Chandrakanta: Episode 29

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ମହାରାଜ ଶିବଦତ୍ତ ସିଂ ଘସୀଟା ସିଂ ଓ ଚୁନିଲାଲଙ୍କୁ ତେଜ ସିଂ କୁ ଧରିବା ପାଇଁ ପଠେଇ ଦେଇ ଦରବାର ବର୍ଖାସ୍ତ କରି ଅନ୍ତପୁରକୁ ଚାଲିଗଲେ । ହେଲେ ମନଟା ତାଙ୍କର ଭଲ ନଥିଲା । ତାଙ୍କର ମନଟାକୁ ତ ସେ ରମ୍ଭା ତା’ ରୂପର କାରାଗାରରେ ବନ୍ଦୀ କରି ରଖି ଥିଲା ନା । ଯେଉଁଠୁ ଖସି ଆସିବା କଣ ଏତେ ସହଜ ? ସେ ଅନ୍ତପୁରକୁ ଆସିଲେ ସତ ହେଲେ ତାଙ୍କ ମୁହଁରୁ ହସ ଲିଭି ଯାଇଥିଲା । ରାଣୀଙ୍କ ସହ କିଛି କଥା ନହେଇ ଚୁପଚାପ ବସିରହିଲେ । ମହାରାଣୀ ପଚାରିଲେ-“କଣ ହେଇଛି ଆପଣଙ୍କର ? ମୁହଁଟା ଆପଣଙ୍କର ଶୁଖିଲା ଦିଶୁଛି ?” ମହାରାଜ କହିଲେ-“ନା.. ସେ କିଛିନୁହେଁ…ରାତି ଅନିଦ୍ରା ହେଇଥିବାରୁ ତୁମକୁ ସେମିତି ଲାଗୁଛି ।” ମହାରାଣୀ ପୁଣି କହିଲେ-” ଆପଣ କହି ଯାଇଥିଲେ ସେ ଗାୟିକାଙ୍କୁ ଅନ୍ତପୁରକୁ ଆଣିବା ପାଇଁ …. କଣ ହେଲା…? ଆଣିଲେନି ତ ?” ମହାରାଜ କହିଲେ-“ସେ ଆମ ଆଖିରେ ଧୂଳି ଦେଇ ଖସିଗଲା, ଏବେ ତାକୁ ମୁଁ କେଉଁଠୁ ପାଇବି ?” ଏ କଥା ଶୁଣି ମହାରାଣୀ କଳାବତୀ ଆଶ୍ଚର୍ଯ୍ୟ ହେଇଗଲେ । ସେ କହିଲେ-” କଣ ହେଇଛି…କଥାଟା ଖୋଲି କୁହନ୍ତୁ …।”
-“ସବୁ କଥା କହିବା ପାଇଁ ମୋର ଏବେ ଧୈର୍ଯ୍ୟ ନାହିଁ… ମୁଁ ଏବେ କିଛି କହି ପାରିବି ନାହିଁ ।” ଏତିକି କହି ସେ ସେଠୁ ଉଠି ନିଜର ଏକ ଖାସ କୋଠରୀକୁ ଚାଲିଗଲେ । ସେଠି ପଲଙ୍କ ଉପରେ ଶୟନ କରି ସେ ହଜିଗଲେ ରମ୍ଭାର ସ୍ମୃତି ଭିତରେ । ମନେ ମନେ ଗୁଣି ହେଉଥିଲେ-” କିଏ ଏଇ ରମ୍ଭା…? ଏ କଥା ତ ସତ ଯେ ସେ ଜଣେ ସ୍ତ୍ରୀ…ତେବେ ସେ ତେଜ ସିଂ କୁ କାହିଁକି ମୁକୁଳେଇ ନେଇ ଚାଲିଗଲା ? ତେଜ ସିଂ କୁ ସେ ଭଲ ପାଉ ନଥିଲା ତ ? ହାଏ…ରମ୍ଭା … ତୁ ଏ କଣ କଲୁ…? ତୁ ସିନା ଚାଲିଗଲୁ…ହେଲେ ମତେ ଅସହ୍ୟ ଯନ୍ତ୍ରଣା ଦେଇ ଗଲୁ । କଣ ଏଇଥି ପାଇଁ ଏଠିକି ଆସିଥିଲୁ ? ମୁଁ ଏବେ କଣ କରିବି… କେଉଁଠି ତତେ ଖୋଜିବି… ?”

ଏଇପରି ମହାରାଜ ଶିବଦତ୍ତ ସିଂ ରାତିସାରା ବାଉଳି ହେଉଥିଲେ । ଅନିଦ୍ରାରେ କଟିଥିଲା ସାରା ରାତି । ସକାଳେ ମହାରାଜ ଦରବାରକୁ ଆସି ପଚାରିଲେ-“ଘସୀଟା ସିଂ ଓ ଚୁନିଲାଲ ସେ ତେଜ ସିଂ କୁ ଧରି ଆଣିଲେ କି ନାହିଁ ?” ଜବାବ ମିଳିଲା କି ସେ ଦୁହେଁ ଏ ଯାଏ ଫେରି ନାହାନ୍ତି । ଏଇ ସମୟରେ ବଦ୍ରୀନାଥ, ଜ୍ୟୋତିଷ ମହାଶୟ ,ନାଜିମ ଆଉ କ୍ରୁର ସିଂ ଦରବାରକୁ ପ୍ରବେଶ କଲେ । ମହାରାଜଙ୍କୁ ଅଭିବାଦନ କରି ଏକ ପାଖିଆ ହେଇ ବସିଗଲେ । ସେମାନଙ୍କ ମୁହଁରେ ଉଦାସର ଭାବ ସ୍ପଷ୍ଟ ଦିଶୁଥିଲା । ଗୋଟିଏ ପଟେ ରମ୍ଭାଙ୍କୁ ହରେଇବା ଦୁଃଖ ଆଉ ଅନ୍ୟପଟେ ଏମାନଙ୍କର ଉଦାସିଆ ଭାବ, ମହାରାଜଙ୍କୁ ଆହୁରି ଅସ୍ଥିର କରିଦେଲା । ସେ ଦରବାର ଭିତରେ ଏମାନଙ୍କୁ କିଛି ପ୍ରଶ୍ନ ନ ପଚାରି ଦରବାରକୁ ବର୍ଖାସ୍ତ କରି ଦେଲେ । ଆଉ ଏକାନ୍ତକୁ ଡ଼ାକିନେଇ ପଚାରିଲେ-” ଏବେ ମତେ କୁହ … ତୁମକୁ ଯେଉଁ କାମରେ ବିଜୟଗଡ଼ ପଠେଇଥିଲି , ସେଥିରେ ତମେମାନେ କେତେ ବାଟ ଆଗେଇଲ ?” ବଦ୍ରୀନାଥ କହିବାକୁ ଆରମ୍ଭ କଲା-” ହଜୁର ତେଜ ସିଂ ଭଗବାନଦତ୍ତକୁ ବନ୍ଦୀ କରି ରଖିଛି, ଆଉ ପାନାଲାଲ ଓ ରାମନାରାୟଣଙ୍କୁ ଚମ୍ପା ବୋଲି ଜଣେ ସ୍ତ୍ରୀ ବଡ଼ ଚାଲାକରେ ବନ୍ଦୀ କରିଦେଲା । ଏକୁଟିଆ ମୁଁ ସେଠୁ ଖସି ଆସିଛି । କେବଳ ତେଜ ସିଂ କୁ ବନ୍ଦୀ କରିବା ଛଡା ଆମେ ଆଉ ବିଶେଷ କିଛି କରି ପାରିନୁ ।” ମହାରାଜ କହିଲେ-” ସେ ତେଜ ସିଂ ଟା ବି ଏଠୁ ଖସି ଚାଲି ଗଲା। ଜଣେ ସ୍ତ୍ରୀ ଆସି ତାକୁ ମୁକୁଳେଇ ନେଇଗଲା । ବଡ଼ ଚାଲାକ ସେ। ଆଉ ମୁଁ ଅନୁମାନ କରୁଛି କି ଘସୀଟା ସିଂ ଓ ଚୁନିଲାଲ ବି ତା’ ଜାଲରେ ଫସିଗଲେ। ସେମାନଙ୍କୁ ଖୋଜିବା ପାଇଁ ମୁଁ ଏ ଦୁହିଁଙ୍କୁ ପଠେଇ ଥିଲି । ଭଲା କ୍ରୁରକୁ ମୁଁ କି ସାହାଯ୍ୟ କଲି ଯେ ମୋର ଖାଲି କ୍ଷତି ହିଁ କ୍ଷତି । ଛାଡ଼ … ଏବେ ତୁମେ ପତ୍ତା କର କି ସେ ସ୍ତ୍ରୀ ଲୋକ ଜଣକ କିଏ ଥିଲା ଯିଏ କି ଗୀତ ଗାଇବା ଛଳରେ ମୋ ହୃଦୟକୁ ଅସ୍ଥିର କରିଦେଲା ଆଉ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ତେଜ ସିଂ କୁ ନେଇ ଚାଲିଗଲା । ତାର ସେ ମୋହିନୀ ରୂପ ଏବେ ବି ମୋ ଆଖିରେ ନାଚି ଯାଉଛି ।”

ନାଜିମ କହିଲା-“ହଜୁର… ମୁଁ ଜାଣିଗଲି, ସେ କିଏ ହେଇଥିବ ? ସେ ନିଶ୍ଚୟ ଚନ୍ଦ୍ରକାନ୍ତାର ସଖି ଚପଳା…। ଏ କାମ ତା ବ୍ୟତୀତ ଆଉ କେହି କରିପାରିବେନି ।” ମହାରାଜ ପଚାରିଲେ-” ସେ କଣ ଚନ୍ଦ୍ରକାନ୍ତାଠୁ ଅଧିକ ସୁନ୍ଦରୀ ?” ନାଜିମ କହିଲା-” ଚନ୍ଦ୍ରକାନ୍ତା ସହ ଏ ଦୁନିଆରେ କେହି ସମତୁଲ ହେଇ ପାରିବେ ନାହିଁ … ହଁ.. ଚନ୍ଦ୍ରକାନ୍ତା ପରେ ଯଦି ଆମେ କାହାକୁ ସୁନ୍ଦରୀ ବୋଲି ଗଣିବା, ତେବେ ସେ ଚପଳା ହିଁ ହେବ । ଆଉ ସେ ଚପଳା ତେଜ ସିଂ କୁ ପ୍ରେମ କରେ , ସେଇଥିପାଇଁ ସେ ତାକୁ ଏଠାରୁ ମୁକୁଳେଇ ନେଇ ଚାଲିଗଲା ।” ଏ କଥା ଶୁଣି ମହାରାଜ କିଛି କ୍ଷଣ ସ୍ତମ୍ବିଭୁତ ହେଇଗଲେ । ପରେ କହିଲେ-” ଏବେ ଯାହା ବି ହେଇ ଯାଉ … ସେ ଚନ୍ଦ୍ରକାନ୍ତା ଆଉ ଚପଳା ଦୁହେଁ ମୋ ହାତକୁ ଆସିବା ଦରକାର । ଏବେ ମହାରାଜ ଜୟସିଂଙ୍କୁ ଚିଠି ଲେଖାଯାଉ …ସେ ଦୁହିଁଙ୍କୁ ମତେ ସମର୍ପି ଦେବେ ।” କ୍ରୁର ସିଂ କହିଲା-” ମହାରାଜ…. ସେ ଜୟସିଂ ଏକଥା କେବେ ସ୍ୱୀକାର କରିବେ ନାହିଁ ।” ମହାରାଜ କହିଲେ-“ସେଥିରେ କଣ ଅଛି ? ସେ ଯଦି ମୋ ଚିଠିକୁ ଅସ୍ୱୀକାର କରନ୍ତି, ତେବେ ଆମେ ବିଜୟଗଡ଼ ଉପରେ ଆକ୍ରମଣ କରି ସେ ଦୁହିଁଙ୍କୁ ଉଠେଇ ଆଣିବା ।” ଏତିକି କହି ସେ ମୁନିସୀକୁ ଡକେଇ ପଠେଇଲେ । ମୁନିସୀ ଆସିବାରୁ ମହାରାଜ ତାଙ୍କୁ କହିଲେ କି ତୁମେ ଜୟ ସିଂ ପାଖକୁ ଏକ ଚିଠି ଲେଖ କି ଚନ୍ଦ୍ରକାନ୍ତାଙ୍କୁ ସେ ମତେ ଅର୍ପଣ କରିବେ ଆଉ ଯୌତୁକ ବାବଦରେ ଚପଳାକୁ ମତେ ଉପହାର ଦେବେ ।” ମହାରାଜଙ୍କ ଆଜ୍ଞାନୁସାରେ ମୁନିସୀ ଏକ ଚିଠି ଲେଖି ତାଙ୍କ ହାତକୁ ବଢ଼େଇ ଦେଲେ । ମହାରାଜ ସେଥିରେ ନିଜର ମୋହର ଲଗେଇ ବଦ୍ରୀନାଥକୁ ଦେଇ କହିଲେ-” ଏ କାମ ତୁମକୁ କରିବାକୁ ପଡିବ ।” ବଦ୍ରୀନାଥର ବା ପିତ୍ତ କେତେ ସେ ମହାରାଜାଙ୍କ କଥାକୁ ଅବଜ୍ଞା କରିବ ତେଣୁ ସେ ଚିଠି ନେଇ ତୁରନ୍ତ ବିଜୟଗଡ଼କୁ ପ୍ରସ୍ଥାନ କଲା…

କ୍ରମଶଃ

Please follow and like us:
0
20
Pin Share20