ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ନୌଗଡ଼ ଆଉ ବିଜୟଗଡ଼ … ନାଁରୁ ଆପଣମାନେ ଜାଣିପାରୁଥିବେ ଏ ଦୁଇଟି ଗଡ଼ଜାତ ଅଂଚଳ । ବଣ ଆଉ ପାହାଡ଼ ଘେରା ଦୁଇଟି ରାଜ୍ୟ । ଏଇ ଦୁଇ ରାଜ୍ୟ ଦେଇ ପ୍ରବାହିତ ହେଇଛନ୍ତି ଦୁଇଟି ନଦୀ । ଗୋଟିଏ ଚନ୍ଦ୍ରପ୍ରଭା ଆଉ ଅନ୍ୟଟି କରମନାସା । ଏ ନଦୀ ଦୁଇଟି ଗିରି କନ୍ଦର ଜଙ୍ଗଲ ମଧ୍ୟ ଦେଇ ବେଶ ଦୂର ଯାଏ ବହି ଆସି ନୌଗଡ଼ ମହଲର ତଳ ଭାଗରେ ମିଶିଯାଇଛନ୍ତି । ନଦୀର ଦୁଇ ପାର୍ଶ୍ୱ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଆଉ ଖୁବ ରମଣୀୟ ମଧ୍ୟ । ଯେପରି କି ଆଗରୁ ଆପଣ ମାନେ ଜାଣିଛନ୍ତି କି ସେ ଦୁଇ ନଦୀର ସଙ୍ଗମ ସ୍ଥଳରେ ବହୁତ ବଡ଼ ଶାଳ ଜଙ୍ଗଲ ରହିଛି । ଜଙ୍ଗଲଟି ଯଦିଓ ଶାଳ ବୃକ୍ଷରେ ଭରପୁର ତଥାପି ସେଠାରେ ଅନ୍ୟ କିସମ ବୃକ୍ଷର ଅଭାବ ନଥିଲା । ଯେମିତିକି ପିଆଶାଳ, ଅସନ, କୁରୁମ, କେନ୍ଦୁ, ଶାଗୁଆନ,ସିମିଳି, ଶିଶୁ, ଚନ୍ଦନ ଆଦି ବହୁତ ପ୍ରକାର ଗଛ । ଏସବୁକୁ ଛାଡି ସେଠାରେ ପାରିଜାତ ଗଛ ବି ଦେଖା ଯାଏ । ମାଇଲ ମାଇଲ ବ୍ୟାପି ଖାଲି ଜଙ୍ଗଲ ଆଉ ଜଙ୍ଗଲ ଆଉ ଖୁବ ଘଞ୍ଚ ବି । ଯଦି କେହି ଅଜଣା ଲୋକଟିଏ ସେ ଜଙ୍ଗଲ ଭିତରକୁ ଯାଏ ତାର ବାଟ ବଣା ହେବା ସୁନିଶ୍ଚିତ । ବର୍ଷା ଦିନରେ ସେ ଜଙ୍ଗଲ ଆହୁରି ଭୟଙ୍କର ହେଇଯାଏ । ଜାଗା ଜାଗାରେ ଅସ୍ଥାୟୀ ନାଳୀ ମାନ ସୃଷ୍ଟି ହେଇ ସେଥିରେ ପାଣି ଭରି ରହିଥାଏ, ଯାହାକୁ ପାରି ହେଇ ଯିବାଟା ବଡ଼ କଷ୍ଟକର ବ୍ୟାପାର । ସେ ଜଙ୍ଗଲରେ ବିଭିନ୍ନ ରକମର ପଶୁ ବି ଦେଖା ଯାନ୍ତି । ଯେପରିକି ସମ୍ବର, ବାର୍ହା , ଚିତା, ଭାଲୁ, ହେଟା, ହନୁ, ପାତି ଏଇପରି ଆହୁରି ଅନେକ । କେବେ କେବେ ଗୋଟେ ଅଧେ ସିଂହ ବି ଦେଖାଯାଇଥାନ୍ତି । କିନ୍ତୁ ବର୍ଷା ଦିନ ଆସିଲେ ଏଇ ପଶୁ ମାନେ ତଳ ଜଙ୍ଗଲରେ ନରହି ପାହାଡ଼ ଉପର ଜଙ୍ଗଲକୁ ପଳେଇ ଯାନ୍ତି । କାହିଁକି ନା ବର୍ଷା ପାଣିରେ ସାରା ଜଙ୍ଗଲଟା ସନ୍ତସନ୍ତିଆ ହେଇ ପଡିଥାଏ । ତେଣୁ ସେମାନଙ୍କୁ ଚଳପ୍ରଚଳ ଲାଗି ଅସୁବିଧା ହେଇଥାଏ । କିନ୍ତୁ ବର୍ଷା ହେଉ ଖରା ହେଉ ହରିଣ ମାନେ କେବେ ବି ପାହାଡ଼ ଉପରକୁ ଯାଆନ୍ତି ନାହିଁ । ସେମାନେ ସବୁବେଳେ ତଳ ଜଙ୍ଗଲରେ ଦଳ ଦଳ ହେଇ ବୁଲୁଥାନ୍ତି । ପକ୍ଷୀ ମାନଙ୍କ ଭିତରେ ମୟୁର ସବୁଠୁ ଅଧିକ ଦେଖା ଯାଇଥାନ୍ତି । ଶେଷରେ ଏତିକି କହିବାକୁ ହେବ ଯେ ନୌଗଡ଼ ଆଉ ବିଜୟଗଡ଼ର ସେଇ ପାହାଡ଼ ଓ ଜଙ୍ଗଲ ଖୁବ ସୁନ୍ଦର ଆଉ ରମଣୀୟ ।
ସେଇ ସୁନ୍ଦର ଜଙ୍ଗଲରେ ଡେରା ପକେଇଥିଲେ ଚୂନାରଗଡ଼ରୁ ଆସିଥିବା ୪ କ୍ଷୀପ୍ରଚର ଆଉ ପଣ୍ଡିତ ଜଗନ୍ନାଥ ଜ୍ୟୋତିଷ । ସାଥିରେ ଥିଲେ କ୍ରୁର ସିଂ ଓ ନାଜିମ । ସେମାନେ ନିଜ ନିଜ ଭିତରେ ଆଲୋଚନା କରି ଯୋଜନା ପ୍ରସ୍ତୁତ କରିବାକୁ ଲାଗିପଡିଲେ । ଶେଷକୁ ଏଇ ନିଷ୍ପତ୍ତି ହେଲା କି ସମସ୍ତେ ଅଲଗା ଅଲଗା କ୍ଷୀପ୍ରଚାରିତା କରିବେ । ଦିନମାନର କାମ ସରିଲା ପରେ ସମସ୍ତେ ରାତିରେ ଏହି ସ୍ଥାନରେ ଉପସ୍ଥିତ ହେବେ । ସେମିତି କିଛି ଜରୁରୀ ସୂଚନା କିମ୍ବା ବିପଦ ପଡିଲେ ସିଟି ମାରି ଅନ୍ୟ ମାନଙ୍କୁ ସୂଚିତ କରେଇବେ । ବଦ୍ରୀନାଥ ଯିଏ କି ଏମାନଙ୍କ ଭିତରେ ସବୁଠାରୁ ଚାଲାକ ଆଉ ଧୂର୍ତ୍ତ ଥିଲା ସେ ପରାମର୍ଶ ଦେଲା କି ସମସ୍ତେ ବେଶ ବଦଳେଇ ନଗର ଭିତରକୁ ଯିବେ ଆଉ ମହଲ ଭିତରକୁ ଯାଇ ମହଲରେ ରହୁଥିବା ସବୁ ଲୋକ ଏପରିକି ରାଣୀଙ୍କର ବି ଚାଲିଚଳନ ଆଉ ରଙ୍ଗଢ଼ଙ୍ଗ ଅନୁଧ୍ୟାନ କରିବେ । ଫଳସ୍ୱରୂପ ସେମାନଙ୍କର ବେଶ ଧରିଲା ବେଳେ ଆଉ କିଛି ଅସୁବିଧା ହେବ ନାହିଁ କିମ୍ବା ସେମାନେ ଧରା ପଡିବେ ନାହିଁ । ଏ ପରାମର୍ଶ ସମସ୍ତଙ୍କର ପସନ୍ଦ ଆସିଲା । ନାଜିମ ସେମାନଙ୍କୁ ମହଲରେ ରହୁଥିବା ସବୁ ସଦସ୍ୟଙ୍କ ନାମ କହିବାକୁ ଲାଗିଲା । ଆଉ ଯେତେଦୂର ସମ୍ଭବ ସେମାନଙ୍କୁ ଚିହ୍ନେଇ ବି ଦେଲା । ତା’ ପରେ ଜଣ ଜଣ କରି ବେଶ ବଦଳେଇ ମହଲ ଭିତରକୁ ଯାଇ ସବୁ ଦେଖି ପରଖି ଆସିଲେ । ହେଲେ ଚପଳାର ସତର୍କତା ପାଇଁ ସେଠାରେ କାହାକୁ କ୍ଷୀପ୍ରଚାରିତାର ମଉକା ମିଳିଲା ନାହିଁ । ସେମାନେ ବି ତରବର ହେଇ କିଛି କରିବାକୁ ନ ଚାହିଁ ସବୁ ଦେଖି ପରଖି ସାରିବା ପରେ ହିଁ କ୍ଷୀପ୍ରଚାରିତା କରିବାକୁ ଉଚିତ ମନେ କଲେ ।
ଦେଖା ପରଖା ସରିଗଲା ପରେ ଆରମ୍ଭ ହେଲା ସେ ସୈତାନ ମାନଙ୍କର ଖେଳ । ପ୍ରଥମେ ଭଗବାନଦତ୍ତ ଚପଳା ବେଶରେ କୁମାର ବିରେନ୍ଦ୍ରସିଂଙ୍କୁ ଫସେଇବା ପାଇଁ ନୌଗଡ଼ ମହଲରେ ପହଞ୍ଚିଲା । ସେଠି ପ୍ରହରା ଦେଉଥିବା ସିପାହୀକୁ କହିଲା -“କୁମାରଙ୍କୁ ଖବର ଦିଅ, ବିଜୟଗଡ଼ରୁ ଚପଳା ବୋଲି କିଏ ଜଣେ ଆସିଛି ।” ସିପାହୀ ତୁରନ୍ତ ଯାଇ ବୀରେନ୍ଦ୍ର ସିଂ ଙ୍କ କକ୍ଷରେ ପହଞ୍ଚି କହିଲା -“ଯୁବରାଜ…ବିଜୟଗଡ଼ରୁ ଚପଳା ନାମ୍ନୀ ଜଣେ ଯୁବତୀ ଆପଣଙ୍କୁ ଭେଟିବାକୁ ଚାହୁଁଛି । ସେ ମହଲର ମୁଖ୍ୟ ଫାଟକ ପାଖରେ ଅପେକ୍ଷା କରିଛି … ମୋ ପାଇଁ କି ଆଜ୍ଞା…?” ଚପଳା ନାଁଟା କର୍ଣ୍ଣରେ ବାଜିବା କ୍ଷଣି ଚମକି ଉଠିଲେ କୁମାର । ସେ ତୁରନ୍ତ ସିପାହୀକୁ ଆଦେଶ ଦେଇ କହିଲେ-” ତାଙ୍କୁ ସମ୍ମାନର ସହ ତୁରନ୍ତ ଭିତରକୁ ନେଇ ଆସ ।”
-” ଯଥା ଆଜ୍ଞା… ଯୁବରାଜ…” ସିପାହୀ ଆଦେଶ ପାଇ ଚାଲିଗଲା ଆଉ କିଛି ସମୟ ପରେ ସେ ଚପଳାକୁ କୁମାରଙ୍କ କକ୍ଷରେ ପହଞ୍ଚାଇ ଦେଲା । ଚପଳାକୁ ଦେଖୁ ଦେଖୁ କୁମାର ବସିବା ସ୍ଥାନରୁ ଉଠି ଠିଆ ହେଇଗଲେ ଆଉ ଚପଳାର ହାତ ଧରି ନିଜ ପାଖରେ ବସେଇ ଗପସପ ଆରମ୍ଭ କରିଦେଲେ । ଚନ୍ଦ୍ରକାନ୍ତାଙ୍କ ବିଷୟରେ ପଚାରିବାରୁ ସେ କହିଲା-“ସେ ଭଲ ଅଛନ୍ତି..ଯାହା ଖାଲି ଆପଣଙ୍କ ବିରହ ତାଙ୍କୁ ବିଚଳିତ କରୁଛି । ଆପଣ ବି କେମିତିକା ଲୋକ କେଜାଣି… ସେଦିନରୁ ସେ ମଲେ କି ଗଲେ କିଛି ଖବର ଅନ୍ତର ନେଉନାହାନ୍ତି । କେତେଦିନ ଆଉ ସମ୍ଭାଳି ହେଇ ରହିବେ … ? ବଡ଼ ଉଦବିଘ୍ନ ହେଇ ମତେ ଆପଣଙ୍କ ପାଖକୁ ପଠେଇଛନ୍ତି । ଏଇ ଦେଖନ୍ତୁ ଦୁଇଟି ନାସପାତି ନିଜ ହାତରେ ଛଡେଇ ଦାନା ସବୁକୁ ବଡ଼ ସରାଗରେ ଖାସ ଆପଣଙ୍କ ପାଇଁ ପଠେଇଛନ୍ତି । ଆଉ ରାଣ ନିୟମ ପକେଇ କହିଛନ୍ତି ଯେମିତି ବି ହେଉ ଏ ସବୁକୁ ଆପଣ ଖାଇବେ ।”
ଚପଳା କଥା ଶୁଣି ବୀରେନ୍ଦ୍ର ସିଂ ଆନନ୍ଦରେ ଗଦଗଦ ହେଇ ଉଠିଲେ । ଚନ୍ଦ୍ରକାନ୍ତାଙ୍କ ପ୍ରେମର ଭୁତ ତାଙ୍କ ମୁଣ୍ଡରେ ପୂର୍ଣ୍ଣ ରୂପେ ତାଙ୍କକ ଆଗରେ ତେଜ ସିଂ ଉପସ୍ଥିତ ହେଇଗଲେ । ତେଜ ସିଂ ଦେଖିଲା ଚପଳା ବୀରେନ୍ଦ୍ର ସିଂଙ୍କ ପାଖରେ ବସିଛି । ତାକୁ ଦେଖି ରାଗି ନିଆଁ ବାଣ ହେଇଗଲା ସେ । ଚିତ୍କାର କରି କହି ଉଠିଲା -“ନା…କୁମାର…ସେ ସବୁ ଖାଅନି…।”
ତେଜ ସିଂ ଠୁ ଏକଥା ଶୁଣିବା ପରେ ପାଟିକୁ ଯାଉଥବା ହାତଟା ଅଟକିଗଲା । ପଚାରିଲେ-“କାଇଁ…କଣ ହେଲା…?”
ତେଜ-“ମୁଁ ଯିବା ଆଗରୁ ଆପଣଙ୍କୁ ହଜାର ଥର ବୁଝେଇ ଥିଲି … ହେଲେ ଆପଣଙ୍କ ମୁଣ୍ଡଟା ଖରାପ ହେଇଗଲାଣି … ଟିକେ ବି ମୋ କଥାକୁ ଧ୍ୟାନ ଦେଉ ନାହାନ୍ତି । ଏତିକି ବୁଝି ପାରିଲେନି … ଆଗରୁ ଚପଳା କେବେ ଏଠିକି ଆସିଥିଲା ? ବାସ… ସୁନ୍ଦରୀ ଦେଖି ମନ କୁଲୁକୁଲୁ ହେଲା … ଭଳି ଗଲେ … ଆଉ ସେ ଜିନିଷକୁ ଗିଳିବାକୁ ବାହାରି ପଡିଲେ … ।”
ତେଜ ସିଂ ଙ୍କର କଟାକ୍ଷ ପୂର୍ଣ୍ଣ ଗାଳି ଶୁଣିବା ପରେ ବୀରେନ୍ଦ୍ର ସିଂ ଙ୍କୁ ଲାଜ ଲାଗିଲା । ସେ ଚପଳା ମୁହଁକୁ ନିରେଖି ଦେଖିବାକୁ ଲାଗିଲେ । କିନ୍ତୁ ଏ ସବୁ ଦେଖି ନକଲି ଚପଳା ଆଉ ଚୁପ ରହି ପାରିଲା ନାହିଁ, ତାକୁ ଲାଗିଲା ସେ ପୁରା ଫସି ଯାଇଛି ଆଉ ମୁକୁଳିବାର ବାଟ ନାହିଁ । ତେଣୁ ସେ ଝଟ କରି ତା ଛୁରୀକା ବାହାର କରି ତେଜ ସିଂ କୁ ଆକ୍ରମଣ କରିବାକୁ ଦୌଡ଼ି ଗଲା ବେଳେ ବୀରେନ୍ଦ୍ର ସିଂ ତା’ ହାତକୁ ମାଡି ବସିଲେ ଆଉ ତାକୁ ଶୂନ୍ୟରେ ଉଠେଇ ନେଲେ । ତାପରେ ତାକୁ ତଳେ କଚାଡି ଦେବାକୁ ଵାହାରିଲେ, ଯେଉଁଥିରେ ତାର ହାଡ଼ ଗୋଡ଼ ସବୁ ଚୁନା ହେଇ ଯାଇଥାନ୍ତା । ହେଲେ ଠିକ ସେତିକିବେଳେ ତେଜ ସିଂ କହି ଉଠିଲା-“ହାଁ…ହାଁ…ତଳେ ପକାନ୍ତୁନି ..ବିଚରା ମରି ଯିବ । ଆମ କ୍ଷୀପ୍ରଚର ମାନଙ୍କ କାମ ପରା ଏଇୟା… ଅନ୍ୟକୁ ଧୋକା ଦେବା… ତାକୁ ଛାଡି ଦିଅନ୍ତୁ… ମୁଁ ୟା କଥା ବୁଝିବି ।” ତେଜ ସିଂର କଥା ମାନି ବୀରେନ୍ଦ୍ର ସିଂ ତାକୁ ଛାଡି ଦେଲେ । ତା’ ପରେ ତେଜ ସିଂ ତାକୁ ଜବରଦସ୍ତ ବେହୋସି ଔଷଧ ଶୁଙ୍ଘେଇ ବେହୋସ କଲା ଆଉ ତାକୁ ଏକ ଗଣ୍ଠିଲି ବାନ୍ଧି ଘର କୋଣରେ ପକେଇ କୁମାରଙ୍କ ସହ କଥା ହେବାକୁ ଲାଗିଲା ।
କ୍ରମଶଃ