Chandrakanta: Episode 12

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ବିରେନ୍ଦ୍ରସିଂ ଓ ଚନ୍ଦ୍ରକାନ୍ତା ସେଇ ଚଉପାଢ଼ି ଉପରେ ପ୍ରେମର ଆସର ଜମେଇ ଦେଇଥିଲେ । କେତେ ହସ, କେତେ ଖୁସି, କେତେ ଥଟ୍ଟା, କେତେ ମଜା … ଲାଗୁଥିଲା ପ୍ରେମ ରସ ଦୁହେଁ ଆକଣ୍ଠ ପାନ କରୁଛନ୍ତି । ଏଣେ ତେଜ ସିଂ କଥା କଥାକେ ଚପଳାକୁ ଚିଡେଇ ମଜା ନେଉଥିଲା । ଆଉ ବିଚାରୀ ଚମ୍ପା ଏମାନଙ୍କୁ ଭକୁଆଙ୍କ ଭଳି ଖାଲି ଚାହିଁ ରହିଥିଲା । ହଠାତ ଗୋଟେ କାଳିଆ ଭୁସୁଣ୍ଡା ଲୋକ… ଯିଏ କି ତାଳରୁ ତଳିପା’ ଯାଏ ଧାନ ଉଁଷା ହାଣ୍ଡି ପରି କଳା, ଆଖି ଲାଲ ଲାଲ କରି , କୌପୀନ ଖଣ୍ଡେ ପିନ୍ଧି ନାଚ କୁଦ କରି କରି ଏମାନଙ୍କ ଆସର ଭିତରକୁ ପଶି ଆସିଲା । ତେଜ ସିଂ ଆଗରେ ଠିଆ ହେଇ ପଡି ତାର ୩୨ଟା ଦାନ୍ତ ନେଫେଡ଼େଇ ଦେଲା ଆଉ କହିବାକୁ ଲାଗିଲା – “ଶୁଣ ଗୁରୁଜୀ ଏଇ ଖବର, ଜାଣିଲେ ରାଜା ତୁମ କାରବାର …” ଏହାପରେ ସେ ପୁଣି ନାଚକୁଦ କରି ମାଙ୍କଡ଼ ଭଳି ବହେ ଡିଆଁଡେଇଁ କରି ଚାଲି ଗଲା । ଯିବା ବେଳେ ଚମ୍ପାର ଗୋଡ଼କୁ ଧରି କିଛି ଦୂର ଯାଏ ଘୋଷାଡ଼ି ନେଇ ଗଲା । ଆଉ ଶେଷରେ ଛାଡିଦେଇ କୁଆଡେ ଅଦୃଶ୍ୟ ହେଇ ଗଲା । ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ କି ଏ ପିଶାଚ ହଠାତ କୁଆଡୁ ଆସିଗଲା, ଆଉ କଣ ଏ ଘଟଣା ? ଚମ୍ପାର ତ ହାଲତ ଏକଦମ ଖରାପ ହେଇଯାଇଥିଲା । ଭୟରେ ସେ ଚିତ୍କାର କରୁଥିବା ବେଳେ ହଠାତ ତେଜ ଉଠି ଠିଆ ହେଇଗଲା ଆଉ ବୀରେନ୍ଦ୍ର ସିଂ ହାତକୁ ଧରି କହିଲା-“କୁମାର…ଏଠୁ ଶୀଘ୍ର ଚାଲ … ଆଉ ବସିବାକୁ ସମୟ ନାହିଁ…” ତା’ପରେ ଚନ୍ଦ୍ରକାନ୍ତାଙ୍କୁ କହିଲା-“ଆମେ ଏଠୁ ଜଲଦି ଚାଲି ଯାଉଛୁ ବୋଲି ମନ ଦୁଃଖ କରିବନି …ଯେ ପର୍ଯ୍ୟନ୍ତ ଏଠାକୁ ମହାରାଜ ନ ଆସିଛନ୍ତି…ସେ ଯାଏ ତମେ ସମସ୍ତେ ଏଇଠି ବସି ରହିବ…”
ଚନ୍ଦ୍ରକାନ୍ତା-“ଏତେ ଜଲଦି ଫେରିବାର କାରଣଟା କଣ ହେଇପାରେ ? ଆଉ ସେ ଲୋକଟା କିଏ ? ଯାହା କଥା ଶୁଣି ତମେ ଏତେ ବ୍ୟସ୍ତ ହେଇ ଚାଲି ଯାଉଛ ?”
ତେଜ-“ଆଉ କଥା ହେବା ପାଇଁ ସମୟ ନାହିଁ …” ଏତିକି କହିସାରି ବିରେନ୍ଦ୍ର ସିଂଙ୍କୁ ଜବରଦସ୍ତ ଉଠେଇ ନିଜ ସହ ନେଇଗଲା ଆଉ ରଜ୍ଜୁ ସାହାଯ୍ୟରେ ପ୍ରାଚୀର ଲଙ୍ଘି ବାହାରକୁ ଚାଲିଗଲା ।

ବିରେନ୍ଦ୍ରସିଂଙ୍କର ଅଚାନକ ଏମିତି ଚାଲିଯିବାଟା ଚନ୍ଦ୍ରକାନ୍ତାଙ୍କ ହୃଦୟକୁ ବାଧିଲା। ଆଖିରୁ ତାଙ୍କର ଲୁହ ଝରିଗଲା । କାନ୍ଦି ପକେଇଲେ ସେ । ଚପଳାକୁ କହିଲେ-“
ସଖି ହଠାତ ଏସବୁ କଣ ହେଇଗଲା …? ସେ ପିଶାଚ କୋଉଠୁ ଆସିଲା…? ତାକୁ ଦେଖିବା ପରେ ମୁଁ ବହୁତ ଡରି ଯାଇଥିଲି । ଦେଖ ମୋ ଦେହ ଏବେ ବି ଭୟରେ ଥରୁଛି । ତମେ କଣ ଭାବୁଛ…?”
ଚପଳା-“କିଛି ବୁଝା ପଡୁନି । କିନ୍ତୁ ଏତିକି କହିବି ଏବେ ବିରେନ୍ଦ୍ରସିଂଙ୍କ ଏଠାକୁ ଆସିବା ଖବର ମହାରାଜ ଜାଣି ନେଇଛନ୍ତି । ସେ ଏଠାକୁ ନିଶ୍ଚୟ ଆସୁଥିବେ ।”
ଚମ୍ପା-“ମୁଁ କିନ୍ତୁ ବୁଝି ପାରୁନି ମୋ ଉପରେ ସେ ପିଶାଚର କି ରାଗ ଥିଲା…?”

ଚମ୍ପା କଥା ଶୁଣି ଚପଳାକୁ ହସ ଲାଗିଲା । କିନ୍ତୁ ସେ ଆଶ୍ଚର୍ଯ୍ୟ ହେଉଥିଲା କି ଏ ଘଟଣା ସବୁ କଣ ଥିଲା ? କିଛି ସମୟ ଧରି ଏଇ ବିଷୟ ଉପରେ ସେମାନଙ୍କର ଚର୍ଚ୍ଚା ଚାଲିଲା । ଏତିକି ବେଳେ ଉଦ୍ୟାନ ଚାରିପଟେ କୋଳାହଳ ହେଲା । ଚପଳା କହିଲା-“ବେଳା ଖରାପ ପଡିଗଲା… ଉଦ୍ୟାନକୁ ଚାରିପଟୁ ସିପାହୀ ମାନେ ଘେରି ଗଲେଣି…” ଚପଳା ପାଟିରୁ କଥା ସରିଛି କି ନାହିଁ ମହାରାଜ ଜୟସିଂ ସେଠାକୁ ଆସୁଥିବାର ଦେଖା ଗଲା ।

ସମସ୍ତେ ଉଠି ଠିଆ ହେଇଗଲେ । ଚନ୍ଦ୍ରକାନ୍ତା ଆଗକୁ ଯାଇ ପିତାଙ୍କ ଆଗରେ ମୁଣ୍ଡ ନୁଆଇଁ ଠିଆ ହେଲା ଆଉ କହିବାକୁ ଲାଗିଲା-“ଏ ସମୟରେ ଆପଣ ଏଠି…” ଏତିକି କହି ସେ ଚୁପ ହେଇଗଲା । ଜୟସିଂ କହିଲେ-“ନା’ରେ ମା.. ସେ କିଛି ନୁହେଁ … ତୁମକୁ ଦେଖିବାକୁ ଇଛା ହେଲା ତ ଚାଲି ଆସିଲି । ଏବେ ତୁମେ ମହଲକୁ ପ୍ରସ୍ଥାନ କର । କାକର ପଡ଼ିଲାଣି ଦେହ ଖରାପ ହେଇ ଯିବ ।” ଏତକ କହିସାରି ମହାରାଜ ମହଲ ଆଡେ ପ୍ରସ୍ଥାନ କରିବାକୁ ଲାଗିଲେ ।

ଚନ୍ଦ୍ରକାନ୍ତା, ଚପଳା ଓ ଚମ୍ପା ତିନିହେଁ ବି ମହାରାଜଙ୍କ ପଛେ ପଛେ ମହଲକୁ ଫେରିଗଲେ । ମହାରାଜ ନିଜ କକ୍ଷକୁ ଆସି ମନେ ମନେ ବହୁତ ଲଜ୍ଜିତ ହେଇ ଭାବିବାକୁ ଲାଗିଲେ-” ଦେଖ ହୋ… ମୋ ନିରୀହ ଝିଅଟାକୁ ମିଛରେ ବଦ୍ନାମ କରୁଛି । ତା’ ମନରେ କଣ ଅଛି କେଜାଣି, କିଛି ନ ବୁଝି ନଶୁଝି ଝିଅଟାର ଦୋଷ ଦେଲା ? ଝିଅଟା ମୋର ଏ କଥା ଜାଣିଲେ କଣ ଭାବିବ ମତେ ? ଏମିତି ସୈତାନର ମୁହଁ ଦେଖିବା କଥା ନୁହେଁ । ତାକୁ ଦଣ୍ଡ ଦରକାର …ହରିସିଂ…”
ହରି-“ଆଜ୍ଞା,,ହଜୁର…”
ଜୟ-“ତୁରନ୍ତ କ୍ରୁର ସିଂକୁ ମୋ ଆଗରେ ହାଜିର କରାଅ ।”
ହରି-“ଯେ ଆଜ୍ଞା ହଜୁର …”

ହରି ସିଂ କ୍ରୁରକୁ ଖୋଜି ଖୋଜି ସେଇ ଉଦ୍ୟାନ ପାଖରେ ପହଞ୍ଚିଲା ଯେଉଁଠି ସେ ତା’ ଲୋକଙ୍କୁ ଲଗେଇ ଘେରାବନ୍ଦୀ କରିଥିଲା । ହରି ସିଂ ତା’ ପାଖକୁ ଯାଇ କହିଲା-“ଚାଲନ୍ତୁ ଆଜ୍ଞା … ମହାରାଜ ଡକେଇ ପଠେଇଛନ୍ତି ।” କ୍ରୁର ସିଂ ଟିକେ ହବଡ଼େଇ ଗଲା, ମହାରାଜ ତାଙ୍କୁ କାହିଁକି ଡାକିଲେ…କଣ ସେ ଚୋର ମିଳିଲାନି କି ? ମହାରାଜ ତ ତାଙ୍କରି ଆଗରେ ମହଲକୁ ପ୍ରସ୍ଥାନ କରିଥିଲେ । ସେ ହରିସିଂକୁ ପଚାରିଲା-“ମହାରାଜା କଣ କରୁଛନ୍ତି ?”
ହରି-“ମହାରାଜ ବହୁତ କ୍ରୋଧିତ ଅଛନ୍ତି ଆଉ ଆପଣଙ୍କୁ ଶୀଘ୍ର ଡକେଇଛନ୍ତି …” ଏତିକ ଶୁଣିବା ପରେ କ୍ରୁର ସିଂର ପିଳେହି ପାଣି ହେଇଗଲା । ଡରି ମରି ସେ ହରି ସିଂ ସହ ଆସି ମହାରାଜଙ୍କ ଆଗରେ ଉପସ୍ଥିତ ହେଲା ।

ମହାରାଜ କ୍ରୁର ସିଂକୁ ଦେଖିବା ମାତ୍ରକେ କହିବାକୁ ଲାଗିଲେ-“କଣ କିରେ କ୍ରୁର…ବିଚାରି ଚନ୍ଦ୍ରକାନ୍ତାଙ୍କୁ ମିଛରେ ବଦ୍ନାମ କରିବା ଆଉ ମୋ ଇଜ୍ଜତକୁ ମାଟି କରିବା… ଏହି ସବୁ ତୋର କାମ ? ଏତେ ଲୋକ ଯେଉଁମାନେ ଉଦ୍ୟାନର ଘେରାବନ୍ଦୀ କରିଥିଲେ ସେମାନେ କଣ ଭାବୁଥିବେ ? ବଦମାସ, ପାଜୀ, ଗଧ … ତୁ କୋଉ ସାହସରେ ଆସି ମତେ କହିଲୁ ଉଦ୍ୟାନରେ ବୀରେନ୍ଦ୍ର ଅଛି ବୋଲି ?”

ରାଗରେ ଜୟସିଂଙ୍କର ଶରୀର କମ୍ପି ଉଠୁଥିଲା,ଆଖି ଲାଲ ପଡି ଆସୁଥିଲା । ମହାରାଜଙ୍କର କ୍ରୋଧ ଦେଖି କ୍ରୁର ସିଂ ବରଡ଼ା ପତ୍ର ପରି ଥରିବାକୁ ଲାଗିଲା, ପାଟି ତାର ଖନୀ ବାଜିଗଲା । ସେ ଡରି ମରି କହିଲା-” ମତେ ଏ ଖବର ନାଜିମ ଦେଇଥିଲା ଯିଏ କି ଏବେ ମହଲର ସୁରକ୍ଷା ଦାୟିତ୍ୱରେ ଅଛି ।” ଏ କଥା ଶୁଣିବା ପରେ ମହାରାଜ ହୁକୁମ ଦେଲେ-“କିଏ ଅଛ ରେ … ସେ ନାଜିମକୁ ଡାକି ଆଣ…” କିଛି ସମୟ ପରେ ନାଜିମ ବି ଉପସ୍ଥିତ ହେଲା । ମହାରାଜ ଏତେ କ୍ରୋଧିତ ହେଇ ଯାଇଥିଲେ କି ତାଙ୍କ ମୁହଁରୁ ସ୍ପଷ୍ଟ ଶବ୍ଦ ବାହାରୁ ନଥିଲା । ଖଣ୍ଡି ଖଣ୍ଡି ଶବ୍ଦରେ ସେ ନାଜିମକୁ ପଚାରିଲେ-“କଣ କିରେ… ତୁ ଏ ଖବର ଦେଇଥିଲୁ…?” ସେ ସମୟରେ ତାର କି ଅବସ୍ଥା ହେଇଥିବ ସେଇ ଏକା ଜାଣିଥିବ । ହାଣ ମୁହଁରେ ଛେଳି ପରି ସେ ଗୋଟା ପଣେ ଥରୁଥିଲା । ଆଉ ଥରି ଥରି କହିଲା-“ହଜୁର ମୁଁ ନିଜେ ତାଙ୍କୁ ଆଖିରେ ଦେଖିଛି … ସେ ବୋଧେ ଫେରାର ହେଇଗଲା …”

ଜୟସିଂ ନିଜ କ୍ରୋଧକୁ ବରଦାସ୍ତ କରି ନପାରି ହୁକୁମ ଦେଲେ-” କେ ଅଛ ରେ… ୫୦ ବେତ ଏ କ୍ରୁରକୁ ଆଉ ୨୦୦ ବେତ ଏ ନାଜିମକୁ ଦିଅ ରେ…ଆଜି ଏତିକିରେ ଛାଡି ଦେଉଛି । ଆଗକୁ ଯଦି ଏମିତି ଭୁଲ ହେବ ନା …ଆଉ ବେତ ନୁହେଁ ମୋ ଏ ଖଣ୍ଡା କଥା କହିବ । ହଁ.. ଶୁଣ୍ କ୍ରୁର ତୁ ମନ୍ତ୍ରୀ ହେବା ପାଇଁ ଯୋଗ୍ୟ ନୁହଁ ।”

ତା’ପରେ ଆରମ୍ଭ ହେଲା ବେତ ପ୍ରହାର । ଦୁହେଁ କିଲିବିଲି ହେଇ ଚିଲେଇବାକୁ ଲାଗିଲେ। ଏ ଦୁହିଁଙ୍କର ଚିତ୍କାର ସାରା ମହଲରେ ଗୁଞ୍ଜରି ଉଠିଲା । ତଥାପି ମହାରାଜଙ୍କ ରାଗ ଶାନ୍ତ ହେଉ ନଥାଏ । ବେତ ପ୍ରହାର ଖାଇ ସାରି ସେ ଦୁହେଁ ମହଲ ବାହାରକୁ ଗଲେ । ଆଉ ମହାରାଜ ଗଲେ ଆରାମ କରିବା ପାଇଁ । କିନ୍ତୁ ତାଙ୍କର କ୍ରୋଧ ବଢି ଯାଇଥିବରୁ ଆଖିକୁ ନିଦ ଆସୁନଥିଲା ।

ଏଣେ କ୍ରୁର ଓ ନାଜିମ ଦୁହେଁ ଘରକୁ ଫେରି ସେଠି ଝଗଡା କରିବାକୁ ଆରମ୍ଭ କଲେ । କ୍ରୁର କହିବାକୁ ଲାଗିଲା-“ତୋରି ପାଇଁ ଆଜି ମୋ ଇଜ୍ଜତ ମାଟିରେ ମିଶିଗଲା । କାଲି ଯାଏ ମୋର ମନ୍ତ୍ରୀ ପଦ ପକ୍କା ଥିଲା ହେଲେ ଆଜି ମଶାଲବାହକ ପଦ ବି ମିଳିବନି । ତା’ପରେ ପୁଣି ଏ ବେତ ପାହାର …ପିଠି ଫାଟି ଯାଇଛି … ଜାଣିନି ଦରଜ ଛାଡିବା ପାଇଁ କେତେ ଦିନ ଯିବ …ଏସବୁ ଖାଲି ତୋରି ପାଇଁ ।”
ନାଜିମ-“ମୁଁ କଣ କଲି ? ଓଲଟା ତୁମ ପାଇଁ ମୁଁ ଫସିଲି । ମୋର କଣ ଦରକାର ଥିଲା ସେ ଚନ୍ଦ୍ରକାନ୍ତା ଆଉ ବୀରେନ୍ଦ୍ର କଣ କରୁଛନ୍ତି ନକରୁଛନ୍ତି ସେ ସବୁ ଜଣାଇବା.. ? ଏ ସବୁ କରିବାରୁ ସିନା ବେତ ପାହାର ଖାଇଲି … ସେ ବି ୪ ଗୁଣା ଅଧିକ.. “
ଏଇପରି ପ୍ରହରେ ଯାଏ ଦୁହେଁ ଝଗଡା କରିବାକୁ ଲାଗିଲେ । ଶେଷରେ କ୍ରୁର ସିଂ କହିଲା-“ଆମ ଦୁହିଁଙ୍କୁ ଲାଜ ଲାଗିବା କଥା, ସଜା ପାଇଲା ପରେ ବି ଆମେ ସେ ବିରେନ୍ଦ୍ରକୁ ଧରି ପାରୁନାହୁଁ ।”
ନାଜିମ-“ସେ ବୀରେନ୍ଦ୍ର ଏବେ ସବୁ ଦିନ ମହଲକୁ ଆସିବ । ହେଲେ ତା’ ବିରୁଦ୍ଧରେ କିଛି କରିବା ପାଇଁ ମତେ ଡର ଲାଗିଲାଣି । ପୁଣି ଯଦି କିଛି ଗଡ଼ବଡ଼ ହୁଏ ତେବେ ଏଥର ବେତ ପାହାର ନୁହଁ ମୁଣ୍ଡଟା ଯିବ ।”
କ୍ରୁର-“ତା’ହେଲେ ଏଥର ଏମିତି କିଛି କରିବାକୁ ପଡିବ ଯେମିତି ଜୀବନ ବଞ୍ଚିବ କିନ୍ତୁ ସେ ବୀରେନ୍ଦ୍ର ମହଲଠୁ ଦୁରେଇ ରହିବ ।”

ବହୁତ ଭାବିବା ପରେ ନାଜିମ କହିଲା-“ଚୁନାରଗଡ଼ର ମହାରାଜ ଶିବଦତ୍ତ ସିଂଙ୍କ ଦରବାରରେ ପଣ୍ଡିତ ଜଗନ୍ନାଥ ନାମରେ ଜଣେ ଜ୍ୟୋତିଷ ଅଛନ୍ତି ଯିଏ କି ଖଡ଼ି ଗଡେଇବାରେ ଓସ୍ତାଦ । ସେ ଖଡ଼ି ଗଡେଇବାରେ ଏତେ ଅଭିଜ୍ଞ ଯେ ତାଙ୍କୁ ଯେଉଁ ସମୟରେ ଯାହା ବିଷୟରେ ପଚାରିବ ସେ ତୁରନ୍ତ ତା’ ବିଷୟରେ କହି ଦେଇ ପାରନ୍ତି । ଏପରି କି ସେ କେଉଁଠି ଅଛି, ଏବେ କଣ କରୁଛି କେମିତି ଧରା ପଡିବ ସବୁ କିଛି…। ଯଦି ସେ ଆମ ପକ୍ଷଭୁକ୍ତ ହେଇଯାନ୍ତି ଆଉ ଏଠି ଆସି କିଛି ଦିନ ରହି ଆମକୁ ସାହାଯ୍ୟ କରନ୍ତି ତେବେ ଆମ କାମ ସହଜ ହେଇ ଯାଆନ୍ତା । ଚୁନାରଗଡ଼ ବି ଏଠାରୁ ବେଶୀ ଦୂର ନୁହେଁ… ମାତ୍ର ୨୩ କୋଶ । ଚାଲ ଆମେ ଦୁହେଁ ସେଠାକୁ ଯିବା ଆଉ ଯେମିତି ବି ହେଉ ସେ ପଣ୍ଡିତ ଜଗନ୍ନାଥଙ୍କୁ ନେଇ ଆସିବା ।”

ତାପରେ କ୍ରୁର ସିଂ ବହୁତ ଗହଣା ଆଉ ଟଙ୍କା ଏକାଠି କରି ଦୁଇଟି ଦ୍ରୁତଗାମୀ ଘୋଡା ମଗେଇଲା । ସେଇ ଘୋଡା ଉପରେ ନାଜିମ ଓ ସେ ସବାର ହେଇ ଚୁନାରଗଡ଼କୁ ପ୍ରସ୍ଥାନ କଲେ । ଯିବା ଆଗରୁ କ୍ରୁର ସିଂ ଘର ଲୋକଙ୍କୁ କହି ଗଲା… ଯଦି କେହି ତା ବିଷୟରେ ପଚାରନ୍ତି ତେବେ କହିବେ କି କ୍ରୁର ସିଂ ବେମାରରେ ପଡିଛି ।

କ୍ରମଶଃ

Please follow and like us:
0
20
Pin Share20