ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭର ଐତିହାସିକ କାହାଣୀ
ରାତିର ସଂଗୀତ ଆସରରେ ସବୁ ଜ୍ଞାନୀ ଗୁଣି ଲୋକ ଏକାଠି ହେଲେ । ରମ୍ଭା ବି ଆସି ଉପସ୍ଥିତ ହେଲା । ତାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତେ ଅପଲକ ନୟନରେ ତାକୁ ଚାହିଁ ରହିଲେ । ସମସ୍ତଙ୍କ ହୃଦୟରେ ଯନ୍ତ୍ରଣା ଆରମ୍ଭ ହେଇଗଲା ଆଉ ସେମାନେ ଲମ୍ବା ଲମ୍ବା ନିଶ୍ୱାସ ନେଇ ନିଜ ଭିତରେ କଥା ହେବାକୁ ଲାଗିଲେ-“ବାଃ… ଏ ମର୍ତ୍ତ୍ୟର ତରୁଣୀ ନା ସ୍ୱର୍ଗର ଅପ୍ସରୀ …? ଏମିତି ଏକ ରୁପବତୀଙ୍କୁ ତୁମେ ଆଗରୁ କେଉଁଠି ଦେଖିଥିଲ …?
ରମ୍ଭା ଗୀତ ଆରମ୍ଭ କଲା । ଏବେ ଯାହାକୁ ଦେଖ ସେ ମାଟିପିତୁଳା ପରି ବସି ରହିଥିଲା । ଗୋଟାଏ ଗୀତ ଗାଇସାରି ଚପଳା କହିଲା-“ମହାରାଜ… ଏକଦା ମୁଁ ନୌଗଡ଼ ମହଲକୁ ଯାଇଥିଲି । ସେଠି ଯେଉଁ ଗୀତ ଗାଇଥିଲି, ସେଭଳି ଗୀତ ଆଉ କେଉଁଠି ବି ଗାଇ ପାରୁନି କାରଣ ସେଠାକାର ମନ୍ତ୍ରୀ ଜିତ ସିଂ ଙ୍କ ପୁଅ ତେଜ ସିଂ ମୋ ଗୀତ ସହ ତାଳ ଦେଇ ଖୁବ ସୁନ୍ଦର ବଇଁଶୀ ବଜେଇଥଲେ । ଏଠିକି ଆସିବା ଆଗରୁ ମୁଁ ସେଠିକି ଆଉଥରେ ଯାଇଥିଲି ହେଲେ ସେଠି ଶୁଣିଲି କି ତେଜ ସିଂ କେଉଁଠି ନିଖୋଜ ହେଇ ଯାଇଛନ୍ତି । ସେଥିପାଇଁ ସେଠି ଆଉ ସଂଗୀତ ଆସର ନକରି ଏଠାକୁ ଚାଲି ଆସିଲି ।” ଏତିକି କହି ରମ୍ଭା ଅଟକିଗଲା ।
ମହାରାଜ ଚପଳାର ରୂପ ଓ ଗୀତରେ ଏମିତି ମୋହି ଯାଇଥିଲେ ଯେ ସେ ଆଗପଛ କିଛି ବିଚାର ନକରି ତୁରନ୍ତ କହି ପକେଇଲେ-” ସେ ତେଜ ସିଂ ଏବେ ମୋ ପାଖରେ ବନ୍ଦୀ ଅଛି କିନ୍ତୁ ଚିନ୍ତାର ବିଷୟ ଏହି କି ଯେ ମୁଁ ତାକୁ ମୁକ୍ତ କରି ପାରିବି ନାହିଁ କି ସେ ବନ୍ଦୀ ଥିବା ଅବସ୍ଥାରେ ବଂଶୀ ବଜାଇବ ନାହିଁ ।” ରମ୍ଭା କହିଲା-” ମୋ ନାଁ ଶୁଣିଲେ ସେ ତୁରନ୍ତ ରାଜି ହେଇଯିବ କିନ୍ତୁ ତାକୁ ଆମେ ଆଉ ଏକ ଉପାୟରେ ରାଜି କରାଇବା … ଯଦି ସେ ଉପାୟ କରା ନଯାଏ ତେବେ ସେ ମୋ କଥା ଶୁଣିବ ନାହିଁ କି ମୋ ସହ ସଂଗତ କରିବ ନାହିଁ ।” ମହାରାଜ ପଚାରିଲେ-“ସେଇଟା କି ଉପାୟ …?” ରମ୍ଭା କହିଲା-” ତାକୁ ଡାକିବା ପାଇଁ ଜଣେ ବ୍ରାହ୍ମଣ ଯିବ ଯାହାର ବୟସ ୨୦ ବର୍ଷରୁ ଅଧିକ ହେଇ ନଥିବ । ଆଉ ସେ ଏକୁଟିଆ ଯିବ ତା’ ସହ କେହି ବି ସିପାହୀ କି ପ୍ରତିହାରୀ ରହିବେ ନାହିଁ । ସୁରକ୍ଷା ଦୃଷ୍ଟିରୁ ତା’ ପାଦରେ ଏକ ବେଡି ପକା ଯାଇପାରେ । ଆଉ ସେ ଯେଉଁ ବଇଁଶୀ ବଜେଇବ ..ସେ ଗୋଟେ ଭଲ କିସମର ବଇଁଶୀ ହେବା ଦରକାର ।” ମହାରାଜ କହିଲେ-” ଏଇଟା କୋଉ ବଡ଼ କଥା ଯେ…?” ସେ ଏଣେ ତେଣେ ଚାହିଁ ଦେଖିଲେ କି ଏକ ବ୍ରାହ୍ମଣ ବାଳକ ନାଁ ତାର ଚେତରାମ ସେଠି ଉପସ୍ଥିତ ଅଛି । ମହାରାଜ ତାକୁ ଏ କାମ ପାଇଁ ଉପଯୁକ୍ତ ମନେ କରି ତାକୁ ତେଜ ସିଂ ଙ୍କୁ ଆଣିବା ପାଇଁ ପଠେଇଲେ । ଆଉ ମୁନିସୀକୁ ଆଦେଶ ଦେଇ କହିଲେ-“ତୁମେ ଯାଇ ସେ ପ୍ରହରୀ ମାନଙ୍କୁ କୁହ, ତେଜ ସିଂ କୁ ଚେତରାମ ସହ ଆସିବାକୁ ଦେବେ କିନ୍ତୁ ଏକ ବେଡି ତା’ ପାଦରେ ନିଶ୍ଚୟ ପକେଇବେ ।”
ଆଦେଶ ପାଇଁ ଚେତରାମ ବ୍ରାହ୍ମଣ ତେଜ ସିଂ କୁ ଆଣିବା ପାଇଁ ଚାଲିଗଲା ଆଉ ମୁନିସୀ ବି ପ୍ରହରୀ ମାନଙ୍କୁ ମହାରାଜଙ୍କ ଆଦେଶ ଶୁଣେଇଦେଲେ । ପ୍ରହରୀମାନଙ୍କର କି ଗରଜ ପଡିଥିଲା ଯେ ସେମାନେ ତେଜ ସିଂ କୁ ଅଟକେଇବେ …? ଛାଡିଦେଲେ ଏକୁଟିଆ ସେ ବ୍ରାହ୍ମଣ ସହ । ତେଜ ସିଂ ବି ସହସା ବୁଝିଗଲା ଯେ ତାର କେହିଜଣେ ଶୁଭଚିନ୍ତକ ତାକୁ ମୁକ୍ତ କରିବା ପାଇଁ ଏ ଚାଲାକି କରିଛି । ସେ ବଡ଼ ଆନନ୍ଦରେ ସେ ବ୍ରାହ୍ମଣ ସହ ଚାଲି ଆସିଲା । ସଂଗୀତ ଆସରରେ ପହଞ୍ଚି ଦେଖିଲା ଏକ ଅପୂର୍ବ ସୁନ୍ଦରୀ ସଂଗୀତ ଆସରର ଶୋଭା ବର୍ଦ୍ଧନ କରୁଛି । ଆଉ ସେ ଯୁବତୀ ତାକୁ ଦେଖି କହି ଉଠିଲା-“ଆସ..ଆସ.. ତେଜ ସିଂ … ଏ ରମ୍ଭା କେବେଠାରୁ ତୁମକୁ ଅପେକ୍ଷା କରି ବସିଛି । ମୁଁ ଭଲା କେମିତି ଭୁଲିଯିବି ସେ ବଇଁଶୀର ସୁର … ଯେଉଁଟା ତୁମେ ନୌଗଡ଼ରେ ବଜେଇଥିଲ ।” ଏତିକି କହି ସେ ତେଜ ସିଂ କୁ କଣେଇ ଚାହିଁ ଆଖି ମାରିଦେଲା । ତେଜ ସିଂ ଜାଣିଗଲା ସେ ଚପଳା ବ୍ୟତୀତ ଆଉ କେହି ନୁହେଁ ତେଣୁ ସେ କହିବାକୁ ଲାଗିଲା-” ରମ୍ଭା… ତୁ ଆସିଗଲୁ…? ଭଲ ହେଲା … ଏବେ ଯଦି ମୃତ୍ୟୁ ବି ମୋ ଆଗକୁ ଆସିଯାଏ ତେବେ ବି ମୁଁ ବଇଁଶୀ ବଜେଇ ବଜେଇ ମରିବି କାହିଁକି ନା ତୋ ପରି ଗାୟିକା ମତେ ଆଉ କୋଉଠୁ ମିଳିବ ?” ତେଜ ସିଂ ଆଉ ରମ୍ଭାଙ୍କର ବାର୍ତ୍ତାଳାପ ଶୁଣି ମହାରାଜଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଏ କିନ୍ତୁ ସେ ଖୁବ ଅସ୍ଥିର ହେଉଥିଲେ କି କେତେବେଳେ ତେଜ ସିଂ ବଇଁଶୀ ବଜେଇବ ଆଉ ରମ୍ଭା ପୁଣି ଗୀତ ଗାଇବ । ତେଜ ସିଂ ଆଗରେ ଏକ ଭଲ କିସମର ବଇଁଶୀ ରଖା ଯାଇଥିଲା । ସେ ବଇଁଶୀ ଉଠେଇ ନେଲା ଆଉ ତାକୁ ଅତି ସୁନ୍ଦର ଭାବେ ବଜେଇବାକୁ ଲାଗିଲା। ରମ୍ଭା ବି ତା ସହ ତାଳ ଗାଇବାକୁ ଆରମ୍ଭ କଲା । ଆଃ..କି ସୁଲଳିତ ସ୍ୱର … ଲାଗିଲା ଆକାଶରୁ ପାରିଜାତ ବର୍ଷା ହେଉଛି । ଅଦିନରେ ମଳୟ ବହୁଛି । ଚନ୍ଦନର ବାସନା ସମସ୍ତ ମନକୁ ମୋହି ନେଉଛି । ମହାରାଜ ହଜିଗଲେ ନିଜ ଭିତରେ ଆଉ ଅନ୍ୟମାନଙ୍କ ଅବସ୍ଥା ନ କହିବା ଭଲ ।
ଗୋଟିଏ ଗୀତ ସରିବା ପରେ ତେଜ ସିଂ ବଇଁଶୀ ରଖିଦେଇ କହିଲା-“ବାସ… ମୁଁ ଦିନ ଭିତରେ ଗୋଟିଏ ସୁର ହିଁ ବଜାଏ ଅଧିକ ନୁହେଁ …ଯଦି ମହାରାଜ ମତେ ଅଧିକ ଶୁଣିବାକୁ ଚାହୁଁଛନ୍ତି ତେବେ ଆସନ୍ତା କାଲି ଦେଖିବା …” ରମ୍ଭା କହିଲା-“ହଁ ପରା ଏଇ ହେଲା ୟାଙ୍କର ସବୁଠୁ ବଡ ଖରାପ ଗୁଣ …ମହାରାଜ ସୁରେନ୍ଦ୍ର ସିଂ, ଯାହାଙ୍କର ଏ ସେବକ ଥିଲେ ସେ କହି କହି ଥକିଗଲେ ପଛେ …କିନ୍ତୁ ସେ ଦ୍ୱିତୀୟ ଥର ବଜେଇଲେ ନାହିଁ । ଠିକ ଅଛି ଆଜି ନହେଲା ନାହିଁ … କାଲି ପୁଣି ଶୁଣିନେବେ..ଇୟେ ତ କୋଉଠିକି ପଳେଇ ଯାଉନାହାନ୍ତି ନା…” ମହାରାଜ ଭାବିଲେ କି ଏ ତ ବଡ଼ ଅଜବ ଲୋକ .. ଭଲା ଏମିତି କରି ୟାର କି ଲାଭ ? ତାଙ୍କ ଦରବାରରେ ତ ଏମିତି କେବେ ହେଇନି…ଛାଡ଼ ମନୁଆଟା… କାଲି ଦେଖିବା । ମନରେ ଅବଶୋଷ ସହ ସେ ଆସରକୁ ବର୍ଖାସ୍ତ କରି ତେଜ ସିଂ କୁ ପୁଣି ସେ ଚେତରାମ ବ୍ରାହ୍ମଣ ସହ କାରାଗାରକୁ ପଠେଇ ଦେଲେ ।
ତେଜ ସିଂ ର ବଇଁଶୀ ସହ ରମ୍ଭାର ଗୀତ ମହାରାଜ ଶିବଦତ୍ତଙ୍କ ମନକୁ ନିଶାସକ୍ତ କରିଦେଇଥିଲା । ରାତିସାରା ସେ ଖାଲି ଭାଳି ହେଉଥିଲେ କି କେତେବେଳେ ନୂଆ ଦିନ ଆରମ୍ଭ ହେବ ଆଉ ତେଜ ସିଂ ସହ ସେ ରମ୍ଭାକୁ ପୁଣି ଶୁଣିବେ । ତା’ ପରଦିନ ପୁଣି ସଂଗୀତ ଆସର ବସିଲା ଆଉ ସେ ଚେତରାମ ବ୍ରାହ୍ମଣ ତେଜ ସିଂ ଆଉ ଥରେ ଆଣି ଆସିଲା । ପୂର୍ବ ଦିନ ପରି ତେଜ ସିଂ ପୁଣି ଗୋଟିଏ ଗୀତରେ ସଂଗତ କରି ବଇଁଶୀ ରଖିଦେଲା । ମହାରାଜଙ୍କୁ ତ ନିଶା ଲାଗିଛି ସେ କି ଛାଡ଼ନ୍ତେ..? ପୁଣି ତା’ ପରଦିନ ସଂଗୀତ ଆସର କରିବାକୁ ମନ ବଳେଇଲେ । କିନ୍ତୁ ରମ୍ଭା ଓରଫ ଚପଳା ଏଠି ଖେଳଟିଏ ଖେଳିଦେଲା ।
ଚପଳା ସଂଗୀତ ଆସର ହେବାର ଘଂଟାଏ ଆଗରୁ ଚେତରାମ ବେଶ ଧରି କାରାଗାରରେ ପହଞ୍ଚିଗଲା । ପ୍ରହରୀ ମାନେ ତ ଆଗରୁ ଜାଣିଛନ୍ତି ଯେ ଚେତରାମ ହିଁ ତେଜ ସିଂ କୁ ଏକୁଟିଆ ନେଇକି ଯିବ । ତେଣୁ ସେମାନେ ତେଜ ସିଂ ପାଦରେ ବେଡି ଲଗେଇ ତାକୁ ଯିବାକୁ ଦେଲେ । ଚେତରାମ ଓରଫ ଚପଳା ତେଜ ସିଂ କୁ ନେଇ କିଲ୍ଲା ବାହାରକୁ ଚାଲିଯାଇ ତା’ ପାଦରୁ ବେଡି ଖୋଲି ଦେଲା । ତା’ ପରେ ସେମାନେ ଜଙ୍ଗଲ ଆଡେ ଛ ହର୍ଷଉ ଛୁ ମାରିଲେ ।
କିଛି ଦୂର ଯିବା ପରେ ଚପଳା ନିଜ ଅସଲି ରୁପ ଧାରଣ କଲା । ଏବେ ତେଜ ସିଂ ତାକୁ ଖୁବ ପ୍ରଶଂସା କରିବାକୁ ଆରମ୍ଭ କଲା । ଚପଳା କହିଲା-” ଆପଣ ମତେ କାହିଁକି ଲଜ୍ଜିତ କରୁଛନ୍ତି ? ମୁଁ ଏତେ ବି ଚାଲାକ ନୁହେଁ ଯେଉଁଭଳି ଆପଣ ମତେ ପ୍ରଶଂସା କରୁଛନ୍ତି । ତା’ ଛଡା ମୋର କି ଗରଜ ପଡିଥିଲା ଯେ ଆପଣଙ୍କୁ ମୁକୁଳାଇବାକୁ ଆସିଥାନ୍ତି ? ଖାଲି ରାଜକୁମାରୀଙ୍କ ପାଇଁ ମତେ ଏସବୁ କରିବାକୁ ପଡିଲା ।” ତେଜ ସିଂ କହିଲା-” ହଁ.. ଠିକ କଥା .. ତମର କାହିଁକି ଗରଜ ପଡିବ …? ଗରଜ ତ ମୋର ପଡିଥିଲା ଯେ ତମ ପାଇଁ ବାଦ୍ୟକାର ହେବାକୁ ପଡିଲା … ଯେଉଁ କାମ ମୋ ବୋପା ଅଜା ଚଉଦ ପୁରୁଷରେ କେହି କରିନଥିଲେ, ସେସବୁ ମତେ କରିବାକୁ ପଡିଲା ।” ଏ କଥା ଶୁଣି ଚପଳାକୁ ହସ ଲାଗିଲା ସେ ହସି ହସି କହିଲା-“ବାସ.. ବାସ … ଆଉ କିଛି କୁହନ୍ତୁନି … ମତେ କ୍ଷମା କରନ୍ତୁ…” ତେଜ ସିଂ କହିଲା-” ବାରେ…କ୍ଷମା କଣ କରିବି ? ମୋ ପରିଶ୍ରମର ମଜୁରୀ ନନେଇ ମୁଁ ଛାଡ଼ୁନି …” ଚପଳା କହିଲା-” ମୋ ପାଖରେ କଣ ଅଛି ଯେ ମୁଁ ଦେବି …?” ତେଜ ସିଂ କହିଲା-” ତୁମ ପାଖରେ ଯାହା ଅଛି ନା ସେତିକି ମୋ ପାଇଁ ଯଥେଷ୍ଟ ।” ଚପଳା କହିଲା-“ଛାଡ଼ନ୍ତୁ ସେ କଥା..ଏବେ କୁହନ୍ତୁ … ଏଠୁ ଏମିତି ଚାଲିଯିବା ନା ମହାରାଜ ଶିବଦତ୍ତଙ୍କୁ କିଛି ଇଲମ ଦେଇକି ଯିବା ।” ତେଜ ସିଂ କହିଲା-“ମୋ ବିଚାର ତ ସେୟା… ନା କଣ କହୁଛ ?” ଚପଳା କହିଲା-“ହଁ,… ନିଶ୍ଚେ କିଛି କରିବା ଦରକାର ।”
ବହୁତ ସମୟ ଦୁହିଁଙ୍କ ଭିତରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିବା ପରେ ଗୋଟେ ଯୋଜନା କରିବାକୁ ଦୁହେଁ ସହମତ ହେଲେ । ଆଉ ତାକୁ ବାସ୍ତବ ରୂପ ଦେବା ପାଇଁ ଦୁହେଁ ଘନ ଜଙ୍ଗଲ ଭିତରକୁ ଚାଲିଗଲେ I
କ୍ରମଶଃ