Chandrakanta: Episode 19

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ତେଜ ସିଂ କୁମାରଙ୍କୁ ବୁଝେଇ କହିଲା-“ଦେଖନ୍ତୁ … ଯାହା ହେବାର ଥିଲା ହେଇଗଲା, ହେଲେ ଏବେ ଟିକେ ସତର୍କ ରୁହନ୍ତୁ ଯେମିତି ଆଉ ଧୋକା ନ ଖାଆନ୍ତି ।” କୁମାର ମନେ ମନେ ବହୁତ ଲଜ୍ଜିତ ଥିବାରୁ ସେ କଥାକୁ ଅନ୍ୟ ଆଡ଼କୁ ନେଇ ବିଜୟଗଡ଼ ବିଷୟରେ ପଚାରି ବୁଝିଲେ । ତେଜ ସିଂ ତାଙ୍କୁ ବିସ୍ତୃତ ଭାବେ ସବୁ କଥା କହି ମହାରାଜ ଜୟସିଂ ଦେଇଥିବା ଚିଠି ଦେଖେଇଲା ଯେଉଁଟାକି ସୁରେନ୍ଦ୍ର ସିଂ ଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିଲା । କୁମାର ସବୁ କଥା ଶୁଣି ସାରି ଚିଠି ଦେଖିଲା ପରେ ଖୁସିରେ ନାଚି ଉଠିଲେ । ଆଉ କହିଲେ-“ଏବେ ଯାହା କିଛି କରିବାର ଅଛି ଶୀଘ୍ର କର ।” ତେଜ ସିଂ କହିଲା-” ବ୍ୟସ୍ତ ହେବାର କିଛି ନାହିଁ… ସବୁ କିଛି ଠିକ ହେବ ।” ଏଇ ପରି ବାର୍ତ୍ତାଳାପ କରୁ କରୁ ରାତି ପାହିଗଲା ।

ରାତି ପାହୁ ପାହୁ ତେଜ ସିଂ ସେ କ୍ଷୀପ୍ରଚରର ଗଣ୍ଠିଲି ନେଇ ସେଇ ଗୁମ୍ଫା ଆଡେ ଚାଲିଲା ଯେଉଁଠି ଅହମଦ ବନ୍ଦୀ ଥିଲା । ଗୁମ୍ଫାର ଦ୍ୱାର ଖୋଲି ଭିତରକୁ ଗଲା ଓ ସେ ଝରଣା ପାଖରେ ପହଞ୍ଚିଲା । ଦେଖିଲା ଅହମଦ ସେ ଝରଣା କୂଳରେ ଶୋଇଛି ଆଉ ହରଦୟାଲ ସିଂ ଏକ ବିରାଟ ପଥରକୁ ଆଉଜି ତଳକୁ ମୁହଁ କରି ବସିଛନ୍ତି । ତେଜ ସିଂ ଯେତେବେଳେ ତାଙ୍କ ପାଖକୁ ଗଲେ, ସେ ଉଠି ଠିଆ ହେଲେ ଆଉ କହିଲେ-” କଣ ତେଜ ସିଂ ମୁଁ ଏମିତି କି ଅପରାଧ କଲି ଯେ ମତେ ତମେ ବନ୍ଦୀ କରି ରଖିଛ ?” ତେଜ ସିଂ ମୁହଁରେ ହସ ଭରି କହିଲା-“ଯଦି ଆପଣ କିଛି ଅପରାଧ କରିଥାନ୍ତେ ତେବେ ଆପଣଙ୍କ ପାଦରେ ବେଡି ପଡିଥାନ୍ତା ଯେମିତି ଅହମଦର ପଡିଛି । ଆପଣ କୌଣସି ଅପରାଧ କରି ନାହାନ୍ତି, ଆପଣଙ୍କୁ ଗୋଟିଏ ଦିନ ବନ୍ଦୀ କରି ମୁଁ ଅନେକ କିଛି କାର୍ଯ୍ୟ ହାସଲ କରି ନେଲି… ଏଇ ଧୃଷ୍ଟତା ପାଇଁ ମତେ କ୍ଷମା କରିଦେବେ । ଏବେ ଆପଣ ମୁକ୍ତ … ଯୁଆଡେ ଯିବାକୁ ଚାହୁଁଛନ୍ତି ଯାଇ ପାରନ୍ତି । ବିଜୟଗଡ଼ରେ ଯଦି କେହି ସଚ୍ଚୋଟ ଆଉ ଉତ୍ତମ ବ୍ୟକ୍ତି ଥାନ୍ତି ତେବେ ସେ ଆପଣଙ୍କ ଛଡା ଆଉ କେହି ନୁହନ୍ତି । ଏହି ହିସାବରେ ମୁଁ ଆପଣଙ୍କଠୁ ସାହାଯ୍ୟର ଆଶା ଚାହିଁବି ।”

ହରଦୟାଲ-“ଶୁଣ ତେଜ ସିଂ…ତୁମେ ବହୁତ ଭଲ ଭାବେ ଜାଣ କି ମୁଁ ତୁମର ଆଉ କୁମାରଙ୍କ ହିତାକାଂକ୍ଷୀ । ତେଣୁ ମତେ ତୁମକୁ ସାହାଯ୍ୟ କରିବାରେ କୌଣସି ଅସୁବିଧା ନାହିଁ । ମୁଁ ତ ଚକିତ ଥିଲି କି ତମେ ମୋର ହିତାକାଂକ୍ଷୀ ହେଇ ମତେ କାହିଁକି ବନ୍ଦୀ କଲ ? ପ୍ରଥମେ ତ ମତେ ଜଣା ବି ପଡ଼ିଲାନି କି ମୁଁ ଏଠିକି କେମିତି ଆସିଲି …ମୃତ ନା ଜୀବିତ…? ହେଲେ ଅହମଦକୁ ଏଠି ଦେଖିବା ପରେ ମୁଁ ବୁଝିଗଲି କି ଏସବୁ ତୁମର କାରସାଦି । ଏବେ ମତେ କୁହ … ମତେ ବନ୍ଦୀ କରି ମୋ ବେଶରେ ତୁମେ କି କି କାର୍ଯ୍ୟ ହାସଲ କଲ?”

ତେଜ ସିଂ ହସି ହସି କହିଲା-“ମୁଁ ଆପଣଙ୍କ ବେଶରେ ଆପଣଙ୍କ ଭିତର ମହଲକୁ ଯାଇନାହିଁ… ଏକଥାରେ ଆପଣ ନିଶ୍ଚିତ ରୁହନ୍ତୁ …”
ହରଦୟାଲ-” ତୁମେ ମୋ ପୁଅ ଭଳି… ଯଦିବା ତୁମେ ଭିତର ମହଲକୁ ଯାଇଥାଅ,ସେଥିରେ କିଛି ଦୋଷାଦୋଷ ନାହିଁ … ଏବେ ସବୁ ଘଟଣା କୁହ …”

ତେଜ ସିଂ ମହାରାଜ ଜୟସିଂଙ୍କ ଚିଠି ଦେଖାଇ ସବୁକଥା ବିସ୍ତୃତ ଭାବେ କହିଗଲା ଆଉ ତାଙ୍କଠୁ ନେଇଥିବା ତାଙ୍କର ପୋଷାକ ଫେରାଇ ଦେଇ କହିଲା-“ଏବେ ଆପଣ ଏ ପୋଷାକ ପିନ୍ଧି ଆମ ରାଜା ସୁରେନ୍ଦ୍ର ସିଂ ଙ୍କ ପାଖକୁ ଯିବାକୁ ପ୍ରସ୍ତୁତ ହେଇ ଯାନ୍ତୁ । ସେଠିକି ଯାଇ ଏ ଚିଠି ଦେଖେଇ ମତେ ତାଙ୍କଠୁ ମାଗିନେବେ । ତା’ ପରେ ମୁଁ ଆପଣଙ୍କ ସହ ଵିଜୟଗଡ ଯିବି ନଚେତ ଚୂନାରଗଡ଼ରୁ ଯେଉଁ କ୍ଷୀପ୍ରଚର ପଞ୍ଝାକ ଆସିଛନ୍ତି ସେମାନେ ବିଜୟଗଡ଼କୁ ମଶାଣି କରିଦେବେ ଆଉ ବିଜୟଗଡ଼ ମହାରାଜ ଶିବଦତ୍ତଙ୍କ କବ୍ଜାକୁ ଚାଲିଯିବ । ମୁଁ ସେଠାରେ ରହିଲେ ଅବଶ୍ୟ କଳେବଳେ କୌଶଳେ ସେମାନଙ୍କୁ ବନ୍ଦୀ କରି ନେବି । ଆଉ ଗୋଟେ କଥା… ଆପଣ ଧିରେଧିରେ ମହଲରୁ ଆଉ ସେନା ବାହିନୀରୁ ମୁସଲମାନଙ୍କୁ ହଟେଇ ସେଠି ହିନ୍ଦୁ ଲୋକଙ୍କୁ ନିଯୁକ୍ତି ଦିଅନ୍ତୁ । ଆଉ ମହାରାଜ ଜୟସିଂଙ୍କ ଆଗରେ କୁମାରଙ୍କର ଖୁବ ପ୍ରଶଂସା କରନ୍ତୁ । ଯାହା ଫଳରେ କି ମହାରାଜ ନିଜେ କୁମାରଙ୍କ ସାହାଯ୍ୟ ଲୋଡିବେ ।”

ହରଦୟାଲ ସିଂ ଶପଥ ନେଇ କହିଲା-“ମୁଁ ସର୍ବଦା ଆପଣଙ୍କର ଶୁଭ ଚିନ୍ତକ ରହି ଆସିଛି । ତୁମେ ଯାହା ଯାହା କହିଲ ମୁଁ ତାଠୁ ଅଧିକ କରି ଦେଖେଇବି ।”
ତେଜ ସିଂ ଏହାପରେ ସେ ନେଇଥିବା ଗଣ୍ଠିଲି ଖୋଲି ସେ କ୍ଷୀପ୍ରଚରକୁ ବାହାର କଲା । ତା’ ପାଦରେ ଏକ ଖୋଲା ବେଡି ପକେଇ ତାଠୁ ତା’ ଥଳି ଆଉ ଛୁରୀକା ନେଇ ଆସିଲା ଯେଉଁଟାକି ତା’ ଅଣ୍ଟାରେ ବନ୍ଧା ଥିଲା । ପରେ ତାକୁ ହୋସକୁ ଆଣିଲା । ତା ମୁହଁ ସଫା କରିବା ପରେ ଜଣା ପଡିଲା କି ସେ ଭଗବାନଦତ୍ତ । କ୍ଷୀପ୍ରଚର ହେଇ ଥିବାରୁ ତେଜ ସିଂ ଚୁନାରଗଡ଼ର ସମସ୍ତ କ୍ଷୀପ୍ରଚରଙ୍କୁ ଚିହ୍ନି ଥିଲା ଆଉ ସେମାନେ ବି ତେଜ ସିଂ କୁ ଭଲ ଭାବେ ଜାଣିଥିଲେ । ତେଜ ସିଂ ତାକୁ ସେ ଝରଣା କୂଳରେ ଛାଡି ହରଦୟାଲ ସିଂ ଙ୍କୁ ସାଥିରେ ନେଇ ଗୁମ୍ଫା ବାହାରକୁ ଆସିଲା । ଦ୍ୱାର ପାଖକୁ ଆସି ତେଜ ସିଂ କହିଲା-” ଆପଣ ଦୟାକରି ମତେ ଅନୁମତି ଦିଅନ୍ତୁ କି ମୁଁ ଆପଣଙ୍କୁ କିଛି ସମୟ ପାଇଁ ବେହୋସ କରିବି । ଆଉ ଗୁମ୍ଫା ବାହାରକୁ ଯାଇ ପୁଣି ହୋସକୁ ଆଣିବି ।”
ହରଦୟାଲ-” ନିଶ୍ଚୟ ..ନିଶ୍ଚୟ… ମୁଁ ବି ଏ ଗୁମ୍ଫାର ରହସ୍ୟ ଜାଣିବାକୁ ଚାହୁଁନି । ଏ ସବୁ ତୁମ ମାନଙ୍କ କାମ । ମୁଁ ଏସବୁ ଜାଣି କଣ କରିବି ?”

ତେଜ ସିଂ ହରଦୟାଲ ସିଂ ଙ୍କୁ ବେହୋସ କରି ବାହାରକୁ ଆଣି ଆସିଲା । ପରେ ହୋସକୁ ଆଣି କହିଲା -“ଏବେ ଆପଣ ପୋଷାକ ପିନ୍ଧି ନିଅନ୍ତୁ ଆଉ ମୋ ସହ ଚାଲନ୍ତୁ ।”

ନୌଗଡ଼ ନଗରକୁ ଆସିବା ପରେ ତେଜ ସିଂ କହିବା ଅନୁସାରେ ହରଦୟାଲ ସିଂ ରାଜା ସୁରେନ୍ଦ୍ର ସିଂ ଙ୍କ ଦରବାରକୁ ଗମନ କଲେ । ରାଜା ତାଙ୍କୁ ଦେଖି ବହୁତ ଆଦର ସତ୍କାର କରି ଆସିବାର କାରଣ ପଚାରିଲେ । ସେ ଜୟସିଂ ଦେଇଥିବା ଚିଠିକୁ ତାଙ୍କୁ ବଢ଼େଇ ଦେଲେ । ବଡ଼ ସମ୍ମାନର ସହ ସେ ଚିଠିଟିକୁ ସେ ତାଙ୍କ ମନ୍ତ୍ରୀ ଜିତ ସିଂଙ୍କୁ ଦେଇ ପଢିବାକୁ ଆଦେଶ ଦେଲେ । ଜିତ ସିଂ ଉଚ୍ଚ ସ୍ୱରରେ ଚିଠିଟିକୁ ପଢିବାକୁ ଲାଗିଲେ । ଚିଠିଟିକୁ ଶୁଣିବା ପରେ ସୁରେନ୍ଦ୍ର ସିଂ ବହୁତ ଖୁସି ହେଇଗଲେ ଆଉ ହରଦୟାଲ ସିଂ ଙ୍କୁ କହିଲେ-” ମୋ ରାଜ୍ୟ ତ ମହାରାଜ ଜୟସିଂ ଙ୍କର । ସେ ଯେତେବେଳେ ଯାହାକୁ ଚାହିଁବେ ନିଜ ସେବାରେ ଲଗେଇ ପାରିବେ । ” ଏହାପରେ ସେ ନିଜ ମନ୍ତ୍ରୀ ଜିତ ସିଂ ଙ୍କୁ ତାଙ୍କର ଅତିଥି ଚର୍ଚ୍ଚା କରିବାକୁ ନିର୍ଦ୍ଦେଶ ଦେଇ ଦରବାର ବର୍ଖାସ୍ତ କଲେ ।

ମନ୍ତ୍ରୀ ହରଦୟାଲ ସିଂଙ୍କର ଅତିଥି ସତ୍କାର ୩ ଦିନ ଯାଏ ବହୁତ ଭଲ ଭାବେ କରାଗଲା । ଚତୁର୍ଥ ଦିନ ସେ ନିଜ ରାଜ୍ୟକୁ ଯିବା ପାଇଁ ରାଜା ସୁରେନ୍ଦ୍ରସିଂଙ୍କୁ ଅନୁମତି ମାଗିଲେ । ରାଜା ବହୁତ ଉପହାର ଓ ଉପଢୌକନ ସହ ତାଙ୍କୁ ବିଦା କଲେ ଆଉ ତେଜ ସିଂକୁ ବୁଝାଇ ସୁଝାଇ ତାଙ୍କ ସହ ପଠେଇ ଦେଲେ ।

ସେମାନେ ବିଜୟଗଡ଼ରେ ପହଂଚିବା ପରେ ସେହିଦିନ ସନ୍ଧ୍ୟାରେ ଦରବାରକୁ ଯାଇ ମହାରାଜଙ୍କୁ ସାକ୍ଷାତ କଲେ । ହରଦୟାଲ ସିଂ ମହାରାଜଙ୍କୁ ସୁରେନ୍ଦ୍ର ସିଂ ପଠେଇଥିବା ଚିଠି ହସ୍ତାନ୍ତର କଲେ ଆଉ ତାଙ୍କର ଖୁବ ପ୍ରଶଂସା କଲେ । ଏସବୁ ଶୁଣି ଜୟସିଂ ବହୁତ ଖୁସି ହେଇଗଲେ ଆଉ ସଂଗେ ସଂଗେ ହରଦୟାଲ ସିଂଙ୍କୁ ଆଦେଶ ଦେଇ କହିଲେ ତେଜ ସିଂଙ୍କୁ ରହିବା ପାଇଁ ଏକ ଭଲ ଘର ଯୋଗାଇ ଦିଆ ଯାଉ ଆଉ ତାଙ୍କର ଆତିଥ୍ୟର ଯେପରି କିଛି କମି ନ ରହୁ ।

ତାପରେ ଦରବାରରେ ତେଜ ସିଂକୁ ମନ୍ତ୍ରୀଙ୍କ ପାଖରେ ଏକ ଆସନ ଉପଲବ୍ଧ କରାଗଲା । ତାଙ୍କୁ ଏକ ସୁନ୍ଦର ଘର ରହିବା ପାଇଁ ଯୋଗାଇ ଦିଆଗଲା ଯେଉଁଠି ଚାକରଵାକର ଭରପୁର ରହିଥିଲେ ଆଉ ସମସ୍ତେ ହିନ୍ଦୁ ଥିଲେ ।


କ୍ରମଶଃ

Please follow and like us:
0
20
Pin Share20