Chandrakanta: Episode 15

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ବୀରେନ୍ଦ୍ର ସିଂ ଆଉ ତେଜ ସିଂ ଚନ୍ଦ୍ରପ୍ରଭା ନଦୀ କୂଳରେ ବସି ନଦୀର ଶୋଭା ଉପଭୋଗ କରୁଥାନ୍ତି । କିଛି ଦୂରରେ ରହିଥାନ୍ତି ସେମାନଙ୍କର ପାଟପଟୁଆର । ଗୋଟିଏ ପଟେ ଚନ୍ଦ୍ରପ୍ରଭା ନଦୀ ଆଉ ଅନ୍ୟପଟେ କରମନାସା ନଦୀ ବହି ଆସି ମହଲର ତଳ ଭାଗରେ ମିଶି ଯାଇଥିଲେ । ସେଇ ଦୁଇ ନଦୀର ସଙ୍ଗମ ସ୍ଥଳରେ କୁମାର ଆଉ ତେଜ ସିଂ ବସି ବସି ପ୍ରକୃତିର ସୌଦର୍ଯ୍ୟକୁ ଉପଭୋଗ କରୁଥିଲେ । ସ୍ଥାନଟି ସଙ୍ଗମ ସ୍ଥଳ ହେଇଥିବା ହେତୁ ନଦୀ ଖୁବ ଓସାର ଥିଲା । ନଦୀ ଆଉପଟେ ରହିଥିଲା ବହୁତ ବଡ଼ ଏକ ଶାଳ ଜଙ୍ଗଲ । ସେଇ ଜଙ୍ଗଲରେ ଅନେକ ମୟୁର ଆଉ ହନୁ ମାଙ୍କଡ଼ ବାସ କରୁଥିଲେ । ଯାହାଙ୍କ ସ୍ୱର ଜଙ୍ଗଲର ବହୁତ ଦୂର ଯାଏ ଗୁଂଜରିତ ହେଉଥିଲା । ବଡ଼ ଉଦାସିଆ ଥିଲା କୁମାରଙ୍କ ମନ । ଚନ୍ଦ୍ରକାନ୍ତାଙ୍କ ବିରହ ତାଙ୍କୁ ଏତେ ଉଦବିଘ୍ନ କରିଥିଲା କି ମୟୁରଙ୍କ ଡାକ ତାଙ୍କ ଦେହରେ ଶରବିଦ୍ଧ ହେଲା ପରି ଲାଗୁଥିଲା । ଆଉ ମାଙ୍କଡ଼ ମାନଙ୍କର ସ୍ୱର ବଜ୍ର ସମାନ ପ୍ରତୀତ ହେଉଥିଲା । ସଞ୍ଜର ଶୀତଳ ଧୀର ପବନ ତାଙ୍କୁ ଝାଞ୍ଜି ପରି ଲାଗୁଥିଲା । ସେ ଚୁପଚାପ ନଦୀ କୂଳରେ ବସି ଦୀର୍ଘଶ୍ୱାସ ଛାଡୁଥିଲେ ।

ଏତିକିବେଳେ ଏକ ସାଧୁ ରାମାନନ୍ଦୀ ତିଳକ ନାଇ ଗେରୁଆ ବସ୍ତ୍ର ପିନ୍ଧି ହାତରେ ଚିମୁଟା ଧରି ସେମାନଙ୍କଠୁ କିଛି ଦୂରରେ ନଦୀ କୂଳରେ ବସି ଗୀତ ଗାଉଥିବାର ଶୁଣାଗଲା-

କ୍ରୁର ଯାଇଥିଲା ଗଡ଼ ଚୁନାର,
ଆସିଛି ନେଇ ଚଉ କ୍ଷୀପ୍ରଚର,
ସାଙ୍ଗରେ ଅଛି ପଣ୍ଡିତ ଜଣେ,
ଖଡ଼ି ପକେଇ ଭବିଷ୍ୟ ଗଣେ,
ହୁସିଆର ରହି ଥିବୁଟି ଭାଇ,
ହାତକେ ଚାଖଣ୍ଡେ ଚାଲିବୁ ତୁହି,
ଅଚିନ୍ତା ମନରେ ବସି ଯାଅନି ,
ଶୀଘ୍ର କର କିଛି ମୋ କଥା ମାନି ।

ଏ ଗୀତ କାନରେ ପଡିବା କ୍ଷଣି ତେଜ ସିଂ ବଡ଼ ଧ୍ୟାନରେ ସେଇ ଆଡେ ଚାହିଁଲା । ସେ ସାଧୁ ଜଣକ ଏମାନଙ୍କୁ ଚାହିଁ ଗୀତଟିକୁ ଗାଉଥିଲା । ତେଜ ସିଂ ତାଙ୍କୁ ଚାହିଁବା କ୍ଷଣି ସେ ତାକୁ ଦାନ୍ତ ଦେଖେଇ ସେଠୁ ଉଠି ଚାଲିଗଲା ।

ଏ ସବୁ ଘଟଣା କିନ୍ତୁ କୁମାର ଜାଣି ପାରୁ ନଥିଲେ । ସେ ତ ଖାଲି ଚନ୍ଦ୍ରକାନ୍ତାଙ୍କ ଚିନ୍ତାରେ ମଗ୍ନ । କିଏ ଗାଉଛି କଣ ଗାଉଛି ଆଉ କାହିଁକି ଗାଉଛି ଏ ସବୁ ତାଙ୍କ ମୁଣ୍ଡରେ କିଛି ପଶୁ ନଥିଲା । ସେ ଡବଡବ ଆଖିରେ ନଦୀର ଧାରକୁ ଚାହିଁ ରହିଥିଲେ । ତେଜ ସିଂ ତାଙ୍କ ବାହାକୁ ହଲେଇ ଦେବାରୁ କୁମାର ଚମକି ପଡିଲେ । ଅତି ଧୀର ସ୍ୱରରେ ତେଜ ସିଂ ପଚାରିଲା-” କିଛି ଶୁଣିଲ ?”
କୁମାର-“କଣ…ନାଁ ତ ..।”
ତେଜ-“ଉଠନ୍ତୁ … ଯିବା…. ଯାହା କିଛି କଥା ସେସବୁ ଏକାନ୍ତରେ କରିବା ।” ବୀରେନ୍ଦ୍ର ସିଂ କଥାର ଗୁରୁତ୍ୱ ବୁଝି ଚୁପଚାପ ମହଲକୁ ପ୍ରତ୍ୟାବର୍ତ୍ତନ କଲେ।

କୁମାର ଏବେ ନିଜ କକ୍ଷରେ ବସିଥିଲେ । ତାଙ୍କ ପାଖରେ ଥିଲେ ତେଜ ସିଂ। ଏବେ ସେମାନେ ସମ୍ପୂର୍ଣ୍ଣ ଏକାନ୍ତ । ସେ ଦୁହିଁଙ୍କୁ ଛାଡିଦେଲେ ସେ କକ୍ଷରେ ଆଉ କେହି ନଥିଲେ । ବିରେନ୍ଦ୍ରସିଂ ପଚାରିଲେ-“କୁହ ଏବେ..କଣ କହିବାର ଥିଲା…?” ତେଜ ସିଂ କହିଲା-“ଶୁଣନ୍ତୁ…ଆପଣ ଜାଣିଛନ୍ତି ଯେ ମହାରାଜ ଶିବଦତ୍ତଙ୍କୁ ସାହାଯ୍ୟ ମାଗିବା ପାଇଁ କ୍ରୁର ସିଂ ଚୁନାରଗଡ଼ ଯାଇଥିଲା । ସେଥିରୁ କି ଫଳାଫଳ ବାହାରିଲା ମୁଁ ଏବେ ଆପଣଙ୍କୁ କହୁଛି ଶୁଣନ୍ତୁ । ମହାରାଜ ଶିବଦତ୍ତ ୪ ଜଣ କ୍ଷୀପ୍ରଚର ଆଉଜଣେ ଜ୍ୟୋତିଷଙ୍କୁ କ୍ରୁର ସିଂ ସାଙ୍ଗରେ ପଠେଇଛନ୍ତି । ସେ ଜ୍ୟୋତିଷ ଜଣକ ଭଲ ଖଡ଼ି ପକେଇ ପାରନ୍ତି । ଆଉ ସେ ନାଜିମ ତ ତା’ ସହ ଆଗରୁ ଥିଲା । ଏବେ ସେମାନଙ୍କ ମଂଡଳୀ ବହୁତ ଶକ୍ତିଶାଳୀ ହେଇଗଲେ । ଏବେ ସେମାନେ ଖୁବ ଉପଦ୍ରଵ ମଚେଇବେ। ତେଣୁ ମୁଁ ଆପଣଙ୍କୁ କହି ରଖୁଛି କି ଏବେଠୁ ଆପଣ ହୁସିଆର ହେଇ ରହିବେ । ମୁଁ କୌଣସି କାମରେ ବାହାରକୁ ଗଲା ପରେ ମୁଁ ଜାଣିଛି ସେମାନଙ୍କ ଭିତରୁ କେହି ନା କେହି ନିଶ୍ଚୟ ଏଠାକୁ ଆସି ଆପଣଙ୍କୁ ଫସେଇବା ପାଇଁ ଚେଷ୍ଟା କରିବେ । ତେଣୁ ସବୁବେଳେ ଆପଣ ସତର୍କ ହେଇ ରହିଥିବେ । ମୋ ବ୍ୟତୀତ ଆଉ କାହା ସହ କୁଆଡେ ବି ଯିବେନି । କେହି କିଛି ଦେଲେ ତାକୁ ଖାଇବେନି, ଅତର,ଫୁଲ ଇତ୍ୟାଦି କିଛି ବି ଜିନିଷ ଶୁଙ୍ଘିବେନି । ଆଉ ଏଇଟା ବି ମନେ ରଖିବେ ସେମାନେ ମୋ ରୂପରେ ବି ଆସି ପାରନ୍ତି । ଦେଖନ୍ତୁ ମତେ ଚିହ୍ନିବା ପାଇଁ ମୋ ଆଖିକୁ ଅନେଇବେ … ମୋ ଆଖି ଡୋଳାର ନିମ୍ନ ଭାଗରେ ଏକ ଛୋଟିଆ ତିଳ ଅଛି, ଯେଉଁଟାକି କେହି ବି ଜାଣି ନାହାନ୍ତି । ମୁଁ ଆଜି ପରଠୁ ଆପଣଙ୍କ ପାଖକୁ ଯେତେଥର ଆସିବି ସବୁଥର ଏଇ ତିଳକୁ ଗୁପ୍ତରେ ଦେଖେଇବି ଆଉ ନିଜର ପରିଚୟ ଦେବି । ଯଦି ମୁଁ ଏପରି ନ କଲି ତା’ହେଲେ ଜାଣିବେ ସେ ମୁଁ ନୁହେଁ ଆଉ କେହି ।”

ଆଉ ଏମିତି ବହୁତ କିଛି କଥା ତେଜ ସିଂ କୁମାରଙ୍କୁ ବୁଝାଇଲା । କୁମାର ବହୁତ ଧ୍ୟାନର ସହିତ ଶୁଣିଲେ ଆଉ ଶେଷରେ ପଚାରିଲେ -” ତୁମେ କେମିତି ଜାଣିଲ କି ଚୁନାରଗଡ଼ରୁ ଏ ସବୁ ସାହାଯ୍ୟ ସେ କ୍ରୁର ସିଂ କୁ ମିଳିଛି ବୋଲି ?” ତେଜ ସିଂ କହିଲା-“ବାସ…କୌଣସି ଏକ ସୂତ୍ରରୁ ମୁଁ ଜାଣିଗଲି… ସେସବୁ ମୁଁ ଆପଣଙ୍କୁ ପରେ କେବେ କହିବି । ଏବେ ମୁଁ ବିଦାୟ ନେଉଛି.. ଯଦି ମହାରାଜ କିମ୍ବା ମୋ ବାପା ମୋ ବିଷୟରେ ଅନୁସନ୍ଧାନ କରନ୍ତି ତେବେ ଆପଣଙ୍କୁ ଯେଉଁଟା ଠିକ ଲାଗିବ କହିଦେବେ ।”

ରାତି ଗୋଟିଏ ପ୍ରହର ବିତି ସାରିଥିଲା। ତେଜ ସିଂ ନିଜ କ୍ଷୀପ୍ରଚର ଜିନିଷ ପତ୍ର ନେଇ ବାହାରିପଡିଲା । ଏଣେ ଚପଳା ବି ନିଜକୁ ପୁରୁଷ ବେଶରେ ସଜେଇ ନଗର ଭିତରେ ଗସ୍ତ କରୁଥିଲା । ସେତେବେଳକୁ ଅଧା ରାତି ବିତି ସାରିଥିଲା । ନିର୍ମଳ ଜହ୍ନ ଆଲୁଅରେ ଚାରିଆଡ ଖୁବ ପରିଷ୍କାର ଦେଖା ଯାଉଥାଏ । ଏ ଜହ୍ନ ରାତି ଦେଖି ଚପଳା ମନରେ ତେଜ ସିଂ ର ଭାବନା ଉଦ୍ରେକ ହେଲା । ବହୁତ ଦିନ ହେଲା ତା’ ସହ ଦେଖା ନ ହେଇଥିବାରୁ ମନଟା ତାର ଗୋଳେଇ ଘାଣ୍ଟି ହେଉଥିଲା । ତେଣୁ ସେ ମନରେ ସ୍ଥିର କଲା ସେ ସଂଗେ ସଂଗେ ନୌଗଡ଼ ଆଡେ ମାଡି ଯିବ ଆଉ ତେଜ ସିଂ କୁ ଦେଖା କରି ଆସିବ । ଏଇ ଭାବନା ତା’ ମନକୁ ଆସିବା କ୍ଷଣି ସେ ନୌଗଡ଼ ରାସ୍ତାରେ ପାଦ ଦେଲା ।

ତେଣେ ତେଜ ସିଂ ନିଜ ଅସଲି ରୂପରେ ତା’ କ୍ଷୀପ୍ରଚର ଜିନିଷ ଧରି ବିଜୟଗଡ଼ ଆଡେ ଆସୁଥିଲା । ଅଧାବାଟରେ ଦୁହିଁଙ୍କର ଭେଟ ହେଇଗଲା । ଚପଳା ତେଜ ସିଂଙ୍କୁ ଚିହ୍ନିପାରି ତା’ ପାଖକୁ ଆସିଲା ଆଉ ନିଜ ଅସଲି ସ୍ୱରରେ କହିଲା-” ଆଜ୍ଞା…ଆପଣ ଏଣେ କୁଆଡେ ..?” ତେଜ ସିଂ ଚପଳାର ସ୍ୱରରୁ ତାକୁ ଚିହ୍ନି ପାରି କହିଲା-“ଆରେ..ବାଃ …ହଜିଲା ବଳଦ ଖୋଜିଲା ଠେଇଁ…ଯାହା ହେଉ ତମ ସହ ଦେଖା ହେଇଗଲା ନହେଲେ ଦେଖା କରିବା ପାଇଁ ମତେ ବାର ଆଖଡା କରିବାକୁ ପଡିଥାନ୍ତା …। ତମକୁ ବହୁତ କିଛି ସୂଚନା ଦେବାର ଅଛି…ଆସ ଏଇଠାରେ ବସି କଥା ହେବା ।”

ଦୁହେଁ ଏକ ଅକର୍ମା ଶିଳା ଉପରେ ବସିପଡ଼ିଲେ । ଚପଳା ପଚାରିଲା-“ଏବେ କୁହ …କଣ କହିବାର ଅଛି ?” ତେଜ ସିଂ କହିଲା-“ଶୁଣ…ଏକଥା ତମେ ଜାଣିଛ ଯେ କ୍ରୁର ସିଂ ଚୁନାରଗଡ଼ ଯାଇଥିଲା । ତା’ ପରର ଘଟଣା ହୁଏତ ତୁମେ ଜାଣି ନଥିବ…ସେ କଥା ମୋ ପାଖରୁ ଶୁଣ । ମହାରାଜ ଶିବଦତ୍ତ ତାଙ୍କର ୪ ଜଣ କ୍ଷୀପ୍ରଚର ଆଉ ପଣ୍ଡିତ ଜଗନ୍ନାଥ ନାମକ ଏକ ଜ୍ୟୋତିଷଙ୍କୁ କ୍ରୁର ସିଂ ସହ ପଠେଇଛନ୍ତି । ସେମାନେ ଏଠି ଆସି ପହଞ୍ଚି ସାରିଛନ୍ତି । ଶତ୍ରୁପକ୍ଷ ଏବେ ଆମଠୁ ସଶକ୍ତ ହେଇଗଲେ । ଆଉ ଏପଟେ ଖାଲି ତମେ ଆଉ ମୁଁ …ଏଣୁକରି ଆମକୁ ବହୁତ ହୁସିଆର ହେଇ କାମ କରିବାକୁ ପଡିବ । ଏମିତି ବି ହେଇପାରେ ସେମାନେ ମହାରାଜ ଜୟସିଂଙ୍କୁ କାବୁ କରି ନେଇ ପାରନ୍ତି । ସେମାନଙ୍କ ଅସଲ ଲକ୍ଷ୍ୟ ତ ଚନ୍ଦ୍ରକାନ୍ତା, ତେଣୁ ତୁମକୁ ସତର୍କ କରେଇବା ପାଇଁ ମୁଁ ତମ ପାଖକୁ ଯାଉଥିଲି ।”

କ୍ରମଶଃ

Please follow and like us:
0
20
Pin Share20