ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ସେ କିନ୍ତୁ ଚପଳା ପ୍ରଶ୍ନର କିଛି ଉତ୍ତର ନଦେଇ ବୀରେନ୍ଦ୍ର ସିଂଙ୍କ ଚିଠିଟିକୁ ଚନ୍ଦ୍ରକାନ୍ତାଙ୍କ ଆଗରେ ରଖିଦେଲା । ଚପଳାର ଦୃଷ୍ଟି ସେ ଚିଠି ଉପରେ ପଡିବାରୁ ସେ ତାକୁ ନିରେଖି ଦେଖିବାକୁ ଲାଗିଲା । ବୀରେନ୍ଦ୍ର ସିଂଙ୍କ ହାତ ଲେଖା ଦେଖି ସେ ବୁଝିଗଲା କି ସେ କ୍ଷିପ୍ରଚର ଜଣକ ତେଜ ସିଂ ଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି କାହିଁକି ନା କୁମାର ଆଉ କାହା ହାତରେ ତାଙ୍କ ଚିଠି ପଠାନ୍ତି ନାହିଁ । ଏଇ କଥା ବୁଝିଯିବା ପରେ ସେ ଲାଜରେ ମୁଣ୍ଡ ତଳକୁ କଲା । କିନ୍ତୁ ତେଜ ସିଂଙ୍କ ଧୂର୍ତ୍ତତାକୁ ମନେ ମନେ ପ୍ରଶଂସା କରିବାରେ ଲାଗିଲା । ଖାଲି ପ୍ରଶଂସା କାହିଁକି ତାଙ୍କୁ ତା’ ହୃଦୟ ସିଂହାସନ ବି ଅର୍ପଣ କରିଦେଲା ।
ଚନ୍ଦ୍ରକାନ୍ତା ବଡ଼ ସରାଗରେ ବୀରେନ୍ଦ୍ର ସିଂ ଙ୍କ ଚିଠିକୁ ପଢିଲେ । ଆଉ ତା’ ପରେ ତେଜ ସିଂ କୁ ପଚାରିଲେ –
“ତେଜସିଂହ… ତାଙ୍କ ଦେହ ପା’ ଭଲ ଅଛି ତ ?”
ତେଜ-“ଭଲ ଆଉ କଣ…? ଖାଇବା ପିଇବା ଛାଡି ଦେଲେଣି… କାନ୍ଦି କାନ୍ଦି ଆଖି ଦୁଇଟା ଫୁଲି ଗଲାଣି । କି ଦିନ କି ରାତି ସବୁବେଳେ ତୁମରି ଚିନ୍ତା … ତୁମକୁ ନ ଭେଟିବା ଯାଏ ତାଙ୍କର ଗତି ନାହିଁ କି ମୁକ୍ତି ନାହିଁ। ହଜାର ଥର ମୁଁ ତାଙ୍କୁ ବୁଝେଇ ସାରିଲିଣି । ହେଲେ ସେ ମୋ କଥା ଶୁଣିଲେ ତ ? ହେଇ ପରା… ସେଦିନ ତୁମ ଚିଠି ନେଇ ତାଙ୍କୁ ଦେଇଥିଲି, ହେଲେ ସେ ଚିଠିରେ କଣ ତାଙ୍କ ମନ ବୁଝିଲା…? ତାଙ୍କ ଅବସ୍ଥା ଦେଖି ମତେ ପୁଣି ଆଜି ଆସିବାକୁ ପଡିଲା । କହୁଥିଲେ ମୁଁ ନିଜେ ଯିବି… ହେଲେ କୌଣସି ପ୍ରକାରେ ତାଙ୍କୁ ଏଠିକି ଆସିବାକୁ ଅଟକେଇ ମୁଁ ନିଜେ ଚାଲି ଆସିଲି । ଏଠିକା ପରିସ୍ଥିତି ବିଷୟରେ ନ ଜାଣି ମୁଁ କେମିତି ତାଙ୍କୁ ଏଠିକି ଆସିବାକୁ ଦେଇଥାନ୍ତି ?”
ଚନ୍ଦ୍ରକାନ୍ତା-“ହାୟରେ ଦଇବ… ତମେ ଭଲା ତାଙ୍କୁ ଟିକେ ସାଙ୍ଗରେ ଆଣିଥାନ୍ତ … ମୁଁ ଟିକେ ଆଖି ପୁରେଇ ଦେଖିଥାନ୍ତି । ଏଠି ତ ଏମିତି ପରିସ୍ଥିତି ହେଲାଣି ଯେ ଜାଣେନା କେତେବେଳେ କଣ ହେଇଯିବ । ସେ କ୍ରୁର ସିଂ ଆଉ ତାର ଦିଇଟା କ୍ଷୀପ୍ରଚର ଏଠି ପ୍ରବଳ ଉତ୍ପାତ କରୁଛନ୍ତି । ବାପାଙ୍କୁ ମୁଁ କେତେଥର କହିଲିଣି… ବହୁତ ବୁଝେଇଲିଣି.. ସେ କ୍ରୁର ସିଂ ଆଉ ତା’ ଦୁଇ କ୍ଷୀପ୍ରଚରଙ୍କୁ ଆମଠୁ ଦୁରେଇ ରଖିବା ପାଇଁ… ସେ ଆମର ବଇରୀ.. ହେଲେ ବାପା ମୋ କଥାକୁ ତିଳେ ବି କାନକୁ ନେଉନାହାନ୍ତି । ସେ କ୍ରୁର ସିଂ ଯେମିତି ବାପାଙ୍କୁ ଗଦ ଶୁଙ୍ଘେଇ ଦେଇଛି । ଜାଣିନି ସେ ମୋର ଆଉ କୁମାରଙ୍କ ବିଷୟରେ କଣ ସବୁ ମିଛ କହି ବାପାଙ୍କୁ ବୁଝେଇ ଦେଇଛି କି ତା’ କଥାକୁ ବାପା ବେଦର ଗାର ବୋଲି ଭାବି ନେଇଛନ୍ତି । ସେ ମୋ କଥା କିଛି ବି ଶୁଣୁ ନାହାନ୍ତି କିନ୍ତୁ ଆଜି ମଉକା ମିଳିଛି । ମୋ ପ୍ରିୟ ସଖି ଚପଳା ଆଜି ସେ ପାଜୀ ନାଜିମକୁ ମହଲ ପଛ ପଟ ଉଦ୍ୟାନରୁ ଗିରଫ କରିଛି । କାଲି ତାକୁ ନେଇ ମହାରାଜଙ୍କୁ ଦେଖା କରି ପଚାରିବି କି କ୍ରୁର ସିଂ ମୋ ସୁରକ୍ଷା ଦାୟିତ୍ବରେ ରହିଥିବା ବେଳେ ଏ ଦୁଷ୍ଟ ନାଜିମ ଉଦ୍ୟାନ ଭିତରକୁ ପ୍ରବେଶ କଲା କେମିତି ? କାଲି କ୍ରୁର ସିଂର ଅସଲ ମୁଖା ଖୋଲି ଯିବ । “
ଏତିକି କହିବା ପରେ ଚନ୍ଦ୍ରକାନ୍ତା ନାଜିମର ଗିରଫ ବୃତ୍ତାନ୍ତ ତେଜ ସିଂକୁ ଶୁଣେଇଲା ଆଉ ଚପଳାର ପ୍ରଶଂସା କରିବାକୁ ଲାଗିଲା । ତେଜ ସିଂ ଚପଳାର ଚାଲାକି କଥା ଶୁଣି ଚକିତ ହେଇଗଲା । ଆଉ ମନେ ମନେ ଭାବିଲା ଚପଳା ହିଁ ତାର ସହଚରୀ ହେବା ପାଇଁ ଏକମାତ୍ର ଯୋଗ୍ୟା । ହେଲେ ପର ମୁହୂର୍ତ୍ତରେ କିଛି ଭାବିବା ପରେ ସେ କହିଲା-” ଚପଳା ତ ବହୁତ ବୁଦ୍ଧିମତ୍ତାର କାମ କରିଛି ହେଲେ କଣ ହେବ ସେ ଧୋକା ଖାଇଗଲା ।”
ତେଜ ସିଂ କଥା ଶୁଣି ଚମକି ପଡିଲା ଚପଳା … ହେ ରାମ … ମତେ କିଏ ଧୋକା ଦେଲା ? ହେଲେ କିଛି ମୁଣ୍ଡରେ ପଶିଲା ନାହିଁ ।ତୁରନ୍ତ ସେ ତେଜ ସିଂ କୁ ପଚାରି ବସିଲା-” କୁହ ମତେ …ମୁଁ କେମିତି ଧୋକା ଖାଇଲି ?”
ତେଜ-“ତମେ କଣ ଏ କଥା ଜାଣି ନଥିଲ ଯେ ନାଜିମ ଉଦ୍ୟାନକୁ ଆସିଛି ମାନେ ତା’ ପଛରେ ସେ ଅହମଦ ବି ଆସିଥିବ ? ତାହେଲେ ସେ ନାଜିମକୁ ବନ୍ଦୀ କରି ଉଦ୍ୟାନ ଭିତରେ କାହିଁକି ଛାଡି ଆସିଲ ? ତାକୁ ତମ ସାଙ୍ଗରେ ମହଲକୁ ନେଇ ଆସିବା ଉଚିତ ଥିଲା ନହେଲେ ସେହି ସମୟରେ ମହାରାଜଙ୍କ ଆଗରେ ଉପସ୍ଥିତ କରେଇବାର ଥିଲା । ଏବେ ଯାଇ ଦେଖ .. ସେ ଅହମଦ ନିଶ୍ଚୟ ତାକୁ ଖଲାସ କରି ନେଇ ଯାଇଥିବ ।”
ତେଜ ସିଂ ଠୁ ଏତକ ଶୁଣିବା ପରେ ଚପଳାର ହୋସ ଉଡ଼ିଗଲା । ତା’ ମୂର୍ଖାମୀ ପାଇଁ ତାକୁ ଲାଜ ଲାଗିଲା । କହିଲା-“ସତ କଥା ତ… ବଡ଼ ଭୁଲ ହେଇଗଲା … ଏସବୁ କଥାକୁ ମୁଁ ଧ୍ୟାନ ଦେଇ ନଥିଲି ।”
ତେଜ-“କାହିଁକି ଧ୍ୟାନ ଦେବ ? ତମେ ତ ବହୁତ ଚାଲାକ ନା…? ବଡ଼ କ୍ଷୀପ୍ରଚାରିକା ହେଇଛ ?… ଛାଡ଼ ଯାହା ହବାର ଥିଲା ହେଇଗଲା, ଏବେ ଯାଇ ଦେଖି ଆସ.. ସେ ସେଠି ଅଛି କି ନାହିଁ ?”
ଚପଳା ଦୌଡ଼ିଗଲା ଉଦ୍ୟାନ ଭିତରକୁ । ଗନ୍ତାଘର ପାଖରେ ପହଞ୍ଚି ଦେଖିଲା କି ସେ ଘରର କବାଟ ଠିଆ ମୁକୁଳା । ଚପଳା ବୁଝିଗଲା କି ଶୁଆଟା ପଞ୍ଜୁରୀ ଛାଡି ଉଡି ଯାଇଛି । ତଥାପି ସେ ଭିତରକୁ ଯାଇ ଦେଖିଲା । ଘରଟା ପୁରା ଖାଲି ଆଉ ସେଠି ଖାଲି ଯା ଦଉଡିଟା ପଡିଥିଲା ଯେଉଁଥିରେ ନାଜିମ ବନ୍ଧା ହେଇଥିଲା । ଏସବୁ ଦେଖି ଚପଳାକୁ ନିଜର ମୂର୍ଖତା ପାଇଁ ବଡ଼ ଅବଶୋଷ ହେଲା । ବ୍ୟର୍ଥ ମନୋରଥ ନେଇ ସେ ମହଲକୁ ଫେରିଲା ଆଉ କହିଲା-” ସତରେ .. ସେ ଅହମଦ ନାଜିମକୁ ଖଲାସ କରି ନେଇ ଯାଇଛି ।” ଏଥର ମଉକା ମିଳିଗଲା ତେଜ ସିଂ କୁ, ଚପଳାକୁ ଚିଡ଼େଇବା ପାଇଁ -” ବଡ଼ କ୍ଷୀପ୍ରଚାରିକା ହେଇଛି… କଣ କହୁଛି କି… ମୋଠୁ ଆଉ ଚାଲାକ କେହି ନାହାନ୍ତି… ହେଲେ ଦେଖ ଦିଇଟା ତୁଛ କ୍ଷୀପ୍ରଚର …କେମିତି ନାକେଦମ କରିଦେଲେ …?”
ତେଜ ସିଂ ର ଖେଞ୍ଚାଣିଆ କଥା ଚପଳାର ହଜମ ହେଲାନି, ସେ ଚିଡି ଉଠି କହିଲା-“ବ୍ୟସ୍ତ ହୁଅନି… ସେ ଦିଟାଙ୍କୁ ମୁଁ ଧରି ଏଇ କକ୍ଷରେ ଯଦି ଜୋତାରେ ନ ପିଟିଛି ତେବେ ମୋ ନାଁ ଚପଳା ନୁହେଁ ।”
ତେଜ-“ତମର ଯାହା କରିବାର ଥିଲା ତମେ କରିଦେଲ … ଏବେ ଦେଖ ମୁଁ କଣ କରୁଛି । ଗୋଟା ଗୋଟାଙ୍କୁ ଧରି ନେଇ ମୋ ରାଜ୍ୟରେ କେମିତି ବନ୍ଦୀ ବନଉଛି ତମେ ଦେଖିବ ।”
ତା’ ପରେ ତେଜ ସିଂ ଯେପରି ଭାବରେ ମହଲ ଭିତରକୁ ପ୍ରବେଶ କରିଥିଲା ତାର ଏକ ବିସ୍ତୃତ ବିବରଣୀ ଚନ୍ଦ୍ରକାନ୍ତାଙ୍କୁ କହିବାକୁ ଲାଗିଲା । ଆଉ ଏ କଥା ବି କହିଲା କି ଅମୁକ ଜାଗାରେ କେତକୀକୁ ବେହୋସ କରି ପକେଇ ଆସିଛି । ଆଉ ଚପଳାକୁ କହିଲା କି ସେ ଯାଇ ତାକୁ ନେଇ ଆସୁ । ହେଲେ ତା’ କପଡା(ଯାହାକୁ ତେଜ ସିଂ ପିନ୍ଧିଥିଲା) ସେ ତାକୁ ଏବେ ଦେବ ନାହିଁ କାହିଁକି ନା କେତକୀ ବେଶରେ ତାକୁ ମହଲ ବାହାରକୁ ଯିବା ପାଇଁ ସୁବିଧା ହେବ । ଆଉ ଏ କଥା ବି କହିଲା ଯେ ତାଙ୍କ ତିନି ଜଣଙ୍କୁ ଛାଡି ଆଉ ଯେପରି କେହି ତା’ ଆସିବା ଖବର ନ ଜାଣନ୍ତି ।
ଚନ୍ଦ୍ରକାନ୍ତା ତେଜ ସିଂ କୁ ତାକିଦ କରିଦେଲା କି ସେ ଯେମିତି ପ୍ରତି ଦୁଇ ତିନି ଦିନରେ ଥରେ ଏଠାକୁ ଆସନ୍ତି କାହିଁକି ନା ତାଙ୍କୁ ଦେଖି ମନରେ ସାହସ ଆସୁଛି । ତେଜ ସିଂ ସେମିତି କରିବାକୁ ପ୍ରତିଶୃତି ଦେଇ ଯିବାକୁ ବାହାରିବା ବେଳେ ଚନ୍ଦ୍ରକାନ୍ତା କାନ୍ଦି ପକେଇ କହିଲେ -“ତେଜ ସିଂ … ତାଙ୍କ ସହ ମୋର କଣ ଆଉ ଭେଟ ହେଇ ପାରିବନି…?” ଏତିକି କହିବା ବେଳକୁ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହେଇ ଆସିଲା ଆଉ ସେ କଇଁ କଇଁ ହେଇ କାନ୍ଦିବାକୁ ଲାଗିଲେ । ତେଜ ସିଂ ତାଙ୍କୁ ବହୁତ ବୁଝେଇଲା ଆଉ କହିଲା-“ଦେଖ.. ମୁଁ ଏସବୁ ଯାହା ବି କରୁଛି ସବୁ କିଛି ତୁମ ଦୁହିଁଙ୍କୁ ମିଶେଇବା ପାଇଁ … ଆଉ ତମେ ଏମିତି ଧୈର୍ଯ୍ୟ ହରେଇଲେ କେମିତି ହେବ ? ” ଏମିତି ବହୁତ ବୁଝା ସୁଝା କରି ଚନ୍ଦ୍ରକାନ୍ତାଙ୍କୁ ଚୁପ କରେଇଲା ଆଉ କେତକୀ ବେଶରେ ବାହାରିଗଲା ମହଲର ମୁଖ୍ୟ ଫାଟକ ଆଡେ । ସେଠି ପହଞ୍ଚି ଦେଖିଲା ଦୁଇ ତିନି ଜଣଙ୍କୁ ଛାଡି ସମସ୍ତେ ମାଟି କାମୁଡି ପଡିଛନ୍ତି । ଯେଉଁ ଦୁଇ ତିନିଜଣ ହୋସକୁ ଆସିଥିଲେ ନକଲି କେତକୀ ସେମାନଙ୍କୁ କହିଲା-” ତମେ ଏଠି ପହରା ଦେବାକୁ ଆସିଛ ନା ଆରାମ କରିବାକୁ …? ଅଫିମ ଖାଇ ମଲା ମୁର୍ଦ୍ଦାର ଭଳି ପଡି ରହିଛ ?… ମୁଁ ଯାଉଛି ମହାରାଣୀଙ୍କୁ କହିବି .. ତା’ ପରେ ତମର କି ଅବସ୍ଥା ହେବ ଜାଣିବ …”
ନକଲି କେତକୀର କଥା ଶୁଣି ସେମାନଙ୍କର ହୋସ ଉଡ଼ିଗଲା । ସେମାନେ ସମସ୍ତେ କେତକୀର ତୋଷାମଦ କରିବାରେ ଲାଗି ପଡିଲେ ।
-“ଦେଖ କେତକୀ… ଆଜି କିଏ ଜଣେ ସରକାରୀ ପ୍ରତିହାରୀ ଏଠିକି ଆସି ଆମକୁ ଧୋକାରେ ବିଷାକ୍ତ ଗଂଜେଇ ଦେଇଗଲା । ଯାହାକୁ ଖାଇବା ପରେ ଆମର ଏମିତି ଅବସ୍ଥା । ସେ ପାଜୀ ତ ଆମକୁ ମାରିବା ଚକ୍କରରେ ଥିଲା କି କଣ ? ଆଲ୍ଲାଙ୍କ ଦୟାରୁ ଆମେ ବଞ୍ଚିଗଲୁ । ଆଜି ସିନା ଆମେ ଧୋକା ଖାଇଗଲୁ ହେଲେ ଆମେ ହାତ ଯୋଡୁଛୁ ଆଗକୁ ଆଉ ଏମିତି ଭୁଲ ହେବ ନାହିଁ ।”
ନକଲି କେତକୀ-“ଆଛା ଠିକ ଅଛି.. ତମେ ଯଦି କହୁଛ ଆଜି ପାଇଁ ଛାଡି ଦେଉଛି । ୟା ପରେ ଯଦି ଆଉ ଏମିତି ହେଲା ତାହେଲେ ଚିହ୍ନିବ ମତେ …” ଏତିକି କହି ସେ ତା’ ବାଟରେ ଚାଲିଗଲା । ସେ ସିପାହୀ ମାନେ ଏତେ ଡରି ଯାଇଥିଲେ ଯେ କେହି ତାକୁ ପଦେ ପଚାରିଲେନି କି ଏତେ ରାତିରେ ସେ ମହଲ ବାହାରକୁ କୁଆଡେ ଯାଉଛି ….
କ୍ରମଶଃ