ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଦିନକର କଥା । ସବୁଦିନ ପରି ତେଜ ସିଂ ପରିଭ୍ରମଣ କରୁ କରୁ ବିଜୟଗଡ଼ ନଗର ବାହାରକୁ ଚାଲିଗଲା । ସେତେବେଳକୁ ଦିନ ଆଉ ଘଡ଼ିଏ ଖଣ୍ଡେ ବାକି ଥାଏ । ଏମିତି ଚାଲି ଚାଲି ସେ ଅନେକ ଦୂର ଚାଲି ଆସିଲା, ନଗର ତାଠୁ ବହୁ ପଛରେ ରହି ଯାଇଥିଲା । ହଠାତ ସେ ଦେଖିବାକୁ ପାଇଲା ଏକ ବୃକ୍ଷ ମୂଳରେ କୁମାର ବୀରେନ୍ଦ୍ର ସିଂ ବସିଛନ୍ତି । ପାଖରେ ତାଙ୍କର ଘୋଡା ବନ୍ଧା ହେଇଛି । ଆଉ ଆଗରେ ଏକ ବାର୍ହା ମରି ପଡିଛି । ଗୋଟେ ପଟେ ନିଆଁ ଜଳୁଛି ଆଉ ଅନ୍ୟପଟେ ଏକ ଶାଳ ପତ୍ରରେ କିଛି ପୋଡା ମାଂସ ରଖା ହେଇଛି ।
ତେଜ ସିଂ କୁ ଦେଖି ଦେଇ କୁମାର ଖୁବ ଜୋରରେ ପାଟି କରି ଡାକିଲେ-” ଭାଇ ତେଜ ସିଂ …ଆସ ଆସ…ମୁଁ ଏଇଠି ଅଛି … ବିଜୟଗଡ଼ କଣ ଗଲ ଯେ ଏ ଭାଇଟାକୁ ପୁରା ପୁରି ଭୁଲି ଗଲ?”
ତେଜ ସିଂ କୁମାରଙ୍କ କଥା ଶୁଣି ହସି ଦେଇ କହିଲା-” ମୁଁ ଆପଣଙ୍କ କାମ କରୁଛି ନା ମୋ ବୋପାର…?”
କୁମାର-” ତମ ବୋପାର…”
ହସିଦେଲେ କୁମାର… ଆଉ ତାଙ୍କ ସହ ତାଳ ମିଳେଇ ହସି ଉଠିଲା ତେଜ ସିଂ । ହସୁ ହସୁ ସେ ଯାଇ କୁମାରଙ୍କ ପାଖରେ ବସିଗଲା । କୁମାର ପଚାରିଲେ-” କୁହ… ମୋ ଚନ୍ଦ୍ରକାନ୍ତା କେମିତି ଅଛି… ତା’ ସହ ତୁମର ଦେଖା ସାକ୍ଷାତ ହେଉଛି କି ନାହିଁ ?”
ତେଜ ସିଂ କହିଲା-” ମୁଁ ମୋ କାମରେ ଲାଗିଛି କୁମାର… ଏ ଭିତରେ ମୁଁ ଶତ୍ରୁପକ୍ଷର ଏକ କ୍ଷୀପ୍ରଚରକୁ ଧରି ମହାରାଜଙ୍କ ଦରବାରରେ ହାଜିର କରାଇଥିଲି । ମହାରାଜ ବି ତାକୁ କାରାଗାର ପଠେଇ ଦେଇଥିଲେ । ହେଲେ ସେ କାରାଗାରରେ ପହଞ୍ଚିବା ଆଗରୁ ତା’ ସାଥିମାନେ ତାକୁ ମୁକ୍ତ କରି ନେଇଗଲେ । ତାପରେ ଅବଶ୍ୟ ମୁଁ ମୋ ଚେଷ୍ଟା ଜାରି ରଖିଛି ହେଲେ ଏଯାଏ ସଫଳତା ମିଳିନି ।”
କୁମାର-“ସେମାନେ ବହୁତ ଚାଲାକ… ଟିକେ ହୁସିଆର ଥିବ ।”
ତେଜ-“ଅନ୍ୟମାନଙ୍କ କଥା ଛାଡ଼ନ୍ତୁ, ସେମାନଙ୍କ ଭିତରେ ବଦ୍ରୀନାଥ ନାମକ କ୍ଷୀପ୍ରଚର ବହୁତ ଧୂର୍ତ୍ତ । ତା’ ପାଇଁ ମୋ ମନରେ ସବୁବେଳେ ଭୟ ଲାଗି ରହୁଛି । ଛାଡ଼ନ୍ତୁ… ଯାହା ହେବ ଦେଖା ଯିବ । ହେଲେ ଆପଣ କହିଲେନି ତ ଏଠି ଆପଣ କଣ କରୁଛନ୍ତି ?”
କୁମାର-” ଆଜି ସକାଳେ କିଛି ଲୋକଙ୍କୁ ସାଙ୍ଗରେ ନେଇ ମୁଁ ଶିକାର କରିବାକୁ ଆସିଥିଲି । ଦିପହର ଯାଏ ଏଣେ ତେଣେ ବୁଲିଲି ହେଲେ ଗୋଟେ ଅଧେ ଶିକାର ବି ଜୁଟିଲେ ନାହିଁ । ଶେଷକୁ ଏ ବାର୍ହା ମୋ ଆଖିରେ ପଡିଲା । ମୁଁ ତା’ ପଛରେ ଘୋଡା ଝପଟେଇ ଦେଲି । ହେଲେ ଭାଇ ….ଏ କଣ ମତେ କମ ହଇରାଣ କରିଛି ? ଦଉଡ଼େଇ ଦଉଡ଼େଇ ମତେ ହାଲିଆ କରିଦେଲା ଆଉ ସବୁ ସାଥିମାନେ ବହୁତ ପଛରେ ରହିଗଲେ । ଶେଷକୁ ବହୁତ କଷ୍ଟରେ ତୀର ମାରି ତାକୁ ମାରିଲି । ଆଉ ମତେ ଏତେ ଭୋକ ଲାଗିଲା କି ମୁଁ କିଛି ବାଛ ବିଚାର ନକରି ତା’ ମାଂସ କିଛି ପୋଡି ଖାଇବାକୁ ଯାଉଛି କି ତମେ ଆସି ପହଞ୍ଚିଗଲ । ଏବେ ଭୋକ ଆଉ ସମ୍ଭାଳି ହଉନି… ମୁଁ କିଛି ମସଲା ଆଣିଛି ନିଅ ମାଂସରେ ପକେଇ ଦିଅ ଆଉ ଆସ ସାଥି ହେଇ ଭୋଜନ କରିବା।”
ତେଜ ସିଂ କୁମାରଙ୍କଠୁ ମସଲା ଆଣି ସେ ମାଂସରେ ଗୋଳାଇ ଦେଲା । ଦୁହେଁ ସେଇ ପାଖରେ ଥିବା ଏକ ପାଣିର ଧାର ପାଖକୁ ଯାଇ ସେଠାରେ ଭୋଜନ କରିବାକୁ ଲାଗିଲେ । କୁମାର ମାଂସରୁ ମସଲାକୁ ପୋଛି ପୋଛି ଖାଉଥାନ୍ତି । ଏ କଥା ଦେଖି ତେଜ ସିଂ ପଚାରିଲା-” ଆପଣ ମସଲାକୁ ପୋଛି ପୋଛି କାହିଁକି ଖାଉଛନ୍ତି ?” କୁମାର କହିଲେ-” ମସଲାଟା ବହୁତ ରାଗ ଲାଗୁଛି ତ ସେଥିପାଇଁ …” ଦୁଇ ତିନି ଖଣ୍ଡ ମାଂସ ଖାଇ ସେ ଧାରରୁ ମୁନ୍ଦେ ପାଣି ପିଇ ଦେଇ କୁମାର କହିଲେ-” ବାସ… ଆଉ ଅଧିକ ଖାଇ ପାରିବିନି.. ଭୋକରେ ରହି ରହି ଭୋକ ମୋର ମରିଗଲାଣି ।” ତେଜ ସିଂ ଖାଇବାରୁ ବିରତ ନହେଇ କହିଲା-“ଆପଣଙ୍କ ଖୁସି… ଆପଣ ଖାଆନ୍ତୁ ବା ନଖାଆନ୍ତୁ .. ମୁଁ କିନ୍ତୁ ପେଟ ଭରି ଖାଇବି… ବଡ଼ ସ୍ୱାଦିଷ୍ଟ ଲାଗୁଛି …” ମନ ଭରି ଖାଇଲା ସେ, ତା’ ପରେ ହାତ ମୁହଁ ଧୋଇ କହିଲା-“ଚାଲନ୍ତୁ ମୁଁ ଆପଣଙ୍କୁ ନୌଗଡ଼ରେ ପହଞ୍ଚେଇ ଦେଇ ଆସିବି ।” କୁମାର କହିଲେ-“ଚାଲ…।” ସେ ଘୋଡାରେ ସବାର ହେଇ ଗଲେ ଆଉ ତେଜ ସିଂ ଚାଲି ଚାଲି ତାଙ୍କ ସହ ଆଗକୁ ବଢ଼ିଲା ।
କିଛି ଦୂର ଯାଇଛନ୍ତି କି ନାହିଁ ତେଜ ସିଂ କହିଲା-” ମୋ ମୁଣ୍ଡ କାହିଁକି ବୁଲେଇ ଦଉଛି ….।” କୁମାର କହିଲେ-” ଅଧିକ ଖାଇ ଦେଇଛ ତ ସେମିତି ଲାଗୁଥିବ …” ସେମାନେ ଆଗକୁ ବଢି ଚାଲିଲେ । ଆଉ କିଛି ଦୂର ଯିବା ପରେ ତେଜ ସିଂ ଗଛ କାଟିଲା ପରି ଭୁଷକିନା ତଳେ ପଡି ବେହୋସ ହେଇଗଲା । ବୀରେନ୍ଦ୍ର ସିଂ ଘୋଡାରୁ ଡେଇଁ ପଡି ତେଜ ସିଂ ର ହାତ ଗୋଡ଼ ବାନ୍ଧି ଏକ ଗଣ୍ଠିଲି କଲେ ଆଉ ନିଜ ପିଠିରେ ପକେଇ ଘୋଡାର ଲଗାମ ଧରି ବିପରୀତ ଦିଗରେ ଚାଲିବାକୁ ଲାଗିଲେ । କିଛି ଦୂର ଯାଇ ସେ ସିଟି ମାରିବାରୁ କ୍ରୁର ସିଂ, ପାନାଲାଲ, ରାମନାରାୟଣ ଆଉ ଜ୍ୟୋତିଷ ମହାଶୟ ସେଠାରେ ଆସି ଉପସ୍ଥିତ ହେଲେ । ପାନାଲାଲ ବଡ଼ ଖୁସି ହେଇ କହିଲା-” ବାଃ ..ବାଃ .. ବଦ୍ରୀନାଥ ତୁମେ ତ ଗଡ଼ ଜିଣିଲା ଭଳି କାମଟେ କରି ଦେଖେଇଲ ।” କ୍ରୁର ସିଂ ତ ବହେ ନାଚି ପକେଇଲା । ବଦ୍ରୀନାଥ ଯିଏ କି ବୀରେନ୍ଦ୍ର ସିଂ ଙ୍କ ରୂପ ଧରିଥିଲା ସେ ପିଠିରୁ ତେଜ ସିଂ ର ଗଣ୍ଠିଲି ଖୋଲି ତଳେ ରଖିଲା ଆଉ ରାମନାରାୟଣକୁ କହିଲା-“ତୁମେ ଏ ଘୋଡ଼ାକୁ ନୌଗଡ଼ର ଯେଉଁ ଘୋଡାଶାଳରୁ ଚୋରି କରି ଆଣିଥିଲ, ସେଠି ନେଇ ଛାଡି ଆସ ।” ଏ କଥା ଶୁଣି ରାମନାରାୟଣ ଘୋଡା ଉପରେ ସବାର ହେଇ ନୌଗଡ଼ ଚାଲିଗଲା । ବଦ୍ରୀନାଥ ତେଜ ସିଂ ର ଗଣ୍ଠିଲିକୁ ପୁନଶ୍ଚ ନିଜ ପିଠିରେ ପକେଇ ଅନ୍ୟ କ୍ଷୀପ୍ରଚରମାନଙ୍କୁ କେତେକ ଜରୁରୀ କଥା ବୁଝେଇ ଦେଇ ଚୁନାରଗଡ଼କୁ ପ୍ରସ୍ଥାନ କଲା ।
ଦୁଇ ଦିନ ହେବ ତେଜ ସିଂ ର ଦେଖା ନଥିଲା । ଦରବାରରରେ ତା’ ଆସନ ଫାଙ୍କା ରହୁଥିଲା । ପ୍ରଥମ ଦିନ କାଳେ କେଉଁଠି କାମରେ ରହିଯାଇଥିବ ଭାବି ସମସ୍ତେ ନଜର ଅନ୍ଦାଜ କରିଦେଲେ । ହେଲେ ଦୁଇଦିନ ବିତିଯିବା ପରେ ଯେତେବେଳେ ତାର ଦେଖା ନମିଳିଲା, ମହାରାଜ ଜୟସିଂ ମନ୍ତ୍ରୀ ହରଦୟାଲଙ୍କୁ ପଚାରିଲେ-” ଆଜିକାଲି ତେଜ ସିଂ ଙ୍କର ଦେଖା ନାହିଁ… ତୁମର ତାଙ୍କ ସହ ଭେଟ ହେଇଛି କି ?” ମନ୍ତ୍ରୀ ମହାଶୟ କହିଲେ-” ନା … ମହାରାଜ… ମୁଁ ବି ତାଙ୍କୁ ଦେଖିବାକୁ ପାଉନି । ସେ କୁଆଡେ ଯାଇଛନ୍ତି ମୁଁ ଆଜି ପତ୍ତା ଲଗେଇ କହିବି ।” ଦରବାର ବରଖାସ୍ତ ହେଲା ପରେ ମନ୍ତ୍ରୀ ମହାଶୟ ତେଜ ସିଂ ର ବସା ଘର ଆଡେ ଯାଇ ତାକୁ ଖୋଜିଲେ । ହେଲେ ସେ ସେଠାରେ ନଥିଲା । ତାଙ୍କ ଦାସଦାସୀଙ୍କୁ ପଚାରିବାରୁ ସମସ୍ତେ କହିଲେ-” ସେ କେତେ ଦିନ ହେଲାଣି କୁଆଡେ ଯାଇଛନ୍ତି କିଛି ଜଣା ନାହିଁ । ଆମେ ଖୋଜିଥିଲୁ… ହେଲେ କିଛି ଖୋଜଖବର ମିଳିଲା ନାହିଁ ।”
ମନ୍ତ୍ରୀ ହରଦୟାଲ ସିଂ ଏ କଥା ଶୁଣି ବଡ଼ ବ୍ୟସ୍ତ ହେଇପଡିଲେ । ନିଜ ଗୃହକୁ ଫେରିଆସି ସେ ଭାବିବାକୁ ଲାଗିଲେ । ଏବେ କଣ କରାଯିବ ? ଯଦି ତେଜ ସିଂ ଙ୍କ ପତ୍ତା ନମିଳେ ତେବେ ମହାରାଜଙ୍କ ବଡ଼ ବଦ୍ନାମ ହେବ । ଯେମିତି ବି ହେଉ ତାଙ୍କୁ ଖୋଜି ଆଣିବା ଦରକାର । ଶେଷକୁ ସେ କେତେକ ଲୋକଙ୍କୁ ତେଜ ସିଂ ଙ୍କୁ ଖୋଜିବା କାମରେ ଲଗେଇ ଦେଲେ ଆଉ ଗୋଟିଏ ଚିଠି ନୌଗଡ଼ର ମନ୍ତ୍ରୀ ଜିତ ସିଂ ଙ୍କ ଉଦ୍ଦେଶ୍ୟରେ ଲେଖି ନିଜର ଏକ ଲୋକକୁ ତାଙ୍କ ପାଖକୁ ପଠେଇ ତାଗିଦ କରି କହିଲେ ସେ ଯେପରି ଏ ଚିଠିର ଉତ୍ତର କାଲି ଦରବାର ବସିବା ପୂର୍ବରୁ ଆଣି ପହଞ୍ଚାଇବ । ସେ ଲୋକଟି ସନ୍ଧ୍ୟା ସୁଦ୍ଧା ନୌଗଡ଼ରେ ପହଞ୍ଚି ଜିତ ସିଂ ଙ୍କୁ ଦେଖାକଲା ଓ ହରଦୟାଲ ସିଂ ଙ୍କ ଚିଠି ତାଙ୍କୁ ପ୍ରଦାନ କଲା
କ୍ରମଶଃ