ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଏତିକିରେ କୁମାରଙ୍କ ପଟୁଆର ମହଲ ପାଖରେ ପହଞ୍ଚି ଗଲା । ମହାରାଜ ଆଉ ରହି ପାରିଲେନି, ଓହ୍ଲାଇ ଆସିଲେ ତଳକୁ । କୁମାର ମହଲ ଭିତରେ ପାଦ ଦେଉ ଦେଉ ମହାରାଜ ତାଙ୍କ ପାଖରେ ପହଞ୍ଚିଗଲେ । ତାଙ୍କୁ ଦେଖି କୁମାର ପାଦ ଛୁଇଁ ପ୍ରଣାମ କଲେ । ମହାରାଜ ଅତ୍ୟନ୍ତ ଖୁସି ମନରେ କୁମାରଙ୍କୁ ପାଦତଳୁ ଉଠାଇ ନିଜ ଛାତିରେ ଭିଡି ଧରିଲେ । ତା’ ପରେ ତାଙ୍କୁ ନେଇ ରାଣୀ ମହଲକୁ ଗମନ କଲେ । ମହାରାଣୀ ସେମାନଙ୍କୁ ଆସୁଥିବାର ଦେଖି ସ୍ୱାଗତ ପାଇଁ ଆଗକୁ ବଢି ଆସିଲେ । କୁମାର ମହାରାଣୀଙ୍କର ବି ପାଦ ଛୁଇଁ ପ୍ରଣାମ କଲେ । ଆନନ୍ଦରେ ମହାରାଣୀଙ୍କର ଆଖିରେ ଅଶ୍ରୁ ଭରିଗଲା । ସେ ବଡ଼ ଖୁସିରେ କୁମାରଙ୍କୁ ବସିବାକୁ କହିଲେ । ବସିଗଲେ କୁମାର ତତ୍ସହିତ ମହାରାଜ ଆଉ ମହାରାଣୀ ବି । ମହାରାଜଙ୍କ ବାମପାର୍ଶ୍ୱରେ ମହାରାଣୀ ଆଉ ଦକ୍ଷିଣ ପାର୍ଶ୍ୱରେ କୁମାର ବସିଥିଲେ ଆଉ ସେମାନଙ୍କୁ ଘେରି ରହିଥିଲେ ମହଲର ଦାସୀ ପରିବାରୀ । ସେମାନେ ଭଲ ଗହଣା ଓ ଶାଢ଼ୀ ପିନ୍ଧି କୁମାରଙ୍କ ପରିଚର୍ଚ୍ଚାରେ ଲାଗିଥିଲେ । କୁମାରଙ୍କ ଅର୍ଦ୍ଧନିମ୍ମିଳିତ ଆଖି ସେ ଦାସୀ ମାନଙ୍କ ଉପରେ ଘୁରି ବୁଲୁଥିଲା ଯେପରି ସେ ମନେ ମନେ କାହାକୁ ଖୋଜୁଥିଲେ । ହେଲେ ସେ ଜଣକ ତାଙ୍କୁ କବାଟ ଉହାଡ଼ରେ ରହି ଦେଖୁଥିଲେ ସୁଦ୍ଧା ପାଖକୁ ଆସିବାକୁ ଡରୁଥିଲେ। କୁମାର ସେଠାରେ କିଛି ସମୟ ବିତେଇବା ପରେ ମହାରାଜ ତାଙ୍କୁ ନେଇ ଅତିଥିଭବନକୁ ଆସିଲେ । ସେହି ଅତିଥିଭବନର ଏକ ସୁନ୍ଦର କକ୍ଷକୁ କୁମାରଙ୍କ ପାଇଁ ଉନ୍ମୁକ୍ତ କରି ଦେଲେ । ମହାରାଜ ସେଠାରୁ ଚାଲିଯିବା ପରେ କୁମାର ସେ କକ୍ଷରେ ବିଶ୍ରାମ ନେଲେ । ସେଇ ସମୟରେ ତେଜ ସିଂ ଆସି ପହଞ୍ଚିଗଲା । ସେ ବି କିଛି ସମୟ ବାର୍ତ୍ତାଳାପ କରି ଚାଲିଗଲା । ଏତେ ସବୁ ଘଟଣା ଭିତରେ କୁମାରଙ୍କ ମନଟା କିନ୍ତୁ ଚନ୍ଦ୍ରକାନ୍ତାଙ୍କୁ ଝୁରୁଥିଲା । ହେଲେ ମହଲ ଭିତରେ ତାଙ୍କର ଦେଖା ନପାଇ ମନଟା ଉଦାସ ହେଇଗଲା । ସେ କିପରି ଭାବେ ଚନ୍ଦ୍ରକାନ୍ତାଙ୍କୁ ଭେଟିବେ ଏ କଥା ଚିନ୍ତା କରୁ କରୁ ନିଦ ଆସିଗଲା ।
ସକାଳେ ଦରବାର ବସିଲା ପରେ, କୁମାର ବୀରେନ୍ଦ୍ର ସିଂ ନିଜର ନିତ୍ୟକର୍ମ ସାରି ଦରବାରୀ ପୋଷାକ ପିନ୍ଧି ତେଜ ସିଂ ସହ ଦରବାରରେ ପହଞ୍ଚିଲେ । ମହାରାଜ ନିଜ ସିଂହାସନ ପାଖରେ ଏକ ଉତ୍ତମ କାରୁକାର୍ଯ୍ୟ ପୂର୍ଣ୍ଣ ଆସନରେ କୁମାରଙ୍କୁ ବସେଇଲେ । ହରଦୟାଲ ସିଂ ରାଜା ସୁରେନ୍ଦ୍ର ସିଂଙ୍କ ଚିଠି ପଢି ସମସ୍ତଙ୍କୁ ଶୁଣାଇଦେଲେ । ଚିଠି ଶୁଣିବା ପରେ ମହାରାଜ ଅତ୍ୟନ୍ତ ପ୍ରସନ୍ନ ହେଲେ । ଆଉ ମନ୍ତ୍ରୀ ମହାଶୟଙ୍କୁ ଆଦେଶ ଦେଇ କହିଲେ-” କୁମାରଙ୍କ ସେନା ପାଇଁ ଆମ ତରଫରୁ ସବୁ ଜରୁରୀ ରାସଣ ଉପଲବ୍ଦ୍ଧ କରାଯାଉ । ଯେମିତି ସେମାନଙ୍କର କୌଣସି ଅସୁବିଧା ନହୁଏ ସେ ଧ୍ୟାନ ରଖାଯାଉ ।” କୁମାର କହିଲେ-“ଏସବୁର କୌଣସି ଆବଶ୍ୟକତା ନାହିଁ … ସବୁ ଆବଶ୍ୟକ ରାସଣ ଆମେ ସାଥିରେ ଧରି ଆସିଛୁ ।” ମହାରାଜ କହିଲେ-” ତୁମେ କଣ ଆମକୁ ପର ବୋଲି ଭାବୁଛ ? ରାସଣ ଅଛି ତ କଣ ହେଲା …? ସେଗୁଡିକ ଦରକାର ବେଳେ କର୍ମରେ ଆସିବ … ବର୍ତ୍ତମାନ ପାଇଁ ଆମ ତରଫରୁ ସବୁ କିଛି ଯୋଗାଇ ଦିଆଯିବ । ଆଜିଠାରୁ ଆମର ସେନାବାହିନୀକୁ ବି ତୁମ ହସ୍ତରେ ଅର୍ପଣ କରାଗଲା । ତୁମେ ଯେମିତି ଚାହିଁବ ସେମାନଙ୍କୁ ବ୍ୟବହାର କରି ପାରିବ ।” କୁମାର ତେଜ ସିଂଙ୍କ ଆଡେ ଚାହିଁ କହିଲେ-” ତୁମେ ଯାଅ… ମୋ ସେନାଙ୍କୁ ଦୁଇ ଭାଗ କରି ଦୁଇ ଦୁଇ ହଜାର ବିଜୟଗଡ଼ର ଦୁଇ ପଟେ ମୃତୟନ କରି ଦିଅ ଆଉ ଅବଶିଷ୍ଟ ଏକ ହଜାରକୁ ଦଶ ଭାଗ କରି ପାଞ୍ଚ କୋଶ ଯାଏ ଏଠି ସେଠି ଜଗେଇ ଦେଇ ଡେରା ଇତ୍ୟାଦିର ସୁବନ୍ଦୋବସ୍ତ କରିଦିଅ । ମୋର ସବୁ ଗୁପ୍ତଚର ମାନଙ୍କୁ ଚାରି ଆଡ଼କୁ ପଠେଇ ଦିଅ । ଆଉ ମହାରାଜଙ୍କ ସେନାଙ୍କ ସ୍ଥିତି ପରଖିବା ପରେ ଯାହା ଉଚିତ ଲାଗିବ କାଲିରେ ବନ୍ଦୋବସ୍ତ ହେଇଯିବ ।” ତେଜ ସିଂ ଆଦେଶ ପାଇଲା ପରେ ତୁରନ୍ତ ସେଠାରୁ ପ୍ରତ୍ୟାବର୍ତ୍ତନ କଲା ।
ପରଦିନ ମହାରାଜ ଜୟସିଂ ଓ କୁମାର ଦୁହେଁ ଏକ ହାତୀ ପିଠିରେ ସବାର ହେଇ ସେନାଙ୍କୁ ନିରୀକ୍ଷଣ କରିବାକୁ ବାହାରିଲେ । ହରଦୟାଲ ସିଂ ସେନାରୁ ମୁସଲମାନଙ୍କ ସଂଖ୍ୟା ବହୁତ କମ କରି ରଖିଥିଲେ । ତଥାପି ହଜାର ସରିକି ମୁସଲମାନ ରହି ଯାଇଥିଲେ । ସେନାଙ୍କୁ ନିରୀକ୍ଷଣ କରି ସାରିବା ପରେ କୁମାର ବହୁତ ଖୁସି ହେଲେ ବି ମୁସଲମାନଙ୍କୁ ଦେଖି ଟିକେ ଚିନ୍ତାରେ ପଡିଗଲେ । ମହାରାଜ କୁମାରଙ୍କ ମନୋଭାବକୁ ପଢ଼ିନେଇ ଧୀରେ ତାଙ୍କୁ ପଚାରିଲେ-“ଏମାନଙ୍କୁ ବିଦା କରିଦେବା କି ?” କୁମାର କହିଲେ-“ନା… ଏମାନଙ୍କୁ ଏବେ ବିଦା କଲେ ଏମାନେ ସିଧା ଯାଇ ଶତ୍ରୁପକ୍ଷରେ ମିଶିଯିବେ ଯେଉଁଟାକି ଆମ ପାଇଁ ଘାତକ ସାବ୍ୟସ୍ତ ହେବ । ମୋ ବିଚାରରେ ଏମାନଙ୍କୁ ଅଗ୍ରିମ ମୋର୍ଚ୍ଚାରେ ରଖାଯାଉ । ଆଉ ତାଙ୍କ ପଛରେ ତୋପବାହିନୀ ଓ ଅଳ୍ପ ସଂଖ୍ୟକ ସୈନ୍ୟ ରଖାଯାଉ । ଯେତେବେଳେ ଏମାନଙ୍କ ଖରାପ ଗତିବିଧି କିମ୍ବା ଛତ୍ରଭଙ୍ଗ ଦେବାର ଦେଖିବା ତେବେ ସମସ୍ତଙ୍କୁ ତୋପମାରି ଉଡେଇ ଦେବା । ହୁଏତ ଏଇ ଡର ରହିଲେ ସେମାନେ ଖୁବ ଲଢେଇ କରିବେ କାହିଁକି ନା ଖାଲିଟାରେ ମରିବା ଅପେକ୍ଷା ଲଢ଼ି କରି ସହିଦ ହେବାକୁ ସେମାନେ ପସନ୍ଦ କରିବେ ।” କୁମାରଙ୍କ ବିଚାର ମହାରାଜଙ୍କୁ ଖୁବ ପସନ୍ଦ ଆସିଲା ଆଉ ସେ ମନେ ମନେ ତାଙ୍କ ବୁଦ୍ଧିର ଖୁବ ପ୍ରଶଂସା କଲେ ।
ନିରୀକ୍ଷଣ କରି ଫେରିଲା ବେଳକୁ କୁମାର ମହାରାଜଙ୍କୁ କହିଲେ-“ଆଜି ମୋର ଶିକାର କରିବାକୁ ମନ ହେଉଛି, ଆଜ୍ଞା ହେଲେ ମୁଁ ଯିବି ।” ମହାରାଜ କହିଲେ-“ଠିକ ଅଛି… ହେଲେ ବେଶି ଦୁରକୁ ଯିବନି ଆଉ ଦିନ ଥାଉ ଥାଉ ଫେରି ଆସିବ ।” ଏତକ କହିସାରି ସେ ହାତୀକୁ ବସିବାକୁ ନିର୍ଦ୍ଦେଶ ଦେଲେ । ହାତୀ ପିଠିରୁ ଓହ୍ଲାଇ କୁମାର ଏକ ଅଶ୍ୱ ଉପରେ ସବାର ହେଇଗଲେ । ମହାରାଜଙ୍କ ନିର୍ଦ୍ଦେଶରେ ହରଦୟାଲ ସିଂ ଶହେ ଅଶ୍ଵାରୋହୀ ତାଙ୍କ ସହ ଯିବା ପାଇଁ ବନ୍ଦୋବସ୍ତ କରିଦେଲେ । କୁମାର ଶିକାରକୁ ପ୍ରସ୍ଥାନ କରିଗଲେ । କିଛି ସମୟ ଉପରାନ୍ତେ ସେ ଏକ ଘନ ଜଙ୍ଗଲରେ ପ୍ରବେଶ କଲେ । ସେଠାରେ ତୀର ମାରି ଦୁଇଟି ସମ୍ବର ଶିକାର କରି ତାକୁ ଖୋଜୁ ଖୋଜୁ ତେଜ ସିଂକୁ ଦେଖିବାକୁ ପାଇଲେ । କୁମାର ପଚାରିଲେ-“କଣ ସବୁ ବନ୍ଦୋବସ୍ତ ସରିଗଲା ? ଏଠିକି ଚାଲି ଆସିଲ ଯେ ?” ତେଜ ସିଂ କହିଲା-” ସବୁ କଣ ଆଜି ହେଇଯିବ ? କିଛିଟା ଆଜି ହେବ ଆଉ କିଛି କାଲି ହେବ । ମୋ ମନରେ ଆସିଲା କି ଅନେକ ଦିନ ହେଲା ସେ ଗୁମ୍ଫାକୁ ଯାଇନି ଯେଉଁଠି ଅହମଦ ବନ୍ଦୀ ଅଛି । ତେଣୁ ସେଠାକୁ ଯାଇ ସେଠାକାର ସ୍ଥିତି ପରଖି ନେବାକୁ ପଡିବ । ଯଦି ଆପଣ ମୋ ସହ ଚାଲନ୍ତେ ତେବେ ବହୁତ ଭଲ ହୁଅନ୍ତା ।”
-“ହଁ.. ମୁଁ ଯିବି …” କହି ଅଶ୍ୱକୁ ସେହି ଆଡେ ମୋଡି ଦେଲେ । ତେଜ ସିଂ ସେ ଅଶ୍ୱ ସହ ଚାଲିଲା । ଅନ୍ୟ ସମସ୍ତ ଅଶ୍ଵାରୋହୀଙ୍କୁ ମହଲକୁ ଫେରିଯିବା ପାଇଁ ଆଦେଶ ଦେଲେ ଆଉ ସାଥିରେ ସେ ଶିକାର ଦୁଇଟିକୁ ନେଇଯିବାକୁ ବି କହିଲେ । କିଛି ସମୟ ପରେ ସେମାନେ ସେଇ ଗୁମ୍ଫାର ଦ୍ୱାର ପାଖରେ ପହଞ୍ଚି ଗଲେ । କୁମାର ଅଶ୍ୱପୃଷ୍ଠରୁ ଓହ୍ଲାଇ ପଡିବା ପରେ ତେଜ ତାଙ୍କୁ କହିଲା-” ଆପଣଙ୍କର ଦ୍ୱାର ଖୋଲିବା କୌଶଳ ମନେ ଅଛି କି ନାହିଁ ?” କୁମାର କହିଲେ-“ହଁ ମନେ କାହିଁକି ରହିବନି …ଏଥିରେ କେଉଁ କାରିଗରୀ ଅଛି ଯେ ?” ଏତକ କହି ସେ ଆଗକୁ ବଢି ଯାଇ ସିଂହର ମୁଖ ଭିତରେ ହାତ ପୁରାଇ ତା’ ଜିଭକୁ ଟାଣି ଆଣିଲେ … ଦ୍ୱାର ଖୋଲିଗଲା । ତେଜ ସିଂ କହିଲା-” ବାଃ… ଠିକ ମନେ ଅଛି ।” କୁମାର କହିଲେ-” ଏଇଟା କଣ ଭୁଲିବାର କଥା ?” ଦୁହେଁ ଗୁମ୍ଫା ଭିତରକୁ ଗଲେ ଆଉ ଚଲାବୁଲା କରୁ କରୁ ଝରଣା ପାଖରେ ଯାଇ ପହଞ୍ଚିଲେ । ଦେଖିଲେ ଅହମଦ ଓ ଭଗବାନ ଦତ୍ତ ସେଠି ବସି ବାର୍ତ୍ତାଳାପ କରୁଛନ୍ତି । ତାଙ୍କ ପାଦରେ ବେଡି ପଡିଛି । ସେମାନେ କୁମାରଙ୍କୁ ଦେଖି ଉଠି ଠିଆ ହେଲେ ଆଉ ମୁଣ୍ଡ ନୁଆଇଁ ଅଭିବାଦନ କଲେ । କହିଲେ-” ଏବେ ଆମକୁ କ୍ଷମା କରି ଦିଆଯାଉ ।” କୁମାର କହିଲେ-” ଆଉ କିଛି ଦିନ ଅପେକ୍ଷା କର ।”
କ୍ରମଶଃ