Chandrakanta: Episode 27

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ଏବେ ଆସନ୍ତୁ ମହାରାଜ ଶିବଦତ୍ତଙ୍କ ସଂଗୀତ ଆସର ବିଷୟରେ ଟିକେ ଚର୍ଚ୍ଚା କରିବା । ସଂଗୀତ ଆସରର ଧାର୍ଯ୍ୟ ସମୟରେ ମହାରାଜ ଶିବଦତ୍ତ ନିଜ ଆସନରେ ବିରାଜମାନ କଲେ । ହେଲେ ସେତେବେଳକୁ ରମ୍ଭାର ଦେଖା ନଥିଲା । ମହାରାଜ ଏକ ପ୍ରତିହାରୀକୁ ରମ୍ଭାକୁ ଡାକି ଆଣିବା ପାଇଁ ପଠେଇଲେ ଆଉ ଚେତରାମକୁ କହିଲେ ତେଜ ସିଂକୁ ନେଇ ଆସିବା ପାଇଁ । କିଛି ସମୟ ପରେ ପ୍ରତିହାରୀ ଆସି ଜଣେଇଲା କି ରମ୍ଭା ତା’ ବସା ଘରେ ନାହିଁ, ସେ କୁଆଡେ ଚାଲି ଯାଇଛି । ମହାରାଜ ହତବମ୍ବ ହେଇ ପଡିଲେ କାହିଁକି ନା ସେ ମନେ ମନେ ରମ୍ଭାଙ୍କୁ ନିଜ ହୃଦୟ ଉତ୍ସର୍ଗ କରି ସାରିଥିଲେ । ସେ ତୁରନ୍ତ ଆଦେଶ ଦେଇ କହିଲେ କି ଲୋକ ପଠେଇ ତାକୁ ଖୋଜି ଆଣ । ଏତିକି ବେଳେ ଚେତରାମ ଆସି କାରାଗାରରେ ତେଜ ସିଂ ନଥିବା କଥା ସୂଚନା ଦେଲା । ଏ କଥା ଶୁଣି ମହାରାଜଙ୍କ ପାଦ ତଳୁ ମାଟି ଖସିଗଲା । ସାରା ସଂଗୀତ ଆସର ସ୍ତବ୍ଦ ହେଇଗଲା । କେଉଁଠୁ ଏକ ଗାୟିକା ଆସିଲା ଯେ ସମସ୍ତଙ୍କୁ ଭକୁଆ ବନେଇ ଚାଲିଗଲା ? ଘସିଟା ସିଂ ଆଉ ଚୁନିଲାଲ କହିବାକୁ ଲାଗିଲେ-“ମହାରାଜ … ସେ ନିଶ୍ଚିତ ଜଣେ କ୍ଷୀପ୍ରଚର ହେଇଥିବ । ଯିଏ କି ଚାଲାକି କରି ତେଜ ସିଂ କୁ ଖସେଇ ନେଇ ଚାଲିଗଲା ।” ମହାରାଜ କହିଲେ-” କଥାଟା ଠିକ… ହେଲେ ସେ ପ୍ରଶଂସାଯୋଗ୍ୟ କାମଟା କରି ଚାଲିଗଲା । ଏଠି ତୁମେ ସମସ୍ତେ ଥିଲ, ତୁମେ ମାନେ ବି ତା’ ଗୀତ ଶୁଣୁଥିଲ, ହେଲେ ତାକୁ ଚିହ୍ନି ପାରିଲ ନାହିଁ କେମିତି …? ତୁମ ବୁଦ୍ଧିକୁ କଣ ଉଈ ଚରି ଯାଇଥିଲା…? ଧିକ ତୁମ କ୍ଷୀପ୍ରଚାରିତାକୁ …” ଏମିତି କହି ମହାରାଜ ରାଗ ଆଉ ଦୁଃଖରେ ଅନ୍ତପୁରକୁ ଚାଲିଗଲେ । ଯେଉଁ ଲୋକମାନେ ଆସରର ମଜା ନେବାକୁ ଆସିଥିଲେ ସେମାନେ ବି ଧୀରେ ଧୀରେ ଯିବାକୁ ଲାଗିଲେ । ନଗର ସାରା କଥା ଖେଳିଗଲା, ଯେଉଁଠି ଦେଖିବ ସେଠି ଖାଲି ଏଇ କଥାର ହିଁ ଆଲୋଚନା ।

ତା’ ପରଦିନ ମହାରାଜ ଦରବାରକୁ ବିଜେ କଲେ । ସେ ଯାଏ ତାଙ୍କର ପୂର୍ବଦିନର କ୍ରୋଧ କମିନଥିଲା । ବାଘ ମୁହଁରୁ ଆହାର ଛଡେଇ ନେଲା ଭଳିଆ କଥାଟା ଘଟିଥିଲା ନା..। ତେବେ ଏଥିକୁ ଉପାୟ ବା କଣ ? ମହାରାଜ ଚୁପଚାପ ସିଂହାସନରେ ବସିଗଲେ । ଠିକ ଏତିକିବେଳେ ଏକ ପ୍ରତିହାରୀ ଆସି କହିଲା-” ମହାରାଜଙ୍କର ଜୟ ହେଉ… ମହାରାଜ ଯେଉଁ ଗାୟିକା ଏଠାକୁ ଆସିଥିଲା ସେ ପ୍ରକୃତରେ ଜଣେ ସ୍ତ୍ରୀ ଲୋକ ହିଁ ଥିଲା । ସେ ଚେତରାମ ବେଶ ହେଇ ତେଜ ସିଂ କୁ ଖସେଇ ନେଇ ଯାଇଛି । ମୁଁ ଏବେ ଏବେ ତାକୁ ପାଖ ଜଙ୍ଗଲରେ ଦେଖି କରି ଆସୁଛି ।” ପ୍ରତିହାରୀଠୁ ଏକଥା ଶୁଣି ମହାରାଜ ଆହୁରି ଚକିତ ହେଇ ଗଲେ । ସେ ସଂଗେ ସଂଗେ ସିପାହୀ ମାନଙ୍କୁ ଆଦେଶ ଦେଇ କହିଲେ କି ସେମାନେ ସେଠାକୁ ଯାଆନ୍ତୁ ଆଉ ସେ ଦୁହିଁଙ୍କୁ ବନ୍ଦୀ କରି ଆଣନ୍ତୁ । ହେଲେ ପ୍ରତିହାରୀ କହିଲା-“ମହାରାଜ ସେ ଏମିତି ଧରା ଦେବନି…ଖସି ଚାଲିଯିବ…ହଁ… ସିପାହୀ ମାନଙ୍କୁ ନ ପଠେଇ କ୍ଷୀପ୍ରଚର ଘସିଟା ସିଂ ଓ ଚୁନିଲାଲଙ୍କୁ ମୋ ସହ ପଠାନ୍ତୁ, ମୁଁ ତାଙ୍କୁ ସେ ସ୍ଥାନ ଦେଖେଇ ଦେବି ଆଉ ସେମାନେ ଚାଲାକ କରି ଦୁହିଁଙ୍କୁ ଧରିନେବେ ।” ମହାରାଜଙ୍କୁ ଏ କଥା ଠିକ ଲାଗିଲା । ସେ କ୍ଷୀପ୍ରଚର ଦୁହିଁଙ୍କୁ ଆଦେଶ ଦେଲେ କି ପ୍ରତିହାରୀ ସହ ଯାଇ ସେ ଧୋକାବାଜ ସ୍ତ୍ରୀ ଆଉ ତେଜ ସିଂ କୁ ଧରି ଆଣିବା ପାଇଁ । ପ୍ରତିହାରୀ ସେ ଦୁହିଁଙ୍କୁ ନେଇ ଜଙ୍ଗଲ ଭିତରକୁ ଗଲା ଯେଉଁଠି ସେ ସ୍ତ୍ରୀ ଲୋକକୁ ଦେଖିଥିଲା । ହେଲେ ଏବେ ସେଠାରେ କେହି ବି ନଥିଲେ । ଘସିଟା ସିଂ ପଚାରିଲା-” ସେ ତ ଏଠି ନାହିଁ, ଏବେ ତାକୁ କୋଉଠି ଖୋଜିବା ?” ପ୍ରତିହାରୀ କହିଲା-” ସେ କଣ ଆମ ଆସିବା ଯାଏ ଏଠି ବିଛଣା ପାରି ଶୋଇଥାନ୍ତା ନା କଣ ? ଚାରିଆଡେ ଖୋଜି ଦେଖ ନିଶ୍ଚୟ ମିଳିଯିବ ।” ଏ କଥା ଶୁଣି ଘସିଟା ସିଂ କହିଲା-“ଠିକ ଅଛି… ଆଗକୁ ଚାଲ … ଖୋଜି ଦେଖିବା…”

ସେମାନେ ସେ ଜଙ୍ଗଲ ଭିତରେ ଏଣେ ତେଣେ ଖୋଜିବାକୁ ଲାଗିଲେ । ଏଇ ସମୟରେ ଜଣେ ଗଉଡ଼ୁଣୀ ମୁଣ୍ଡରେ କ୍ଷୀର ହାଣ୍ଡି ଧରି ସେଇ ବାଟେ ଆସୁଥିବାର ଦେଖାଗଲା । ପ୍ରତିହାରୀ ତାକୁ ପାଖକୁ ଡାକି ପଚାରିଲା-” ତୁ ଜଣେ ସ୍ତ୍ରୀ ଆଉ ଜଣେ ପୁରୁଷକୁ ଏଇ ବାଟେ ଯିବାର ଦେଖିଛୁ କି ?” ସେ କହିଲା-“ହଁ..ହଁ..ସେପଟ ଜଙ୍ଗଲରେ ମୋର ଗୋଠ ଅଛି । ସେଠି ମୋର ପଲେ ଗାଈ ଅଛନ୍ତି । ଯାହାଙ୍କ କଥା ତମେ କହୁଛ ସେ ପରା ମୋ ଗୋଠକୁ ଯାଇ ଦି ପଇସାର କ୍ଷୀର କିଣି ପିଇଲେ ଆଉ ବଳକା କ୍ଷୀରକୁ ମୁଁ ନଗରକୁ ନେଇ ଯାଉଛି, ସେଠି ଵିକିଵି ।” ଏକଥା ଶୁଣି ପ୍ରତିହାରୀ ତା’ ଅଣ୍ଟାରୁ ୪ ପଇସା କାଢି ତାକୁ ବକ୍ସିସ ଦେଲା । ହେଲେ ସେ ତାକୁ ନେବାକୁ ମନା କରି କହିଲା-” ମୁଁ ଏମିତି ଫାଲତୁରେ ପଇସା ନିଏ ନାହିଁ … ଯଦି ତମେ ମତେ ପଇସା ଦେଉଛ ତେବେ ମୋଠୁ ଏ କ୍ଷୀରତକ ନେଇ ତମେ ତିନିଜଣଯାକ ପିଅ । ମତେ ବି ଆଉ ନଗର ଯାଏ ଯିବାକୁ ପଡ଼ିବନି, ମୁଁ ଏଇଠୁ ମୋ ଗୋଠକୁ ଫେରିଯିବି ।” ପ୍ରତିହାରୀ କହିଲା-“ଠିକ ଅଛି… ତୁ ଆମକୁ କ୍ଷୀର ତକ ଦେଇ ଦେ …” ସେ ଗଉଡ଼ୁଣୀ ତା’ ହାଣ୍ଡିକୁ ମୁଣ୍ଡରୁ ଓହ୍ଲାଇ ତଳେ ରଖିଲା ଆଉ କ୍ଷୀର ପରଷିବାକୁ ଲାଗିଲା । ପ୍ରତିହାରୀ ସେ ଦୁଇ କ୍ଷୀପ୍ରଚରଙ୍କୁ କହିଲା-” ଆସନ୍ତୁ… ଆପଣ ବି ପୋଷେ ପୋଷେ ପିଇ ଦିଅନ୍ତୁ ।” ସେ ଦି ଜଣ କହିଲେ-” ନାଇଁ.. ଥାଉ… ଆମର ଇଚ୍ଛା ହେଉନି ।” ପ୍ରତିହାରୀ କ୍ଷୀର ପିଇସାରି କହିଲା-“ବାଃ.. କ୍ଷୀର ହେବ ତ ଏମିତି…ନଗରରେ ତ ଆପଣ ସବୁଦିନେ କ୍ଷୀର ପିଉଛନ୍ତି… ହେଲେ ଏମିତିକା କ୍ଷୀର କେବେ ବି ପିଇ ନଥିବେ.. ଆଜି ଟିକେ ପିଇକି ଦେଖନ୍ତୁ ନା…” ପ୍ରତିହାରୀ ସେମାନଙ୍କୁ ବାରମ୍ବାର ଅନୁରୋଧ କଲାରୁ ସେମାନେ କ୍ଷୀର ପିଇଲେ ଆଉ ସେ ଗଉଡ଼ୁଣୀ ୪ ପଇସା ନେଇ ତା’ ବାଟରେ ଚାଲିଗଲା ।

ସେମାନେ ପୁଣି ବାହାରିଲେ ସେ ସ୍ତ୍ରୀ ଆଉ ତେଜ ସିଂ ଙ୍କୁ ଖୋଜିବା ପାଇଁ । କିଛି ଦୂର ଯାଇଛନ୍ତି କି ନାହିଁ ସେ ପ୍ରତିହାରୀ କହିଲା-“ଜାଣିନି… ମୋ ମୁଣ୍ଡଟା କାହିଁକି ବୁଲେଇ ଦଉଛି ।”ଘସିଟା ସିଂ କହିଲା-” ମୋର ବି ସେଇ ଏକା ଦଶା …” ଚୁନିଲାଲ କିଛି କହିବା ଆଗରୁ ଦୁମ କରି ତଳେ ପଡି ବେହୋସ ହେଇଗଲା । ପରେ ପରେ ପ୍ରତିହାରୀ ଓ ଘସୀଟା ସିଂ ଭୁଇଁରେ ଲୋଟିଗଲେ । ସେ ଗଉଡ଼ୁଣୀ ବେଶି ଦୂର ଯାଇ ନଥିଲା । ଏମାନଙ୍କ ତଳେ ପଡିବା ଦେଖି ସେ ଦୌଡ଼ି ଆସିଲା ଆଉ ଲଖଲଖା ଶୁଙ୍ଘାଇ ପ୍ରତିହାରୀକୁ ହୋସକୁ ଆଣିଲା । ସେ ପ୍ରତିହାରୀ ଆଉ କେହି ନୁହେଁ… ଖୋଦ ତେଜ ସିଂ ଆଉ ଗଉଡ଼ୁଣୀ ବେଶରେ ଥିଲା ଚପଳା । ତେଜ ସିଂ ନିଜ ଅସଲ ରୁପକୁ ଆସି ସେ ଦୁଇ କ୍ଷୀପ୍ରଚରଙ୍କ ଗଣ୍ଠିଲି ବାନ୍ଧିଲା । ଜଣକୁ ଚପଳା ତା’ ପିଠିରେ ଲଦିଲା, ଅନ୍ୟ ଜଣକୁ ତେଜ ସିଂ ପିଠିରେ ପକେଇ ଦୁହେଁ ନୌଗଡ଼ ଆଡେ ଚାଲିବାକୁ ଲାଗିଲେ ।

କ୍ରମଶଃ

Please follow and like us:
0
20
Pin Share20