ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ସେଦିନ ମହାରାଜ ଜୟସିଂ ଦରବାରରେ ହରଦୟାଲଙ୍କ ଠାରୁ ତେଜ ସିଂଙ୍କ ଖବର ଅନ୍ତର ବୁଝିବା ସମୟରେ ଅଚାନକ ତେଜ ସିଂ ସେଠି ଆସି ପହଞ୍ଚି ଗଲା । ପିଠିରେ ତାର ଥିଲା ଏକ ମସ୍ତବଡ ଗଣ୍ଠିଲି । ସେ ଗଣ୍ଠିଲିକୁ ଦରବାର ମଝିରେ ରଖି ମହାରାଜଙ୍କୁ ଅଭିବାଦନ କଲା । ମହାରାଜ ତେଜ ସିଂଙ୍କୁ ଦେଖି ବହୁତ ଖୁସି ହେଇ ତାକୁ ବସିବାକୁ ନିର୍ଦ୍ଦେଶ ଦେଲେ । ତେଜ ସିଂ ଆସନ ଗ୍ରହଣ କରିବା ପରେ ମହାରାଜ ପଚାରିଲେ-” କଣ କି ହୋ…ଏତେ ଦିନ କେଉଁଠି ଥିଲ, ଆଉ ଏ ଗଣ୍ଠିଲିରେ କଣ ଆଣିଛ ? ତୁମ ପାଇଁ ଆମେ ବଡ଼ ଚିନ୍ତାରେ ଥିଲୁ … ମନ୍ତ୍ରୀ ଜିତ ସିଂ ବି ବହୁତ ବ୍ୟସ୍ତ ହେଉଥିବେ କାହିଁକି ନା ଆମେ ତୁମ ନିଖୋଜ ହେବା ବିଷୟରେ ତାଙ୍କୁ ଜଣେଇଦେଇଥିଲୁ ।” ତେଜ ସିଂ କହିଲା-” ମହାରାଜ… ଏ ଅକିଞ୍ଚନ ଶତ୍ରୁର ଫାଶରେ ଫସି ଯାଇଥିଲା… ହେଲେ ହଜୁରଙ୍କ ଆଶୀର୍ବାଦରୁ ମୁଁ ଫାଶକୁ ଛିଣ୍ଡେଇ ମୁକୁଳି ଆସିଛି ଆଉ ସାଥିରେ ତାଙ୍କର ଦୁଇଜଣ କ୍ଷୀପ୍ରଚରଙ୍କୁ ବି ଧରି ଆଣିଛି ।” ମହାରାଜ ଏ କଥା ଶୁଣି ବହୁତ ଖୁସି ହେଇ ହାତରେ ପିନ୍ଧିଥିବା ସୁନାର କଙ୍କଣକୁ ତେଜ ସିଂ କୁ ଉପହାର ସ୍ୱରୂପ ପ୍ରଦାନ କରି କହିଲେ-“ଏଠି ଚମ୍ପା ବି ଦୁଇ ଜଣ କ୍ଷୀପ୍ରଚରଙ୍କୁ ଧରେଇ ଦେଇଛି , ସେମାନେ ସମସ୍ତେ କାରାଗାରରେ ବନ୍ଦ ଅଛନ୍ତି… ଏମାନଙ୍କୁ ବି ସେଠାକୁ ପଠେଇ ଦେବା ଦରକାର ।” ଏହା କହିସାରି ସେ ମନ୍ତ୍ରୀ ହରଦୟାଲଙ୍କ ଆଡେ ଚାହିଁଲେ । ହରଦୟାଲ ସିଂ ପ୍ରତିହାରୀଙ୍କୁ ଡାକି ସେ ଗଣ୍ଠିଲି ଖୋଲିବାକୁ ଆଦେଶ ଦେଲେ । ପ୍ରତିହାରୀ ମାନେ ଗଣ୍ଠିଲି ଖୋଲି ସେ ଦୁହିଁଙ୍କୁ ବାହାର କରିବା ପରେ ତେଜ ସିଂ ସେମାଙ୍କୁ ହୋସକୁ ଆଣିଲା ଆଉ ତା’ ପରେ ସେମାନଙ୍କୁ କାରାଗାରକୁ ପଠେଇ ଦିଆ ଗଲା ।
ତେଜ ସିଂ ମହାରାଜଙ୍କୁ କହିଲା-“ମୋ ବନ୍ଦୀ ହେବା ଖବର ଶୁଣି ନୌଗଡ଼ରେ ସମସ୍ତେ ବ୍ୟସ୍ତ ହେଉଥିବେ … ଆପଣ ଅନୁମତି ଦେଲେ ମୁଁ ସେଠାକୁ ଯାଇ ଟିକେ ବୁଲି ଆସନ୍ତି ।” ମହାରାଜ କହିଲେ-“ହଁ..ହଁ… ତୁମର ସେଠାକୁ ଯିବା ନିତାନ୍ତ ଆବଶ୍ୟକ । ହେଲେ ଟିକେ ଶୀଘ୍ର ଚାଲିଆସିବ ।” ତା’ ପରେ ସେ ହରଦୟାଲ ସିଂଙ୍କୁ ଆଦେଶ ଦେଇ କହିଲେ-” ତୁମେ ମୋ ତରଫରୁ ଉପହାର ନେଇ ତେଜ ସିଂ ସହ ନୌଗଡ଼ ଯାଅ ।”
-“ଆଜ୍ଞା ହଜୁର…” ହରଦୟାଲ ସିଂ ଉପହାର ଜିନିଷ ଯୋଗାଡ଼ କରି କିଛି ଲୋକଙ୍କୁ ନେଇ ତେଜ ସିଂ ସହ ନୌଗଡ଼ ଯାତ୍ରା ଆରମ୍ଭ କଲେ ।
ଏଣେ ଚପଳା ମହଲରେ ପହଞ୍ଚି ଚନ୍ଦ୍ରକାନ୍ତାଙ୍କୁ ଦେଖା କଲା । ତାକୁ ସକୁଶଳ ଦେଖି ରାଜକୁମାରୀ ବହୁତ ଖୁସି ହେଇ କୁଣ୍ଢେଇ ପକେଇଲେ । ଆଉ ତା’ ଭଲମନ୍ଦ ପଚାରି ବୁଝିଲେ । ଚପଳା ବିସ୍ତୃତ ଭାବେ ଘଟିଥିବା ଘଟଣା ସବୁର ବର୍ଣ୍ଣନା କରିବାକୁ ଲାଗିଲା । ଦୁହେଁ ଏପରି କିଛି ସମୟ ବାର୍ତ୍ତାଳାପ କରିବା ଭିତରେ ରାଜକୁମାରୀ ଚମ୍ପାର ଚତୁରତା ବର୍ଣ୍ଣନା କରି କହିଲା-” ତୋ ଶିଷ୍ୟା ବଡ଼ ସିଆଣିଆ ହେଇ ସାରିଛି … ଦି ଦି ଟା କ୍ଷୀପ୍ରଚରଙ୍କୁ ଧରେଇ ଦେଲା…” ଏକଥା ଶୁଣି ଚପଳାର ଛାତିଟା କୁଣ୍ଢେମୋଟ ହେଇଗଲା ଆଉ ସେ ଚମ୍ପାକୁ କୁଣ୍ଢେଇ ପକେଇ ବହୁତ ପ୍ରଶଂସା କଲା ।
ତେଣେ ତେଜ ସିଂ ଓ ହରଦୟାଲ ସିଂ ନୌଗଡ଼କୁ ଯିବା ବାଟରେ ତେଜ ସିଂ କହିଲା-” ଯଦି ଆମେ ସକାଳେ ଦରବାରରେ ପହଞ୍ଚିବା ତେବେ ବହୁତ ଭଲ ହେବ କାହିଁକି ନା ସେତେବେଳେ ସେଠି ସମସ୍ତେ ଉପସ୍ଥିତ ଥିବେ ।” ଏ କଥା ହରଦୟାଲ ସିଂଙ୍କୁ ପସନ୍ଦ ଆସିଲା । ଆଉ ସେମାନେ ରାସ୍ତାରେ ସେ ରାତିଟା କଟେଇ ସକାଳୁ ସକାଳୁ ଦରବାରରେ ପହଞ୍ଚି ଗଲେ । ଦରବାରରେ ମହାରାଜ ସୁରେନ୍ଦ୍ରସିଂ ସିଂହାସନ ଆରୋହଣ କରିଥିଲେ । ପାଖରେ ଅନ୍ୟ ଏକ ଆସନରେ କୁମାର ବୀରେନ୍ଦ୍ର ସିଂ ଉପବିଷ୍ଠ ଥିଲେ । ତେଜ ସିଂ କୁ ଦେଖିଲା ପରେ କୁମାର ଏତେ ଖୁସି ହେଲେ କି ଯେମିତି ତାଙ୍କୁ ସଂସାରର ସବୁ ଐଶ୍ୱର୍ଯ୍ୟ ମିଳି ଯାଇଛି । ହରଦୟାଲ ସିଂ ମୁଣ୍ଡ ନୁଆଁଇ ରାଜା ସୁରେନ୍ଦ୍ରସିଂ ଓ କୁମାରଙ୍କୁ ଅଭିବାଦନ କଲେ ଆଉ ମଧ୍ୟ ମନ୍ତ୍ରୀ ଜିତ ସିଂ ଙ୍କୁ ବି ନମସ୍ତେ କଲେ । ତେଜ ସିଂ ରାଜା ସୁରେନ୍ଦ୍ର ସିଂଙ୍କ ପାଦରେ ମୁଣ୍ଡ ରଖି ପ୍ରଣାମ କଲା । ରାଜା ତାକୁ ସପ୍ରେମେ ଉଠାଇବା ପରେ ସେ ନିଜ ପିତାଙ୍କୁ ପ୍ରଣାମ କରି କୁମାରଙ୍କ ପାଖରେ ଯାଇ ବସି ଗଲା ।
ହରଦୟାଲ ସିଂ ମହାରାଜ ଜିତ ସିଂ ପଠେଇଥିବା ଉପହାର ସୁରେନ୍ଦ୍ର ସିଂଙ୍କୁ ପ୍ରଦାନ କଲେ । ସେ ଏକ ପୋଷାକ କୁମାରଙ୍କ ପାଇଁ ଆଣିଥିଲେ । ଯାହାକୁ ପିନ୍ଧି ସେ ଏତେ ସୁନ୍ଦର ଦେଖାଗଲେ କି ରାଜା ସୁରେନ୍ଦ୍ର ସିଂ ବହୁତ ଖୁସି ହେଇଗଲେ । ତା’ ପରେ ରାଜା ତେଜ ସିଂଙ୍କୁ ତା’ ବନ୍ଦୀ ହେବା ବିଷୟରେ ପ୍ରଶ୍ନ କରିବାରୁ ତେଜ ସମସ୍ତ ଘଟଣାର ବିବରଣୀ ପ୍ରଦାନ କଲା । ଆଉ ନିଜ ମୁକୁଳିବାର କିଛି ମନଗଢା କାହାଣୀ ବନେଇ ରାଜାଙ୍କୁ ଶୁଣେଇଲା । ସେ ଚାହୁଁ ନଥିଲା କି ସମସ୍ତେ ଜାଣନ୍ତୁ କି ଚପଳା ତାକୁ ମୁକ୍ତ କରିଛି । ଆଉ ଏ କଥା ବି କହିଲା କି ଆସିବା ବେଳେ ସେ କିପରି ଶତ୍ରୁପକ୍ଷର ଦୁଇ ଜଣ କ୍ଷୀପ୍ରଚରଙ୍କୁ ବନ୍ଦୀ କରି ନେଇ ଆସିଛି । ରାଜା ସୁରେନ୍ଦ୍ର ସିଂ ଏ ସବୁ ଶୁଣି ବହୁତ ଖୁସି ହେଲେ ଆଉ ତେଜ ସିଂଙ୍କୁ ବହୁତ ଗୁଡାଏ ଉପହାର ପ୍ରଦାନ କଲେ । ତା’ ପରେ କହିଲେ-” ତୁମେ ଯାଇ ମହଲରେ ସମସ୍ତଙ୍କୁ ଦେଖା କର ଆଉ ନିଜ ମାଙ୍କୁ ବି ଦେଖା କରି ଆସ । ସେ ବିଚାରି ତୁମ ବିଚ୍ଛେଦରେ କିପରି ରହିଛି ସେ କଥା ସେ ହିଁ ଜାଣିଛି ।” ରାଜାଜ୍ଞା ପାଇ ତେଜ ସିଂ ସମସ୍ତଙ୍କୁ ଦେଖା କରିବା ପାଇଁ ମହଲ ଭିତରକୁ ଚାଲିଗଲା । ହରଦୟାଲଙ୍କ ଅତିଥି ଚର୍ଚ୍ଚା କରିବାକୁ ଆଦେଶ ଦେଇ ରାଜା ସୁରେନ୍ଦ୍ର ସିଂ ଦରବାର ବର୍ଖାସ୍ତ କଲେ ।
ସମସ୍ତଙ୍କୁ ଭେଟି ସାରି ତେଜ ସିଂ କୁମାର ବୀରେନ୍ଦ୍ର ସିଂଙ୍କ କକ୍ଷକୁ ଆସିଲେ । କୁମାର ଅତି ଖୁସିରେ ତାକୁ କୁଣ୍ଢେଇ ପକେଇଲେ । ତା’ ପରେ ସେମାନେ ବସି କଥାବାର୍ତ୍ତା ହେବାରେ ଲାଗିଲେ । କୁମାର କହିଲେ-” ନିଜ ବନ୍ଦୀ ହେବା କାହାଣୀ ତ ତୁମେ ଠିକଠାକ କହିଲ ହେଲେ ନିଜ ମୁକୁଳିବା କଥା ମତେ ଲାଗୁନି ତୁମେ ଠିକ କହିଲ ବୋଲି … ତୁମେ ମତେ ଏବେ ସତ ସତ କୁହ ତୁମକୁ କିଏ ମୁକୁଳେଇଲା ?” ତେଜ ସିଂ ଚପଳାର ବହୁତ ପ୍ରଶଂସା କରି ସେ କିପରି ତାକୁ ମୁକୁଳେଇଲା ସେକଥା କୁମାରଙ୍କ ଆଗରେ ବଖାଣି ଗଲା । ଚପଳା କଥା ଶୁଣି କୁମାର ହସି ହସି କହିଲେ-“ଭାଇ ତୁମକୁ ବହୁତ ବହୁତ ବଧେଇ…” ତେଜ ସିଂ କହିଲା-” ଆଗେ ଆପଣଙ୍କର ବଧେଇ ହେବା ସମୟ ଆସୁ … ତାପରେ ମୋର ପାଳି ପଡିବ…।” ତେଜ ସିଂ ନୌଗଡ଼ରେ କିଛି ଦିନ ହସ ଖୁସିରେ ଦିନ କଟେଇବାକୁ ଆସିଥିଲା । ହେଲେ କୁମାର ତାକୁ ରଖେଇ ବସେଇ ଦେଉନଥିଲେ, ସବୁବେଳେ ଚନ୍ଦ୍ରକାନ୍ତାଙ୍କ ସହ ଭେଟ କରେଇଦେବାକୁ ତାକୁ ବାରମ୍ବାର ଅନୁରୋଧ କରୁଥିଲେ ।
କିଛି ଦିନ ପାଶ୍ଚାତ ହରଦୟାଲ ସିଂ ଦରବାରରେ ମହାରାଜଙ୍କୁ ନିବେଦନ କଲେ କି -” ଏଠାକୁ ଆସିବା ଅନେକ ଦିନ ବିତିଗଲାଣି । ମୋର ଏଠି ରହିବା ଦ୍ୱାରା ବିଜୟଗଡ଼ରେ ମହାରାଜଙ୍କୁ ବହୁତ ଅସୁବିଧା ହେଉଥିବ… ଯିବା ପାଇଁ ଆଜ୍ଞା ହେଲେ ବହୁତ ଭଲ ହୁଅନ୍ତା । ଆଉ ଆମ ମହାରାଜ ଏକଥା ବି କହି ରଖିଛନ୍ତି କି ମୁଁ ଫେରିବା ବେଳେ ତେଜ ସିଂ ଙ୍କୁ ସାଥିରେ ନେଇ ଯିବି ।” ରାଜା ସୁରେନ୍ଦ୍ର ସିଂ କହିଲେ-“ବହୁତ ଭଲ କଥା, ତୁମେ ତେଜ ସିଂ କୁ ତୁମ ସାଥିରେ ନେଇ ଯାଅ ।” ଏହା କହି ରାଜା ସୁରେନ୍ଦ୍ର ସିଂ ହରଦୟାଲ ସିଂଙ୍କୁ ବିଦାୟ ଦେଲେ । ଯିବା ବେଳେ ତେଜ ସିଂ କୁମାରଙ୍କୁ ଭେଟିବାକୁ ଗଲେ । କୁମାର ତାଙ୍କୁ ଅଶ୍ରୁଳ ବିଦାୟ ଦେଇ କହିଲେ-” ତୁମେ ତ ମୋ ଅବସ୍ଥା ଦେଖି ପାରୁଥିବ, ମତେ ଆଉ ବେଶୀ କିଛି କହିବାକୁ ପଡ଼ିବନି ।” ତେଜ ସିଂ କୁମାରଙ୍କୁ ସାନ୍ତ୍ୱନା ଦେଇ ତାଙ୍କଠୁ ବିଦାୟ ନେଇ ବିଜୟଗଡ଼ ଚାଲିଗଲା।
କ୍ରମଶଃ