Chandrakanta: Episode 11

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ବୀରେନ୍ଦ୍ର ସିଂଙ୍କର ଦୃଷ୍ଟି ଚନ୍ଦ୍ରକାନ୍ତାଙ୍କ ଉପରେ ପଡିବା ମାତ୍ରକେ ତାଙ୍କର ଅବସ୍ଥା ସଙ୍ଗୀନ ହେଇପଡିଲା । ଦେହ ତାଙ୍କର ଥରିବାକୁ ଲାଗିଲା । ସେ ବାତ ରୋଗୀ ପରି ଅଚେତ ହେଇ ସେଇଠାରେ ପଡିଗଲେ । କିନ୍ତୁ ଏସବୁ କଥାରେ ତେଜ ସିଂ ଆଦୌ ବିଚଳିତ ନହେଇ ନିଜ ଥଳିରୁ ଲଖଲଖା ବାହାର କରି କୁମାରଙ୍କୁ ଶୁଙ୍ଘେଇ ହୋସକୁ ଆଣି କହିଲେ-“ଦେଖନ୍ତୁ କୁମାର ଆମେ ଶତ୍ରୁ ମାନଙ୍କ ଘେରରେ ରହିଛୁ । ଏଠି ଏମିତି ବେହାଲ ହେବା ଆଦୌ ଠିକ ନୁହେଁ । ଆପଣ ନିଜକୁ ସମ୍ଭାଳନ୍ତୁ ଆଉ ଏଇ ବଗିଚା ଭିତରେ ରହିଥାନ୍ତୁ । ମୁଁ ଯାଇ ତାଙ୍କ ସହ କଥା ହେଇ ଆସିଲା ପରେ ଆପଣ ଯିବେ ।”

ଏତକ କହି କୁମାରଙ୍କୁ ସେଇ ବଗିଚା ଭିତରେ ଛାଡି ତେଜ ସିଂ ଚଉପାଢ଼ି ନିକଟକୁ ଆସିଲା ଯେଉଁଠାରେ ତିନି ସଖି କଥା ହେଉଥିଲେ । ତେଜ ସିଂକୁ ଦେଖୁ ଦେଖୁ ଚନ୍ଦ୍ରକାନ୍ତା କହିବାକୁ ଲାଗିଲେ-“କଣ ଆଜ୍ଞା … ଏତେ ଦିନେ ଆମ କଥା ମନେ ପଡିଲା ? ଏଇ ତମର ମଣିଷ ପଣିଆ ? କହିକି ଯାଇଥିଲ ତାଙ୍କୁ ନେଇକି ଆସିବ, ହେଲେ ଏକା ଏକା ଚାଲି ଆସିଲ ଯେ ? ଆସିଲ ଯଦି ହାତରେ ଚୁଡ଼ି ପଟେ ପଟେ ପିନ୍ଧିକି ଆସିଲନି … ତମ ଜବାବରେ ଯଦି ଠିକ ନାହିଁ ତେବେ ବଡ଼ ବଡ଼ କଥା କାହିଁକି କହୁଛ ? ତାଙ୍କ ବିଚ୍ଛେଦ ମୁଁ ଆଉ ସହି ପାରିବିନି … ମୁଁ ପାଗଳୀ ହେଇଯିବି ….” ଏମିତି ତେଜ ସିଂ ଙ୍କୁ ବହୁତ ଧିକ୍କାର ଭରା କଥା କହି ସେ କାନ୍ଦିବାକୁ ଲାଗିଲେ । ତେଜ ସିଂ ତାଙ୍କର ଏ ଅବସ୍ଥା ଦେଖି ବହୁତ ବ୍ୟସ୍ତ ହେଇ କହିଲେ-” ବାସ… ଏଇଟାକୁ ହିଁ ପିଲାଳିଆମୀ କୁହନ୍ତି । ଭଲ ଭାବେ କଥାଟା ନଶୁଣି ଖାଲି କାନ୍ଦ….ଯଦି ଏମିତି କଥା ତାହେଲେ ମୁଁ ଯାଉଛି ତାଙ୍କୁ ନେଇ ଆସିବି..
ଏହା କହି ତେଜ ସିଂ ଫେରି ଯାଇ ବୀରେନ୍ଦ୍ର ସିଂଙ୍କୁ ନେଇ ଆସିଲେ । ଏଥର ଚନ୍ଦ୍ରକାନ୍ତାଙ୍କ ଖୁସି ଦେଖେ କିଏ ? ଦୁହେଁ ଖୋଲିଦେଲେ ଗପର ପସରା । କେତେ ଆରୋପ, ପ୍ରତ୍ୟାରୋପ, ପ୍ରେମ ପ୍ରଣୟ, ମାନ ଅଭିମାନ… ଏମିତି କେତେ କଣ ଚାଲିଲା । ଦୁହେଁ ଦୁହିଁଙ୍କୁ ପାଖରେ ପାଇ ଭୁଲିଗଲେ ସବୁ କିଛି । ଏଣେ ଭଗବାନଙ୍କ ବରାଦ ଦେଖ, ନାଜିମ ଏଣେତେଣେ ବୁଲିବୁଲି ତଥ୍ୟ ସଂଗ୍ରହ କରୁଥିଲା । ହଠାତ ସେ ସେଇ ଉଦ୍ୟାନ ଭିତରକୁ ଚାଲି ଆସିଲା । ପଛ ଥର ଏତେ ମାଡ଼ ଖାଇବି ତାର ସେ ପ୍ରକୃତି ବଦଳି ନଥିଲା । ସେ କଣ କରିବ କୁକୁର ଲାଙ୍ଗୁଡ଼ ନା… ଚନ୍ଦ୍ରକାନ୍ତା ଉପରେ ନଜର ରଖିବା ତାର କାମ । ତେଣୁ ସେ ଉଦ୍ୟାନ କୁ ଆସିବ ହିଁ ଆସିବ । ଦୂରରୁ ସେ ବୀରେନ୍ଦ୍ର ସିଂ ଓ ତେଜ ସିଂ ଙ୍କୁ ଦେଖି ତାଜୁବ ହେଇଗଲା। ତା’ପରେ ପୁଣି କୁମାରଙ୍କ ସହ ଚନ୍ଦ୍ରକାନ୍ତାଙ୍କ ହସ ଖୁସି ଦେଖି ତା’ କଲିଜାରେ ଯେମିତି ନିଆଁ ଲାଗିଗଲା । ସେ ସଂଗେ ସଂଗେ ଦୌଡିଗଲା କ୍ରୁର ସିଂ ପାଖକୁ । ଧଇଁସଇଁ ହେଇ ପହଞ୍ଚିଲା ତା’ ପାଖରେ । ତାକୁ ଏପରି ଅବସ୍ଥାରେ ଦେଖି କ୍ରୁର ସିଂ ପଚାରିଲା -” କଣ ହେଲା ତୁମେ ଏତେ ବ୍ୟସ୍ତ ବିବ୍ରତ କଣ ପାଇଁ …?”
-“ହେବିନି… ମୁଁ ଯାହା ଭାବୁଥିଲି, ସେଇ କଥା ହିଁ ଘଟିଲା..ଏ ସମୟରେ ଯଦି କିଛି କରା ନଯାଏ .. ତେବେ ତମର କପାଳ ମନ୍ଦ ବୋଲି ଭାବିନେବାକୁ ହେବ….।”
-“ତୁମ କଥା କିଛି ବୁଝି ହେଉନି … ଯାହା କହିବାର ଅଛି ଖୋଲା ଖୋଲି କୁହ …”
-“ଖୋଲାଖୋଲି କଣ କହିବି…ଶୁଣନ୍ତୁ… ସେ ପ୍ରେମିକ ପ୍ରବର ବୀରେନ୍ଦ୍ର ସିଂ ଏବେ ଆସି ଚନ୍ଦ୍ରକାନ୍ତା ପାଖରେ ପହଞ୍ଚି ଗଲାଣି .. କି ଲୀଳା ଚାଲିଛି ବଗିଚା ଭିତରେ … ଆଖି ପରା ଖୋସି ହେଇ ଯିବ… ।”

ନାଜିମ ଠାରୁ ଏକଥା ଶୁଣି କ୍ରୁର ସିଂ ଆଖିରେ ଅନ୍ଧାର ମାଡି ଆସିଲା । ତା’ କଲିଜାରୁ କିଏ ପୁଳେ ଟାଣି ନେଇ ଗଲା କି ଆଉ ? ସହଜେ ତ ସେ ବାପାର ଶୋକ ପାଳୁଛି । ଦଶକର୍ମରେ ମୁଣ୍ଡ ନଣ୍ଡା କରି ଘର ଭିତରେ ବସି ରହିଛି । ତେରରାତ୍ର ନଯିବା ଯାଏ ସେ କୁଆଡେ ଯାଇ ବି ପାରିବନି । ଆଉ କୋଉ ଦିନ ହେଇଥିଲେ ସେ ଯାଇ ବୀରେନ୍ଦ୍ର ସିଂର ମୁଣ୍ଡ ଟାକୁ ତା’ ବେକରୁ ଅଲଗା କରି ଦେଇଥାନ୍ତା । ନା..ନା.. ବସି ରହିଲେ ଚଳିବନି । ନହେଲେ ନେଡି ଗୁଡ଼ କହୁଣୀକୁ ବୋହିଯିବ । ସେ ଉଠି ଠିଆ ହେଲା ଆଉ ଅଧା ଫୁଙ୍ଗୁଳା ଦେହରେ ଦୌଡ଼ିଗଲା ମହାରାଜ ଜୟସିଂଙ୍କ ପାଖକୁ ।
ଜୟସିଂ ତାକୁ ଏପରି ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ଚକିତ ହେଇ କହିଲେ-“କ୍ରୁର ସିଂ…ତମେ ଏଠି…ପୁଣି ଏପରି ଅବସ୍ଥାରେ ? ଶୁଦ୍ଧି କର୍ମ ଆଉ ବାପାଙ୍କର ଶୋକକୁ ଭୁଲି ଏଠିକି କଣ ପାଇଁ ଆସିଲ…?”

କ୍ରୁର-“ମହାରାଜ… ସତ କଥା ହେଲା ଆପଣ ହିଁ ଆମର ବାପା … ସେ ସିନା ମତେ ଜନ୍ମ ଦେଇଛନ୍ତି ହେଲେ ମୋର ପ୍ରତିପୋଷଣ ଆପଣଙ୍କ ପାଇଁ ହେଇଛି ନା..? ଏବେ ଆପଣଙ୍କ ଇଜ୍ଜତର କଥା … କିଏ ଆପଣଙ୍କ ଇଜ୍ଜତକୁ ମାଟିରେ ମିଶେଇବାକୁ ଚେଷ୍ଟା କରିବ ଆଉ ସବୁ ଦେଖି ମୁଁ କଣ ଚୁପ ରହିବି ?”
ଜୟସିଂ ରାଗରେ ଗର୍ଜି ଉଠିଲେ-“କ୍ରୁର ସିଂ… କିଏ ସେହି ପାଷାଣ୍ଡ … ଯିଏ କି ମୋ ଇଜ୍ଜତକୁ ଭୁଲୁଣ୍ଠିତ କରିବାକୁ ଅପଚେଷ୍ଟା କରୁଛି …?”
କ୍ରୁର-“ଏକ ତୁଛ ମାନବ…”
ଜୟସିଂ ଦାନ୍ତ କାମୁଡି କହିବାକୁ ଲାଗିଲେ-“ଶୀଘ୍ର କୁହ… କିଏ ସେ…? ଯାହାକୁ ମୃତ୍ୟୁର ଭୟ ନାହିଁ…?”
କ୍ରୁର-“ବୀରେନ୍ଦ୍ର ସିଂ…”
ଜୟସିଂ-“କଣ ହେଲା… ବୀରେନ୍ଦ୍ର ସିଂ….? ତାର ପିତ୍ତ କେତେ, ସେ ଆସି ମୋ ଆଗରେ ଠିଆ ହେବ ? ତମ କଥା କିଛି ବୁଝି ହେଉନି… ଯାହା କହୁଛ ସଫା ସଫା କୁହ …ସେ ବୀରେନ୍ଦ୍ର ସିଂ ଏବେ କେଉଁଠି…?”
କ୍ରୁର-“ଆଜ୍ଞା… ରାଜ ଉଦ୍ୟାନ ଭିତରେ…ଚନ୍ଦ୍ରକାନ୍ତାଙ୍କ ସହ….”

କ୍ରମଶଃ

Please follow and like us:
0
20
Pin Share20