Chandrakanta: Episode 21

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ମହାରାଜ ବଡ଼ ଖୁସିରେ ସେ ବନ୍ଦୀ ଆଡେ ଚାହିଁ ପଚାରିଲେ -“ତୋ ନାଁ କଣ କିରେ …?”
ସେ କହିଲା-“ଧୋକାବାଜ ଖାଁ ଓରଫ କ୍ଷୀପ୍ରଚର ଖାଁ …” ତା’ ଥଟ୍ଟାଳିଆ କଥା ଶୁଣି ମହାରାଜଙ୍କୁ ହସ ଲାଗିଲା । ସେ ସିପାହୀ ମାନକୁ ଆଦେଶ ଦେଲେ-” ବାସ… ୟାକୁ ଆଉ ଅଧିକ କିଛି ପଚାରିବା ଆବଶ୍ୟକ ନାହିଁ… ନେଇଯାଅ ୟାକୁ ଆଉ କାରାଗାରରେ ଵନ୍ଦ କର… ଆଉ ସେଠି କଡା ପ୍ରହରାର ବନ୍ଦୋବସ୍ତ କର ।” ଆଦେଶ ମିଳବା ମାତ୍ରକେ ତା’ ଗୋଡ଼ ହାତରେ ବେଡି ପକେଇ କାରାଗାରକୁ ନିଆଗଲା । ମହାରାଜ ଅତି ଖୁସି ହେଇ ତେଜ ସିଂଙ୍କୁ ସୁନା ମୋହର ପୁରସ୍କାର ଦେଲେ । ତେଜ ସିଂ ବି ଖୁସିରେ ମହାରାଜଙ୍କୁ ଅଭିବାଦନ କରି ମୋହରକୁ ନିଜ ଥଳିରେ ରଖିନେଲା ।
ରାମନାରାୟଣ. ବଦ୍ରୀନାଥ, ଆଉ ପଣ୍ଡିତ ଜଗନ୍ନାଥ ନିଜ ବେଶ ବଦଳେଇ ଦରବାରରେ ଚାଲିଥିବା ଏ ତାମସା ଦେଖୁଥିଲେ । ଯେତେବେଳେ ପାନାଲାଲକୁ

କାରାବାସର ଆଦେଶ ହେଲା ସେମାନେ ସମସ୍ତେ ବାହାରକୁ ଚାଲି ଆସି ନିଜ ଭିତରେ ମନ୍ତ୍ରଣା କରି ବହୁତ ବଡ଼ ହେରଫେର କରିଦେଲେ । ବଦ୍ରୀନାଥ ଏକ କୋଣକୁ ଯାଇ ନିଜକୁ ତେଜ ସିଂ ରୂପରେ ପରିବର୍ତ୍ତିତ କରିଦେଲା ଆଉ ରାମନାରାୟଣ ଓ ପଣ୍ଡିତ ଜଗନ୍ନାଥ ଦୁଇଜଣ ପ୍ରତିହାରୀ ବେଶ ହେଇଗଲେ । ସେମାନେ ଶୀଘ୍ରାତିଶୀଘ୍ର ସେହି ସିପାହୀ ମାନଙ୍କ ପାଖକୁ ଗଲେ ଯେଉଁମାନେ ପାନାଲାଲକୁ ବନ୍ଦୀ କରି କାରାଗାର ଆଡେ ନେଇ ଯାଉଥିଲେ । ସେମାନଙ୍କ ପାଖକୁ ଯାଇ ନକଲି ତେଜ ସିଂ କହିଲା-” ରହି ଯାଅ…ଏ ପାଜି କ୍ଷୀପ୍ରଚର ପାଇଁ ମହାରାଜ ଅଲଗା ଏକ ହୁକୁମ ଜାରି କରିଛନ୍ତି । କାହିଁକି ନା ମୁଁ ରାଜାଙ୍କୁ ଜଣେଇଲି କି ଇଏ କାରାଗାରରେ ରହିଲେ ହୁଏତ ତା’ ସାଥିମାନେ ବେଶ ବଦଳେଇ ତାକୁ ମୁକ୍ତ କରି ନେଇ ଯାଇ ପାରନ୍ତି । ତେଣୁ ମୁଁ ତାକୁ ନଜରବନ୍ଦି କରି ରଖିବି । ତମେ ତାକୁ ମତେ ସମର୍ପି ଦିଅ ଏବେ ତା’ ହେପାଜତ ମୁଁ କରିବି ।”

ସିପାହୀ ମାନେ ଭଲରୂପେ ଜାଣିଥିଲେ କି ତେଜ ତାକୁ ଧରିଛି, ତେଣୁ ସେମାନଙ୍କର ସନ୍ଦେହ କରିବାର ଅବକାଶ ନଥିଲା ଆଉ ବିନା ଦ୍ଵିଧାରେ ସେମାନେ ପାନାଲାଲକୁ ନକଲି ତେଜ ସିଂ ହାତରେ ଅର୍ପି ଦେଲେ । ନକଲି ତେଜ ସିଂ ଆଉ ତାର ଦୁଇ ସାଥି ପାନାଲାଲକୁ ନେଇ ତୁରନ୍ତ ଜଙ୍ଗଲରେ ଥିବା ସେମାନଙ୍କ ଆଡ୍ଡାକୁ ପ୍ରତ୍ୟାବର୍ତ୍ତନ କଲେ । ସେମାନେ ଚାଲିଯିବା ପରେ ଏ ସବୁ ଘଟଣା ରାଜାଙ୍କୁ ଜଣେଇବା ପାଇଁ ସିପାହୀମାନେ ଦରବାରକୁ ଫେରିଲେ । ଦରବାର ଯେମିତିକୁ ସେମିତି ଚାଲୁ ରହିଥିଲା । ତେଜ ସିଂ ନିଜ ଆସନରେ ବସିଥିଲା । ତାକୁ ଦେଖି ଏ ସିପାହୀ ମାନଙ୍କ ହୋସ ଉଡ଼ିଗଲା । ସେମାନଙ୍କ ପାଟିରୁ କଥା ବାହାରିଲା ନାହିଁ । ଏମାନଙ୍କୁ ଦେଖି ତେଜ ସିଂ ପଚାରିଲା -” କଣ ହେଲା…? ସେ କ୍ଷୀପ୍ରଚରକୁ କାରାଗାରରେ ଛାଡି ଆସିଲ ନା ନାହିଁ ?” ସିପାହୀମାନେ ଡରି ଡରି କହିଲେ-“ଆଜ୍ଞା… ଆପଣ ତ ତାକୁ ଆମଠୁ ନେଇ ଚାଲିଗଲେ …” ତେଜ ସିଂ ସେମାନଙ୍କ କଥା ଶୁଣି ଚମକି ପଡିଲା ଆଉ କହିଲା-” ମୁଁ କେତେବେଳେ ତାକୁ ନେଲି…ମୁଁ ତ ନିଜ ସ୍ଥାନରୁ ଇଞ୍ଚେ ବି ହଲିନି …”

ତେଜ ସିଂ କଥା ଶୁଣିବା ପରେ ସେ ସିପାହୀ ମାନଙ୍କର ପୋଷେ ପୋଷେ ରକ୍ତ ଶୁଖିଗଲା । ପାଟିରୁ ସେମାନଙ୍କର କଥା ଆଉ ବାହାରିଲା ନାହିଁ । ଦାରୁଭୁତ ମୂରାରୀଙ୍କ ପରି ଠିଆ ହେଇ ରହିଲେ । ମହାରାଜ ତେଜ ସିଂ ଆଡେ ଚାହିଁ କହିଲେ-” କଣ ହେଲା ତେଜ ସିଂ ? ତେଜ ସିଂ ଜବାବ ଦେଲା-“ସେ କ୍ଷୀପ୍ରଚର ଆଉ ତା’ ସାଥି ସେମାନଙ୍କର ଦେଖିଲା କାମ କରି ଚାଲିଗଲେ । ମୋ ରୂପ ଧରି ସେମାନେ ବନ୍ଦୀକୁ ମୁକ୍ତ କରି ନେଇଗଲେ । ଏଥିରେ ଏ ସିପାହୀ ମାନଙ୍କର କିଛି ଦୋଷ ନାହିଁ । କ୍ଷୀପ୍ରଚର ମାନେ ହିଁ ଏମିତି … ସେମାନେ ଆପଣଙ୍କ କଛା କାଟି ନେଇ ଚାଲିଯିବେ ହେଲେ ଆପଣଙ୍କୁ ଜଣା ପଡ଼ିବନି । ” ତେଜ ସିଂ ଙ୍କ ବୟାନ ଶୁଣିବା ପରେ ମହାରାଜ ସେ ସିପାହୀ ମାନକୁ ଦୋଷ ମୁକ୍ତ କରି ଦେଲେ ସିନା ହେଲେ ସେ ବନ୍ଦୀଟା ହାତଛଡା ହେବାରୁ ବହୁତ ସମୟ ଯାଏ ମନସ୍ତାପରେ ରହିଲେ ।

ବଦ୍ରୀନାଥ ଓ ତା’ ସାଥିମାନେ ପାନାଲାଲକୁ ଧରି ଜଙ୍ଗଲରେ ପହଞ୍ଚିଲେ । ଗୋଟିଏ ଗଛ ମୂଳେ ସମସ୍ତେ ବସି ପାନାଲାଲକୁ ଘଟଣା ସମ୍ପର୍କରେ ପଚାରନ୍ତେ ସେ ସବୁ କଥା ବିସ୍ତୃତ ଭାବେ କହିଗଲା । ତା’ ଠାରୁ ସମସ୍ତେ ଜାଣିଲେ କି ଭଗବାନଦତ୍ତକୁ ବି ସେ ତେଜ ସିଂ ବନ୍ଦୀ କରି କେଉଁଠି ଲୁଚେଇ ରଖିଛି । ଏ କଥା ଜାଣି ସମସ୍ତେ ପଣ୍ଡିତ ଜଗନ୍ନାଥଙ୍କୁ କହିଲେ-” ଆପଣ ଖଡ଼ି ପକେଇ କୁହନ୍ତୁ ସେ ଭଗବାନଦତ୍ତ କେଉଁଠି ଅଛି ?” ପଣ୍ଡିତ ଜଗନ୍ନାଥ ଖଡ଼ି ପକେଇ କିଛି ଗଣନା କରି କହିଲେ-“ଏ କଥା ନିଶ୍ଚିତ ଯେ ସେ ତେଜ ସିଂ ହିଁ ଭଗବାନଦତ୍ତକୁ ବନ୍ଦୀ କରି ରଖିଛି । ଏଠାରୁ ଦୁଇ କୋଶ ଦୂରରେ ଏକ ପାହାଡ଼ ଗୁମ୍ଫାରେ ସେ ବନ୍ଦୀ ଅଛି ।”

ଏ କଥା ଶୁଣିଲା ପରେ ସମସ୍ତେ ସେ ଗୁମ୍ଫା ଆଡେ ବାହାରିଲେ । ପଣ୍ଡିତ ଜଗନ୍ନାଥ ଖଡ଼ି ପକେଇ ସେ ଗୁମ୍ଫାର ରାସ୍ତା କହୁଥାନ୍ତି ଆଉ ଅନ୍ୟମାନେ ତାଙ୍କୁ ଅନୁସରଣ କରୁଥାନ୍ତି । ଶେଷକୁ ସେମାନେ ସେ ଗୁମ୍ଫା ପାଖରେ ପହଂଚି ଗଲେ । ସମସ୍ତେ ତା’ ଭିତରକୁ ଯାଇ ଅନ୍ଧାରୁଆ ରାସ୍ତାରେ କିଛି ବାଟ ଚାଲିବା ପରେ ଯେତେବେଳେ ଆଲୋକ ଆସିଲା ସେମାନେ ସେଇ ପଥରର ଦ୍ୱାର ଆଗରେ ଠିଆ ହେଇଥିଲେ । ହେଲେ ସେ ଦ୍ୱାର କେମିତି ଖୋଲିବ କେହି ଜାଣି ପାରୁନଥିଲେ । ପଣ୍ଡିତ ଜଗନ୍ନାଥ ଖଡ଼ି ପକେଇ ଦ୍ୱାର ଫିଟେଇବାର ଉପାୟ ଖୋଜିବାରେ ଲାଗିଲେ । କିଛି ଗଣନା କରି କହିଲେ-” ଏ ଦ୍ୱାର କୌଣସି ଏକ ଇନ୍ଦ୍ରଜାଲର (ତିଲ୍ଲୀଶ୍ମି) ଏକ ଅଂଶ । ଆଉ ଇନ୍ଦ୍ରଜାଲ ପାଖରେ ମୋ ଖଡ଼ି କି ଜ୍ୟୋତିଷ ଗଣନା କିଛି କାମ କରିବନି । ୟାକୁ ଖୋଲିବା ପାଇଁ ଅନ୍ୟ କିଛି ଉପାୟ ଭାବିବାକୁ ପଡିବ ।” ଦ୍ୱାର ଖୋଲି ନପାରି ଶେଷକୁ ନାଚାର ହେଇ ଫେରିଆସିଲେ ସେ ସୈତାନ ମାନଙ୍କ ଦଳ ଆଉ ନିଜ କ୍ଷୀପ୍ରଚାରିତାର କୌଶଳ ଲଗାଇ ଏହାର ସମାଧାନର ବାଟ ବାହାର କରିବାକୁ ବିଚାର କଲେ ।

କ୍ରମଶଃ

Please follow and like us:
0
20
Pin Share20