Chandrakanta: Episode 20

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ଆପଣମାନେ ଜାଣନ୍ତି ଯେ ମହାରାଜ ଶିବଦତ୍ତଙ୍କ ପାଖରେ ଯେତେ ଜଣ କ୍ଷୀପ୍ରଚର ଥିଲେ ସେ ସମସ୍ତଙ୍କୁ ତେଜ ସିଂ ଚିହ୍ନିଥିଲା । ଏବେ କିନ୍ତୁ ତେଜ ସିଂ ଏ କଥା ଜାଣିବାକୁ ଚାହୁଁଥିଲା କି ସେମାନଙ୍କ ଭିତରୁ କିଏ କିଏ ବିଜୟଗଡ଼ ଆସିଛନ୍ତି । ତେଣୁ ସେ ଏଇ ତଥ୍ୟ ହାସଲ କରିବା ପାଇଁ ନିଜକୁ ଭଗବାନଦତ୍ତ ରୂପରେ ପରିବର୍ତ୍ତିତ କରି ଏଣେ ତେଣେ ବୁଲିବାକୁ ଲାଗିଲା । ନଗର ପରିକ୍ରମା କରି ସାରିବା ପରେ ସେ ଜଙ୍ଗଲ ଆଡେ ପାଦ ବଢ଼େଇଲା । ହେଲେ ତା’ ହାତକୁ କୌଣସି ବି ତଥ୍ୟ ଆସିଲା ନାହିଁ । ବର୍ଷା ଋତୁ ଆସିସାରିଥିଲା । ରାତିର ଘନ ଅନ୍ଧକାରକୁ ଆକାଶରେ ଘନ ବାଦଲ ଆଉ ଏଣେ ଜଙ୍ଗଲ…ପରିବେଶକୁ ଅତି ଭୟଙ୍କର କରୁଥିଲା । ହେଲେ ତେଜ ସିଂ ମନରେ ଟିକିଏ ବି ଭିତି ନଥିଲା । ସେ ଜଙ୍ଗଲ ଭିତରେ ଏକ ମୁଣ୍ଡିଆ ଉପରେ ଠିଆ ହେଇ ସିଟି ମାରିବାକୁ ଲାଗିଲା ।

କିଛି ସମୟ ଭିତରେ ତିନି ଜଣ କ୍ଷୀପ୍ରଚର ଆଉ ପଣ୍ଡିତ ଜଗନ୍ନାଥ ଜ୍ୟୋତିଷ ଆସି ସେଠାରେ ପହଞ୍ଚି ଗଲେ । ସେମାନେ ଭଗବାନଦତ୍ତକୁ ଦେଖି ପଚାରିଲେ-“କଣ ହେଲା… ତମେ ପରା ନୌଗଡ଼ ଯାଇଥିଲ ? ଖାଲି ହାତରେ ଫେରି ଆସିଲ ଯେ.. ?”
ତେଜ ସିଂ ସମସ୍ତକୁ ଚିହ୍ନିବା ପରେ କହିବାକୁ ଲାଗିଲା-“ସେଠି ତେଜ ସିଂ ଥିବାରୁ କୌଣସି କାମ ହେଇ ପାରିଲା ନାହିଁ । ତମମାନଙ୍କ ଭିତରୁ ଯଦି କେହି ଜଣେ ମୋ ସହ ଯାଆନ୍ତା ତେବେ କାମଟା ସହଜ ହେଇ ପାରନ୍ତା ।”
ପାନା-“ଠିକ ଅଛି ..କାଲି ମୁଁ ତମ ସହ ଯିବି । ଆଜି ଚାଲ ମହଲ ଭିତରେ କିଛି ଗୋଟେ କାଣ୍ଡ କରିବା..”
ନକଲି ଭଗବାନ-“ଠିକ ଅଛି… ହେଲେ ଏବେ ମତେ ଭାରି ଭୋକ ଲାଗୁଛି, ପେଟରେ ଗଣ୍ଡେ କଣ ପଡିଲେ ସିନା କାମରେ ମନ ଲାଗିବ …? ତମମାନଙ୍କ ପାଖରେ ଯାହା କିଛି ଅଛି ଆଣ…”
ଜଗନ୍ନାଥ-“ଆମ ପାଖରେ ଯାହା ବି କିଛି ଅଛି ସେଥିରେ ବେହୋସି ଔଷଧ ମିଶିଛି । ଖାଦ୍ୟ ଆଣିବା ପାଇଁ ବଜାରକୁ ଯିବାକୁ ହେବ । ତେବେ ଯାଇ ଆମେ ଖାଇପିଇ ଟିକେ ସୁସ୍ଥ ହେଇ ପାରିବା…”
ନକଲି ଭଗବାନ-“ଠିକ ଅଛି ମୁଁ ବଜାର ଯାଉଛି… ମୋ ସହ ଆଉ କିଏ ଜଣେ ଆସ…”

ପାନାଲାଲ ବାହାରିଲା ତା’ ସହ । ଦୁହେଁ ନଗର ଆଡେ ମୁହାଁଇଲେ । ବାଟରେ ପାନାଲାଲ କହିଲା-“ଚାଲ ଆମେ ଆମର ରୂପ ପରିବର୍ତ୍ତନ କରିନେବା… ଶୁଣିଛି ସେ ତେଜ ସିଂ ଏଠାକୁ ଆସିଛି… ଯଦି ବୁଲୁ ବୁଲୁ ଆମକୁ ଦେଖି ନିଏ ତେବେ ବଡ଼ ଅସୁବିଧା ହେଇ ଯିବ । କାହିଁକି ନା ସେ ଆମ ସମସ୍ତଙ୍କୁ ଭଲ କରି ଚିହ୍ନେ ।”
ନକଲି ଭଗବାନ ଦତ୍ତ ଭାବିଲା କି ଯଦି ସେ ରୂପ ପରିବର୍ତ୍ତନ କରେ ତେବେ ସେ ମୁହଁରେ ରଙ୍ଗ ଲଗେଇଲା ବେଳେ ହୁଏତ ଧରା ପଡି ଯାଇ ପାରେ । ତେଣୁ ସେ କହିଲା-” କିଛି ଆବଶ୍ୟକ ନାହିଁ …ରାତିରେ ଆମକୁ କିଏ ଭେଟିବ ?” ଭଗବାନ ଦତ୍ତ ମନା କରିବାରୁ ପାନାଲାଲକୁ ସନ୍ଦେହ ହେଲା । ସେ ବହୁତ ନିରେଖି ତା’ ମୁହଁକୁ ଚାହିଁଲା ହେଲେ ଅନ୍ଧାର କାରଣରୁ ଚିହ୍ନି ପାରିଲା ନାହିଁ । ଶେଷକୁ ସେ ଖୁବ ଜୋରରେ ସିଟି ବଜେଇବାକୁ ଲାଗିଲା । ହେଲେ ସେମାନେ ବହୁତ ଦୂର ଚାଲି ଆସିଥିବାରୁ ଅନ୍ୟମାନଙ୍କୁ ତା’ ସିଟି ଶବ୍ଦ ଶୁଣାଗଲା ନାହିଁ । ତେଜ ସିଂ ବି ଜାଣିଗଲା କି ପାନାଲାଲ ତାକୁ ସନ୍ଦେହ କରିବାକୁ ଆରମ୍ଭ କଲାଣି । ଆଉ ଡେରି କରିବା ଉଚିତ ହେବନି ଭାବି ସେ ତତକ୍ଷଣାତ ତା’ ବେକକୁ ଧରି ନେଲା । ପାନାଲାଲ ବି ତା’ ଛୁରୀକା କାଢି ସାରିଥିଲା । ଦୁହେଁ ଭିଡ଼ିଗଲେ । ଖୁବ ଜୋରରେ ଧସ୍ତାଧସ୍ତି ହେଲା । ଶେଷକୁ ତେଜ ସିଂ ପାନାକୁ ଉଠେଇ କଚାଡି ଦେଲା । ଫଳରେ ସେ ବେହୋସ ହେଇଗଲା । ତାପରେ ତେଜ ସିଂ ନିଜ ଅସଲ ରୁପକୁ ଆସି ତାକୁ ଏକ ଗଣ୍ଠିଲି କରି ପିଠିରେ ପକେଇ ବିଜୟଗଡ଼ର ତା’ ବସା ଘରକୁ ଚାଲି ଆସିଲା ।

ବସା ଘରେ ପହଞ୍ଚି ପାନାଲାଲକୁ ଏକ କୋଠରୀରେ ବନ୍ଦ କଲା ଆଉ ସେ କୋଠରୀ ଚାରିପଟେ କଡା ପ୍ରହରାର ବନ୍ଦୋବସ୍ତ କରି ନିଜେ ସେଇ କୋଠରୀର ଦ୍ୱାରରେ ବିଛଣା ପାରି ଶୋଇଗଲା । ସକାଳ ହେଲାରୁ ତାକୁ କଡା ସୁରକ୍ଷା ଭିତରେ ନେଇ ଦରବାରକୁ ପ୍ରସ୍ଥାନ କଲା ।

ଏଣେ ରାମନାରାୟଣ, ବଦ୍ରୀନାଥ ଆଉ ପଣ୍ଡିତ ଜଗନ୍ନାଥ ସେମାନଙ୍କୁ ଅପେକ୍ଷାକରି ବସି ରହିଥିଲେ, କେତେବେଳେ ସେମାନେ ଖାଦ୍ୟ ଆଣିବେ ଆଉ ତାକୁ ଖାଇ ସାରି ସେମାନେ ତାଙ୍କ କାମରେ ବାହାରି ଯିବେ । ହେଲେ ଅପେକ୍ଷା କରି କରି ଆଖିରୁ ପଛେ ପାଣି ମଲା କିନ୍ତୁ ସେମାନଙ୍କର ଦେଖା ମିଳିଲା ନାହିଁ । ଶେଷକୁ ସନ୍ଦେହ ହେଲା କି ସେ ଦୁଇଜଣ କେଉଁଠି ଫସି ଯାଇନାହାନ୍ତି ତ ? ହେଲେ ସେମାନଙ୍କ ମନକୁ ଏକଥା ଆଦୌ ଆସିନଥିଲା କି ତେଜ ସିଂ ସେମାନଙ୍କ ଆଖିରେ ଧୂଳି ଦେଇ ତାଙ୍କର ଏକ ସାଥୀକୁ ଫସେଇ ନେଇଯାଇଛି ।

ସେଦିନ ରାତିରେ ଆଉ କିଛି କରିବାର ଅବକାଶ ନଥିଲା । ତେଣୁ ସେମାନେ ସକାଳ ହେବା ଯାଏ ଅପେକ୍ଷା କଲେ । ସକାଳ ହେବାରୁ ବେଶ ବଦଳେଇ ଅନୁସନ୍ଧାନରେ ବାହାରି ଗଲେ । ପ୍ରଥମେ ସେମାନେ ଜୟସିଂଙ୍କ ଦରବାର ଆଡେ ଗଲେ । ସେଠାକୁ ଯାଇ ଦେଖିଲେ କି ତେଜ ସିଂ ଦରବାରକୁ ଯାଉଛି । ତା’ ପଛରେ ୧୦/ ୧୫ ଜଣ ସିପାହୀ ପାନାଲାଲକୁ ଘେରାବନ୍ଦୀ କରି ଚାଲୁଛନ୍ତି । ସେମାନେ ବି ତାଙ୍କ ପଛେ ପଛେ ଦରବାର ଆଡେ ଚାଲିଲେ ।

ତେଜ ସିଂ ପାନାକୁ ନେଇ ଦରବାରରେ ପହଞ୍ଚି ଗଲା । ସେତେବେଳକୁ ଦରବାର ଆରମ୍ଭ ହେଇ ସାରିଥିଲା । ମହାରାଜ ସିଂହାସନ ଉପରେ ବସିଥିଲେ । ତେଜ ସିଂ ତାଙ୍କୁ ଅଭିବାଦନ କରି ନିଜ ଆସନରେ ଯାଇ ବସିଲା । ବନ୍ଦୀକୁ ରାଜାଙ୍କ ଆଗରେ ଠିଆ କରେଇ ଦିଆ ଗଲା । ମହାରାଜ ପଚାରିଲେ-” କିହୋ ତେଜ ସିଂ… କାହାକୁ ବାନ୍ଧି ଆଣିଛ ?” ତେଜ ସିଂ କହିଲା-“ମହାରାଜ .. ଯେଉଁ ପାଞ୍ଚ ଜଣ କ୍ଷୀପ୍ରଚର ଚୁନାରଗଡ଼ରୁ ଆସିଛନ୍ତି … ତାଙ୍କ ଭିତରୁ ଏ ଜଣେ । ମୁଁ ଏହାକୁ ବନ୍ଦୀ କରିଛି … ଆପଣଙ୍କୁ ଯେପରି ଠିକ ଲାଗୁଛି ବିଚାର କରନ୍ତୁ ।”

କ୍ରମଶଃ

Please follow and like us:
0
20
Pin Share20