ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
-“ନା..ନା.. ମୋ ସନ୍ଦେହ କେବେ ଅମୂଳକ ହେଇ ନପାରେ …” ଏତିକି କହି ଚପଳା ବେହୋସ ପଡିଥିବା ଚମ୍ପାକୁ ପିଠିରେ ଲାଉ କରି ପାଣି ଫୁଆର ପାଖକୁ ନେଇ ଆସିଲା ଆଉ ଚନ୍ଦ୍ରକାନ୍ତାକୁ କହିଲା-“ସଖି…ତୁମେ ପାଣି ଆଞ୍ଜୁଳା ଆଣି ୟା ମୁହଁରେ ପକାଅ… ମୁଁ ୟା ମୁହଁ ସଫା କରୁଛି । ” ଚପଳାର କହିବା ମୁତାବକ ଚନ୍ଦ୍ରକାନ୍ତା ପାଣି ଆଣି ଚମ୍ପା ମୁହଁରେ ଢ଼ାଳିଲା ଆଉ ଚପଳା ଖୁବ ରଗଡି ରଗଡି ତା’ ମୁହଁକୁ ସଫା କଲା । କିଛି ସମୟ ଭିତରେ ଚମ୍ପାର ମୁହଁ ବଦଳି ଯାଇ ନାଜିମର ଚେହେରା ଫୁଟି ବାହାରିଲା । ନାଜିମକୁ ଦେଖିଲା ପରେ ଚନ୍ଦ୍ରକାନ୍ତା ରାଗି ପାଚି ନିଆଁ ବାଣ ହେଇ କହିବାକୁ ଲାଗିଲେ- “ସଖି … ଏ ସଇତାନର ସାହସ ତ କମ ନୁହେଁ ? ଯେଉଁ ସ୍ଥାନରେ ପକ୍ଷୀଟିଏ ବି ପର ଝାଡ଼ିବା ମନା ସେ ସ୍ଥାନକୁ ଆସି ଇଏ ବଡ଼ ଧୃଷ୍ଟତା କରିଛି …ୟାକୁ…”
ଚପଳା-“ଶାନ୍ତ ହୁଅ ସଖି ଶାନ୍ତ …ଦେଖ .. ମୁଁ ଏହା ସହ କଣ କରୁଛି …”
ଚପଳା ନାଜିମକୁ ପିଠିରେ ଲାଉ କରି ସେଇ ଉଦ୍ୟାନର ଏକ କୋଣରେ ଥିବା ଗମ୍ବୁଜ ପାଖକୁ ନେଇଗଲା । ସେଇ ଗମ୍ବୁଜର ନିମ୍ନ ଭାଗରେ ଏକ ଛୋଟ ଗନ୍ତାଘର ଥିଲା । ଚପଳା ତାକୁ ନେଇ ସେଇ ଗନ୍ତାଘର ଭିତରେ ପକେଇଦେଲା । ଘରଟି ଖୁବ ଅନ୍ଧାର ଥିବାରୁ ଚପଳା ନିଜ ଥଳୀରୁ ଏକ ମହମବତୀ ବାହାର କରି ଜଳାଇଲା । ଆଉ ଏକ ରଜ୍ଜୁ ବାହାର କରି ନାଜିମର ହାତ ଆଉ ଗୋଡ଼କୁ ପଛପଟୁ ଭଲକରି ବାନ୍ଧି ଦେଲା । ତା’ ପରେ ଥଳିରୁ ଲଖଲଖା (ହୋସକୁ ଆଣିବା ପାଇଁ ଏକ ପ୍ରକାର ଜଡିଵୁଟି ) ବାହାର କରି ତାକୁ ଶୁଙ୍ଘେଇ ଦେଲା । ଯାହାକୁ ଶୁଙ୍ଘିବା ପରେ ନାଜିମକୁ ଏକ ଛିଙ୍କ ଆସିଲା ଆଉ ଅଚାନକ ହୋସ ଆସିଗଲା। ଆଉ ନିଜକୁ ବନ୍ଦୀ ଅବସ୍ଥାରେ ପାଇ ମୁଣ୍ଡ ଵାଡେଇଲା ଏତିକିବେଳେ ଚପଳା ଏକ ଚାବୁକ ଆଣି ତାକୁ ପିଟିବାକୁ ଆରମ୍ଭ କଲା ।
ଯନ୍ତ୍ରଣା ସହି ନପାରି ଖୁଵ ଯୋରରେ ଚିତ୍କାର କଲା ନାଜିମ । ହେଲେ ତା’ ଚିତ୍କାର ଶୁଣିବାକୁ ସେଠି କେହି ନଥିଲେ। ସେ କାନ୍ଦି କାନ୍ଦି କହୁଥାଏ-“କ୍ଷମା…କ୍ଷମା କରିଦିଅ ମତେ । ଏମିତିକା ଭୁଲ ମୁଁ ଆଉ କେବେ କରିବିନି …” ହେଲେ ଚପଳା ତା’ କଥାକୁ ଜମା କାନକୁ ନେଉ ନଥାଏ । ସେ ଚାବୁକ ପରେ ଚାବୁକ ମାରି ଚାଲୁଥାଏ ଆଉ କହୁଥାଏ -“ଜମାରୁ ବ୍ୟସ୍ତ ହ’ନି …ତୋ ପିଠିଟା କୁଣ୍ଡେଇ ହେଉଥିଲା ପରା…ମୁଁ ତାର ଉପଚାର କରୁଛି । ରହ… ଏବେ ତ ଆରମ୍ଭ ହେଇଛି , ଏତେ ବ୍ୟସ୍ତ କାହିଁକି ହେଉଛୁ ?”
ନାଜିମ ଯନ୍ତ୍ରଣାରେ ସେଇ ଗନ୍ତାଘର ଭିତରେ ଏପଟରୁ ସେପଟ ଗଡୁଥାଏ । ଚପଳା କିନ୍ତୁ ଚାବୁକ ମାରିବାରେ କୌଣସି ହେଳା କରୁ ନଥାଏ -” ଏବେ କହ ତୁ ଏଠିକୁ କାହିଁକି ଆସିଥିଲୁ ? କଣ ଉଦ୍ୟାନର ଥଣ୍ଡା ପବନ ଖାଇବାକୁ ନା ଏଠି ଟହଲ ମାରିବାକୁ ? ଏଇଟାକୁ ତୁ କଣ ଅନାବାଦୀ ଗୋଚର ଭାବିଲୁ ? ତୁ କଣ ଜାଣି ନଥିଲୁ ଏଠି ଚପଳା ବୋଲି କିଏ ଜଣେ ଅଛି ? ହାରାମଜାଦା…ବେଈମାନ…ଯେଉଁ ଜାଗାକୁ ଆସିବା ପାଇଁ କାହାରିକୁ ଅନୁମତି ନାହିଁ, ତୁ କୋଉ ବୋପାକୁ ପଚାରି ଏଠିକୁ ଆସିଥିଲୁ …? ଆସିଲୁ ଯଦି ଏବେ ପାନେ ପା’ … ଏମିତି ଚିଲେଇଲେ ଭାବିଛୁ ଏ ଚପଳା ତତେ ଛାଡ଼ିଦେବ ? “
ଚପଳା ଚାବୁକରେ ପିଟି ଚାଲିଥିଲା । ବିଚରା ନାଜିମ ….। ଚପଳା ପୁଣି ପଚାରିଲା-” ଆବେ ହାରାମଜାଦା …କହ ତୁ ଏଠିକୁ କେମିତି ଆସିଲୁ ଆଉ ଆମ ଚମ୍ପା କୁଆଡେ ଗଲା…?”
ମାଡକୁ ମହାଦେବଙ୍କ ଡର । ମାଡ଼ ଭୟରେ ନାଜିମ ସବୁ ସତ ମାନିଗଲା । ସେ କହିଲା-” ମୁଁ ଚମ୍ପାକୁ ବେହୋସ କରିଦେଇଛି । ଏକ ଫୁଲ ତୋଡ଼ାରେ ବେହୋସି ଅତର ପକେଇ ତା’ ରାସ୍ତାରେ ରଖିଦେଇଥିଲି । ସେ ସେଇ ଫୁଲ ତୋଡ଼ାକୁ ଶୁଙ୍ଘି ବେହୋସ ହେବା ପରେ ତାକୁ ନେଇ ମାଳତୀ କୁଞ୍ଜ ଉଆଢରେ ଲୁଚାଇ ତା’ ପରିକା ବେଶ ବେଶଭୂଷା ହେଇ ତମମାନଙ୍କ ପାଖକୁ ଆସିଥିଲି … ସବୁ ସତ କଥା ତ ଶୁଣିଲ…ମତେ ଏବେ ଯିବାକୁ ଦିଅ…”
ଚପଳା-“ହଁ.. ତୁ ଯେତେବେଳେ ସବୁ ସତ ସତ କହିଦେଲୁ, ଆଉ କଣ ଆମେ ତତେ ରଖିବୁ ? ରହ ତତେ ଏବେ ଛାଡି ଦଉଛି…” ଏତିକି କହିସାରି ସେ ଆହୁରି ୫/୧୦ ପାହାର କଷି ଦେଲା । ଯନ୍ତ୍ରଣାରେ ନାଜିମ ଛଟପଟ ହେବାକୁ ଲାଗିଲା । ତାପରେ ଚପଳା ଚନ୍ଦ୍ରକାନ୍ତାକୁ କହିଲା -” ସଖି ତମେ ୟାକୁ ଜଗିଥାଅ କି ମୁଁ ଚମ୍ପାକୁ ଯାଇ ଖୋଜି ଆଣୁଛି … ମୁଁ ଦେଖିବାକୁ ଚାହୁଁଚି ଏ ହାରାମଜାଦା ମିଛ କହୁନି ତ ?”
ଚମ୍ପାକୁ ଖୋଜି ଖୋଜି ଚପଳା ମାଳତୀ କୁଞ୍ଜ ପାଖରେ ପହଞ୍ଚିଲା । ସେତେବେଳକୁ ପୁରା ଅନ୍ଧାର ହେଇ ଯାଇଥାଏ । ଚପଳା ମହମବତୀ ଜଳେଇ ଚମ୍ପାକୁ ଖୋଜିବାକୁ ଲାଗିଲା । ଦେଖିଲା ସତକୁ ସତ ସେ କୁଞ୍ଜ ଉହାଡ଼ରେ ଚମ୍ପା ବେହୋସ ହେଇ ପଡିଛି । ତା’ ଦେହରେ ସୁତା ଖିଅଟାଏ ବି ନାହିଁ … ସମ୍ପୂର୍ଣ୍ଣ ଉଲଗ୍ନ(ଯେହେତୁ ନାଜିମ ତା’ ପୋଷାକ ଖୋଲି ନେଇ ନିଜେ ପିନ୍ଧିଥିଲା ) । ଚପଳା ତାକୁ ଲଖଲଖା ଶୁଙ୍ଘେଇ ହୋସକୁ ଆଣିଲା ଆଉ କହିଲା -“କଣ ସଖି… ଧୋକା ଖାଇ ଗଲ ନା…?”
ଚମ୍ପା-“ମୁଁ କେମିତି ଜାଣିବି ଏଇଟା କୌଣସି କ୍ଷୀପ୍ରଚରର ଚାଲ ବୋଲି ? ମୋ ଯିବା ରାସ୍ତାରେ ଏକ ଫୁଲ ତୋଡ଼ା ପଡିଥିଲା, ମୁଁ ତାକୁ ଉଠେଇ ଶୁଙ୍ଘି ଦେଲି ଆଉ ବେହୋସ ହେଇଗଲି । ତା’ ପରେ ଜାଣିନି କଣ ହେଲା । ହାଏ ରେ ଦଇବ…କିଏ ସେ ମତେ ବେହୋସ କଲା ଆଉ ମୋ କପଡା..ମୋ କପଡା କିଏ ଚୋରେଇ ନେଲା…ବହୁତ ଦାମୀ କପଡା…ଏବେ ଏବେ ଦରଜିଠୁ ସିଲେଇ କରି ଆଣିଥିଲି …”
ସେଇ ପାଖରେ ନାଜିମର କପଡା ପଡିଥିଲା । ଚପଳା ସେଗୁଡିକୁ ଉଠେଇ ଆଣି ଚମ୍ପାକୁ ଦେଲା । ଚମ୍ପା ସେ କପଡା ପିନ୍ଧି ସାରିବା ପରେ ଚପଳା କହିଲା-” ଏବେ ମୋ ସହ ଆସ… ମୁଁ ତୁମକୁ ସେଇ ଲୋକ ପାଖକୁ ନେଇ ଯିବି ଯିଏ ତମର ଏ ହାଲତ କରିଛି ।” ଚମ୍ପା ଓ ଚପଳା ଦୁହେଁ ଗନ୍ତାଘର ଭିତରକୁ ଫେରିଲେ । ନାଜିମକୁ ଦେଖେଇ ଚପଳା କହିଲା -“ଏଇ ଦେଖ ସଖି ଏ ସେହି ପାଜୀ ଯିଏ ତମର ଏ ଅବସ୍ଥା ପାଇଁ ଦାୟୀ ।” ନାଜିମକୁ ଦେଖି ଚମ୍ପା ମୁଣ୍ଡକୁ ପିତ୍ତ ଚଢ଼ିଗଲା । ସେ କହିଲା-“ଭଉଣୀ… ଯଦି ତମେ ଅନୁମତି ଦିଅନ୍ତ ତେବେ ମୁଁ ୟାକୁ ଦି ଚାରି ପାହାରେ ଦିଅନ୍ତି ?”
-“ହଁ..ହଁ… ଦି ଚାରି ପାହାରେ କାହିଁକି …ଜୋତା ଖୋଲି ମନ ଶାନ୍ତି ହେବା ଯାଏ ପିଟ…” ବାସ ଆଉ କଣ ଥିଲା ଚମ୍ପା ଆରମ୍ଭ କରିଦେଲା । ମାଡ଼ ଖାଇ ନାଜିମ ଛଟପଟ ହେଉଥାଏ ଆଉ କହୁଥାଏ -“ହେ..ଖୁଦା… ସେ କ୍ରୁର ସିଂ କୁ ତମେ ନର୍କକୁ ପଠାଅ… ଯାହା ପାଇଁ ମୁଁ ଆଜି ଏତେ କଷ୍ଟ ସହୁଛି…”
ଶେଷରେ ନାଜିମକୁ ସେଇଠାରେ ବନ୍ଦୀ କରି ତିନିହେଁ ମହଲକୁ ଫେରିଗଲେ ।
କ୍ରମଶଃ