Chandrakanta: Episode 13

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ବୀରେନ୍ଦ୍ର ସିଂ ଆଉ ତେଜ ସିଂ ଉଦ୍ୟାନ ବାହାରକୁ ଆସି ନିଜ ଡେରାକୁ ପ୍ରସ୍ଥାନ କଲେ । ଡେରା ପାଖରେ ପହଞ୍ଚିଲା ବେଳକୁ ରାତି ଅଧ । ହେଲେ ତେଜ ସିଂକୁ ଫୁରୁସତ କେଉଁଠି ? ସେ କୁମାରଙ୍କୁ ଡେ଼ରାରେ ଛାଡି ପୁଣି ବିଜୟଗଡ଼କୁ ଫେରିଲା ଆଉ ନିଜକୁ ଅହମଦ ରୂପରେ ପରିବର୍ତ୍ତିତ କରି କ୍ରୁର ସିଂ ଘରେ ପହଞ୍ଚିଗଲା । କ୍ରୁର ସିଂ ଚୁନାରଗଡ଼କୁ ଯିବା ପୂର୍ବରୁ ଯେଉଁ ଲୋକଙ୍କୁ ତା’ ଘରର ସୁରକ୍ଷା ଦାୟିତ୍ବ ଦେଇ ଯାଇଥିଲା ସେମାନେ ଅହମଦକୁ ଦେଖି ଚମକି ପଡିଲେ ଆଉ ପଚାରିଲେ-“ଆରେ ଅହମଦ ମିଆଁ …ଏତେଦିନ ପରେ… କେଉଁଠି ଥିଲ ତମେ ?” ନକଲି ଅହମଦ କହିଲା-“ମୁଁ ନର୍କ ଆଡେ ବୁଲିବାକୁ ଯାଇଥିଲି…ଏବେ ଏବେ ଫେରୁଛି… ଏଥର କୁହ କ୍ରୁର ସିଂ କୋଉଠି ?” ସମସ୍ତେ ତା’ ସହ ହେଇଥିବା ଘଟଣା ଦୁର୍ଘଟଣାକୁ ବର୍ଣ୍ଣନା କରିଗଲେ । ଆଉ କହିଲେ-“ସେ ଏବେ ଚୁନାର ଯାଇଛନ୍ତି … ଭଲ ହେବ ତମେ ବି ସେଠିକି ଚାଲିଯାଅ ।”

ଅହମଦ-“ହଁ…ହଁ… ମୁଁ ଆଉ ଘରକୁ ଫେରିବିନି … ଏଇଠୁ ଚୁନାରଗଡ଼ ଚାଲିଯିବି ।” ଏତକ କହି ସେ ସେଠାରୁ ପ୍ରସ୍ଥାନ କରି ନିଜ ଡେ଼ରାକୁ ଆସିଲା ଆଉ ସବୁ କଥା ବୀରେନ୍ଦ୍ର ସିଂ ଙ୍କୁ ଜଣେଇସାରି ବାକି ଥିବା ରାତିକୁ ସେ ବିଶ୍ରାମରେ କାଟିଲା । ସକାଳୁ ସକାଳୁ ଗାଧୁଆ ପାଧୁଆ ସାରି ଭୋଜନ ଇତ୍ୟାଦି କରି ନିଜ ରୂପ ବଦଳେଇ ବାହାରି ଗଲା ବିଜୟଗଡ଼ । ନଣ୍ଡା ମୁଣ୍ଡ, ଦେହ ମୁହଁରେ ଧୂଳି ମାଟି ବୋଳି ହେଇ କନ୍ଦାକଟା କରି ମହାରାଜ ଜୟସିଂଙ୍କ ଦରବାରରେ ପହଞ୍ଚିଲା । ଲୋକଟିର ଏ ଅବସ୍ଥା ଦେଖି ଦରବାରର ସମସ୍ତ ପାରିଷଦ ଚକିତ ହେଇଗଲେ । ମହାରାଜ ମୁନିସୀକୁ କହିଲେ -“ପଚାର…ପଚାର ସେ କିଏ… ଆଉ ତାର ଅଭିପ୍ରାୟ କଣ ?”

ତେଜ-“ହଜୁର…ମୁଁ କ୍ରୁର ସିଂର ଚାକର । ମୋ ନାଁ ରାମଲାଲ । ମହାରାଜ… ସେ କ୍ରୁର ସିଂ ଯେତେବେଳେ ଚୁନାରଗଡ଼ ରାଜାଙ୍କୁ ଦେଖା କରିବାକୁ ବାହାରିଲା ମୁଁ ତାକୁ ବାରଣ କଲି ଏପରି ନକରିବା ପାଇଁ … ମୁଁ କହିଲି ଏଇଟା ରାଜଦ୍ରୋହ … ଆମେ ମହାରାଜଙ୍କ ଲୁଣ ଖାଇଛୁ … ଏମିତି କରିବା ଠିକ ନୁହେଁ । ହେଲେ ସେ ମତେ ଖୁବ ପିଟିଲା ଆଉ ମତେ ଲଣ୍ଡା କରି ମୋ ପାଖରେ ଯାହା ବି କିଛି ଥିଲା ସବୁ ଲୁଟି ନେଲା । ଏବେ ମୋ ମୁଣ୍ଡରେ ଚୁଟି ନାହିଁ କି ମୋ ଅଣ୍ଟିରେ କଉଡ଼ି ବି ନାହିଁ । ଏବେ ମୁଁ କଣ ଖାଇବି, ଘରକୁ କେମିତି ଫେରିବି ? ସ୍ତ୍ରୀ ପିଲା ମୋର ତିନି ବରଷର ରୋଜଗାର ଖୋଜିବେ, କହିବେ ରାଜାଘର ଚାକିରୀ କରୁଥିଲ ଟଙ୍କା କଣ କଲ ? ମୁଁ ସେମାନଙ୍କୁ କି ଜବାବ ଦେବି ? ହଜୁର.. ଦୟା କରନ୍ତୁ ହଜୁର…ମତେ ନ୍ୟାୟ ଦିଅନ୍ତୁ ହଜୁର …”

ସେ ସେମିତି କାନ୍ଦି କାନ୍ଦି ଛାତି ପିଟୁଥାଏ । ବହୁତ କଷ୍ଟରେ ରାଜ କର୍ମଚାରୀ ମାନେ ତାକୁ ଚୁପ କରେଇଲେ । ମହାରାଜ କ୍ରୋଧିତ ହେଇ କହିଲେ-” କ୍ରୁର ସିଂ ଏବେ କେଉଁଠାରେ ?” ପ୍ରତିହାରୀ ତୁରନ୍ତ ଯାଇ ଖବର ନେଇ ଆସିଲା କି ସେ ବହୁତ ବେମାର ଅଛି, ଉଠି ବସି ପାରୁନି । ଏକଥା ଶୁଣି ରାମଲାଲ ରୁପି ତେଜ ସିଂ କହିଲା-“ହଜୁର… ଏ ପ୍ରତିହାରୀ ବି ସେ କ୍ରୁର ସିଂ ସହ ମିଶିଗଲାଣି ।ମିଛ କହୁଛି ହଜୁର…ଏ ସବୁ ମୁସଲମାନ ତା’ ପଟୁଆ ହେଇ ଯାଇଛନ୍ତି । ଆପଣ ନିଜେ ଅନୁସନ୍ଧାନ କରନ୍ତୁ ହଜୁର…” ମହାରାଜ ମୁନିସୀକୁ ହୁକୁମ ଦେଲେ କି ସେ ନିଜେ ଯାଇ ଘଟଣା କଣ ଯାଞ୍ଚ କରି ଆସନ୍ତୁ । କିଛି ସମୟ ପରେ ମୁନିସୀ ଘଟଣାର ସମସ୍ତ ତଥ୍ୟ ନେଇ ଫେରି ଆସି କହିଲେ-“ମହାରାଜ ସେ କ୍ରୁର ସିଂ ଘରେ ନାହିଁ ଆଉ ସେ କୁଆଡେ ଯାଇଛି ତା’ ଘରେ କେହି କିଛି କହୁନାହାନ୍ତି ।” ମହାରାଜ କହିଲେ-“ସେ ନିଶ୍ଚୟ ଚୁନାରଗଡ଼ ଯାଇଛି … ଆଛା.. ତା’ ଘରୁ କାହାକୁ ଡାକି ଆଣ ତ ?” ହୁକୁମ ପାଇଲା କ୍ଷଣି ପ୍ରତିହାରୀ ଚାଲିଗଲା ଆଉ ଜଣେ ଅଭାଗା ପିଆଦାକୁ ଡାକି ଆଣିଲା । ମହାରାଜ ତାକୁ ପଚାରିଲେ-“କ୍ରୁର ସିଂ କୁଆଡେ ଯାଇଛି …?” ସେ ପିଆଦା କିନ୍ତୁ ସଠିକ ତଥ୍ୟ ମହାରାଜଙ୍କୁ ଦେଲା ନାହିଁ । ରାମଲାଲ ପୁଣି କହିବାକୁ ଲାଗିଲା-“ହଜୁର…ବିନା ଛାଟରେ ୟା ପାଟି ଖୋଲିବନି ।” ମହାରାଜ ତାକୁ ବେତ ପ୍ରହାର ପାଇଁ ହୁକୁମ ଦେଲେ । ହେଲେ ସେ ପିଆଦା ଜଣକ ପ୍ରହାର ହେବା ଆଗରୁ ଡରିମରି କହିଲା କି ସେ ଚୁନାରଗଡ଼ ଯାଇଛନ୍ତି ।

ଏକଥା ଶୁଣିବା ପରେ ମହାରାଜ କ୍ରୋଧରେ ଥରିବାକୁ ଲାଗିଲେ । ଶେଷକୁ ସେ ହୁକୁମ ଦେଲେ କି-
୧-ଦୁଇ ଘଡି ଭିତରେ କ୍ରୁର ସିଂ ଘରେ ଥିବା ସମସ୍ତ ସଦସ୍ୟ ଦେଶାନ୍ତରରେ ଯିବେ ।
୨- ତା’ ଘର କୋରିକି ହେବ ।
୩-ତା’ ସମ୍ପତ୍ତିରୁ ଯେତେ ଟଙ୍କା ଏ ରାମଲାଲ ନେଇ ଯାଇ ପାରିବ ତାକୁ ଦିଆ ଯିବ ଆଉ ଅବଶିଷ୍ଟ ସମ୍ପତ୍ତି ସରକାରୀ କୋଷାଗାରରେ ଜମା ହେବ ।
୪-ଯଦି ରାମଲାଲ ଚାହିଁବ ତାକୁ ଚାକିରୀ ଦିଆ ଯିବ ।

ହୁକୁମ ପାଇଲା କ୍ଷଣି ରାମଲାଲ ଧାଇଁଲା କ୍ରୁର ସିଂ ଘରକୁ, କାଳେ ତା’ ଭାଗ ସେ ରାଜ କର୍ମଚାରୀ ଖାଇଯିବେ ? ସେଠି ହୁକୁମ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ମୁନିସୀ ଆସିଥିଲା ତାକୁ ରାମଲାଲ କହିଲା-“ଆଗେ ମତେ ମୋ ଭାଗଟା ନେଇ ଯିବାକୁ ଦିଅନ୍ତୁ । ମୋ ଭାଗଟା ନେଇ ମୁଁ ମହାରାଜଙ୍କ ମଙ୍ଗଳ କାମନା କରି ମୋ ବାଟରେ ଚାଲିଯିବି । ଆରେ ଏମିତି ଚାହିଁଛ କଣ…? ମୋ ଭାଗଟା ମତେ ଦିଅ , ଜଲଦି ଦିଅ ଏ ଗରିବ ଲୋକଟାକୁ ହଇରାଣ କାହିଁକି କରୁଛ କହିଲ ?” ମୁନିସୀ କହିଲା-“ଅଜବ ଲୋକ ହୋ… ଖାଲି ନିଜର କଥା ଭାବୁଛି … ଏତେ ଗୋଟେ ଜଲଦି କଣ ..?” ରାମଲାଲ ଚିଲେଇବାକୁ ଲାଗିଲା-“ହଜୁର ମହାରାଜ… ଏ ମୁନିସୀ ମତେ ଟଙ୍କା ଦେଉନି…” ଏମିତି ଚିଲେଇ ଚିଲେଇ ଦରବାର ଆଡେ ଯିବାକୁ ବାହାରିଲା । ଏହା ଦେଖି ମୁନିସୀ କହିଲା-” ଆରେ ..ଆରେ କୁଆଡେ ଯାଉଛୁ … ନେ ନେ ଯାହା ନେବା କଥା ନେଇ ଗଲୁ…ଭାଇମାନେ ତାକୁ ତା’ ଭାଗଟା ଦେଇଦିଅ … “
ରାମଲାଲ-” ଦେଖିଲ ତ ଭାଇମାନେ… ମୁଁ ଯଦି ଚିଲେଇ ନଥାନ୍ତି.. ଏ ମୁନିସୀ ମୋ ସବୁ ଟଙ୍କା ଚଳୁ କରି ଦେଇଥାନ୍ତା ହୋ ।” ତା କଥା ଶୁଣି ସମସ୍ତେ ହୋ ହୋ ହେଇ ହସି ଉଠିଲେ । ମୁନିସୀ ତା’ ଆଗରେ ଦି ହଜାର ଟଙ୍କା ରଖି ଦେଇ କହିଲା-” ନେ.. ଯା’ ପଳା..” ରାମଲାଲ କହିଲା-“ଭଲ ଆଉ… ତମର କଣ ମନେ ନାହିଁ ମହାରାଜ କଣ କହିଥିଲେ ? ମୋ ଅଣ୍ଟିରେ ଯେତେ ଟଙ୍କା ଧରିବ ମୁଁ ନେଇ ଯିବି ।” ମୁନିସୀ ବିରକ୍ତ ହେଇ ତାକୁ କ୍ରୁର ସିଂର ସିନ୍ଦୁକ ପାଖରେ ଠିଆ କରେଇ କହିଲା-“ନେ … ଯାହା ନେବା କଥା ନେଇ ଗଲୁ …।” ଦେଖୁ ଦେଖୁ ସେ ଦଶ ହଜାର ଭଳି ମୋହର ଉଠେଇ ନେଲା । ନିଜ ଅଣ୍ଟିରେ, ଥଳିରେ, ଏମିତିକି ନିଜ ପାଟି ଭିତରେ ବି ମୋହର ଭର୍ତ୍ତି କଲା। ତା’ ପରେ ଲମ୍ବା ଲମ୍ବା ପାହୁଣ୍ଡ ପକେଇ ବାହାରି ଗଲା । ତାର ଏ ପ୍ରକାର ଆଚରଣରେ ସମସ୍ତେ ହସିବାକୁ ଲାଗିଲେ ଆଉ କହିଲେ-” ଏଇଟା ମଣିଷ ନା ଅସୁର …?”

ମହାରାଜଙ୍କ ହୁକୁମ କାର୍ଯ୍ୟକାରୀ ହେଇଗଲା । କ୍ରୁର ସିଂ ଘର କୋରିକି କରାଗଲା । ତା’ ଘରେ ଥିବା ସମସ୍ତ ସଦସ୍ୟଙ୍କୁ ବିଜୟଗଡ଼ରୁ ବାହାର କରି ଦିଆଗଲା । ଆଉ ରାମଲାଲ ରୂପି ତେଜ ସିଂ ଅତି ଖୁସିରେ ମୋହରସବୁ ଧରି ସିଧା ବୀରେନ୍ଦ୍ର ସିଂଙ୍କ ପାଖରେ ପହଞ୍ଚି କହିଲା-” ଆଜି କାହା ମୁହଁ ଚାହିଁଥିଲି କେଜାଣି , ମୋର ଭଲ ରୋଜଗାରଟେ ହେଇଗଲା । ହେଲେ କଣ ହେବ, ଏ ସୈତାନର ଧନ ନା… ଆପଣ ଏଥିରେ କିଛି ରଖି ଦିଅନ୍ତୁ ସେ ପବିତ୍ର ହେଇଯିବ ।”
ବୀରେନ୍ଦ୍ର-” ହେଲେ ଏ ସବୁ ଆଣିଲ କେଉଁଠୁ ?” ତେଜ ସିଂ ସବୁ କଥା କହିଲା ପରେ ବୀରେନ୍ଦ୍ର ସିଂ କହିଲେ-” ଠିକ ଅଛି ମୋ ପାଖରେ ଯାହା କିଛି ଅଛି ସବୁ ତୁମକୁ ଦେଲି ।”
ତେଜ-“ହେଲେ ଗୋଟିଏ ସର୍ତ୍ତ… ଏହାଠାରୁ କମ ହେଲେ ଚଳିବନି । କାହିଁକି ନା ଆପଣଙ୍କ ପ୍ରତ୍ତିପତ୍ତି ତା’ ଠାରୁ ଢେର ଅଧିକା ।”
ବୀରେନ୍ଦ୍ର-“ତା’ହେଲେ କଣ କରିବା ? ଏତେ ଧନ ତ ମୋ ପାଖରେ ଏବେ ନାହିଁ ..?”
ତେଜ-“ତେବେ ସ୍ୱୀକାର ପତ୍ର ଗୋଟେ ଲେଖି ଦିଅନ୍ତୁ …”
ବୀରେନ୍ଦ୍ର ସିଂ ଏକଥା ଶୁଣି ହସି ଦେଇ ନିଜ ଆଙ୍ଗୁଠିରୁ ହୀରାର ମୁଦି ବାହାର କରି ତେଜ ସିଂ କୁ ଦେଲେ । ତେଜ ସିଂ ଖୁସି ହେଇ କହିବାକୁ ଲାଗିଲା-“ପରମେଶ୍ୱର ଆପଣଙ୍କ ଇଚ୍ଛା ପୂର୍ଣ୍ଣ କରନ୍ତୁ । ଏବେ ଆମେ ମହଲକୁ ଫେରିଯିବା ଦରକାର । କାହିଁକି ନା ମୁଁ ଏବେ ଚୁନାରଗଡ଼ ଯିବି ଆଉ ଦେଖିବି ସେ ସୈତାନ ସେଠି କଣ କରୁଛି…

କ୍ରମଶଃ

Please follow and like us:
0
20
Pin Share20