Chandrakanta: Episode 17

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ମଉକା ଦେଖି ମନ୍ତୀ ମହାଶୟ ଧୀରେ ଧୀରେ କହିବା ଆରମ୍ଭ କଲେ-“ରାଜାଧିରାଜେଶ୍ୱର… ଏ ଅକିଞ୍ଚନକୁ ପକ୍କା ଖବର ମିଳିଛି କି ଚୁନାରଗଡ଼ର ମହାରାଜ ଶିବଦତ୍ତସିଂ ୫ ଜଣ କ୍ଷୀପ୍ରଚରଙ୍କୁ କ୍ରୁର ସିଂ ସହ ପଠେଇଇଛନ୍ତି । ସେମାନେ ପୁରା ଦମରେ ଆପଣଙ୍କୁ ଅସୁବିଧାରେ ପକେଇବା ପାଇଁ ଲାଗି ପଡିଲେଣି । ଆଉ ମୁଁ ବିଶ୍ବସ୍ଥ ସୂତ୍ରରୁ ଖବର ପାଇଛି କି ମହାରାଜ ଶିବଦତ୍ତ କୌଣସି ମୂହୁର୍ତ୍ତରେ ସେନା ନେଇ ଆମ ଉପରେ ଆକ୍ରମଣ କରିପାରନ୍ତି । ଆମ ପାଇଁ ଏଇଟା ବଡ଼ ଚିନ୍ତାର ବିଷୟ । ଏକେତ ଆମ ପାଖରେ କୌଣସି କ୍ଷୀପ୍ରଚର ନାହାନ୍ତି, ନାଜିମ ଓ ଅହମଦ ନାମରେ ଯେଉଁ ଦୁଇଜଣ ଥିଲେ ସେମାନେ କ୍ରୁର ସିଂର ପକ୍ଷ ଭୁକ୍ତ ହେଇ ସାରିଛନ୍ତି । ଆଉ ଦ୍ୱିତୀୟ କଥା ହେଲା ଆମ ସେନାରେ ଥିବା ମୁସଲମାନ ସିପାହୀମାନେ ସେମାନଙ୍କୁ ଗୁପ୍ତରେ ସାହାଯ୍ୟ କରୁଛନ୍ତି । ଦରକାର ପଡିଲେ ସେମାନେ ଆମ ବିରୁଦ୍ଧରେ ବିଦ୍ରୋହ ବି କରି ପାରନ୍ତି । ଚୁନାରଗଡ଼ରୁ ଆସିଥିବା କ୍ଷୀପ୍ରଚର ମାନେ ବେଶ ବଦଳେଇ ନଗର ଭିତରେ ବଦମାସୀ ଆରମ୍ଭ କରିଦେଲେଣି । ଏବେ ଆମର କର୍ତ୍ତବ୍ୟ କଣ ହେବ ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ ।”
ଜୟସିଂ-“ମୁଁ ଜାଣିଛି… ମୁସଲମାନମାନେ ସେମାନଙ୍କର ରଙ୍ଗ ବଦଳେଇ ସାରିଲେଣି । ହେଲେ ଏଥିକୁ ତୁମେ କିଛି ଉପାୟ ଭାବିଛ ?”
ମହାରାଜ ଓ ମନ୍ତ୍ରୀ ମହାଶୟଙ୍କ ଭିତରେ ବାର୍ତ୍ତାଳାପ ଚାଲିଥିବା ବେଳେ ମନ୍ତ୍ରୀଙ୍କ ନଜର ଏକ ପ୍ରତିହାରୀ ଉପରେ ଅଟକିଗଲା । ସେ ଜଣକ ଦରବାରରେ ପ୍ରହରା ଦେଉ ଦେଉ କନକନ ହେଇ ଏଣେ ତେଣେ ଚାହୁଁଥିଲା । ମନ୍ତ୍ରୀ ମହାଶୟ ସ୍ଥିର ଚିତ୍ତରେ ତାକୁ ଅନେଇ ରହିଲେ । ସେ ପ୍ରତିହାରୀ ଯେତେବେଳେ ଜାଣିଲା କି ମନ୍ତ୍ରୀ ମହାଶୟ ତାକୁ ସନ୍ଦେହ କରିବା ଆରମ୍ଭ କଲେଣି ସେ ଟିକେ ସତର୍କ ହେଇ ନିଜକୁ ସମ୍ଭାଳି ନେଲା । ହେଲେ ମନ୍ତ୍ରୀ ମହାଶୟ ମହାରାଜଙ୍କ ସହ ବାର୍ତ୍ତାଳାପ ଛାଡି କହିଲେ-” ଧର ତାକୁ…” ହୁକୁମ ଶୁଣିବା ପରେ ଅନ୍ୟ ପ୍ରତିହାରୀ ମାନେ ତା’ ଆଡ଼କୁ ଅଗ୍ରସର ହେଲା କ୍ଷଣି ସେ ଜଣକ ଦୌଡିବାକୁ ଲାଗିଲା । ଆଉ ଏମିତି ଦୌଡ଼ି ଚାଲିଗଲା ଯେ ଏମାନେ ତାକୁ ଧରିବେ କଣ ତା’ ଛାଇକୁ ବି ଛୁଇଁ ପାରିଲେ ନାହିଁ । ତେଜ ସିଂ ଚାହିଁଥିଲେ ତାକୁ ଧରି ପାରିଥାନ୍ତା ହେଲେ ସେ ମନ୍ତ୍ରୀଙ୍କ ରୂପରେ ଥିବାରୁ ତାଙ୍କ ପରି ଚାଲିଚଳନରେ ରହିବାକୁ ବାଧ୍ୟ ହେଉଥିଲା । ତେଣୁ ସେ ଚୁପ ହେଇ ମନ୍ତ୍ରୀ ଆସନରେ ବସି ରହିଲା । ସେ କ୍ଷୀପ୍ରଚର ଖସି ଚାଲିଗଲା ଆଉ ତା’ ପଛରେ ଗୋଡ଼େଇଥିବା ସିପାହୀ ଖାଲି ହାତରେ ଫେରି ଆସିଲେ ।

ମନ୍ତ୍ରୀ -“ମହାରାଜ… ଦେଖନ୍ତୁ ମୁଁ ଯାହା ସନ୍ଦେହ କରୁଥିଲି, ସେ କଥା ଆଖି ଆଗରେ ଘଟିଗଲା ।” ମହାରାଜ ଏସବୁ ତାମସା ଦେଖି ଭୟଭୀତ ହେଇ ପଡିଲେ । ସେ ତୁରନ୍ତ ଦରବାର ବର୍ଖାସ୍ତ କରି ମନ୍ତ୍ରୀ ମହାଶୟଙ୍କ ସହ ଏକାନ୍ତକୁ ଚାଲିଗଲେ । ଏକ ନିରୋଳା ସ୍ଥାନରେ ବସି ଦୁହେଁ କଥା ହେବାକୁ ଲାଗିଲେ ।

ମହାରାଜ-” ଏବେ ଆମେ କଣ କରିବା..? ସେ ଦୁଷ୍ଟ କ୍ରୁର ସିଂ ତ ଏକ ଶକ୍ତିଶାଳୀ ରାଜ୍ୟକୁ ଆମ ବିରୁଦ୍ଧରେ ଠିଆ କରେଇ ଦେଲା । ମହାରାଜ ଶିବଦତ୍ତଙ୍କ ସହ ଆମେ କେବେବି ସମକକ୍ଷ ହେଇ ପାରିବା ନାହିଁ ।”
ମନ୍ତ୍ରୀ-” ମହାରାଜ ମୁଁ ପୁନର୍ବାର ସୂଚିତ କରୁଛି କି ଆମ ମହଲରେ ଏ ସମୟରେ କୌଣସି କ୍ଷୀପ୍ରଚର ନାହାନ୍ତି । ନାଜିମ ଆଉ ଅହମଦ ସେ କ୍ରୁର ସିଂ ପକ୍ଷଭୁକ୍ତ ହେଇ ସାରିଛନ୍ତି । ଜଣେ କ୍ଷୀପ୍ରଚରକୁ ଆଉ ଜଣେ କ୍ଷୀପ୍ରଚର ହିଁ ପ୍ରତିରୋଧ କରି ପାରିବ । ସେମାନଙ୍କ ଆଗରେ ସାରା ସେନାବାହିନୀ ବି ତୁଚ୍ଛ । ଏମାନେ ବହୁତ ଚାଲାକ ଆଉ ଧୂର୍ତ୍ତ । ଜଣେ ଜଣେ କ୍ଷୀପ୍ରଚର ପାଁ’ଶ ହଜାର ଜୀବନ ନେଇଯିବା ଅସମ୍ଭବ ନୁହେଁ । ଏଥିପାଇଁ ମୁଁ ଗୁହାରି କରୁଛି କି ଆମ ମହଲରେ ଜଣେ ସଚ୍ଚୋଟ କ୍ଷୀପ୍ରଚରକୁ ନିଯୁକ୍ତ କରାଯାଉ । କିନ୍ତୁ ଲାଗୁଛି ଅଚାନକ ଏପରି ଜଣେ କ୍ଷୀପ୍ରଚର ମିଳିବା ସମ୍ଭବ ନୁହେଁ । ତେଣୁ ମୁଁ କଣ କହୁଥିଲି କି ରାଜା ସୁରେନ୍ଦ୍ରସିଂଙ୍କ ମନ୍ତ୍ରୀ ଜିତ ସିଂଙ୍କର ପୁଅ ତେଜ ସିଂ ଜଣେ ବଡ଼ କ୍ଷୀପ୍ରଚର ହେଇ ବାହାରିଛି । ଯଦି ମହାରାଜ ଚାହାନ୍ତି ତେବେ ଆମେ ତାଙ୍କର ସାହାଯ୍ୟ ନେଇ ପାରିବା । ସୁରେନ୍ଦ୍ରସିଂ ବି ଆପଣଙ୍କୁ ମନା କରିବେନି କାହିଁକି ନା ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି ଆଉ ସମ୍ମାନ ବି କରନ୍ତି । ଯଦିଓ ଆପଣ ବିରେନ୍ଦ୍ରସିଂଙ୍କ ମହଲରେ ପ୍ରବେଶକୁ ବାରଣ କରିଛନ୍ତି ତେବେବି ଆପଣ ଚାହିଁଲେ ପୂର୍ବ ସମ୍ପର୍କରେ ସୁଧାର ଆସି ପାରିବ ।”

ମନ୍ତ୍ରୀ ମହାଶୟଙ୍କ କଥା ଶୁଣି କିଛି ସମୟ ମହାରାଜ ଚିନ୍ତା କରିବା ପରେ କହିଲେ-” ତୁମେ ଯାହା କହୁଛ ସେ ସବୁ ଠିକ । ସୁରେନ୍ଦ୍ରସିଂ ଆଉ ତାଙ୍କ ପୁଅ ବୀରେନ୍ଦ୍ର ସିଂ ଖୁବ ଭଲ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ବୀରେନ୍ଦ୍ର ସିଂ ଏବେ ରାଜନୀତିରେ ପାରଙ୍ଗମ । ଆଉ ଜଣେ ବୀର ଯୋଦ୍ଧା ବି । ହଜାରେ ସୈନିକ ନେଇ ସେ ଦଶହଜାର ସେନାଙ୍କ ସହ ଯୁଦ୍ଧ କରି ପାରିବ । ଆଉ ରହିଲା ତେଜ ସିଂ … ସେ ବି ଖୁବ ଚାଲାକ ଯେପରି ତୁମେ କହୁଛ । ହେଲେ ମୁଁ ତାଙ୍କୁ କୋଉ ମୁହଁ ନେଇ ସାହାଯ୍ୟ ମାଗିବି । ତାଙ୍କ ସହ ଯେଉଁ ବ୍ୟବହାର କରିଛି ନିଜକୁ ଲାଜ ଲାଗୁଛି । ନା… ସେମାନଙ୍କ ଆଗରେ ଠିଆ ହେବାର ସବୁ ଯୋଗ୍ୟତା ମୁଁ ହରେଇ ସାରିଛି … ବରଂ ତମେ ଯାଅ… ଯଦି ତାଙ୍କୁ ବୁଝେଇ ଶୁଝେଇ ତେଜ ସିଂଙ୍କୁ ଆଣି ପାରିବ ତେବେ ଆମ କାମ ସହଜ ହେଇଯିବ ।” ମନ୍ତ୍ରୀ ମହାଶୟ କହିଲେ-” ଯଥା ଆଜ୍ଞା ମହାରାଜ… ମୁଁ ନିଜେ ଯାଇ ରାଜା ସୁରେନ୍ଦ୍ର ସିଂଙ୍କୁ ଭେଟିବି ଆଉ ତାଙ୍କୁ ମନେଇବା ପାଇଁ ଚେଷ୍ଟା କରିବି ।” ଜୟସିଂ ସୁରେନ୍ଦ୍ର ସିଂଙ୍କ ଉଦ୍ଦେଶ୍ୟରେ ନିଜ ହସ୍ତଲିଖିତ ଏକ ପତ୍ର ରାଜମୋହର ଲଗେଇ ମନ୍ତ୍ରୀ ମହାଶୟଙ୍କୁ ହସ୍ତାନ୍ତର କଲେ ।

ମନ୍ତ୍ରୀ ମହାଶୟ ମହାରାଜଙ୍କଠୁ ବିଦାୟ ନେଇ ନିଜ ଘରକୁ ଫେରିଲେ । ହେଲେ ସେ ଭିତରକୁ ନ ଯାଇ ବାହାର ବୈଠକୀଘରେ ବସି ଗଲେ । ସେଇଠାକୁ ନିଜ ଖାଦ୍ୟ ବି ମଗେଇ ଖାଇ ନେଲେ । ଖାଇ ପିଇ ସାରିବା ପରେ ମନରେ ଚିନ୍ତା ଆସିଲା କି ଥରେ ଚପଳାକୁ ଦେଖା କଲେ ଭଲ ହୁଅନ୍ତା । ତାକୁ ସବୁ କଥା ଜଣେଇ ସେ ନୌଗଡ଼ ଚାଲିଯାଆନ୍ତା । ଏମିତି ଭାବୁ ଭାବୁ କିଛି ସମୟ ଅତିକ୍ରାନ୍ତ ହେଇ ଗଲା । ସେ ଚପଳାକୁ ଭେଟିବା ପାଇଁ କିଛି ଉପାୟ ଭାବିବାକୁ ଲାଗିଲା ବେଳେ ନିଜେ ଚପଳା ତାକୁ ଦେଖା କରିବାକୁ ଚାଲି ଆସିଲା । ଚପଳା ଆସିବା ପରେ ତାକୁ ନେଇ ସେ ଏକାନ୍ତକୁ ଚାଲିଗଲା । ନିରୋଳାରେ ବସି ସେମାନେ ସବୁ କଥା ଆଲୋଚନା କଲେ । ମହାରାଜ ତା’ ହାତରେ ଦେଇଥିବା ଚିଠିଟିକୁ ସେ ଚପଳାଙ୍କୁ ଦେଖେଇଲା । ଏସବୁ ଦେଖି ଚପଳା ବହୁତ ଖୁସି ହେଇଗଲା ଆଉ କହିଲା-“ବହୁତ ଭଲ ଯୋଜନା… ତୁମେ ଯାଅ, ଏ କାମ ଜଲଦି ହେଇ ଯିବା ଦରକାର ।” ଏସବୁ କହିବା ଭିତରେ ସେ ତେଜ ସିଂର ବୁଦ୍ଧିମତ୍ତାକୁ ଭୁୟସୀ ପ୍ରଶଂସା ମଧ୍ୟ କଲା । ତା’ପରେ ହରଦୟାଲ ସିଂ ରୂପି ତେଜ ସିଂ ନୌଗଡ଼କୁ ପ୍ରସ୍ଥାନ କଲା ଆଉ ରାସ୍ତାରେ ସେ ମନ୍ତ୍ରୀର ରୂପ ପରିତ୍ୟାଗ କରି ନିଜ ଅସଲ ରୂପରେ ନୌଗଡ଼ ଯିବାକୁ ଲାଗିଲା ।

କ୍ରମଶଃ

Please follow and like us:
0
20
Pin Share20