ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
କ୍ରୁର ସିଂର ବରବାଦିର କାହାଣୀ ନଗର ସାରା ବ୍ୟାପି ଗଲା । ମହାରାଣୀ ରତ୍ନଗର୍ଭା (ଚନ୍ଦ୍ରକାନ୍ତାଙ୍କ ମା)ଙ୍କୁ ବି ଏ କଥା ଅଛପା ରହିଲା ନାହିଁ । ସେ ପ୍ରଥମରୁ କ୍ରୁର ସିଂ କୁ ଭଲ ଦୃଷ୍ଟିରେ ଦେଖୁନଥିଲେ । ସେ ଜାଣିଥିଲେ ଯେ ସେ ଗୋଟେ ବଦମାସ, ହେଲେ ରାଜାଙ୍କ ଭୟରେ ତାଙ୍କ ପାଟି ଚୁପ ରହୁଥିଲା । ଏବେ କିନ୍ତୁ ସେ ବହୁତ ଖୁସି ହେଲେ… ଯାହା ହେଉ ଏତେଦିନେକେ ମହଲରୁ ପାପଗ୍ରହ ହଟିଗଲା । ଚନ୍ଦ୍ରକାନ୍ତା, ଚପଳା, ଚମ୍ପା ଆଉ ତାର ଯେତେ ସଖି ଥିଲେ ସମସ୍ତେ ଏ ଖବର ଶୁଣି ବହୁତ ଖୁସି ହେଲେ । ଚପଳା ତ ଖୁସିରେ ବହେ ନାଚିଗଲା ଆଉ ଚନ୍ଦ୍ରକାନ୍ତାଙ୍କୁ କହିଲା -“ସଖି…ତମ ରାସ୍ତା ଏକବାରେ ପରିଷ୍କାର ହେଇଗଲା ।”
ସେଦିନ ମହାରାଜ ଜୟସିଂ ରାଣୀହଂସପୁରକୁ ବିଜେ କଲାରୁ ମହାରାଣୀ ହସି ହସି ତାଙ୍କୁ ସେ କ୍ରୁରସିଂର କଥା ପଚାରି ବସିଲେ । ମହାରାଜ କହିଲେ-” ସେଇଟା ଗୋଟେ ପାଜୀ, ବଦମାସ ଆଉ ଗୋଟେ ବଡ଼ ମିଛୁଆ । ମିଛଟାରେ ମୋ ଝିଅକୁ ବଦ୍ନାମ କରୁଥିଲା ।” ମହାରାଣୀ କଥାରେ ଖିଅ ଯୋଡ଼ିଲେ…
-“ଆପଣ କଣ ପାଇଁ ବିରେନ୍ଦ୍ରର ଏଠାକୁ ଆସିବା ବନ୍ଦ କରିଦେଲେ ? ସେଇ ବୀରେନ୍ଦ୍ର ଯେତେବେଳେ ଛୋଟ ଥିଲା
… ଯେଉଁ ସମୟରେ ଚନ୍ଦ୍ରକାନ୍ତା ଜନ୍ମ ବି ହେଇ ନଥିଲା… ଏଠିକି ଆସି କେତେ କେତେ ଦିନ ରହିକି ଯାଏ । ଆଉ ଆପଣ ସେତେବେଳେ ତାକୁ କେତେ ସ୍ନେହ କରୁଥିଲେ… କଣ ଆପଣଙ୍କର ମନେ ନାହିଁ ? ତା’ପରେ ଯେତେବେଳେ ଚନ୍ଦ୍ରକାନ୍ତା ଜନ୍ମ ହେଲା ସେତେବେଳେ ଦୁହେଁ ସବୁ ସମୟରେ ସାଙ୍ଗ ହେଇ ଖେଳନ୍ତି । ସେହି ସମୟରୁ ଦୁହିଁଙ୍କ ଭିତରେ ପ୍ରେମ ଉତ୍ପନ୍ନ ହେଇଛି । ସେତେବେଳେ କେହି ବି ଭାବୁନଥିଲେ ଆପଣ ଆଉ ରାଜା ସୁରେନ୍ଦ୍ର ସିଂ ଦୁଇ ଜଣ ଅଲଗା ବ୍ୟକ୍ତି ଆଉ ଅଲଗା ଅଲଗା ରାଜ୍ୟର ରାଜା । ଆପଣଙ୍କ କଥା ସୁରେନ୍ଦ୍ର ସିଂ ମାନି ଚଳୁଥିଲେ । କତେ ଥର ଆପଣ ବୀରେନ୍ଦ୍ର ସହ ଚନ୍ଦ୍ରକାନ୍ତାର ବାହାଘର କରିବା ପାଇଁ ବି କହିଛନ୍ତି । ହେଲେ ସେ ଦୁଷ୍ଟ କ୍ରୁର ସିଂ ଆପଣ ଦୁହିଁଙ୍କ ମଝିରେ ଫାଟ ସୃଷ୍ଟି କରିଦେଲା । ଆଉ ଆପଣଙ୍କ ମନଟାକୁ ବି ବିଷାକ୍ତ କରିଦେଲା ।”
ମହାରାଜ-” ମୁଁ ବି ଆଶ୍ଚର୍ଯ୍ୟ ହେଉଛି… ମୁଁ କିପରି ମୋ ବୁଦ୍ଧିବୃତ୍ତି ହରେଇ ଦେଲି । ମୋ ବୁଦ୍ଧି ବିବେକକୁ ବୋଧେ ଉଇ ଚରି ଯାଇଥିଲା । ଏମିତି କଣ ହେଇଗଲା ଯେ ମୁଁ ବିରେନ୍ଦ୍ରକୁ ଘୃଣା କରିବା ଆରମ୍ଭ କରିଦେଲି ? ଏ କ୍ରୁର ସିଂ କଥାରେ ପଡି ମୁଁ କେଡ଼େବଡ଼ ଭୁଲ କରୁନଥିଲି…? ସେ ଯିବା ପରେ ମତେ ଏସବୁ ପ୍ରତ୍ୟେୟ ହେଉଛି ।”
ମହାରାଣୀ-“ଏବେ ସେ ଚୁନାରଗଡ଼ ଯାଇଛି… ଦେଖ କି କାଣ୍ଡ କାରଖାନା କରୁଛି..?”
ମହାରାଜ-“ନିଶ୍ଚୟ ସେ ମହାରାଜ ଶିବଦତ୍ତଙ୍କୁ ଉସୁକେଇବ ଆଉ ନୂଆ ଏକ ସମସ୍ୟା ଆମକୁ ଭେଟିଦେବ । ଛାଡ଼ … ଯାହା ହେବ ଦେଖା ଯିବ ।”
ଏହା କହି ମହାରାଜ ରାଣୀହଂସପୁରରୁ ବାହାରି ଗଲେ । ଏବେ କିନ୍ତୁ ତାଙ୍କର ଚିନ୍ତା ବଢିଯାଇଥିଲା କି ମନ୍ତ୍ରୀ ପଦ କାହାକୁ ଦେବେ । ଦରବାରର କାମ ସବୁ ଅଧାପନ୍ତୁରା ହେଇ ପଡିଛି । ମନ୍ତ୍ରୀ ନିଯୁକ୍ତ ନହେଲେ କାମ ସବୁ କେମିତି ହବ? ବହୁତ ବିଚାର ବିମର୍ଶ ପରେ ସେ ହରଦୟାଲ ସିଂ ନାମକ ବ୍ୟକ୍ତି ଯିଏ କି ଆଗରୁ ଉପମନ୍ତ୍ରୀ ଥିଲେ ତାଙ୍କୁ ମନ୍ତ୍ରୀ ପଦରେ ନିଯୁକ୍ତି ଦେଲେ । ସେ ଜଣକ ବହୁତ ସଚ୍ଚୋଟ, ଦୟାଶୀଳ, ଉଦାର ହୃଦୟର ବ୍ୟକ୍ତି ଥିଲେ । ଯାହା ହେଉ ମନ୍ତ୍ରୀ ନିଯୁକ୍ତ କରିବା ପରେ ମହାରାଜ ଚିନ୍ତାମୁକ୍ତ ହେଇଗଲେ ।
ଏଣେ କ୍ରୁରସିଂର ଏକମାତ୍ର ଲକ୍ଷ୍ୟ ବିରେନ୍ଦ୍ରସିଂର ବରବାଦି । ଖାଲି ବୀରେନ୍ଦ୍ର ନୁହେଁ ତା’ ସହ ତେଜ ସିଂ ଏପରିକି ସମସ୍ତ ନୌଗଡ଼ ରାଜ୍ୟଟାକୁ ଧ୍ୱଂସ କରିବା ଚକରରେ ରହିଥିଲା ସେ । ତେଣୁ ସେ ନାଜିମକୁ ନେଇ ଚୁନାରଗଡ଼ରେ ପହଂଚିଗଲା । ମହାରାଜ ଶିବଦତ୍ତଙ୍କ ଦରବାରରେ ହାଜିର ହେଇ ଅଭିବାଦନ କଲା । ମହାରାଜ ଶିବଦତ୍ତ ତାକୁ ଆଗରୁ ଜାଣିଥିବାରୁ ଦେଖୁ ଦେଖୁ ତାର ଭଲମନ୍ଦ ପଚାରି ବସିଲେ । କ୍ରୁର ସିଂ କହିଲା-“ମହାରାଜ ମୁଁ ଆପଣଙ୍କୁ ସବୁ କଥା ଏକାନ୍ତରେ କହିବାକୁ ଚାହେଁ ।”
ଦରବାର ବର୍ଖାସ୍ତ ହେବାପରେ ସନ୍ଧ୍ୟା ବେଳେ ଏକାନ୍ତରେ ମହାରାଜ କ୍ରୁରକୁ ଡାକି ପୁଣିଥରେ ଭଲମନ୍ଦ ପଚାରିଲେ । କ୍ରୁର ସିଂ ମହାରାଜ ଜୟସିଂ ବିରୁଦ୍ଧରେ ଯେତେ ବିଷ ଓଗାଳିବା କଥା ଓଗାଳି ପକେଇଲା ଆଉ ପୁଣି କହିଲା -” ତାଙ୍କର ସୈନ୍ୟବଳଙ୍କ ଅବସ୍ଥା ଏତେ ଭଲ ନୁହେଁ । ସେନାବାହିନୀରେ ଥିବା ସବୁ ମୁସଲମାନ ସୈନ୍ୟ ଆମ ସମ୍ପର୍କରେ ଅଛନ୍ତି । ଆପଣ ଯଦି ଚାହିଁବେ ତେବେ ଏଇ ମୁହୂର୍ତ୍ତରେ ବିଜୟଗଡ଼କୁ ପରାସ୍ତ କରି ପାରିବେ । ଆଉ ମଧ୍ୟ ଜୟସିଂଙ୍କର ଏକ କନ୍ୟା ଅଛି…ନାଁ ଚନ୍ଦ୍ରକାନ୍ତା… ଅପୂର୍ବ ସୁନ୍ଦରୀ … ଆପଣ ବିଜୟୀ ହେଲେ ତାକୁ ବି ଆପଣ ନିଜର କରି ପାରିବେ…।”
ଏମିତି ଏମିତି ବହୁତ କିଛି କଥା କହି ମହାରାଜ ଶିବଦତ୍ତଙ୍କୁ ଉସକେଇବାରେ ଲାଗିଲା । ସବୁ ଶୁଣିଲା ପରେ ଶେଷକୁ ଶିବଦତ୍ତ କହିଲେ-” ଆମକୁ ଲଢେଇ କରିବାର କୌଣସି ଆବଶ୍ୟକତା ନାହିଁ । ପ୍ରଥମେ ଆମେ ଆମ କ୍ଷୀପ୍ରଚରମାନଙ୍କ ଦ୍ୱାରା କାମ ହାସଲ କରିବାକୁ ଚେଷ୍ଟା କରିବା । ମୋ ପାଖରେ ୬ ଜଣ କ୍ଷୀପ୍ରଚର ଅଛନ୍ତି । ସେମାନଙ୍କ ଭିତରୁ ୪ ଜଣ କ୍ଷୀପ୍ରଚର ଆଉ ପଣ୍ଡିତ ଜଗନ୍ନାଥ ଜ୍ୟୋତିଷଙ୍କୁ ମୁଁ ତୁମକୁ ଦେଉଛି । ଏମାନଙ୍କୁ ନେଇ ତୁମେ ତୁମର କାମରେ ଲାଗିଯାଅ । ଯଦି ସେମିତି କିଛି ଦରକାର ପଡିଲା ତାହେଲେ ମୁଁ ମୋର ସେନାବାହିନୀ ନେଇ ସେଠି ପହଂଚି ଯିବି ।
ମହାରାଜ ଶିବଦତ୍ତ ଯେଉଁ କ୍ଷୀପ୍ରଚର ବିଷୟରେ କ୍ରୁରସିଂ କୁ ସୂଚନା ଦେଲେ ସେମାନେ ହେଲେ- ପଣ୍ଡିତ ବଦ୍ରୀନାଥ, ପାନ୍ନାଲାଲ, ରାମନାରାୟଣ, ଭଗବାନଦତ୍ତ ଓ ଘସୀଟା ସିଂ ଆଉ ସର୍ବୋପରି ପଣ୍ଡିତ ଜଗନ୍ନାଥ ଜ୍ୟୋତିଷ । ବଦ୍ରୀନାଥ, ପାନ୍ନାଲାଲ,ରାମନାରାୟଣ, ଆଉ ଭଗବାନ ଦତ୍ତ .. ଏଇ ୪ ଜଣ କ୍ରୁରସିଂ ସହ ବିଜୟଗଡ଼ ଯିବାକୁ ସ୍ଥିର ହେଲା । ଠିକ ଏଇ ସମୟରେ ପ୍ରତିହାରୀ ଆସି ସୂଚନା ଦେଲା -“ମହାରାଜ… ମହଲର ମୁଖ୍ୟ ଫାଟକ ପାଖରେ କେତେଜଣ ଗୁହାରିଆ ଠିଆ ହେଇଛନ୍ତି । କହୁଛନ୍ତି କି ସେମାନେ କୁଆଡେ କ୍ରୁର ସିଂର ସମ୍ପର୍କୀୟ … କ୍ରୁର ସିଂ ଚୁନାରଗଡ଼ ଆସିବା ପରେ ମହାରାଜ ଜୟ ସିଂ କ୍ରୋଧିତ ହେଇ ତାଙ୍କ ଘର କୋରିକି କରି ତାଙ୍କୁ ଦେଶାନ୍ତର ପଠେଇ ଦେଇଛନ୍ତି … ସେମାନଙ୍କ ପାଇଁ କି ଆଦେଶ ମହାରାଜ ?”
ପ୍ରତିହାରୀଠୁ ଏ କଥା ଶୁଣିବା ପରେ କ୍ରୁର ସିଂର ହୋସ ଉଡ଼ିଗଲା । ମହାରାଜ ଶିବଦତ୍ତ ସମସ୍ତଙ୍କୁ ମହଲ ଭିତରକୁ ଆସିବା ପାଇଁ ଅନୁମତି ଦେଲେ । ସେମାନେ ଆସିବା ପରେ ଘଟଣା ସମ୍ପର୍କରେ ପଚାରିବାରୁ ସେମାନେ ଯାହା ଯାହା ସେଠାରେ ଘଟିଥିଲା ସେସବୁ କହିଗଲେ । ତା’ପରେ ସେମାନେ କ୍ରୁର ସିଂ ଆଉ ନାଜିମ ଆଡେ ଚାହିଁ ପଚାରିଲେ-” ଅହମଦ ପରା ଏଠିକି ଆସିଥିଲା … ସେ କାହିଁ..?” ନାଜିମ କହିଲା-” ଅହମଦ… ? ସେ ଏଠି କୋଉଠି ? ସେ ତ ଏଠିକି ଆସିନି ।” ସମସ୍ତେ କହିଲେ-” ଭଲ କଥା ତ… ସେ ସେଠିକି ଯାଇଥିଲା … ତମ ମାନଙ୍କ ବିଷୟରେ ପଚାରି ବୁଝିଲା ଆଉ ଚୁନାର ଯାଉଛି ବୋଲି କହି ସେଠୁ ଆସିଲା… ଏଠି ଦେଖିଲା ବେଳକୁ ନାହିଁ ?”
ନାଜିମ କହିଲା-“ବାସ, ମୁଁ ସବୁ ବୁଝିଗଲି,ଏ ନିଶ୍ଚୟ ସେ ତେଜସିଂ ହେଇଥିବ.. ଏଥିରେ ସନ୍ଦେହ ନାହିଁ । ସେ ହିଁ ସବୁ ଖବର ମହାରାଜଙ୍କୁ ଦେଇଛି। ଏ ସବୁ ଯେତେ ଘଟଣା ଘଟିଛି ସବୁ ତାରି କାମ ।” ପରିବାର ଜନଙ୍କ ଦୁଃଖ ଦୁର୍ଦ୍ଦଶା କଥା ଭାବି କ୍ରୁର ସିଂ କାନ୍ଦିବାକୁ ଲାଗିଲା । ମହାରାଜ ଶିବଦତ୍ତ କହିଲେ-” ଯାହା ହେବାର ଥିଲା ହେଇ ଗଲା, ଏତେ ଆଉ ଭାବିବା ଦରକାର ନାହିଁ । ମୁଁ ଏହାର ହିସାବ ସେ ଜୟସିଂଙ୍କଠୁ କଡାଗଣ୍ଡା କରି ଆଦାୟ କରିବି। ତୁମେ ଏଇ ନଗରରେ ରୁହ । ନଗରର ସ୍ନାନାଗାର ସାମନା ଵାଲା ଘର ମୁଁ ତୁମକୁ ଦେଉଛି, ତୁମେ ତୁମ କୁଟୁମ୍ବ ସହିତ ଏଠାରେ ଆରାମରେ ରୁହ । ତୁମର ଯାହା ଯାହା ଆବଶ୍ୟକ ସେସବୁ ରାଜକୋଷ ଭରଣା କରିବ ।” ମହାରାଜଙ୍କ ଏ ଉଦାର ପଣିଆ ଦେଖି କ୍ରୁର ସିଂ ବହୁତ ଖୁସି ହେଇଗଲା ଆଉ ସହର୍ଷ ବଦନରେ ସେ ସେଇ ଘରେ ରହିବାକୁ ଲାଗିଲା ।
କିଛି ଦିନ ବିତିଯିବା ପରେ ଦିନେ କ୍ରୁର ସିଂ ଦରବାରକୁ ଆସି କହିଲା-“ମହାରାଜ ମୁଁ ବିଜୟଗଡ଼ ଯିବାକୁ ଚାହୁଁଚି ।” ମହାରାଜ ଶିବଦତ୍ତ ତାର ଯିବାର ସବୁ ବନ୍ଦୋବସ୍ତ କରିଦେଲେ । ସେ ଚାରିଜଣ କ୍ଷୀପ୍ରଚରଙ୍କ ସହ ପଣ୍ଡିତ ଜଗନ୍ନାଥ ବି ପ୍ରସ୍ତୁତ ହେଇଗଲେ ଯିବାପାଇଁ । ସେମାନେ ସମସ୍ତେ ନିଜର ସମସ୍ତ ଜିନିଷ ବନ୍ଧାବନ୍ଧି କରି ବାହାରି ପଡିଲେ କ୍ରୁର ସିଂ ସହ । ଏଇ ଜିନିଷ ଭିତରେ ରହିଥିଲା କ୍ଷୀପ୍ରଚର ଥଳିଆ, ଛୁରୀ, ବିଭିନ୍ନ ପ୍ରକାର ପୋଷାକ ଆଉ ସବୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ । ପଣ୍ଡିତ ଜଗନ୍ନାଥ ବି ନିଜ ପୋଥିବିଡା ସହ କିଛି କ୍ଷୀପ୍ରଚର ଜିନିଷ ବି ସାଥିରେ ନେଲେ । ତାଙ୍କୁ ବି କିଛି କିଛି କ୍ଷୀପ୍ରଚର ବିଦ୍ୟା ମାଲୁମ ଥିଲା । ସବୁ ଜିନିଷ ପ୍ରସ୍ତୁତ ହେଇଯିବା ପରେ ସେଇ ସଇତାନ ମାନଙ୍କ ଦଳ ବିଜୟଗଡ଼ ଆଡେ ପ୍ରସ୍ଥାନ କଲେ । ତାଙ୍କ ଲକ୍ଷ୍ୟ ଖାଲି ବିଜୟଗଡ଼ ନଥିଲା ତା ସହ ନୌଗଡ଼ ବି ରହିଥିଲା । ଏବେ ଖାଲି ଦେଖିବାର କଥା ଆଗକୁ କି କି ଘଟଣା ସବୁ ଘଟୁଛି ….
କ୍ରମଶଃ