ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ସଂଜ ବେଳ । ଚନ୍ଦ୍ରକାନ୍ତା, ଚପଳା ଆଉ ଚମ୍ପା ଉଦ୍ୟାନରେ ଭ୍ରମଣ କରୁଥାନ୍ତି । ମନ୍ଦ ମନ୍ଦ ପବନ ସହ ଫୁଲର ବାସ୍ନା ମନ ପ୍ରାଣକୁ ଉଲ୍ଲସିତ କରୁଥାଏ । ଉଦ୍ୟାନଟି ନାନା ରକମ ଫୁଲରେ ଶୋଭା ପାଉଥାଏ । ଉଦ୍ୟାନର ପଶ୍ଚିମ ପଟେ ଯେଉଁ ଗହଳ ଆମ୍ବର ବଗିଚା ଥିଲା ସେଇପଟୁ ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ ଆଭା କିଞ୍ଚିତ ଉଦ୍ୟାନ ଭିତରେ ପଡୁଥାଏ । ଆଉ ସେଇ ଆଭାରେ ଉଦ୍ୟାନଟି ସ୍ୱର୍ଣ୍ଣିମ ରଙ୍ଗରେ ଚମକି ଉଠୁଥାଏ । ଆଃ …କି ସୁନ୍ଦର ସେ ଶୋଭା ! ଭଳିକି ଭଳି ଫୁଲର କିଆରୀରେ ଉଦ୍ୟାନଟି ପରିପୂର୍ଣ୍ଣ । କେଉଁଠି ଗୋଲାପ ତ ଆଉ କେଉଁଠି ଜୁଇ । କେଉଁଠି ଜାଇଫୁଲ ତ ଆଉ କେଉଁଠି ହେନା । ମଲ୍ଲି, ଚମ୍ପା, ଟଗର, ରଜନୀଗନ୍ଧା ଏମିତି କେତେ ରକମ ଫୁଲ । ସବୁ କିଆରୀ ଫୁଲରେ ଭରା । ଆଉ ସମସ୍ତେ ରାଜକୁମାରୀ ଚନ୍ଦ୍ରକାନ୍ତାଙ୍କୁ ଯେପରି ହସି ହସି ସ୍ୱାଗତ କରୁଛନ୍ତି । ଉଦ୍ୟାନଟି ରାଜମହଲର ପଛପଟେ ଅବସ୍ଥିତ । ଚାରିପଟେ ପ୍ରାଚୀର ବେଷ୍ଟିତ ଆଉ ସେଇ ପ୍ରାଚୀରକୁ ଲାଗି ରହିଛି କେତେଗୁଡିଏ ଗମ୍ବୁଜ । ଯେଉଁଠାରେ ଶସ୍ତ୍ରଧାରୀ ସିପାହୀ ୨୪ ଘଣ୍ଟା ପ୍ରହରା ଦେଉଥାନ୍ତି । ଏମିତିରେ ବି ଉଦ୍ୟାନଟି କେବଳ ରାଜକୁମାରୀଙ୍କ ପାଇଁ ଉଦ୍ଦିଷ୍ଟ। ତାଙ୍କ ଅନୁମତି ବିନା ସେଠାରେ କେହି ବି ପ୍ରବେଶ କରିପାରୁ ନଥିଲେ ।
ଚପଳା ଖୁବ ଚାଲାକ ଆଉ ଧୂର୍ତ୍ତ । ସେଥିପାଇଁ ରାଜକୁମାରୀ ତାକୁ ଖୁବ ପସନ୍ଦ କରନ୍ତି ଆଉ ସବୁଠୁ ପ୍ରିୟ ସଖିର ମାନ୍ୟତା ଵି ପ୍ରଦାନ କରିଛନ୍ତି । ସେ ସ୍ୱଭାବରେ ଖୁବ ଚଂଚଳ । ରାଜକୁମାରୀଙ୍କ ସୁରକ୍ଷା ଦାୟିତ୍ତ୍ୱ ବି ତାର । ଛାଇ ପରି ରାଜକୁମାରୀଙ୍କ ପାଖେ ପାଖେ ସଵୁଵେଳେ ରହିଥାଏ।
ଉଦ୍ୟାନ ଭିତରେ ସେ ରାଜକୁମାରୀଙ୍କ ସହ ପାଦରେ ପାଦ ମିଶାଇ ବୁଲିବା ବେଳେ ଫୁଲ ମାନଙ୍କର ପ୍ରଶଂସା କରିବା ସହ କିଛି ଫୁଲ ଛିଣ୍ଡାଇ ଆଣି ରାଜକୁମାରୀଙ୍କ ହାତରେ ଦେଲା । ହେଲେ ରାଜକୁମାରୀଙ୍କ ମନ ଫୁଲରେ ନଥିଲା..କେମିତି ବା ରହିବ ? ମନଟାକୁ ତ କୁମାର ବୀରେନ୍ଦ୍ର ଚୋରି କରିଛନ୍ତି । ଅନେକ ଦିନ ହେଲା ତାଙ୍କ ସହ ସାକ୍ଷାତ ହେଇ ନଥିବାରୁ ହୃଦୟଟା ତାଙ୍କର ବିରହ ନିଆଁ ରେ ଜଳୁଥିଲା । ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଉଦ୍ୟାନକୁ ଆସିବାକୁ ତାଙ୍କର ତିଳେ ବି ମନ ନଥିଲା । ହେଲେ ଚପଳା ତାଙ୍କୁ ଜୋର କରି ଏଠାକୁ ନେଇ ଆସିଥିଲା ।
ଅନ୍ୟ ସଖି ଚମ୍ପା ଫୁଲ ତୋଡ଼ା ପ୍ରସ୍ତୁତ କରିବା ପାଇଁ ଫୁଲ ତୋଳି ତୋଳି ମାଳତୀ କୁଞ୍ଜ ଆଡେ ଚାଲିଗଲା । କିନ୍ତୁ ଚପଳା ଆଉ ଚନ୍ଦ୍ରକାନ୍ତା ଧୀରେ ଧୀରେ ଟହଲ ମାରି ଉଦ୍ୟାନ ମଝିରେ ଥିବା ପାଣି ଫୁଆର ପାଖରେ ଅଟକିଗଲେ । ସେଠି ଚକମକ କରୁଥିବା ପାଣି ଧାରାକୁ ଉପଭୋଗ କରୁ କରୁ ଚପଳା କହିବାକୁ ଲାଗିଲା…
ଚପଳା-“ଏ ଚମ୍ପାଟା କୁଆଡେ ଗଲା କେଜାଣି …?”
ଚନ୍ଦ୍ରକାନ୍ତା-“ଦେଖ ଏଇଠି କେଉଁଠି ଟହଲ ମାରୁଥିବ…”
ଚପଳା-” ଦି ଘଡି ବିତିବାକୁ ଵସିଲାଣି, ହେଲେ ସେ ଆମ ପାଖକୁ ଆସିବାର ନାଁ ଧରୁନି…”
ଚନ୍ଦ୍ରକାନ୍ତା-(ଦୂରରୁ ଚମ୍ପାକୁ ଦେଖି )”ଏଇ ଦେଖ ସେ ଆସିଗଲା…”
ଚପଳା-“କିନ୍ତୁ ମତେ କାହିଁକି ତା’ ରଙ୍ଗ ଢଙ୍ଗ ଟିକେ ଅଲଗା ଲାଗୁଚି…”
ଏତିକିବେଳେ ଚମ୍ପା ପାଖକୁ ଆସି ଏକ ଫୁଲ ତୋଡ଼ା ରାଜକୁମାରୀଙ୍କ ହାତରେ ଦେଇ କହିଲା-“ସଖି…ଦେଖିଲ ଦେଖିଲ କେଡେ ସୁନ୍ଦୁରିଆ ଫୁଲ ତୋଡ଼ା ମୁଁ ତିଆରି କରିଛି…ଯଦି ଏଠି ରାଜକୁମାର ବୀରେନ୍ଦ୍ର ସିଂ ଥାଆନ୍ତେ ନା ମତେ ଖୁବ ପ୍ରଶଂସା କରିଥାନ୍ତେ ଆଉ କିଛି ପାରିତୋଷିକ ବି ଦେଇଥାନ୍ତେ …”
ବୀରେନ୍ଦ୍ର ସିଂ ଙ୍କ ନାଁଟା ଶୁଣୁ ଶୁଣୁ ରାଜକୁମାରୀ ଆନମନା ହେଇ ଉଠିଲେ । କିଛି ସମୟ ପାଇଁ ଭୁଲି ଯାଇଥିବା ବିରହ ବେଦନା ପୁଣି ମୁଣ୍ଡ ଟେକି ମନ ମସ୍ତିଷ୍କରେ ଦୌଡିବାକୁ ଲାଗିଲା । ପଦ୍ମ ପରି ଶୋଭା ଦିଶୁଥିବା ମୁଖ ମଣ୍ଡଳ ଝାଉଁଳି ପଡିଲା । ହୃଦୟ ଭିତରୁ ଲମ୍ବା ଲମ୍ବା ନିଶ୍ୱାସ ବାହାରିବାକୁ ଲାଗିଲା । ଆଖି ଅଶ୍ରୁ ସଜ୍ଜଳ ହେଇ ଉଠିଲା । ସେ ଦୁଃଖି ହେଇ ଧୀରେ ଧୀରେ କହିବାକୁ ଲାଗିଲେ-“ଜାଣିନି ବିଧାତା ମୋ ଭାଗ୍ୟରେ କଣ ଲେଖିଛନ୍ତି କେଜାଣି ? କୋଉ ଜନ୍ମରେ କି ପାପ କରିଥିଲି, ଯାହାର ଫଳ ମୁଁ ଏ ଜନ୍ମରେ ଭୋଗୁଛି । ମୋ ବାପା ବୋଧେ ମତେ ବାଡ଼ୁଅ ରଖିବା ପାଇଁ ଠାଣି ନେଇଛନ୍ତି । ବିରେନ୍ଦ୍ରଙ୍କ ବାପା ମୋ ବାପାଙ୍କ ପାଖରେ କେତେ ଗୁହାରି କଲେ ଆମ ଦୁହିଁଙ୍କ ବାହାଘର ପାଇଁ ହେଲେ ସେ ଦୁଷ୍ଟ କ୍ରୁର ସିଂ ଆଉ ତା’ ବାପା କୁପଥ ସିଂ ମୋ ବାପାଙ୍କୁ କି ପାଠ ପଢ଼େଇଲେ କେଜାଣି ସେ ତାଙ୍କରି କଥାରେ ବାହାଘର କରିବାକୁ ମନା କରିଦେଲେ । ଆଉ ଏଣେ ସେ ବଦମାସ କ୍ରୁର ସିଂ ମତେ ବାହା ହେବା ପାଇଁ ଦିବାସ୍ୱପ୍ନ ଦେଖୁଛି ।”
ହଠାତ ଚପଳା ଚନ୍ଦ୍ରକାନ୍ତାଙ୍କ ହାତକୁ ଧରି ନେଇ ଟିପାଟିଏ ମାରିଦେଲା । ତା’ ମାନେ ଏଇଟା ପାଟି ଚୁପ କରିବା ପାଇଁ ଏକ ସଙ୍କେତ ଥିଲା । ଚପଳାର ସଙ୍କେତକୁ ବୁଝି ଚନ୍ଦ୍ରକାନ୍ତା ଚୁପ ହେଇଗଲେ । ଆଉ ତା’ ହାତ ଧରି ପୁଣି ଉଦ୍ୟାନରେ ଭ୍ରମଣ କରିବାକୁ ଆଗେଇ ଗଲେ ହେଲେ ଯିବା ଆଗରୁ ନିଜ ରୁମାଲଟିକୁ ସେଇ ଜାଗାରେ ଜାଣିଶୁଣି ପକେଇ ଦେଲେ l କିଛି ଦୂର ଯିବା ପରେ ସେ ଚମ୍ପାକୁ କହିଲେ-” ସଖି ଚମ୍ପା… ଦେଖିଲ ମୋ ରୁମାଲଟା ସେ ପାଣି ଫୁଆର ପାଖରେ କୋଉଠି ଗଳି ପଡିଲା …”
ଚମ୍ପା ରୁମାଲ ଆଣିବା ପାଇଁ ଅନ୍ତର ହେଲା ପରେ ଚନ୍ଦ୍ରକାନ୍ତା ଚପଳାଙ୍କୁ ପଚାରିଲେ-” ସଖି… ମୁଁ ସେଠି କିଛି କହୁଥିବା ବେଳେ ତମେ ହଠାତ ମତେ କାହିଁକି ଅଟକାଇ ଦେଲ ?”
-“ମୋ ପ୍ରିୟ ସଖି…ମତେ ସେ ଚମ୍ପା ଉପରେ ସନ୍ଦେହ ହେଉଛି । ତା’ କଥାବାର୍ତ୍ତା ଆଉ ହାବଭାବରୁ ମୁଁ ଜାଣି ସାରିଲିଣି କି ସେ ଅସଲି ଚମ୍ପା ନୁହେଁ ।” ଏତିକି ବେଳେ ଚମ୍ପା ରୁମାଲ ଆଣି ଚନ୍ଦ୍ରକାନ୍ତା ହାତକୁ ବଢ଼େଇ ଦେଲା । ତା’ ପରେ ଚପଳା ତାକୁ ପଚାରିଲା-“ସଖି… ମୁଁ ତୁମକୁ କାଲି ରାତିରେ ଯେଉଁ କଥା କରିବାକୁ କହିଥିଲି, ତୁମେ ତାକୁ କଲ କି ନାହିଁ ?”
ଚମ୍ପା-“ନା.. ସଖି… ସେ କାମଟା ମୁଁ ଭୁଲି ଯାଇଛି…”
ଚପଳା-“ଆଛା … ମୁଁ ଯାହା କହିଥିଲି, ସେଇଟା ମନେ ଅଛି ନା ତାକୁ ବି ଭୁଲି ଯାଇଛ ..?”
ଚମ୍ପା-“ନା..ନା.. ସେ କଥା ମନେ ଅଛି…”
ଚପଳା-“ଆଛା କୁହ ତ ମୁଁ କଣ କହିଥିଲି… ଦେଖିବା ତମର କେତେ ମନେ ଅଛି ?”
ଏଥର ଚମ୍ପା ଆଉ କିଛି ନକହି କଥାକୁ ଅନ୍ୟ ଆଡେ ବୁଲେଇବାକୁ ଚେଷ୍ଟା କଲା । ଯାହାଫଳରେ ଚପଳା ସ୍ଥିର ନିଶ୍ଚିତ ହେଲା କି ସେ ଚମ୍ପା ନୁହେଁ । ଏଥର ଚପଳା ଚମ୍ପାକୁ କିଛି କହିବା ବାହାନାରେ ଗୋଟେ ପାଖକୁ ଡାକି ନେଲା । ଆଉ କହିଲା-“ଏ ଚମ୍ପା ଦେଖିଲ ମୋ କାନରୁ ଦୁର୍ଗନ୍ଧ ଆସୁଛି କି ? କାଲି ରାତିରୁ ମୋ କାନଟା ଭାରି ବିନ୍ଧୁଛି ।” ନକଲି ଚମ୍ପା ଚପଳାର ଚାଲାକି ବୁଝି ନପାରି ତା’ କାନକୁ ଶୁଙ୍ଘିବାକୁ ଲାଗିଲା । ଚପଳା ତା’ କାନରେ ବେହୋସି ଅତର ତୁଳାରେ ଭିଜେଇ ଗୁଂଜି ଦେଇଥିଲା, ଯାହାକୁ ଶୁଙ୍ଘି ନକଲି ଚମ୍ପା ବେହୋସ ହେଇଗଲା ।
ଚପଳା ଚନ୍ଦ୍ରକାନ୍ତାକୁ ଡାକି କହିଲା-” ସଖି … ଆସ…ଆମ ଚମ୍ପାର ହାଲତ ଟିକେ ଦେଖି ଯାଅ …” ଚନ୍ଦ୍ରକାନ୍ତା ପାଖକୁ ଆସି ଦେଖେତ ଚମ୍ପା ବେହୋସ ହେଇ ପଡିଛି ।
-“ସଖି ..ସତରେ କଣ ଏ ଆମ ଚମ୍ପା ନୁହେଁ ? ତମ ସନ୍ଦେହଟା ଅମୂଳକ ନୁହେଁ ତ ? ଯଦି କଥାଟା ମିଛ ହେଲା ତେବେ ପଛକୁ ଚମ୍ପା ପାଖରେ ଆମକୁ ଅପଦସ୍ତ ହେବାକୁ ପଡିବ ।”
କ୍ରମଶଃ