ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ତେଜ ସିଂ କୁ ମୁକୁଳେଇବା ପାଇଁ ଚପଳା ଚୁନାରଗଡ଼ ଯାଇଥିଲା ବେଳେ ଚନ୍ଦ୍ରକାନ୍ତାଙ୍କ ସୁରକ୍ଷା ଦାୟିତ୍ୱ ଏକୁଟିଆ ଚମ୍ପା ଉପରେ ନ୍ୟସ୍ତ ଥିଲା। ସେ ମନେ ମନେ ଭାବିଲା କି ଚୁନାରଗଡ଼ରୁ ତ ଅନେକ କ୍ଷୀପ୍ରଚର ଆସିଛନ୍ତି ତାଙ୍କୁ କଣ ସେ ଏକୁଟିଆ ମୁକାବିଲା କରିପାରିବ ? ଯଦି କିଛି ଅଘଟଣ ଘଟିଗଲା ତେବେ …? ତେଣୁ ସେ ଏମିତି କିଛି ଉପାୟ କରିବାକୁ ଭାବିଲା ଯେଉଁଥିରେ ସାପ ମରିଯିବି କିନ୍ତୁ ବାଡ଼ି ଭାଙ୍ଗିବ ନାହିଁ । ମାନେ କ୍ଷୀପ୍ରଚର ମାନଙ୍କ ଡର ମନରେ ରହିବନି ଆଉ ସେ ରାତିରେ ଆରାମରେ ଶୋଇ ପାରିବ ।
ଏମିତି ଭାବି ସେ ଏକ ପ୍ରକାର ମସଲା ତିଆରି କଲା । ରାତିରେ ସମସ୍ତେ ଶୋଇଗଲା ପରେ ସେ ମସଲାକୁ ପାଣିରେ ଗୋଳେଇ ଚନ୍ଦ୍ରକାନ୍ତାଙ୍କ କକ୍ଷର ଦ୍ୱାର ଆଗରେ ଲେପ ଦେଇ ନିଶ୍ଚିନ୍ତ ମନରେ ଚନ୍ଦ୍ରକାନ୍ତାଙ୍କ ପଲଙ୍କକୁ ଲାଗି ଶୋଇପଡିଲା । ସେ ମସଲାର ଏମିତି ଗୁଣ ଯେ ଯେଉଁ ଜାଗାରେ ତା’ ଲେପ ଦିଆହେଇଥିବ, ଶୁଖିଗଲା ପରେ ତା’ ଉପରେ କାହାରି ପାଦ ପଡିଗଲେ ସେ ବାଣ ଭଳି ଠୋ ଠା ଶବ୍ଦ କରିବ । କିନ୍ତୁ ସେ ଲେପ ଆଖିକୁ ଦେଖା ଯିବନି । ସେଦିନ ରାତିରେ ଚମ୍ପା ଆରାମରେ ଶୋଇଗଲା । କିଛି ବି ଅସୁବିଧା ହେଲାନି । ତା’ ପରଦିନ ସକାଳେ ସେ ଲେପକୁ ପାଣିରେ ଧୋଇ ସଫା କରିଦେଲା ।
ଦ୍ୱିତୀୟ ଦିନ ସେ ଆଉ ଏକ ଉପାୟ ପାଞ୍ଚିଲା । ମାଟିର ଏକ ମୁଣ୍ଡ ତିଆରି କରି ଅବିକଳ ତାକୁ ଚନ୍ଦ୍ରକାନ୍ତାଙ୍କ ରୂପ ଦେଲା । ଯେଉଁ ପଲଙ୍କରେ ରାଜକୁମାରୀ ଶୁଅନ୍ତି ସେଠି ସେ ମୁଣ୍ଡକୁ ତକିଆ ଉପରେ ଯତ୍ନର ସହ ରଖିଦେଲା । ତା’ ପରେ ଗୁଡାଏ କପଡା ଆଣି ତାକୁ ଶରୀର ରୂପ ଦେଇ ଏକ ଚାଦର ଦ୍ୱାରା ଘୋଡେଇ ଦେଲା । କିନ୍ତୁ ମୁଣ୍ଡକୁ ସେମିତି ଖୋଲା ଛାଡିଦେଲା , ଯେପରିକି କେହି ଦେଖିକି ଭାବିବ ରାଜକୁମାରୀ ଶୋଇଛନ୍ତି । ପଲଙ୍କ ଚାରିପଟେ ପୂର୍ବୋକ୍ତ ମସଲାର ପ୍ରଲେପ ଦେଇ ଉଜ୍ଜ୍ୱଳ ଆଲୋକ ଜଳେଇ ରଖିଲା । ଏତକ କରିସାରିବା ପରେ ସେ ରାଜକୁମାରୀଙ୍କୁ ଅନ୍ୟ ଏକ କୋଠରୀରେ ଶୋଇବାକୁ କହିଲା । ଆଉ ସେ କୋଠରୀର ଦ୍ୱାରରେ ବି ମସଲା ପ୍ରଲେପ ବୋଳିଦେଲା । ତା’ପରେ ନିଜେ ପାଖ କୋଠରୀକୁ ଅନ୍ଧାର କରି ଶୋଇଗଲା ।
ରାତି ଅଧ ବେଳକୁ ଯେଉଁ କୋଠରୀରେ ମୁଣ୍ଡ ରଖା ହେଇଥିଲା, ସେଠାରୁ ବାଣ ପରି ଠୋ ଠା ଶବ୍ଦ ଆସିବାରୁ ଚମ୍ପାର ନିଦ ଭାଙ୍ଗିଗଲା । ସେ ଝଟପଟ ଉଠି ସେ କୋଠରୀର ଦ୍ୱାରକୁ ବାହାରୁ ବନ୍ଦ କରି ଖୁବ ଜୋରରେ ଡାକ ପକେଇଲା । ତା’ ଡାକରେ ମହଲର ସବୁ ଦାସ ଦାସୀ ଏକାଠି ହେଇଗଲେ । ତାଙ୍କ ଭିତରୁ ଜଣେ ଯାଇ ମହାରାଜଙ୍କୁ ଖବର କଲା କି ରାଜକୁମାରୀଙ୍କ କକ୍ଷରେ ଚୋର ପଶିଛି । ଏକଥା ଶୁଣି ମହାରାଜ ଧଡ଼ପଡ଼ ହେଇ ଦୌଡ଼ି ଆସିଲେ । ଆଉ ଆଦେଶ ଦେଇ କହିଲେ ପ୍ରହରା ଦେଉଥିବା ସିପାହୀ ମାନଙ୍କ ଭିତରୁ ୧୦ / ୧୫ ଜଣଙ୍କୁ ଡାକିବା ପାଇଁ । ଆଦେଶ ପାଇ ସିପାହୀ ମାନେ ସେଠାରେ ପହଞ୍ଚି କୋଠରୀର ଦ୍ୱାର ଫିଟେଇ ଦେଖିଲେ ଭିତରେ ଦି ଜଣ କ୍ଷୀପ୍ରଚର ରାମନାରୟଣ ଓ ପାନାଲାଲ ଠିଆ ହେଇଛନ୍ତି । ସିପାହୀମାନେ ସେମାନଙ୍କୁ ଧରିବାକୁ ଗଲାରୁ ସେମାନେ ନିଜ ଛୁରୀକାରେ ଆକ୍ରମଣ କରି ଦି ଚାରି ଜଣକୁ ଖଣ୍ଡିଆ ଖାବରା କରିଦେଲେ । ଶେଷରେ ସେମାନେ ଧରା ପଡିଲେ ଆଉ ମହାରାଜ ସେମାନଙ୍କୁ ବନ୍ଦୀ କରି କାରାଗାରରେ ନିକ୍ଷେପ କରିବାକୁ ଆଦେଶ ଦେଲେ । ଚମ୍ପାକୁ ଘଟଣା ବିଷୟରେ ପଚାରିବାରୁ ସେ ତାଙ୍କୁ ସବୁ କଥା କହିଲା । ମହାରାଜ ଚମ୍ପା ଉପରେ ବହୁତ ପ୍ରସନ୍ନ ହେଇ ପୁରସ୍କାର ଦେଇ ପଚାରିଲେ-“ଚପଳା କୁଆଡେ ଗଲା ?” ଚମ୍ପା କହିଲା-“ତା’ ଦେହ ଭଲ ନାହିଁ…” ମହାରାଜ ତାକୁ ଆଉ ଅଧିକ କିଛି ନପଚାରି ନିଜ ଶୟନ କକ୍ଷକୁ ଚାଲିଗଲେ । ପରଦିନ ସକାଳେ ସେ ଦୁଇ କ୍ଷୀପ୍ରଚରଙ୍କୁ ଦରବାରରେ ହାଜର କରାଗଲା ।
ମହାରାଜ ସେମାନଙ୍କୁ ପଚାରିଲେ-“ତୁମର ନାଁ କଣ ?” ପାନାଲାଲ କହିଲା-“ମୁଣ୍ଡପିଟା ସିଂ …” ଏ ଥଟ୍ଟାଳିଆ କଥା ଶୁଣି ମହାରାଜଙ୍କୁ ବହୁତ କ୍ରୋଧ ଆସିଲା । ସେ କହିଲେ-“ଏମାନେ ତ ପକ୍କା ବଦମାସ ଅଛନ୍ତି । ଟିକେ ବି ଡର ନାହିଁ । ଛାଡ଼… ଏମାନଙ୍କୁ କଡା ପ୍ରହରାରେ ବନ୍ଦୀ କରି ରଖ ।” ଆଦେଶ ମୁତାବକ ସେମାନଙ୍କୁ ପୁଣି ବନ୍ଦୀଗୃହକୁ ପଠାଇ ଦିଆଗଲା ।
ମହାରାଜ ମନ୍ତ୍ରୀ ହରଦୟାଲ ସିଂଙ୍କୁ ପଚାରିଲେ-“ତେଜ ସିଂ ଙ୍କର କିଛି ଖବର ମିଳିଲା କି ?” ହରଦୟାଲ ସିଂ କହିଲେ-“ନା..ମହାରାଜ ଏ ଯାଏ କିଛି ବି ଖବର ମିଳିନାହିଁ । ଗୋଟିଏ କଥା କରାଯାଉ… ଏ ଯେଉଁ କ୍ଷୀପ୍ରଚରମାନେ ଧରା ପଡିଛନ୍ତି ଏମାନଙ୍କୁ ଖୁବ ପ୍ରହାର କରାଯାଉ… ହୁଏତ ସେମାନେ କିଛି କହି ପାରନ୍ତି ।” ମହାରାଜ କହିଲେ-“ଠିକ ଅଛି…ହେଲେ ତେଜ ସିଂ ଆସିଲେ ସେ ଅଭିମାନ କରିବ, କହିବ କ୍ଷୀପ୍ରଚରମାନଙ୍କୁ କାହିଁକି ପ୍ରହାର କରାଗଲା ? ଏଇଟା ନିୟମ ବହିର୍ଭୁତ କାମ । ଛାଡ଼ କିଛି ଦିନ ଅପେକ୍ଷା କରାଯାଉ ତା’ପରେ ଯାହା ଠିକ ଲାଗିବ କରାଯିବ । କିନ୍ତୁ ଗୋଟିଏ କଥା… ଆମ ସେନାବାହିନୀ ଯେପରି ସବୁବେଳେ ପ୍ରସ୍ତୁତ ରୁହନ୍ତି, ସେ କଥାର ଧ୍ୟାନ ରଖିଥିବ … କେତେବେଳେ ବି ସେ ଶିବଦତ୍ତ ଆମ ଉପରେ ଆକ୍ରମଣ କରି ଦେଇପାରେ ।” ହରଦୟାଲ ସିଂ କହିଲେ-” ସେ ପାଇଁ ଚିନ୍ତା କରନ୍ତୁନି… ମୁଁ ସବୁବେଳେ ପ୍ରସ୍ତୁତ ରଖିଛି । ହେଲେ ମହାରାଜ ମତେ ଆପଣଙ୍କୁ ଗୋଟେ କଥା ପଚାରିବାର ଥିଲା…ଯେଉଁଟା ଏକାନ୍ତରେ ହିଁ ଆପଣଙ୍କୁ କହିବି ।”
ଦରବାର ବର୍ଖାସ୍ତ ହେଲା ପରେ ମହାରାଜ ମନ୍ତ୍ରୀ ମହାଶୟଙ୍କୁ ଏକାନ୍ତରେ ଡାକି ପଚାରିଲେ-“କୁହ ତୁମର କଣ ପଚାରିବାର ଥିଲା ?” ସେ କହିଲେ-“ମହାରାଜ.. ତେଜ ସିଂ ମତେ କେତେଥର କହିଛନ୍ତି ଆଉ ମଧ୍ୟ କୁମାର ବୀରେନ୍ଦ୍ର ସିଂ ଆଉ ତାଙ୍କ ପିତା ବି ମତେ ହୁସିଆର କରିଛନ୍ତି କି ଏଠାକାର ମୁସଲମାନମାନେ କ୍ରୁର ସିଂ କୁ ସହାୟତା ଦେଉଛନ୍ତି । ଯେତେଦୂର ସମ୍ଭବ ଆମେ ସେମାନଙ୍କ ସଂଖ୍ୟା କମ କରିବା ଆବଶ୍ୟକ । ମୁଁ ମଧ୍ୟ ଅନୁଭବ କରୁଛି କି ସେମାନଙ୍କ କଥା ଠିକ । ତେଣୁ ଆପଣ ଯେଉଁ ପ୍ରକାରେ ଆଦେଶ କରିବେ ମୁଁ ତଦାନୁସାରେ କାମ କରିବି ।” ମହାରାଜ କହିଲେ-” ହଁ… ମୁଁ ଏ କଥା ତୁମକୁ କହିବି ବୋଲି ଭାବୁଥିଲି । ଯାହାହେଉ କଥାଟା ତୁମେ ଉଠେଇଲଣି ଯେତେବେଳେ ମୁଁ ତୁମକୁ କହୁଛି କି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତଥା ପଦପଦବୀରୁ ସେମାନଙ୍କୁ ହଟେଇ ଦିଆଯାଉ । ” ହରଦୟାଲ ସିଂ କହଲେ-” ଯଥା ଆଜ୍ଞା ମହାରାଜ …” ତାପରେ ସେ ମହାରାଜଙ୍କଠୁ ବିଦାୟ ନେଇ ଘରକୁ ଚାଲିଗଲେ ।
କ୍ରମଶଃ