ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ବେଳ ରତ ରତ । ସନ୍ଧ୍ୟା ଆଗତ ପ୍ରାୟ । ଆକାଶ ବକ୍ଷକୁ ଭେଦ କରି ଦଣ୍ଡାୟମାନ ପର୍ବତର ଶିଖର ଦେଶରେ ସୂର୍ଯ୍ୟଦେବ ଅସ୍ତ ହେବାକୁ ଉଦ୍ୟମ ରତ । ସେଇ ପର୍ବତର ପାଦ ଦେଶରେ ଦୁଇ ଜଣ ଯୁବକ ଏକ ଅକର୍ମା ଶିଳା ଉପରେ ବସି ବାର୍ତ୍ତାଳାପ କରୁଥାନ୍ତି । ପାଖରେ ଥିବା ଏକ ବୃକ୍ଷରେ ଅଶ୍ୱଟିଏ ବନ୍ଧା ହେଇଥାଏ । ଦୁଇଜଣଙ୍କ ଭିତରୁ ଜଣକ ଦେହରେ ଥାଏ ଖୁବ ଦାମୀ ପାଷାକ, ଅଣ୍ଟାରେ ଖଡ୍ଗ ଆଉ ମଥାରେ ପଗଡି । ତେଜୋଦୀପ୍ତ ମୁଖ ମଣ୍ଡଳ ତାଙ୍କର କୌଣସି କାରଣରୁ ଝାଉଁଳି ପଡିଥାଏ । କୌଣସି ବିଷୟ ନେଇ ସେ ଖୁବ ଚିନ୍ତିତ ଥିଲା ପରି ବୋଧ ହେଉଥାନ୍ତି ।
ସେ ଜଣକ ଆଉ କେହି ନୁହନ୍ତି … ନାଁ ତାଙ୍କର ବୀରେନ୍ଦ୍ର ସିଂ… ବୟସ ପାଖାପାଖି ୨୧ ବର୍ଷ । ସେ ନୌଗଡ଼ର ରାଜା ସୁରେନ୍ଦ୍ର ସିଂ ଙ୍କ ଏକମାତ୍ର ସନ୍ତାନ…ମାନେ ଏକୋଇର ବଳା ବିସିକେଶନ । ଅନ୍ୟ ଯୁବକ ଜଣକ ସେଇ ଏକା ବୟସର । ନାଁ..ତେଜ ସିଂ ।ସେ ସୁରେନ୍ଦ୍ର ସିଂଙ୍କ ଅମାତ୍ ଜିତ ସିଂଙ୍କ ପୁଅ ତଥା ରାଜକୁମାର ବୀରେନ୍ଦ୍ର ସିଂଙ୍କ ବାଲ୍ୟ ସାଥି । ଖୁବ ଚାଲାକ ଆଉ ଫୁର୍ତ୍ତିଲା । ଅଣ୍ଟାରେ ସାମାନ୍ୟ ଛୁରୀକା ବାନ୍ଧି କାନ୍ଧରେ ଏକ ଥଳି ଓହଳାଇ ହାତରେ ଏକ ରଜ୍ଜୁ ଧରି ଖୁବ ସନ୍ତର୍ପଣରେ ଚାରି ଆଡେ ନଜର ବୁଲାଇବୀରେନ୍ଦ୍ର ସିଂ ସହ କଥା ହେଉଥାଏ ।
ରାଜକୁମାର -” ଭାଇ ତେଜ ସିଂ… ଏ ପ୍ରେମ ବଡ଼ ଅଜବ ଜିନିଷ । ଏହା ପାଇଁ ମଣିଷକୁ କଣ କଣ କରିବାକୁ ନପଡେ଼ ସତେ ? ମୁଁ କଣ କହିବାକୁ ଚାହୁଁଛି ତମେ ବୁଝି ପାରୁଛ ନା ?”
ତେଜ-“ମୁଁ ସବୁ ବୁଝିଛି କୁମାର … ହେଲେ ଏବେ କଣ କରାଯିବ ସେକଥା କୁହନ୍ତୁ ?”
ରାଜକୁମାର-“ଭଲା ମଣିଷ ଚନ୍ଦ୍ରକାନ୍ତାଙ୍କ ପ୍ରେମରେ ପଡିଲା… ଶୟନେ ସପନେ ଜାଗରଣେ ସବୁବେଳେ ତାଙ୍କରି ଛବି ମନକୁ ଆଚ୍ଛନ୍ନ କରି ରଖିଛି । ଏମିତି ଦଣ୍ଡେ ଘଡି ସମୟ ନାହିଁ ଯେତେବେଳେ ତାଙ୍କ କଥା ମନେ ପଡୁନି । ମନ ଚାହୁଁଛି ତାଙ୍କୁ ସବୁବେଳେ ପାଖରେ ରଖିବାକୁ, ହେଲେ ଦଇବ ଦୁର୍ଯୋଗ …କେତେ ଆଉ କଷ୍ଟ ଭୋଗିବାକୁ ହେବ କେଜାଣି ?”
ତେଜ-“ଧୈର୍ଯ୍ୟ ଧରନ୍ତୁ କୁମାର… ସବୁ କିଛି ଠିକ ହେଇଯିବ …”
ରାଜକୁମାର-“କଣ ଆଉ ଠିକ ହେବ..? ଅନେକ ଥର ତମେ ମୋ ଚିଠି ରାଜକୁମାରୀ ଚନ୍ଦ୍ରକାନ୍ତାଙ୍କ ପାଖରେ ପହଞ୍ଚାଇ ତାଙ୍କ ଚିଠି ମୋ ପାଖକୁ ଆଣିଛ । ଏଥିରୁ ବୁଝା ପଡୁଛି ମୁଁ ତାଙ୍କୁ ଯେତିକି ଭଲ ପାଉଛି, ସେ ବି ମତେ ସେତିକି ଭଲ ପାଉଛନ୍ତି । ମୋ ରାଜ୍ୟ ଆଉ ତାଙ୍କ ରାଜ୍ୟ ଭିତରେ ଦୂରତା ମାତ୍ର ୫ କ୍ରୋଶ । କିନ୍ତୁ ଏତେ କମ ଦୂରତା ଥାଇ କି ବି ଆମେ କିଛି କରି ପାରୁ ନାହେଁ । କେତେ ଦିନ ଆଉ ମୋ ମନକୁ ବୁଝେଇ ଚାଲିଥିବି । ଚନ୍ଦ୍ରକାନ୍ତାଙ୍କର ଟିକିଏ ଦର୍ଶନ ପାଇଁ କେତେ ଆଉ ଅପେକ୍ଷା କରିବି ? ଏଇ ଦେଖ ସେ ଏ ଚିଠିରେ ଲେଖିଛନ୍ତି ଯେତେ ଶୀଘ୍ର ପାର ମତେ ଦେଖା କର । କଣ କରିବି କିଛି ବୁଝି ପାରୁନି ।”
ତେଜ-“ମୁଁ ଆପଣଙ୍କ କଷ୍ଟ ବୁଝି ପାରୁଛି । ମୁଁ ଚାହିଁଲେ ଆପଣଙ୍କୁ ସେଠାକୁ ନେଇ ଯାଇ ପାରିବି । କିନ୍ତୁ ଏବେ ଚନ୍ଦ୍ରକାନ୍ତାଙ୍କ ବାପା ମହାରାଜ ଜୟ ସିଂ ତାଙ୍କ ମହଲ ଚାରିପଟେ କଡା ପ୍ରହରାର ବ୍ୟବସ୍ଥା କରିଛନ୍ତି । ଆଉ ଏମିତି ବି ତାଙ୍କ ମନ୍ତ୍ରୀଙ୍କ ପୁଅ କ୍ରୁର ସିଂ ଚନ୍ଦ୍ରକାନ୍ତାଙ୍କ ପାଇଁ ପାଗଳ । ସେ ତାଙ୍କର ଦୁଇ କ୍ଷୀପ୍ରଚର ( ମୁଁ ଯାହାକୁ କ୍ଷିପ୍ରଚର ବୋଲି ସମ୍ବୋଧନ କରୁଛି, ମୂଳ ହିନ୍ଦୀ ଉପନ୍ୟାସରେ ଏମାନଙ୍କୁ ଅୟାର ବୋଲି କୁହାଯାଇଛି , ଯେଉଁମାନେ ସବୁ ବିଷୟରେ ପାରଙ୍ଗମ… ଯେପରିକି କ୍ଷିପ୍ର ଗତିରେ ଦୌଡିବା, ତୁରନ୍ତ ବେଶ ବଦଳାଇବା, ନାଚିବା, ଗାଇବା, ବାଜା ବଜେଇବା ଇତ୍ୟାଦି ଇତ୍ୟାଦି, ସେମାନେ କିଛି କିଛି ଯାଦୁ ବିଦ୍ୟା ବି ଜାଣିଥାନ୍ତି ) ନାଜିମ ଅଲ୍ଲୀ ଆଉ ଅହମଦ ଖାଁଙ୍କୁ ହୁକୁମ ଦେଇ ରଖିଛନ୍ତି କି ସେମାନେ ସବୁବେଳେ ମହଲ ଉପରେ କଡା ଦୃଷ୍ଟି ରଖିବେ କାହିଁକି ନା କ୍ରୁର ସିଂ, ଆପଣଙ୍କ ଆଉ ଚନ୍ଦ୍ରକାନ୍ତାଙ୍କ ପ୍ରେମ ବିଷୟରେ ଅବଗତ ହେଇ ସାରିଛି । ଯଦିଓ ଚନ୍ଦ୍ରକାନ୍ତା ତାକୁ ଘୃଣା କରେ ଆଉ ମହାରାଜା ଜୟ ସିଂ ତା’ ସହ ନିଜ ଝିଅର ବାହାଘର ପାଇଁ ରାଜି ନୁହନ୍ତି ତଥାପି ସେ ଆଶା ବାନ୍ଧି ବସିଛି କାଳେ ତା’ ସ୍ୱପ୍ନ ଦିନେ ସତ ହେଇ ଯିବ । ତେଣୁ ସେ ନିଜ ପିତାଙ୍କ ଜରିଆରେ ମହାରାଜାଙ୍କୁ ଆପଣଙ୍କ ପ୍ରେମ ବିଷୟରେ ସତ ମିଛ କହି ମହଲର ସୁରକ୍ଷା ବଢ଼େଇ ଦେଇଛି । ମୋ ମତରେ ଏବେ ଆପଣଙ୍କ ସେଠାକୁ ଯିବା ଉଚିତ ହେବନି ।
ଯେ ପର୍ଯ୍ୟନ୍ତ ମୁଁ ସେ ଷଡ଼ଯନ୍ତ୍ର କାରୀଙ୍କୁ ନିଜ କବ୍ଜାକୁ ନ ଆଣିଛି ସେ ଯାଏ ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ହେବ । ମୁଁ ଏବେ ପୁଣି ବିଜୟଗଡ଼ ପ୍ରତ୍ୟାବର୍ତ୍ତନ କରିବି । ଆଉ ସେଠି ଚପଳା ସହ ଦେଖା କରିବି । କାହିଁକି ନା ଚପଳା ଜଣେ କ୍ଷିପ୍ରଚାରିକା ଆଉ ଚନ୍ଦ୍ରକାନ୍ତାଙ୍କର ପ୍ରିୟ ସଖି । ଚପଳାକୁ ଛାଡି ଦେଲେ ମତେ ସେଠି ସାହାଯ୍ୟ କଲାଵାଲା ଆଉ କେହି ନାହାନ୍ତି । ଯେ ପର୍ଯ୍ୟନ୍ତ ମୁଁ ଆମ ଶତ୍ରୁପକ୍ଷଙ୍କର ଗୁପ୍ତ ଯୋଜନା ବିଷୟରେ ଅବଗତ ହେଇ ନାହିଁ ସେ ଯାଏ ମୁଁ ଆପଣଙ୍କୁ ସେଠାକୁ ଯିବା ନ ଯିବା ବିଷୟରେ ରାୟ ଦେଇ ପାରିବି ନାହିଁ । ଏମିତି ନ ହେଉ କି ଆମେ କିଛି ନ ବୁଝି ନ ସୁଝି ସେଠାକୁ ଯାଇ ସେମାନଙ୍କ ହାତରେ ବନ୍ଦୀ ହେଇ ଯାଉ ।”
କ୍ରମଶଃ