ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଜିତ ସିଂ ବଡ଼ ଧ୍ୟାନର ସହ ଚିଠି ପଢିଲେ ଆଉ ମନେ ମନେ ଭାବିଲେ କି ନିଶ୍ଚୟ ତେଜ ସିଂ କ୍ଷୀପ୍ରଚର ମାନଙ୍କ ଦ୍ୱାରା ବନ୍ଦୀ ହେଇ ଯାଇଛି । ତେଣୁ ତେଜ ସିଂ ସେଠାରେ ନଥିବା ଦର୍ଶାଇ ଏକ ଉତ୍ତର ଲେଖି ସେ ଲୋକଟିକୁ ଧରେଇଲେ । ସେ ଲୋକଟି ଚିଠି ନେଇ ସେଠାରୁ ପ୍ରତ୍ୟାବର୍ତ୍ତନ କଲା । ଜିତ ସିଂ ତାଙ୍କର କେତେଜଣ ଗୁପ୍ତଚରଙ୍କୁ ଡକାଇ ତେଜ ସିଂ ଙ୍କର ଖୋଜ ଖବର ନେବାକୁ ପଠେଇଦେଲେ । ତା’ ପର ଦିନ ଦରବାରରେ ଜିତ ସିଂ ରାଜା ସୁରେନ୍ଦ୍ରସିଂ ଙ୍କୁ ଏ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କଲେ ।
ସୁରେନ୍ଦ୍ର ସବୁକଥା ଶୁଣି ସାରି ବଡ଼ ଚକିତ ହେଇ ପଚାରିଲେ-” ତେଜ ସିଂ ନୌଗଡ଼ରେ ନାହିଁ କି ବିଜୟଗଡ଼ରେ ବି ନାହିଁ… ତେବେ ସେ ଗଲା କୁଆଡେ ? ସେ କ୍ଷୀପ୍ରଚରଙ୍କ ହାତରେ ପଡି ଯାଇନି ତ ? କାହଁକି ନା ଚୁନାରଗଡ଼ ମହାରାଜ ଶିବଦତ୍ତ ତାଙ୍କର କେତେକ କ୍ଷୀପ୍ରଚରଙ୍କୁ ବିଜୟଗଡ଼ ପଠେଇଥିଲେ ଆଉ ସେମାନଙ୍କୁ ସାମନା କରିବା ପାଇଁ ଏକୁଟିଆ ତେଜ ସିଂ ସେଠାକୁ ଯାଇଥିଲା ।” ଜିତ ସିଂ କହିଲେ-” ମୁଁ ବି ସେଇକଥା ହିଁ ଭାବୁଛି…. ସେ ନିଶ୍ଚୟ କ୍ଷୀପ୍ରଚର ମାନଙ୍କ ଦ୍ୱାରା ବନ୍ଦୀ ହେଇଛି … ଛାଡ଼ ସେ ଯାହା ବି ହେଇଥାଉ ନା କାହିଁକି ଦି ଚାରି ଦିନ ଭିତରେ ସବୁ ଜଣା ପଡ଼ିଯିବ ।”
କୁମାର ବୀରେନ୍ଦ୍ର ସିଂ ଦରବାରରେ ବସି ଏମାନଙ୍କ କଥା ଶୁଣୁଥିଲେ । ସେ କହିଲେ-” ମତେ ଅନୁମତି ଦେଲେ ମୁଁ ତେଜ ସିଂ କୁ ଖୋଜି ଆଣନ୍ତି ।” ଏକଥା ଶୁଣ ମନ୍ତ୍ରୀ ଜିତ ସିଂ ହସି ହସି ଉତ୍ତର ଦେଲେ-” ଆପଣଙ୍କ ସାହସ ଆଉ ଯୁଦ୍ଧପଟୁତା ଉପରେ ଆମର କୌଣସି ଶଙ୍କା ନାହିଁ । କିନ୍ତୁ ଏ କଥା ଧ୍ୟାନ ରଖିବାକୁ ପଡିବ ଯେ ଆପଣ ତେଜ ସିଂ ପାଇଁ ବ୍ୟସ୍ତ ହେଉଛନ୍ତି । ଯାହାର କାମ ହେଲା କ୍ଷୀପ୍ରଚାରିତା, ଆଉ ସେ କ୍ଷୀପ୍ରଚର ମାନଙ୍କ ଦ୍ୱାରା ବନ୍ଦୀ ହେଇଛି । ଆପଣ ଜାଣନ୍ତି ଜଣେ କ୍ଷୀପ୍ରଚର ଆଉ ଜଣେ କ୍ଷୀପ୍ରଚର ହାତରେ ଧରା ପଡିଲେ ସେ ତାକୁ ଜୀବନରେ ମାରି ପାରିବ ନାହିଁ ଖାଲି ବନ୍ଦୀ କରି ରଖିପାରିବ । ଯଦି ତେଜ ସିଂ କୌଣସି କ୍ଷୀପ୍ରଚର ହାତରେ ଧରା ପଡିଛି ତେବେ ସେ ନିଶ୍ଚୟ ବନ୍ଦୀ ହେଇଥିବ । ଆଉ ଖୁବ ଶୀଘ୍ର ସେଠାରୁ ଖସି ବି ଆସିବ କାହିଁକି ନା ସେ ନିଜ ଧନ୍ଦାରେ ଖୁବ ହୁସିଆର । ଏହା ଛଡା ଯିଏ ବି କ୍ଷୀପ୍ରଚର ବୃତ୍ତିକୁ ଆପଣେଇବ ସେ ଯେତେ ଚାଲାକ ହେଇଥାଉ ନା କାହିଁକି ଦିନେ ନା ଦିନେ କୋଉଠି ନା କୋଉଠି ଫସିବାଟା ଥୟ । ଏଥିପାଇଁ ଏତେ ବ୍ୟସ୍ତ କାହିଁକି ? ଦଶ ପନ୍ଦର ଦିନ ଅପେକ୍ଷା କରନ୍ତୁ, ଯଦି ସେ ନଫେରିଲା ତେବେ ଆପଣଙ୍କର ଯାହା ଇଛା ତାହା କରିବେ ।”
ବୀରେନ୍ଦ୍ର ସିଂ କହିଲେ-“ହଁ.. ଠିକ କହିଲେ ଆପଣ, ତେଜ ସିଂ ବହୁତ ଚାଲାକ .. ହେଲେ ଆମେ କଣ ହାତରେ ହାତ ବାନ୍ଧି ବସି ରହିବା..?” ଜିତ ସିଂ କହିଲେ-” ସତ କହିବାକୁ ଗଲେ ଆପଣଙ୍କ ତା’ ପ୍ରତି ଥିବା ଭଲ ପାଇବା ଆପଣଙ୍କୁ ତା’ ବିଷୟରେ ଭାବିବା ପାଇଁ ବାଧ୍ୟ କରୁଛି । ଛାଡ଼ନ୍ତୁ ଆପଣ… ଯାହା ହେବ ଦେଖା ଯିବ ।” ଏ ସବୁ ଶୁଣି ସାରିବା ପରେ ରାଜା ସୁରେନ୍ଦ୍ର ସିଂ କହିଲେ-” କିଛି ନ ହେଲା ନାହିଁ ତେଜ ସିଂ ର ଖୋଜ ଖବର ନେବା ପାଇଁ କିଛି ଲୋକଙ୍କୁ ପଠେଇ ଦିଆ ଯାଉ …।” ମନ୍ତ୍ରୀ ଜିତ ସିଂ ଏହାର ଉତ୍ତରରେ କହିଲେ-” ମୁଁ ଏ କାମ ଆଗରୁ କରି ସାରିଛି ..କେତେ ଜଣ ଗୁପ୍ତଚରଙ୍କୁ ଏଥିପାଇଁ ପଠେଇ ସାରିଛି ।” ଏକଥା ଶୁଣି ରାଜା ସୁରେନ୍ଦ୍ର ସିଂ ଆଉ କୁମାର ଦୁହେଁ ଚୁପ ତ ହେଇଗଲେ କିନ୍ତୁ ତେଜ ସିଂ ର ଚିନ୍ତା ସେମାନଙ୍କ ମନରୁ ହଟୁ ନଥିଲା ।
ଏଣେ ବିଜୟଗଡ଼ରେ ଦରବାରରେ ମହାରାଜ ଜୟସିଂ ପୁଣି ଥରେ ହରଦୟାଲ ସିଂ ଙ୍କୁ ପଚାରିଲେ-” ତେଜ ସିଂ ର ଖୋଜ ଖବର କିଛି ମିଳିଲା କି ନାହିଁ?” ମନ୍ତ୍ରୀ ମହାଶୟ କହିବାକୁ ଲାଗିଲେ-” ହଜୁର… ଏ ଯାଏ କିଛି ବି ଖବର ମିଳିଲା ନାହିଁ । ମୁଁ ଭାବୁଛିସେ ହୁଏତ ନୌଗଡ଼ ଯାଇଥିବେ … ସେଥିପାଇଁ ମୁଁ ଜଣେ ଲୋକକୁ ନୌଗଡ଼ ପଠେଇଛି, ସେ ଏଇନେ ଆସି ପହଞ୍ଚି ଯିବ କି କଣ … ତା’ ପାଖରୁ ହୁଏତ କିଛି ଖବର ମିଳି ଯାଇପାରେ ।” ଏ ସବୁ ଆଲୋଚନା ଚାଲିଥିବା ବେଳେ ସେ ଲୋକଟି ଯିଏ ନୌଗଡ଼ ଯାଇଥିଲା, ସେ ଆସି ଦରବାରରେ ଉପସ୍ଥିତ ହେଇ ଜିତ ସିଂ ଦେଇଥିବା ଚିଠିଟିକୁ ମନ୍ତ୍ରୀ ହରଦୟାଲ ସିଂ ଙ୍କୁ ବଢ଼େଇ ଦେଲା । ମନ୍ତ୍ରୀ ମହାଶୟ ଚିଠି ପଢି ସାରି ବଡ଼ ଅବଶୋଷର ସହ ମହାରାଜଙ୍କୁ କହିଲେ-” ତେଜ ସିଂ ଙ୍କ ବାପା ଜିତ ସିଂ ଏ ଚିଠି ପଠେଇଛନ୍ତି.. ସେ ସେଠାରେ ନାହାନ୍ତି ।” ମହାରାଜ କହିଲେ-” ତାଙ୍କୁ ଖୋଜିବା ପାଇଁ କିଛି ବନ୍ଦୋବସ୍ତ କରିଛ କି ନାହିଁ ?”
ହରଦୟାଲ-” ହଁ.. ହଜୁର… ମୁଁ କେତେ ଜଣ ଗୁପ୍ତଚରଙ୍କୁ ଏଣେତେଣେ ପଠେଇ ସାରିଛି ।”
ତେଜ ସିଂ ପାଇଁ ମହାରାଜଙ୍କ ଚିନ୍ତା ବଢିଗଲା । ଦରବାର ବରଖାସ୍ତ ହେଲା ପରେ ସେ ଅନ୍ତପୁରକୁ ଚାଲିଗଲେ । କଥା ପ୍ରସଙ୍ଗରେ ସେ ତେଜ ସିଂ ଙ୍କ ନିଖୋଜ ହେବା କଥା ମହାରାଣୀଙ୍କୁ ଶୁଣେଇଲେ-” ମୋ ବେଳା ଖରାପ । ସେ କ୍ରୁର ସିଂ ରାଜ୍ୟରେ ଉତ୍ପାତ କରୁଥିବା ବେଳେ ଆମକୁ ସାହାଯ୍ୟ କରିବାକୁ ଏକୁଟିଆ ତେଜ ସିଂ ଆସିଥିଲା ଯେ… ତାର ବି କିଛି ଦିନ ହେବ ପତ୍ତା ମିଳୁନି । ଏବେ ମୁଁ ସୁରେନ୍ଦ୍ର ସିଂ ଙ୍କୁ କି ଜବାବ ଦେବି ? ତେଜ ସିଂ ର ଚାଲିଚଳନ, କଥାବାର୍ତ୍ତାର ଢଙ୍ଗ ଆଉ ସବୁ ପରେ ତା’ ବୁଦ୍ଧିମତ୍ତା … ଏ ସବୁ ଦେଖି ମତେ ଖୁବ ଖୁସି ଲାଗେ । ବଡ଼ ପାରିବାର ପିଲାଟା । ତା’ ମୁହଁରେ କେତେବେଳେ ବି ଉଦାସ ଭାବ ଦେଖିନି । ସଵୁବେଳେ ତା ମୁହଁରେ ହସ ଭରି ରହିଥାଏ। ହେଲେ … ଏବେ କଣ ହେବ …? ପିଲାଟା ଯେ ନିଖୋଜ ହେଇଗଲା…” ମହାରାଣୀ ତେଜ ସିଂ ବିଷୟରେ ଶୁଣିବା ପରେ ଦୁଃଖ ପ୍ରକାଶ କଲେ । ସଂଯୋଗକୁ .. ସେତିକି ବେଳେ ଚପଳା ସେ ବାଟ ଦେଇ ଯାଉଥିଲା ଆଉ ତେଜ ସିଂ ନିଖୋଜ ହେବା କଥା ତା’ କାନରେ ପଡିଲା । ସେ ଆଉ ସେଠି ନରହି ଚନ୍ଦ୍ରକାନ୍ତାଙ୍କ କକ୍ଷକୁ ଚାଲି ଯାଇ ସେଠି ଗୁମ ମାରି ବସିଗଲା । ରାଜକୁମାରୀ ତାର ଏ ଦଶା ଦେଖି ପଚାରିଲେ-” କଣ ହେଲା…? ଏମିତି ବସିଛୁ ଯେ ? କିଛି କହୁନୁ କାହିଁକି ?” ଚପଳା ଉତ୍ତର ଦେବାକୁ ପାଟି ଖୋଲିବ କଣ ତା’ କଣ୍ଠ ଭରିଗଲା ଆଉ ଆଖିରୁ ଟପଟପ ଲୁହ ଝରି ପଡିଲା । ଏସବୁ ଦେଖି ଚନ୍ଦ୍ରକାନ୍ତା ଆହୁରି ଆଶ୍ଚର୍ଯ୍ୟ ହେଇ ପଚାରିଲା-” ଏ ସଖି.. ତୋର ହେଇଛି କଣ…? ତୁ କାନ୍ଦୁଛୁ କାହଁକି … ? କିଛି ତ କହ …?”
ଶେଷକୁ ଚପଳା ନିଜକୁ ସମ୍ଭାଳି ବହୁତ କଷ୍ଟରେ କହିବାକୁ ଲାଗିଲା-” ସଖି…ମହାରାଜ କହୁଥିବାର ମୁଁ ଶୁଣିଲି…ତେଜ ସିଂଙ୍କୁ ମହାରାଜ ଶିବଦତ୍ତଙ୍କ କ୍ଷୀପ୍ରଚର ବନ୍ଦୀ କରିଛନ୍ତି । ଏବେ କୁମାରଙ୍କର ଏଠାକୁ ଆସିବା ବି କଷ୍ଟକର ହେଇ ପଡିବ କାହିଁକି ନା ତାଙ୍କର ଏକମାତ୍ର ସାହାରା ସେ ହିଁ ଥିଲେ ।” ଏତିକି କହୁ କହୁ ସେ କଇଁ କଇଁ ହେଇ କାନ୍ଦି ପକେଇଲା । ତାର ଏ ଦଶା ଦେଖି ରାଜକୁମାରୀଙ୍କର ବୁଝିବାକୁ ଆଉ ବାକି ରହିଲା ନାହିଁ ଯେ ଚପଳା ମନେ ମନେ ତେଜ ସିଂ କୁ ଭଲ ପାଇ ବସିଛି । ସେ ଏ କଥା ବି ଚିନ୍ତା କଲେ ଚାଲ… ଯାହା ହେଲା ଭଲ ହେଲା.. ଏଥିରେ ତାଙ୍କର ହିଁ ଫାଇଦା । ହେଲେ ତେଜ ସିଂ ଦୁର୍ଦ୍ଦଶା ଆଉ ଚପଳାର ଦଶା ଦେଖି ତାଙ୍କୁ ବଡ଼ ଅବଶୋଷ ହେଲା । ସେ ଚପଳାକୁ କହିଲେ-” ତୁ ଏଠି କାନ୍ଦିଲେ ସେ କଣ ମୁକ୍ତି ପାଇଯିବେ ? ମୁଣ୍ଡରେ ତୋର କିଛି ବୁଦ୍ଧି ଅକଲ ଅଛି କି ନାହିଁ ? ତୁ ଯଦି କିଛି କରି ନପାରୁଛୁ.. ତେବେ କହ ମୁଁ କିଛି କରିବି ?” ଚମ୍ପା ବି ସେଠି ବସି ଦୁହିଁଙ୍କର କଥା ଶୁଣୁଥିଲା । ସେ କହିଲା-” ଯଦି ଆଦେଶ ହେବ , ତେବେ ମୁଁ ତେଜ ସିଂ ଙ୍କୁ ଖୋଜିବାକୁ ବାହାରି ଯିବି…” ଚପଳା କହିଲା-” ଏବେ ତୁ ସେତେ ଯୋଗ୍ୟା ହେଇନୁ …” ଚମ୍ପା କହିଲା-” ତେବେ ମୋର ଆଉ କଣ ଶିଖିବାର ବାକି ଅଛି ? ମୁଁ କଣ କ୍ଷୀପ୍ରଚାରିତା କରି ପାରିବିନି ?” ଚପଳା କହିଲା-“ହଁ.. ତୁ କ୍ଷୀପ୍ରଚାରିତା ତ କରି ପାରିବୁ…କିନ୍ତୁ ସେମାନଙ୍କର ମୁକାବିଲା କରି ପାରିବୁ ନାହିଁ , ଯେଉଁମାନେ ତେଜ ସିଂଙ୍କୁ ବନ୍ଦୀ କରିଛନ୍ତି । ଯଦି ରାଜକୁମାରୀ ମତେ ଆଦେଶ ଦିଅନ୍ତି ତେବେ ମୁଁ ତାଙ୍କୁ ଖୋଜିବାକୁ ବାହାରି ଯିବି ।” ରାଜକୁମାରୀ କହିଲେ-“ଏଥିରେ ଆଦେଶ ଦେବାର କଣ ଅଛି…? ଯଦି ତୋ ଯୋଜନା ସଫଳ ହେଲା ଆଉ ସେ ମୁକ୍ତି ପାଇଲେ ତେବେ ସାରା ଜୀବନ ତୁ ତାଙ୍କ ଆଖିର ତାରା ହେଇ ରହିବୁ । ଆଉ ଡେରି କରନା… ଯେତେ ଶୀଘ୍ର ପାରୁଛୁ ବାହାରି ଯା ।” ଚପଳା ଚମ୍ପାକୁ କହିଲା-“ଦେଖ.. ଚମ୍ପା ମୁଁ ଯାଉଛି.. କିନ୍ତୁ ଏଠି କ୍ଷୀପ୍ରଚରଙ୍କ ମେଳା ଲାଗିଛି … ଏମିତି ନ ହେଉ କି ମୁଁ ଯିବା ପରେ ଏଠି କିଛି ଗଡ଼ବଡ଼ ହେଇଯାଉ… ଛାଡ଼ ଆଉ ଯାହା ହେବ ଦେଖା ଯିବ ହେଲେ ତୁ ରାଜକୁମାରୀଙ୍କୁ ସମ୍ଭାଳିଥିବୁ…ଯଦି ତୋର କିଛି ଭୁଲ ପାଇଁ ରାଜକୁମାରୀଙ୍କ ଉପରେ ବିପତ୍ତି ଆସେ ତେବେ ସାରା ଜୀବନ ମୁଁ ତୋ ମୁହଁ ଚାହିଁବିନି ।” ଚମ୍ପା କହିଲା-” ଏ ସବୁ ବିଷୟରେ ତୁମେ ଜମା ଚିନ୍ତା କରନା… ମୁଁ ସବୁବେଳେ ହୁସିଆର ହେଇ ରହିବି …”
ଚପଳା ନିଜର କ୍ଷୀପ୍ରଚର ଜିନିଷ ଆଉ ତା’ ସହ କିଛି ଦକ୍ଷିଣୀ ଗହଣା ଓ କେତେଗୁଡିଏ ଶାଢ଼ୀ ନେଇ ତେଜ ସିଂ କୁ ଖୋଜିବାକୁ ବାହାରି ଗଲା….
କ୍ରମଶଃ