା ଦୁଇ ପ୍ରକାର ବୋଲି ବର୍ଣ୍ଣିତ ଅଛି। ତନ୍ମଧ୍ୟରୁ ଗୋଟିଏ ଜାତିର କନ୍ୟା ଏପରି ଗ୍ରହଚଳନ, ଯୋଗ ଏବଂ ଲଗ୍ନରେ ଜନ୍ମ ନେଇଥାଆନ୍ତି ଯେ ସେମାନଙ୍କ ସହ ସଂସର୍ଗରେ ଆସୁଥିବା ପୁରୁଷମାନେ ବିଷଜ୍ୱାଳାରେ ପ୍ରାଣତ୍ୟାଗ କରନ୍ତି। ଦ୍ଵିତୀୟ ଶ୍ରେଣୀର ବିଷକନ୍ୟାମାନଙ୍କୁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ତିଆରି କରାଯାଏ। ସେମାନଙ୍କୁ ଜନ୍ମରୁ କ୍ଷୀର ସହ ମିଶାଇ ଅଳ୍ପ ଅଳ୍ପ ଜହର ପିଇବାକୁ ଦିଆଯାଏ। ବଡ ହେବା ସଙ୍ଗେ ସଙ୍ଗେ ଖାଇବାକୁ ଦିଆଯାଉଥିବା ବିଷର ପରିମାଣ ବଢାଇ ଦିଆଯାଉଥାଏ। ଯୌବନ ପ୍ରାପ୍ତ ହେବା ବେଳକୁ ସେହି କନ୍ୟା ଏକ ବିଷବାଳା ପାଲଟିଯାଇଥାଏ।]
କ୍ରମଶଃ