ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରାଐତିହାସିକ କାହାଣୀ
ଅହମଦ ନିଖୋଜ ହେବା ପରେ ନାଜିମ ବହୁତ ଉଦାସ ହେଇଯାଇଥିଲା । କ୍ରୁର ସିଂର ବି ଭାଳେଣି ପଡିଗଲା କି କାଳେ ତେଜ ସିଂ ତାକୁ ବି ଧରି ନେବ । ଏଇ ଡର ପାଇଁ ସେ ସବୁବେଳେ ସତର୍କ ରହୁଥିଲା । ହେଲେ ବି ସେ ତାର ସଇତାନି ବୁଦ୍ଧି କିନ୍ତୁ ଛାଡି ପାରୁ ନଥିଲା । ପ୍ରତିଦିନ ଦରବାର ଯାଇ ଜୟସିଂଙ୍କ ଆଗରେ ବୀରେନ୍ଦ୍ର ସିଂ ବିରୁଦ୍ଧରେ ବିଷ ଓଗାଳିବାକୁ ଭୁଲୁ ନଥିଲା ।
କ୍ରୁର ସିଂ ର ପ୍ରଥମ ଲକ୍ଷ୍ୟ ଥିଲା ଚନ୍ଦ୍ରକାନ୍ତା ଆଉ ତା’ ପରେ ରାଜଗାଦି । ଏ ଦୁଇଟି ଜିନିଷ ହାସିଲ କରିବା ପାଇଁ ସେ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥିଲା । ତାର ଏଇ ଭାବନା ନିଆଁରେ ଘିଅ ଢାଳୁଥିଲେ ସେ ଦୁଷ୍ଟ ନାଜିମ ଓ ଅହମଦ । ଅହମଦକୁ ତ ତେଜ ସିଂ ବନ୍ଦୀ ବନେଇ ସାରିଥିଲା ତେଣୁ ଏବେ ନାଜିମ ତାର ହର୍ତ୍ତା କର୍ତ୍ତା ଦଇବ ବିଧାତା ସାଜିଥିଲା । ଦିନେ ସେ ଦୁଷ୍ଟ ନାଜିମ କ୍ରୁର ସିଂକୁ ପରାମର୍ଶ ଦେଇ କହିଲା କି ତା’ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ତାକୁ ତା’ ରାସ୍ତାରୁ ସବୁ କଣ୍ଟା ହଟେଇବାକୁ ପଡିବ । ସେଇ କଣ୍ଟା ମାନଙ୍କ ଭିତରେ ପ୍ରଥମ କଣ୍ଟା ତା’ ବାପା କୁପଥ ସିଂ । ପ୍ରଥମେ ସେ ତାକୁ ହଟେଇ ଦଉ ମାନେ ତାକୁ ଜୀବନରୁ ମାରି ଦେଉ । ସେ ମରିବା ପରେ ମହାରାଜ କ୍ରୁର ସିଂକୁ ମନ୍ତ୍ରୀ ପଦ ଦେଇଦେବେ । ମନ୍ତ୍ରୀପଦ ପାଇବା ପରେ ତା’ ହାତକୁ ଅଶେଷ କ୍ଷମତା ଆସିଯିବ । ଆଉ ସେ ସେଇ କ୍ଷମତା ବଳରେ ତା’ ଇଛା ଅନୁସାରେ ସବୁ କିଛି କରି ପାରିବ ।
କ୍ରୁର ସିଂ କୁ ନାଜିମର ଏଇ କୁପରାମର୍ଶ ଖୁବ ପସନ୍ଦ ଆସିଲା । ଆଉ ସତକୁ ସତ ସେ ଦିନେ ତା’ ବାପା କୁପଥ ସିଂ କୁ ବିଷ ଦେଇ ମାରିଦେଲା । କୁପଥ ସିଂ ମରିଯିବା ପରେ ମହାରାଜ ଜୟସିଂ ବହୁତ ଭାଙ୍ଗି ପଡିଲେ ଆଉ କିଛି ଦିନ ଦରବାର ବି ବନ୍ଦ କରିଦେଲେ । ସାରା ବିଜୟଗଡ଼ରେ ଶୋକର ଛାୟା ଖେଳିଗଲା । ବାପ ମରିଯିବା ପରେ କ୍ରୁର ସିଂ ଲୋକ ଦେଖାଣିଆ ଶୋକ ପାଳନ କରିବାକୁ ଲାଗିଲା । ଲୋକଦେଖାଣିଆ ୧୨ ପତ୍ର ଯାଏ କ୍ରିୟା କର୍ମ କରିବାକୁ ଲାଗିଲା । ଦିନରେ ଲୋକଙ୍କ ଆଗରେ ବାପା ବାପା କହି ଲୁହ ଗଡଉଥିବା ବେଳେ ରାତିରେ ନାଜିମ ସହ ଗୁପ୍ତ ମନ୍ତ୍ରଣା କରୁଥିଲା କେମିତି ସେ ଚନ୍ଦ୍ରକାନ୍ତାକୁ ହାସିଲ କରିବ ଆଉ କେମିତି ତେଜ ସିଂ ତଥା ବୀରେନ୍ଦ୍ର ସିଂ କୁ ଗିରଫ କରିବ ।
ଠିକ ସେହି ସମୟରେ ବୀରେନ୍ଦ୍ର ସିଂ ରାଜ୍ୟ ସୀମାନ୍ତରେ ଶିକାର ପାଇଁ ଡେରା ପକେଇଥିଲେ ଯାହାର ଖବର ନାଜିମ କ୍ରୁର ସିଂକୁ ଦେଇ କହିଲା-” ବୀରେନ୍ଦ୍ର ସିଂ ନିଶ୍ଚୟ ଚନ୍ଦ୍ରକାନ୍ତାକୁ ଦେଖା କରିବା ପାଇଁ ଆସିଛି ହେଲେ ଅବଶୋଷର କଥା ଏହିକି ଯେ ଏତିକିବେଳେ ଅହମଦ ଏଠି ନାହିଁ, ନହେଲେ ସେ ବଡ଼ କାମରେ ଆସିଥାନ୍ତା । ଛାଡ଼ .. ଯାହା ହେବ ଦେଖା ଯିବ । ମୁଁ ତାଙ୍କ ଉପରେ ନଜର ରଖୁଛି
.. ସୁବିଧା ସୁଯୋଗ ଦେଖି ନିଶ୍ଚୟ କିଛି କରିବି ।” ବିରେନ୍ଦ୍ରସିଂ ସମ୍ବନ୍ଧରେ ଏ ସୂଚନା ଶୁଣିଲା ପରେ କ୍ରୁର ସିଂ ର ଚିନ୍ତା ଆହୁରି ବଢିଗଲା । ହେଲେ ନାଜିମ ତାକୁ ଆଶ୍ୱସନା ଦେଇ ତଥ୍ୟ ସଂଗ୍ରହ କରିବା ପାଇଁ ସେଠାରୁ ବିଦାୟ ନେଇ ଚାଲିଗଲା ।
ଏଣେ ଡେ଼ରାରେ ରାତି କଟେଇବା ପରେ ସକାଳୁ ସକାଳୁ ତେଜ ସିଂ ବାହାରିପଡିଲା ବିଜୟଗଡ଼ ମହଲ ଆଡେ । ସେଠି ପହଞ୍ଚି ସବୁ ତଥ୍ୟ ସଂଗ୍ରହ କରି ପୁଣି ଫେରିଗଲା ବୀରେନ୍ଦ୍ର ସିଂ ଙ୍କ ପାଖକୁ । କୁପଥ ସିଂଙ୍କ ମୃତ୍ୟୁ, ମହାରାଜା ଜୟସିଂ ତଥା ସାରା ରାଜ୍ୟର ଶୋକ… ସବୁ କିଛି ବୀରେନ୍ଦ୍ର ସିଂଙ୍କୁ ଜଣେଇଲା । ଆଉ ଏକଥା ବି ଜଣେଇଲା କି ଅଣଶୁଧିଆ ସରିବା ପରେ ରାଜା ଜୟସିଂ କ୍ରୁର ସିଂ କୁ ମନ୍ତ୍ରୀ ଘୋଷଣା କରିବେ । ସବୁ କଥା ଶୁଣି ସାରି କୁମାର କହିଲେ…
-“ଦେଖୁଛ ତେଜ ସିଂ …ଲାଗୁଛି ସେ କ୍ରୁର ସିଂ ର ବୁଦ୍ଧି ଭ୍ରଷ୍ଟ ହେଇଯାଇଛି । ଚନ୍ଦ୍ରକାନ୍ତାଙ୍କୁ ପାଇବା ନିଶାରେ ଯିଏ ନିଜ ବାପାକୁ ହତ୍ୟା କରି ପାରିଲା ସିଏ ଦିନେ ଯେ ମହାରାଜା ଜୟସିଂ ଙ୍କୁ ବି ହତ୍ୟା ନ କରିବ ଏହାର କିଛି ମାନେ ନାହିଁ ।”
ତେଜ-“ସତ କଥା.. ସେ ଦୁଷ୍ଟ କେତେବେଳେ ବି ରାଜାଙ୍କ ଉପରେ ଆକ୍ରମଣ କରିପାରେ । ଏଣୁ ମୁଁ ଦୁଇଦିନ ଚନ୍ଦ୍ରକାନ୍ତାଙ୍କ ମହଲ ଆଡେ ନଯାଇ ଦରବାରର ସ୍ଥିତି ସମ୍ପର୍କରେ ତଥ୍ୟ ନେବି … ଯଦି ମତେ କୌଣସି ମୌକା ମିଳିଯାଏ ..ତେବେ ମୁଁ ମୋର ଦେଖିଲା କାମ କରିବି ।”
କୁମାର-“ନା..ନା…ତମେ ଯାହା କରିବା କଥା କରୁଥାଅ, ମତେ କିନ୍ତୁ ଆଜି ଚନ୍ଦ୍ରକାନ୍ତାଙ୍କୁ ଭେଟିବାର ଅଛି ।”
ତେଜ-“ନାଇଁ କୁମାର… ସେ ଭୁଲ କରନ୍ତୁନି… ତରବର ହେଲେ କାମ ବିଗିଡି ଯିବାର ଭୟ ଅଛି ।”
କୁମାର-“ନା…ମୁଁ କିଛି ଶୁଣିବିନି… ଯାହା ବି ହେଇଯାଉ… ମୁଁ କିନ୍ତୁ ଚନ୍ଦ୍ରକାନ୍ତାଙ୍କୁ ଯେମିତି ହେଉ ଦେଖା କରିବି..”
ତେଜ ସିଂ ବହୁତ ବୁଝେଇବା ପରେ ବି କୁମାର କିନ୍ତୁ ମାନି ନଥିଲେ । ଚନ୍ଦ୍ରକାନ୍ତାଙ୍କ ବିଚ୍ଛେଦ ତାଙ୍କୁ ଏମିତି ଅନ୍ଧ କରି ଦେଇଥିଲା କି ନିଜ ଭଲ ମନ୍ଦ ବୁଝିବା ଶକ୍ତି ସେ ହରେଇ ସାରିଥିଲେ । କୌଣସି କଥା ନଶୁଣି ସେ ଚନ୍ଦ୍ରକାନ୍ତାଙ୍କୁ ଦେଖା କରିବା ପାଇଁ ବାହାରି ପଡିଲେ । ଶେଷକୁ ତେଜ ସିଂ ଆଉ କିଛି ଉପାୟ ନପାଇ କହିଲେ-” ଛାଡ଼… ଆପଣ ଯଦି ଯିବାକୁ ଚାହୁଁଛନ୍ତି ତେବେ ଚାଲନ୍ତୁ …ଆପଣଙ୍କ ଇଛା ଆଗରେ ଆମେ କଣ କରି ପାରିବୁ …ଯାହା ହେବ ଦେଖା ଯିବ ।”
ସନ୍ଧ୍ୟା ସମୟରେ ଦୁହେଁ ଭ୍ରମଣ କରିବା ଉଦ୍ଦେଶ୍ୟରେ ଡେରା ବାହାରକୁ ବାହାରିଗଲେ । ଗଲା ବେଳେ ନିଜ ସାଥି ମାନଙ୍କୁ କହି ଗଲେ କି ଯଦି ସେମାନଙ୍କର ଆସିବା ଡେରି ହୁଏ ତେବେ ଚିନ୍ତା ନ କରିବା ପାଇଁ । ତା’ପରେ ଦୁହେଁ ବିଜୟଗଡ଼ ଆଡେ ପ୍ରସ୍ଥାନ କଲେ । ରାତ୍ରିର କିଛି ଘଡି ଗତ ହେଇ ସାରିଥିଲା । ଏ ଦୁହେଁ ଚନ୍ଦ୍ରକାନ୍ତାଙ୍କର ଉଦ୍ୟାନ ପାଖରେ ପହଞ୍ଚି ଗଲେ , ଅନ୍ଧାର ପକ୍ଷ ହେଇଥିବାରୁ ଦୁହିଁଙ୍କୁ ଉଦ୍ୟାନ ଭିତରେ ପ୍ରବେଶ କରିବା ପାଇଁ କିଛି ଅସୁବିଧା ହେଲା ନାହିଁ । ରଜ୍ଜୁ ସାହାଯ୍ୟରେ ସେମାନେ ଉଦ୍ୟାନର ପ୍ରାଚୀର ଲଙ୍ଘି ପଶ୍ଚିମ ପଟେ ଥିବା ଆମ୍ବ ବଗିଚାରେ ପ୍ରବେଶ କଲେ । ଦୁହେଁ ସେଠାରେ କିଛି ସମୟ ଠିଆ ହେଇ ଏଣେ ତେଣେ ନଜର ବୁଲାଇବାକୁ ଲାଗିଲେ ।
ସେହି ଉଦ୍ୟାନର ମଧ୍ୟଭାଗରେ ଯେଉଁ ପାଣିର ଫୁଆରା ଥିଲା ତା’ ପାଖରେ ରହିଥିଲା ଏକ ଶଙ୍ଖ ମଲମଲ ଚଉପାଢ଼ି । ସେଇ ଚଉପାଢ଼ି ଉପରେ ଏକ ମହମର ଦୀପଦାନୀ ରଖା ହେଇଥିଲା ଯାହା ସେ ଚଉପାଢ଼ିର ଚତୁଃର୍ପାଶ୍ବକୁ ଆଲୋକିତ କରୁଥିଲା । ସେଇ ଚଉପାଢ଼ି ଉପରେ ଚନ୍ଦ୍ରକାନ୍ତା ନିଜ ସଖି ଚପଳା ଓ ଚମ୍ପା ସହ ବସି ଗପ ଜମେଇଥିଲେ । ଚପଳା ଗପ କରିବା ସହ ଏଣେ ତେଣେ ନଜର ବୁଲେଇ ପାରିପାର୍ଶ୍ଵିକ ସ୍ଥିତିର ପରଖ ନେଉଥାଏ ।
କ୍ରମଶଃ