Chandrakanta: Episode 31

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ପରଦିନ ଦୁହେଁ ବିଜୟଗଡ଼ ଦରବାରରେ ପହଞ୍ଚି ମହାରାଜ ଜୟସିଂ ଙ୍କୁ ଅଭିବାଦନ କରି ନିଜ ଆସନ ଗ୍ରହଣ କଲେ । ମହାରାଜ ତେଜସିଂକୁ ନୌଗଡ଼ର କୁଶଳ ମଙ୍ଗଳ ପଚାରି ବୁଝିଲେ । ଠିକ ଏତିକିବେଳେ ବଦ୍ରୀନାଥ ମହାରାଜ ଶିବଦତ୍ତଙ୍କ ଚିଠି ନେଇ ଦରବାରରେ ହାଜର ହେଲା । ଚିଠିଟିକୁ ସେ ଜୟସିଂଙ୍କ ହାତକୁ ବଢ଼େଇ ପରବର୍ତ୍ତୀ ଆଜ୍ଞାଙ୍କୁ ଅପେକ୍ଷା କରି ରହିଲା । ମହାରାଜ ସେ ଚିଠିକୁ ହରଦୟାଲ ସିଂଙ୍କୁ ପଢିବାକୁ ଦେଲେ । ଚିଠିଟି ପଢୁ ପଢୁ ହରଦୟାଲ ସିଂଙ୍କ ମୁହଁ ରାଗରେ ଲାଲ ପଡିଗଲା । ମହାରାଜ ଓ ତେଜ ସିଂ ତାଙ୍କ ମୁହଁକୁ ଚାହିଁ ବୁଝିଗଲେ ଯେ ଚିଠିରେ କିଛି ଅସୌଜନ୍ୟ କଥା ଲେଖା ଅଛି । ଚିଠି ସମ୍ପୂର୍ଣ୍ଣ ପଢି ସାରିବା ପରେ ହରଦୟାଲ ସିଂ କହିଲେ-” ଚିଠିଟି ଏକାନ୍ତରେ ଶୁଣିବା ଯୋଗ୍ୟ ।” ମହାରାଜ କହିଲେ-“ବଦ୍ରୀନାଥଙ୍କ ରହିବାର ବନ୍ଦୋବସ୍ତ କରି ମନ୍ତ୍ରଣାଳୟରେ ମତେ ଦେଖା କର ଆଉ ସାଥିରେ ତେଜ ସିଂ କୁ ନେଇ ଆସିବ ।”

ମହାରାଜ ଦରବାର ବର୍ଖାସ୍ତ କରି ମନ୍ତ୍ରଣାଳୟକୁ ପ୍ରସ୍ଥାନ କଲେ । ମନ୍ତ୍ରୀ ହରଦୟାଲ ସିଂ ବଦ୍ରୀନାଥର ରହିବା ବନ୍ଦୋବସ୍ତ କରିସାରି ତେଜ ସିଂ ଙ୍କୁ ନେଇ ମହାରାଜଙ୍କୁ ଦେଖା କଲେ । ମହାରାଜ ସେ ଚିଠିକୁ ପଢି ଶୁଣାଇବାକୁ ଆଜ୍ଞା ଦେଲେ । କିନ୍ତୁ ହରଦୟାଲ ସିଂ ଚିଠିଟି ମହାରାଜଙ୍କୁ ଦେଇ କହିଲେ -” କ୍ଷମା କରିବେ ମହାରାଜ… ଚିଠିଟି ପଢି ଶୁଣେଇବା ଯୋଗ୍ୟ ନୁହେଁ.. ଆପଣ ନିଜେ ପଢିଲେ ବରଂ ଭଲ ହେବ ।” ମହାରାଜ ଚିଠିଟି ପଢିବା ପରେ ରାଗି ପାଚି ଲାଲ ହେଇଗଲେ । ଆଉ ଚିଠିଟିକୁ ଚିରି ଟିକଟିକ କରି ଫୋଫାଡ଼ି ଦେଲେ ଆଉ କହିଲେ ସେ ବଦ୍ରୀନାଥକୁ କହି ଦିଅ କି ତା’ ଚିଠିର ଜବାବ ହେଲା ସେ ତୁରନ୍ତ ଏ ସ୍ଥାନ ପରିତ୍ୟାଗ କରୁ । ଏହାପରେ ମହାରାଜ କିଛି ସମୟ ଗୁମ ମାରି ବସିଗଲେ, ତା’ପରେ ରାଗ ଜରଜର କଣ୍ଠରେ କହିଲେ-“ସେ ଦୁଷ୍ଟ କ୍ରୁର ସିଂ ଯେତେବେଳେ ଚୁନାରଗଡ଼ ଗଲା, ସେତେବେଳଠୁଁ ମୁଁ ଭାବି ନେଇଥିଲି କି ସେ ଦିନେ ନା ଦିନେ ନିଶ୍ଚୟ ନିଆଁ ଲଗେଇବ, ସତକୁ ସତ ସେୟା ହିଁ ହେଲା । ହେଲେ ମୁଁ ବଞ୍ଚିଥିବା ଯାଏ ଏ କଥା କେବେ ବି କରେଇ ଦେବିନି … ଆଉ ଆପଣ ମାନେ ବି ପୁରା ପ୍ରସ୍ତୁତ ହେଇ ଯାନ୍ତୁ ।”

ତେଜ ସିଂ ହାତ ଯୋଡି କହିଲା-“ଏଥିରେ ବିଲକୁଲ ସନ୍ଦେହ ନାହିଁ କି ଶିବଦତ୍ତ ଏବେ ନିଶ୍ଚୟ ସେନାବାହିନୀ ନେଇ ଆସିବ । ସେଥିପାଇଁ ଆମେ ଆମର ସେନା ଆଉ ଯୁଦ୍ଧ ସରଞ୍ଜାମ ପ୍ରସ୍ତୁତ କରି ରଖିବା ଆବଶ୍ୟକ । ତା’ ମନୋଭାବ ସେତେବେଳେ ପରିଷ୍କାର ହେଇଯାଇଥିଲା ଯେତେବେଳେ ସେ ଏଠାକୁ କ୍ଷିପ୍ରଚର ପ୍ରେରଣ କରିଥିଲା ।” ମହାରାଜ କହିଲେ-“ମୁଁ ଜାଣିଛି ସେ ଶିବଦତ୍ତ ପାଖରେ ୩୦ ହଜାର ସୈନିକ ଅଛନ୍ତି । ଆଉ ଆମ ପାଖରେ ମାତ୍ର ୧୦ ହଜାର । ତେବେ କଣ ମୁଁ ତା’ ପାଖରେ ଶରଣ ପଶିବି … ? କେବେ ନୁହେଁ ।” ତେଜ ସିଂ କହିଲା-“ବିଜୟଗଡ଼ର ୧୦ ହଜାର ଆଉ ନୌଗଡ଼ର ୫ ହଜାର … ଏମିତିରେ ୧୫ ହଜାର ସୈନିକ ଆମ ପାଖରେ ଅଛନ୍ତି । ଆଉ ସେ ଗଧିଆ ଗୁଡ଼ାଙ୍କୁ ମାରିବା ପାଇଁ ଏଇ ୧୫ ହଜାର ସୈନିକ ଯଥେଷ୍ଟ । ଏବେ ଆପଣ ଏକ ଚିଠି ଲେଖି ମନ୍ତ୍ରୀ ମହାଶୟଙ୍କୁ ମୋ ସହ ନୌଗଡ଼ ପଠାନ୍ତୁ, ମୁଁ ଆମ ରାଜାଙ୍କୁ କହି ସୈନିକ ମାନଙ୍କୁ ନେଇ ଆସିବି… ଆଉ ମହାରାଜଙ୍କୁ ଏକ ଅନୁରୋଧ କରିବି, ସେ କୁମାର ବୀରେନ୍ଦ୍ର ସିଂ ଙ୍କୁ ବି ଡକେଇ ପଠାନ୍ତୁ ଆଉ ତାଙ୍କୁ ସୈନ୍ୟ ବାହିନୀର ଦାୟିତ୍ୱ ନ୍ୟସ୍ତ କରନ୍ତୁ । ତା’ ପରେ ଦେଖନ୍ତୁ କମାଲ ।”

ହରଦୟାଲ ସିଂ କହିଲେ-” ମହାମହିମ..ତେଜ ସିଂ ଙ୍କର ଏ ବିଚାର ସହ ମୁଁ ଏକମତ ।” ମହାରାଜ କହିଲେ-“ସେ କଥା ଠିକ ଯେ… ହେଲେ କୁମାରଙ୍କୁ ଏବେ ଯୁଦ୍ଧ ଦାୟିତ୍ୱ ଦେବାଟା ମୁଁ ଉଚିତ ମନେ କରୁନି । ସେ ଯେତେ ପ୍ରବୀଣ ହେଇଥାନ୍ତୁ ନା କାହିଁକି … ଯେମିତି ସେ ସୁରେନ୍ଦ୍ର ସିଂ ଙ୍କ ପୁଅ ସେପରି ମୋର ବି ପୁଅ । ତା’ ଛଡା ମୁଁ କିପରି ସୁରେନ୍ଦ୍ର ସିଂ କହିପାରବି ଯେ ସେ ତାଙ୍କ ପୁଅକୁ ଯୁଦ୍ଧକୁ ପଠାନ୍ତୁ ବୋଲି ?” ତେଜ ସିଂ କହିଲା-“ମହାରାଜ, ଏ କଥା ବିଲକୁଲ ମନକୁ ଆଣନ୍ତୁ ନାହିଁ । ମହାରାଜ ତେଣେ ଯୁଦ୍ଧ କରିବେ ଆଉ କୁମାର କଣ ଘରେ ଆରାମ କରିବେ ? ତାଙ୍କ ମନ କେବେ ବି ଏକଥା ସ୍ୱୀକାର କରିବ ନାହିଁ । ରାଜା ସୁରେନ୍ଦ୍ର ସିଂ ଭୀରୁ କାପୁରଷ ନୁହନ୍ତି କି ତାଙ୍କୁ ଘର କୋଣରେ ଲୁଚେଇ ରଖିବେ । ହୁଏତ ସେ ନିଜେ ବି ଯୁଦ୍ଧ କ୍ଷେତ୍ରକୁ ଲମ୍ଫ ପ୍ରଦାନ କରି ପାରନ୍ତି ।”

ମହାରାଜ ଜୟସିଂ ତେଜ ସିଂ କଥାରେ ଅତ୍ୟନ୍ତ ପ୍ରୀତ ହେଲେ ଆଉ ମନ୍ତ୍ରୀ ହରଦୟାଲ ସିଂ କୁ ଆଦେଶ ଦେଲେ -” ତୁମେ ରାଜା ସୁରେନ୍ଦ୍ର ସିଂ ଙ୍କୁ ଶିବଦତ୍ତର ଅଭଦ୍ରାମୀ ତଥା ମୋର ତା’ ପ୍ରତି ଜବାବ ଏକ ଚିଠିରେ ଉଲ୍ଲେଖ କରି ତାଙ୍କର ଏଥିରେ କି ମତାମତ ସେକଥା ପଚାର । ତାଙ୍କର ବିଚାର ଜାଣିବା ପରେ ଆମେ ଆଗାମୀ ପଦକ୍ଷେପ ବିଷୟରେ ଚିନ୍ତା କରିବା । ତୁମେ ନିଜେ ଏ ଚିଠି ନେଇ ଏବେ ନୌଗଡ଼ ବାହାରି ଯାଅ ଆଉ କାଲି ସୁଦ୍ଧା ଫେରି ଆସ । ଆମର ଆଉ ଡେରି କରିବାର ଅବକାଶ ନାହିଁ ।” ମହାରାଜଙ୍କ କହିବା ମୁତାବକ ହରଦୟାଲ ସିଂ ଏକ ଚିଠି ଲେଖିଲେ ଆଉ ରାଜମୋହର ଲଗେଇ ସେ ଯଥାଶୀଘ୍ର ନୌଗଡ଼ ପ୍ରସ୍ଥାନ କଲେ । ସେହିଦିନ ଅପରାହ୍ନ ସୁଦ୍ଧା ସେ ନୌଗଡ଼ରେ ପହଞ୍ଚି, ମନ୍ତ୍ରୀ ଜିତ ସିଂ ଙ୍କ ଘରକୁ ଯାଇ ତାଙ୍କୁ ଦେଖା କଲେ । ସ୍ୱାଗତ ସମ୍ଭାଷଣ ପରେ ଯେତେବେଳେ ଜିତ ସିଂ ତାଙ୍କୁ ଆସିବାର କାରଣ ପଚାରିଲେ ସେତେବେଳେ ହରଦୟାଲ ସିଂ ତାଙ୍କୁ ସବୁ କଥା ବିସ୍ତାର ଭାବେ କହିବାକୁ ଲାଗିଲେ । ଏକଥା ଶୁଣି ଜିତ ସିଂ ଅତି କ୍ରୋଧିତ ହେଇ କହିଲେ-” ଆଜିକାଲି ସେ ଶିବଦତ୍ତର ମୁଣ୍ଡ ବୋଧେ କାମ କରୁନି … ଆମକୁ ସେ ବୋଧେ ମାମୁଲି ମନେ କରୁଛି । ଛାଡ଼…ଦେଖା ଯିବ … ଆଜି ସନ୍ଧ୍ୟାରେ ତୁମେ ଯାଇ ରାଜାଙ୍କୁ ଦେଖା କର ।”

ସନ୍ଧ୍ୟା ଉପରାନ୍ତେ ହରଦୟାଲ ସିଂ ଓ ଜିତ ସିଂ ରାଜା ସୁରେନ୍ଦ୍ର ସିଂ ଙ୍କୁ ଭେଟିଲେ । ସେଠି କୁମାର ବୀରେନ୍ଦ୍ର ସିଂ ବି ଉପସ୍ଥିତ ଥିଲେ । ରାଜା ତାଙ୍କୁ ବସିବା ପାଇଁ ନିର୍ଦ୍ଦେଶ ଦେଲେ ଆଉ ହାଲଚାଲ ପଚାରି ବୁଝିଲେ । ସେ ରାଜାଙ୍କୁ ଜୟସିଂଙ୍କ ଚିଠି ବଢ଼େଇ ଦେଲେ ଯାହାକୁ ରାଜା ନିଜେ ପଢିଲେ । ଚିଠି ପଢି କ୍ରୋଧରେ ତାଙ୍କର ସର୍ବାଙ୍ଗ ପ୍ରକମ୍ପିତ ହେଲା ଆଉ ପାଟିରୁ ଗୋଟିଏ ବି ଶବ୍ଦ ବାହାରିଲା ନାହିଁ । କିଛି ସମୟ ପରେ ଚିଠିଟିକୁ ସେ କୁମାରଙ୍କ ହାତକୁ ବଢ଼େଇ ଦେଲେ । କୁମାର ସେ ଚିଠି ପଢିବା ପରେ ତାଙ୍କର ଅବସ୍ଥା ବି ରାଜାଙ୍କ ପରି ହେଲା । କ୍ରୋଧରେ ତାଙ୍କ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା । କିଛି ସମୟ ପରେ ଟିକେ ଶାନ୍ତ ହେଇ ମହାରାଜଙ୍କୁ ନିବେଦନ କଲେ -” ମୁଁ ଲଢେଇ ପାଇଁ ଅତ୍ୟନ୍ତ ଆଗ୍ରହୀ … ଏଇଟା ବି ଆମର ଧର୍ମ । ଏବେ ଆମକୁ ମୌକା ମିଳିଛି … ଜାଣିନି ଏପରି ମୌକା ଆଗକୁ ଆସିବ କି ନାହିଁ । ତେଣୁ ମୁଁ ନିବେଦନ କରୁଛି ମତେ ଅନୁମତି ଦିଆଯାଉ କି ମୁଁ ନୌଗଡ଼ ସେନା ନେଇ ସେ ଶିବଦତ୍ତ ବିଜୟଗଡ଼ ଆକ୍ରମଣ କରିବା ଆଗରୁ ତାକୁ ବନ୍ଦୀ କରି ଆଣିବି ।”

ରାଜା ସୁରେନ୍ଦ୍ର ସିଂ କହିଲେ-” ଏତେ ବ୍ୟସ୍ତ ବିବ୍ରତ ହେବା ଆବଶ୍ୟକ ନାହିଁ । ତୁମେ ଏବେ ବିଜୟଗଡ଼ ଯାଅ … କ୍ଷତ୍ରିୟର ଧର୍ମ ହେଲା ଯୁଦ୍ଧ କରିବା… ଯୁଦ୍ଧ ଆଗରେ ତାର ବାପ, ପୁଅ , ଭାଇ , ଭଣଜା କିଛି ପ୍ରିୟ ନୁହେଁ । ସେଥିପାଇଁ ମୁଁ ପୁତ୍ର ପ୍ରେମ ପରିହାର କରି ତୁମକୁ ଯୁଦ୍ଧ କରିବାକୁ ନିର୍ଦ୍ଦେଶ ଦେଉଛି । ତୁମେ ଆମର ସମସ୍ତ ସେନା ନେଇ ମହାରାଜ ଜୟସିଂଙ୍କୁ ସାହାଯ୍ୟ କରିବାକୁ ଚାଲିଯାଅ ଆଉ ଯୁଦ୍ଧରେ ଜିତି ନିଜ ବଂଶର ମର୍ଯ୍ୟାଦା ରଖ ।” ତା’ ପରେ ସେ ଜିତ ସିଂଙ୍କୁ ଆଦେଶ ଦେଇ କହିଲେ -” ସେନାବାହିନୀକୁ ଜଣେଇ ଦିଅ କି ସେମାନେ ରାତାରାତି ପ୍ରସ୍ତୁତ ହେଇ ସକାଳୁ କୁମାରଙ୍କ ସହ ବିଜୟଗଡ଼ ପ୍ରସ୍ଥାନ କରିବେ ।” ପୁଣି ସେ ହରଦୟାଲଙ୍କୁ କହିଲେ-” ତୁମେ ଆଜି ରାତିରେ ଏଠି ବିଶ୍ରାମ କର । ସକାଳେ ଆମ ସେନା ଆଉ କୁମାରଙ୍କୁ ନେଇ ଚାଲିଯିବ ।” ଏସବୁ ଆଦେଶ ଦେଇ ସାରି ସେ ଅନ୍ତପୁରକୁ ଚାଲିଗଲେ । ଜିତ ସିଂ ହରଦୟାଲ ସିଂ ଙ୍କୁ ନେଇ ନିଜ ଘରକୁ ଗଲେ ଆଉ କୁମାର ନିଜ କକ୍ଷକୁ ଯାଇ ଯୁଦ୍ଧ ସରଞ୍ଜାମ ପ୍ରସ୍ତୁତ କରିବାକୁ ଲାଗିଲେ । ଚନ୍ଦ୍ରକାନ୍ତାଙ୍କୁ ଦେଖିବା ତଥା ଲଢେଇ କରିବା ଖୁସିରେ ରାତି କେତେବେଳେ ଯେ ବିତିଗଲା ସେ ଜାଣି ପାରିଲେ ନାହିଁ ।

କ୍ରମଶଃ

Please follow and like us:
0
20
Pin Share20