ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଏହିପରି ଅନେକ ଗୁଡିଏ ଉପାଦେୟ ତଥ୍ୟ ଦେବୀ ସିଂକୁ ବୁଝାଇବା ପରେ ତେଜ ସିଂ ଦ୍ୱାର ଖୋଲିବାକୁ ବାହାରିଲା । ଦ୍ଵାରର ଉପରି ଭାଗରେ ଏକ ସିଂହର ମୂର୍ତ୍ତି ରହିଥିଲା । ତେଜ ସିଂ ଦେବୀ ସିଂକୁ ଡାକି କହିଲା-” ଏଇ ସିଂହ ମୂର୍ତ୍ତିର ପାଟିରେ ହାତ ପୁରେଇ ତା’ ଜିଭକୁ ବାହାରକୁ ଟାଣ ।” ଦେବୀ ସିଂ ସେପରି କରିବାକୁ ଲାଗିଲା । ପ୍ରାୟ ହାତେ ସମାନ ଜିଭ ଟାଣିବା ପରେ ଘଡଘଡି ପରି ଏକ ଶବ୍ଦ ହେଲା ଆଉ ଦ୍ୱାର ଖୋଲିଗଲା । ଦୁହେଁ ଅହମଦର ଗଣ୍ଠିଲି ନେଇ ସେ ଦ୍ୱାର ଦେଇ ଭିତରେ ପ୍ରବେଶ କଲେ । ଦେବୀ ସିଂ ଦେଖିଲା ସେ ଦ୍ୱାର ସେପଟେ ଥିଲା ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର । ଚାରିପଟେ ଉଚ୍ଚା ଉଚ୍ଚା ପାହାଡ଼ । ଅତି ତୀଖ । ଯାହା ଉପରେ କୌଣସି ମଣିଷ ଚଢିବା ଅସମ୍ଭଵଃ । ସେଇ ପ୍ରାନ୍ତର ମଧ୍ୟ ଦେଇ ବହି ଯାଉଥିଲା ଏକ ଛୋଟ ଝରଣା ଯେଉଁଟାକି ଝରି ଆସିଥିଲା ପାହାଡ଼ର ଉପରି ଭାଗରୁ । ସେଇ ଝରଣା କୂଳରେ ଥିଲା ଅନେକ ଫଳର ବୃକ୍ଷ ଯେଉଁଥିରେ ବହୁତ ଫଳ ଭରି ରହିଥିଲା । ଜାଗାଟି ବହୁତ ମନୋରମ ଲାଗୁଥିଲା । କେତକ ସ୍ଥାନରେ ବଡ଼ ବଡ଼ ପ୍ରସ୍ଥର ଖଣ୍ଡ ପଡି ରହିଥିଲେ । ଲାଗୁଥିଲା ସତେ ଯେପରି ହାତୀମାନେ ଶୋଇ ରହିଛନ୍ତି । ପାହାଡ଼ ଉପରୁ ଯେଉଁ ଝରଣାଟି ବହି ଆସିଥିଲା ତା’ କଳକଳ ନାଦ ତୋଳୁଥିଲା ସଙ୍ଗୀତର ଅପୂର୍ବ ମୂର୍ଚ୍ଛନା । ପବନ ତାଳେ ତାଳେ ଗଛ ପତ୍ରରୁ ଉତ୍ପନ୍ନ ଶବ୍ଦ , ଝରଣାର ନାଦ, ମଝିରେ ମଝିରେ ମୟୂର ମାନଙ୍କର ଡାକ ସବୁ ମିଶି ପରିବେଶକୁ ଅତୀବ ମନୋରମ କରିଥିଲା । ଝରଣାର ପାଣି ଖୁବ ଶୀତଳ ଆଉ ସ୍ୱଚ୍ଛ ଥିଲା । ଏତେ ସ୍ଵଛ ଯେ ଛୁଞ୍ଚିଟିଏ ବି ପଡିଲେ ତାହା ଉପରକୁ ଜକଜକ ହେଇ ଦେଖା ଯାଉଥିଲା । ପାହାଡର ତଳ ଦେଶରେ ଥିଲା ଅନେକ ଗୁଡିଏ ଗୁମ୍ଫା । ଯେଉଁଠାରେ ଅନେକ ଲୋକ ଆରାମରେ ରହି ପାରିବେ । ଜାଗାଟି ଏମିତି ଥିଲା କି ବର୍ଷ ବର୍ଷ ଧରି ଏଠାରେ ରହିଲେ ବି କାହାରି ମନରେ କଷ୍ଟ ହେବନି ବରଂ ଖୁସିରେ ସମୟ ବିତେଇ ଦେବ ।
ସକାଳ ହେଇ ଯାଇଥିଲା । ସୂର୍ଯ୍ୟଦେବ ଆକାଶରେ ଚମକୁ ଥିଲେ । ତେଜ ସିଂ ଅହମଦର ଗଣ୍ଠିଲି ଖୋଲିଲା । ତା’ ଠାରୁ ତା’ କ୍ଷୀପ୍ରଚର ଥଳିଆ ଆଉ ଛୁରୀକା କାଢି ନେଲା ଯାହା ତା’ ଅଣ୍ଟାରେ ବନ୍ଧା ଥିଲା । ଆଉ ଏକ ବେଢ଼ି ଆଣି ତା’ ଗୋଡ଼ରେ ଲଗାଇ ଦେବା ପରେ ତାକୁ ହୋସକୁ ଆଣିଲା । ଧୀରେ ଧୀରେ ଅହମଦ ଆଖି ଖୋଲି ଚାହିଁଲା । ସେ ଏହି ଅଜବ ମନୋହର ପ୍ରାନ୍ତରକୁ ଦେଖି ଭାବିଲା ତାର ପରଲୋକ ହେଇ ଯାଇଛି ଆଉ ସେ ସ୍ଵର୍ଗରେ ଅଛି । ସେ ଆଲାହା ଆଲାହା ହେଇ କଲମା ପଢିବାକୁ ଲାଗିଲା । ତା’ କଲମା ପଢିବା ଦେଖି ତେଜ ସିଂ ଖୁବ ଜୋରରେ ହସି ଉଠିଲା । ସେ ହସି ହସି କହିବାକୁ ଲାଗିଲା-“କଣ ହେଲା କି ମିଆଁ ସାହେବ …ତମେ ଭାବୁଛ କି ତମେ ସ୍ଵର୍ଗରେ ଅଛ ବୋଲି…? ନା..ନା… ଭୁଲ କଥା… ଆମେ ତୁମକୁ ବନ୍ଦୀ କରିଛୁ… ଏ ଆଡେ ଟିକେ ଦେଖନା..?” ଅହମଦ ଚମକି ପଡି ବୁଲି ଚାହିଁଲା । ତେଜ ସିଂ କୁ ଦେଖିବା ପରେ ତା’ ହାଲୁକ ଶୁଖିଗଲା । ଆଉ ସେ ବୁଝି ଗଲା ଯେ ତା’ ବେଳା ଖରାପ ପଡିଲା । କେତକୀକୁ ନ ଚିହ୍ନିବାର ଭୁଲ କରିଥିବାରୁ ସେ ପସ୍ତେଇବାକୁ ଲାଗିଲା । ଅହମଦକୁ ସେଇ ଝରଣା କୂଳରେ ଛାଡି ଦୁଇ କ୍ଷୀପ୍ରଚର ବାହାରକୁ ଆସିଲେ । ତେଜ ସିଂ ଦେବୀ ସିଂକୁ କହିଲା-” ସିଂହର ଯେଉଁ ଜିଭକୁ ତମେ ବାହାରକୁ ଟାଣିଛ ତାକୁ ପୁଣି ଥରେ ଭିତରକୁ ଠେଲି ଦିଅ ।” ଦେବୀ ସିଂ ସେଇପରି କରିବାରୁ ସେ ଦ୍ୱାରଟା ବନ୍ଦ ହେଇଗଲା । ଆଉ ତାପରେ ପୁଣି ସେଇ ଅଙ୍କା ବଙ୍କା ଘାଟି ରାସ୍ତାରେ ଦୁହେଁ ଘରକୁ ଫେରିଲେ ।
ଦିନ ପହରେ ସରିକି ଦୁହେଁ ରାଜକୁମାର ବୀରେନ୍ଦ୍ର ସିଂ କକ୍ଷରେ ପହଞ୍ଚିଲେ । ବୀରେନ୍ଦ୍ର ସିଂ ପଚାରିଲେ-“ଅହମଦକୁ କେଉଁଠାରେ ବନ୍ଦୀ କରି ଆସିଲ… ଏତେ ଡେରି ହେଲା ଯେ ?”ତେଜ-“ଏକ ପାହାଡ଼ ଗୁମ୍ଫାରେ ବନ୍ଦୀ କରି ଆସିଲି । କାଲି ସକାଳେ ଆପଣଙ୍କୁ ମୁଁ ସେଠାକୁ ନେଇ ଯିବି । କିନ୍ତୁ ମୋ ମତରେ ଦେବୀ ସିଂ କିଛି ଦିନ ପାଇଁ ବେଶ ବଦଳେଇ ବିଜୟଗଡ଼ରେ ରହିଲେ ମୋ କାମ ଟିକେ ସହଜ ହେଇ ଯାଆନ୍ତା ।”
ତା’ ପରେ ପାହାଡ଼ ଗୁମ୍ଫା ପାଖରେ ଘଟିଥିବା ସମସ୍ତ ବୃତ୍ତାନ୍ତ ରାଜକୁମାରଙ୍କୁ ଗୋଟି ଗୋଟି କହିଲା ତେଜ ସିଂ । ସବୁ ଶୁଣି ସାରିବା ପରେ ବୀରେନ୍ଦ୍ର ସିଂ ବହୁତ ଖୁସି ହେଲେ ।
ସେଦିନର ନିତ୍ୟକର୍ମ ସାରିବା ପରେ ଏ ଦୁଇଜଣ ଦେବୀ ସିଂକୁ ଧରି ରାଜ ଦରବାରକୁ ଗଲେ । ଦେବୀ ସିଂ ନିଜର ଅସୁବିଧା ଦର୍ଶାଇ ୧ ମାସ ଛୁଟି ନେବା ପାଇଁ ମହାରାଜଙ୍କୁ ଦରଖାସ୍ତ କଲେ । କିନ୍ତୁ ମହାରାଜ ଦେବୀ ସିଂ କୁ ବହୁତ ଭଲ ପାଉଥିଲେ । ଏତେ ଦିନ ତାଙ୍କ ଅନୁପସ୍ଥିତିକୁ ସେ ପସନ୍ଦ କଲେ ନାହିଁ । କହିଲେ-“ଏତେ ଦିନ ଛୁଟି ନେବାଟା ତୁମର ଠିକ ହେବ ନାହିଁ । ତୁମର ଚିକିତ୍ସା ମୁଁ ଏଇଠାରେ କରାଇବି ।” ଶେଷକୁ ତେଜ ସିଂ ଓ ବୀରେନ୍ଦ୍ର ସିଂ ଙ୍କ ହସ୍ତକ୍ଷେପ ଫଳରେ ଦେବୀ ସିଂ ଙ୍କ ଛୁଟି ଦରଖାସ୍ତ ମଂଜୁର ହେଲା । ତା’ ପରେ ତେଜ ସିଂ ଦେବୀ ସିଂ ଙ୍କୁ କେତେକ ଜରୁରୀ କଥା ବୁଝେଇ ଶୁଝେଇ ତାଙ୍କୁ ବିଜୟଗଡ଼ ପଠେଇ ଦେଲେ ।
ତା’ ପର ଦିନ ତେଜ ସିଂ ନିଜ ବଚନ ରକ୍ଷା କରି ରାଜକୁମାରଙ୍କୁ ସେଇ ଘାଟିରେ ଥିବା ଗୁମ୍ଫା ଭିତରକୁ ନେଇଗଲେ ଯେଉଁଠାରେ ଅହମଦ ବନ୍ଦୀ ଥିଲା । ରାଜକୁମାର ସେ ଗୁମ୍ଫା ଦେଖି ଅଭିଭୂତ ହେଇ ଗଲେ । ଆଉ କହିବାକୁ ଲାଗିଲେ-” ଭାଇ… ଏ ଜାଗାକୁ ଦେଖିବା ପରେ ମୋ ମନରେ ଅନେକ ପ୍ରଶ୍ନ ଆସୁଛି ।” ଏ କଥା ଶୁଣି ତେଜ ସିଂ କହିଲା-” ଆପଣ ଏ ଜାଗା ଦେଖି ଯେତିକି ଆଶ୍ଚର୍ଯ୍ୟ ହେଉଛନ୍ତି ତା’ ଠାରୁ ଅଧିକ ଆଶ୍ଚର୍ଯ୍ୟ ମୁଁ ହେଇଥିଲି ଯେତେବେଳେ ମୋ ଗୁରୁ ମତେ ଏଠିକି ଆଣିଥିଲେ । ହେଲେ ମୋ ଗୁରୁ ଏ ଜାଗାର ରହସ୍ୟ ବିଷୟରେ କହି ମୋ ଆଶ୍ଚର୍ଯ୍ୟକୁ ଦୂର କରିଥିଲେ । ମୁଁ ସେ ରହସ୍ୟ ଆପଣଙ୍କୁ ଆଉ କେତେବେଳେ କହିବି ।”
ଜାଗାଟିର କିଛି ରହସ୍ୟ ଅଛି ବୋଲି ଶୁଣିବା ପରେ ରାଜକୁମାରଙ୍କର ଉତ୍କଣ୍ଠା ଆହୁରି ବଢିଗଲା । ସେ ରହସ୍ୟ ବିଷୟରେ ତୁରନ୍ତ ଜାଣିବାକୁ ଇଛା ବ୍ୟକ୍ତ କରି ଜିଦି କରିବାକୁ ଲାଗିଲେ । ଶେଷକୁ ଅନ୍ୟୋପାୟ ନ ଦେଖି ତେଜ ସିଂ ସେ ରହସ୍ୟ ବିଷୟରେ ରାଜକୁମାରଙ୍କୁ କହିଲେ । ଯାହାକୁ ଶୁଣି ବୀରେନ୍ଦ୍ର ସିଂ ଖୁସିରେ ଫାଟି ପଡିଲେ । ସେ ରହସ୍ୟଟା କଣ ଆଉ କାହିଁକି ରାଜକୁମାର ଏତେ ଖୁସି ହେଲେ ସେ କଥା ଆମେ ପରେ କେତେବେଳେ ଆଲୋଚନା କରିବା ।
ଏ ଦୁଇଜଣ ସେଠାରୁ ମହଲକୁ ଫେରି ଆସିଲେ । ରାଜକୁମାର କହିଲେ-“ଭାଇ… ଏବେ ମୋର ସାହସ ବହୁତ ବଢିଗଲା । ମନ ହଉଛି ଏଇ ସଙ୍ଗେ ସଙ୍ଗେ ଜୟସିଂ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଦେବି ।”
ତେଜ-” ଆପଣଙ୍କ କଥା ଠିକ ଯେ ହେଲେ ତରତର ହେଇ କୌଣସି କାମ କରିବା ଠିକ ନୁହେଁ । ଏଥିରେ ଚନ୍ଦ୍ରକାନ୍ତାଙ୍କ ଜୀବନ ପ୍ରତି ବିପଦ ବଢ଼ିଯିବ । ଆପଣ ଏତେ ବିବ୍ରତ କାହିଁକି ହେଉଛନ୍ତି ? ଦେଖିଚାଲନ୍ତୁ କଣ କଣ ହେଉଛି । ଆସନ୍ତାକାଲି ମୁଁ ପୁନର୍ବାର ବିଜୟଗଡ଼ ଯିବି ଆଉ ଦେଖି ଆସିବି ଅହମଦ ବନ୍ଦୀ ହେବା ପରେ ସେଠାକାର ଅବସ୍ଥା କଣ ? ତା’ ପର ଥରକୁ ଆପଣ ବି ମୋ ସହ ଯିବେ ।
କୁମାର-“ନା..ନା…ତୁମ ସହ ମୁଁ କାଲି ହିଁ ଯିବି । ଏମିତି ଡରି ଡରି ମୁଁ ଆଉ ବଞ୍ଚି ପାରିବିନି । ଡରିବା ମୋ ପରି ପୁରୁଷ ପକ୍ଷେ ଶୋଭା ପାଉନି ।
ତେଜ-“ଠିକ ଅଛି.. ଆପଣ ବି ଯିବେ.. କିଛି ଅସୁବିଧା ନାହିଁ । କିନ୍ତୁ ଆପଣଙ୍କୁ ଏକ କାମ କରିବାକୁ ପଡିବ । ଶିକାର ବାହାନା କରି ମହାରାଜଙ୍କଠାରୁ ୪ / ୫ ଦିନ ଛୁଟି ନେଇ ନିଅନ୍ତୁ । ଆଉ ଆମ ରାଜ୍ୟ ସୀମାରେ ଡେରା ପକେଇ ଦିଅନ୍ତୁ । ସେଠାରୁ ବିଜୟଗଡ଼ ମହଲ ମାତ୍ର ଅଢେଇକୋଶ ରହିଯିବ । ଫଳରେ ଆମକୁ ସୁବିଧା ହେବ ।” ତେଜ ସିଂ କଥା ବୀରେନ୍ଦ୍ର ସିଂଙ୍କୁ ପସନ୍ଦ ଆସିଲା । ତେଣୁ ସେଇ ଯୋଜନା ଅନୁସାରେ ସବୁ କାମ କରିବା ପାଇଁ ନିଷ୍ପତ୍ତି ହେଲା ।
ପରଦିନ କୁମାର ମହାରାଜଙ୍କଠୁ ଶିକାର ପାଇଁ ୮ ଦିନ ଛୁଟି ନେଇ ନିଜର କିଛି ଖାସ ଲୋକଙ୍କୁ ସାଥିରେ ଧରି ରାଜ୍ୟ ସୀମାନ୍ତରେ ଡେରା ପକେଇଲେ । ରାତିରେ ସେଇଠି ବିଶ୍ରାମ ନେଲେ । ଆଉ ତା’ ପରଦିନ ସକାଳେ କଥା ହେଲା କି ପ୍ରଥମେ ତେଜ ସିଂ ବିଜୟଗଡ଼ ଯାଇ ସ୍ଥିତି ପରଖିବା ପରେ ଯାହା କିଛି ଠିକ ଲାଗିବ ତାହା କରାଯିବ ।
କ୍ରମଶଃ