Chandrakanta: Episode 32

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ସମୟ । କୁମାର ବୀରେନ୍ଦ୍ର ସିଂ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦେହରେ ସୁଶୋଭିତ ଯୁଦ୍ଧ ପୋଷାକ ଆଉ ହାତରେ ଅସ୍ତ୍ର ସହିତ ନିଜ ପିତା ମାତାଙ୍କ ଠାରୁ ବିଦାୟ ନେବା ପାଇଁ ସେ ଅନ୍ତପୁରକୁ ଗମନ କଲେ। ମହାରାଜ ସୁରେନ୍ଦ୍ର ସିଂ ଗତ ରାତିରେ ରାଣୀଙ୍କୁ ସବୁକଥା କହି ସାରିଥିଲେ । ବୀରେନ୍ଦ୍ର ସିଂଙ୍କୁ ଯୋଦ୍ଧା ବେଶରେ ଦେଖି ସେ ଅତ୍ୟନ୍ତ ପ୍ରୀତ ହେଲେ । କୁମାର ସେମାନଙ୍କୁ ଭୂମିଷ୍ଟ ପ୍ରଣାମ ମୁଦ୍ରାରେ ଆଶୀର୍ବାଦ ଭିକ୍ଷା କଲେ । ମହାରାଣୀ କହିଲେ-” ଯାଅ ପୁତ୍ର … ବୀର ପୁରୁଷ ସୂଚୀରେ ତୁମର ନାମ ଲେଖି ଆସ । କ୍ଷତ୍ରିୟ କୁଳର ବୀର ପୁଙ୍ଗବ ସାଜି ରଣକ୍ଷେତ୍ରରେ ତୁମେ ବିଜୟର ଡଙ୍କା ବଜେଇଚାଲ । ଶୂରବୀରଙ୍କର ଧର୍ମ ହେଲା ଲଢେଇ ସମୟରେ ସେ ସବୁ ଅୟସ ଆରାମଠୁ ଦୂରରେ ରହି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଯିବା … ତେଣୁ ତୁମେ ବି ଆଗେଇ ଚାଲ ଆଉ ଭଗବାନ କରନ୍ତୁ ଶତ୍ରୁର ଦର୍ପ ଚୁର୍ଣ୍ଣ କରି ତୁମେ ବିଜୟ ପତାକା ଉଡେଇ ପୁଣି ଆମ ପାଖକୁ ଫେରି ଆସ ।”

ବାପମା’ଙ୍କଠୁ ବିଦାୟ ନେଇ କୁମାର ମହଲ ବାହାରକୁ ଆସି ଦେଖିଲେ ହରଦୟାଲ ସିଂ ଆଗରୁ ପ୍ରସ୍ତୁତ ହେଇ ଠିଆ ହେଇଛନ୍ତି । କୁମାର ନିଜର ଅଶ୍ୱ ଉପରେ ସବାର ହେଇ ଆଗକୁ ବଢିଲେ ଆଉ ଅନ୍ୟ ଏକ ଅଶ୍ୱ ଉପରେ ଥିଲେ ହରଦୟାଲ ସିଂ । ଦୁହେଁ ଆଗେଇ ଚାଲିଲେ ବିଜୟଗଡ଼ ରାସ୍ତାରେ… ପଛରେ ଥିଲେ ତାଙ୍କର ସେନାବାହିନୀ, ସାଗରର ଲହଡି ପରି ମାଡି ଚାଲିଥିଲେ ଆଗକୁ ଆଗକୁ । ଅବଶେଷରେ ସେମାନେ ବିଜୟଗଡ଼ ସୀମାରେ ପହଞ୍ଚି ଗଲେ । କୁମାର ନିଜ ଅଶ୍ୱ ଉପରୁ ଅବତରଣ କରି ହରଦୟାଲ ସିଂ ଙ୍କୁ କହିଲେ -” ମୁଁ ଭାବୁଛି ଏଇ ଜଙ୍ଗଲ ଭିତରେ ମୋ ସେନାବାହିନୀର ଶିବିର ଲଗେଇବି ଆଉ ଏଠାରେ ସବୁ ବନ୍ଦୋବସ୍ତ କରି ସାରି ମୁଁ ବିଜୟଗଡ଼ ଯିବି ।” ହରଦୟାଲ ସିଂ କହଲେ-” ଆପଣଙ୍କ ବିଚାର ବହୁତ ଭଲ … ତେବେ ମତେ ଆଜ୍ଞା ଦିଅନ୍ତୁ ମୁଁ ଆଗରେ ଯାଇ ଆପଣଙ୍କ ଆସିବା ସୂଚନା ମହାରାଜଙ୍କୁ ଦେଇ ଦେବି ଆଉ ଆପଣଙ୍କ ସ୍ୱାଗତ ସମ୍ବର୍ଦ୍ଧନାର ବ୍ୟବସ୍ଥା କରିବି ।” କୁମାର କହିଲେ-“ଆଛା… ଯାଆନ୍ତୁ …” ହରଦୟାଲ ସିଂ ବିଜୟଗଡ଼ ମହଲରେ ପହଞ୍ଚି ମହାରାଜଙ୍କୁ ଦେଖା କରି କହିଲେ-” କୁମାର ବୀରେନ୍ଦ୍ର ସିଂ ନିଜ ସେନାଙ୍କ ସହ ଏଠାରୁ କୋଶେ ଦୂରରେ ଡେରା ପକେଇଛନ୍ତି ।” ଏକଥା ଶୁଣି ମହାରାଜ ବହୁତ ଖୁସି ହେଇଗଲେ ଆଉ କହିଲେ-” ସେନାଙ୍କ ପାଇଁ ସେ ସ୍ଥାନ ବହୁତ ଉପଯୁକ୍ତ । କିନ୍ତୁ ବିରେନ୍ଦ୍ର ଏଠାକୁ ଚାଲି ଆସିବା ଉଚିତ । ତୁମେ ସମସ୍ତ ଦରବାରୀଙ୍କୁ ସାଥିରେ ନେଇ ତାଙ୍କୁ ସସମ୍ମାନେ ଏଠାକୁ ନେଇ ଆସ ।”

ମହାରାଜଙ୍କ ଆଦେଶାନୁସାରେ ହରଦୟାଲ ସିଂ ଅନେକ ସାମନ୍ତଙ୍କୁ ନେଇ କୁମାରଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ ଡେରା ଆଡେ ଗମନ କଲେ । ଏ ଭିତରେ ତେଜ ସିଂ କୁ ଖବର ମିଳିସାରିଥିଲା ଯେ କୁମାର ବିଜୟଗଡ଼ରେ ପହଞ୍ଚି ସାରିଲେଣି । ତେଣୁ ସେ ତୁରନ୍ତ ତାଙ୍କ ପାଖରେ ପହଞ୍ଚି ଗଲା ଆଉ ଦୂରରୁ କହିଲା-” ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ …” ତେଜ ସିଂ କୁ ଦେଖିବା ପରେ କୁମାର ବହୁତ ଖୁସି ହେଲେ ଆଉ ତାର ସବୁ ହାଲଚାଲ ପଚାରି ବୁଝିଲେ । ତେଜ ସିଂ କହିଲା-” ଯାହା ହେଉଛି ସବୁ ଭଲ ହିଁ ହେଉଛି ଆଉ ଯାହା ବାକି ଅଛି ସିଏ ବି ଠିକ ହେଇ ଯିବ ।” ଏତିକି କହି ତେଜ ସିଂ ସେନା ବାହିନୀ ମୃତୟନରେ ଲାଗି ପଡିଲା । ଏତିକି ବେଳକୁ ମନ୍ତ୍ରୀ ମହାଶୟ ସାମନ୍ତ ମାନଙ୍କ ସହ ସେଠାରେ ଆସି ପହଞ୍ଚିଲେ । ଆଉ ମହାରାଜଙ୍କ ଆଦେଶ କୁମାରଙ୍କୁ ଶୁଣେଇଦେଲେ । କୁମାର ସେ ଆଦେଶକୁ ସ୍ୱୀକାର କରି ଏକ ସୁସଜ୍ଜିତ ଅଶ୍ୱ ଉପରେ ସବାର ହେଇଗଲେ । ସାଥିରେ ୧୦୦ ଅଶ୍ଵାରୋହୀଙ୍କୁ ଧରି ସେ ମହାରାଜଙ୍କୁ ଦେଖା କରିବାକୁ ନଗର ଆଡେ ପ୍ରସ୍ଥାନ କଲେ ।

ସାରା ନଗରରେ ଜନରବ ହେଇଗଲା କି କୁମାର ବୀରେନ୍ଦ୍ର ସିଂ ମହାରାଜଙ୍କୁ ସହାୟତା କରିବା ପାଇଁ ନିଜ ସେନାଙ୍କୁ ନେଇ ବିଜୟଗଡ଼ ଆସିଛନ୍ତି ଆଉ ଏବେ ମହଲକୁ ବିଜେ କରିବେ । ତେଣୁ କୁମାରଙ୍କ ଶୋଭାଯାତ୍ରା ଦେଖିବା ପାଇଁ ବିଜୟଗଡ଼ର ସମସ୍ତ ନରନାରୀ ନିଜ ନିଜ ଘର ଦୁଆରେ ଓ ପିଣ୍ଢାରେ ବସି ରହିଲେ । ଆଉ ମଧ୍ୟ ସଡକ ଉପରେ ବହୁତ ଭିଡ଼ ଜମା ହେଇଗଲା । ସମସ୍ତେ ଅନେଇ ରହିଥିଲେ କି କେତେବେଳେ କୁମାରଙ୍କ ଶୋଭାଯାତ୍ରା ଆସିବ ଆଉ ସେମାନେ କୁମାରଙ୍କୁ ଟିକେ ଆଖି ପୁରେଇ ଦେଖିବେ । ମହାରାଜଙ୍କୁ ବି ଖବର ହେଇଗଲା ଯେ କୁମାର ମହଲ ଆଡେ ପ୍ରସ୍ଥାନ କରି ସାରିଲେଣି ଆଉ ଟିକକ ପରେ ସେ ମହଲକୁ ବିଜେ କରିବେ । ମହାରାଜ ଏ କଥା ମହାରାଣୀଙ୍କୁ ଜଣେଇବାରୁ ସେ ଖୁବ ପ୍ରସନ୍ନ ହେଲେ । ଆଉ ମହଲର ଅନେକ ସ୍ତ୍ରୀ (ଯେଉଁଥିରେ ରାଜକୁମାରୀ ଆଉ ତାଙ୍କ ସଖୀମାନେ ବି ସାମିଲ ଥିଲେ ) ଙ୍କୁ ସାଥିରେ ନେଇ କିଲ୍ଲା ଉପରେ ଥିବା ଗମ୍ବୁଜ ଭିତରେ ବସି ରହିଲେ । ମହାରାଜ ବି କୁମାରଙ୍କ ଶୋଭାଯାତ୍ରାର ମଜା ନେବା ପାଇଁ ନିଜ ମନ୍ତ୍ରଣାଳୟ ଛାତ ଉପରେ ଯାଇ ବସିଗଲେ । କିଛି ସମୟ ପରେ ଉତ୍ତର ଦିଗରୁ କିଛି ଧୂଳି ଉଡ଼ୁଥିବାର ଦେଖା ଗଲା । ତା’ ପରେ ସେନାର ଏକ ଛୋଟ ଅଂଶ ସେ ଆଡେ ଆସୁଥିବାର ଦେଖିଲେ । କିଛି ସମୟ ଗଲା ଉତ୍ତାରୁ ସବୁକିଛି ପରିଷ୍କାର ହେଇଗଲା ।

ଛୋଟ ଏକ ଅଶ୍ୱ ବାହିନୀ ଧୀରେ ଧୀରେ ମହଲ ଆଡକୁ ଆଗେଇ ଆସୁଥିଲା । ସମସ୍ତ ଅଶ୍ଵାରୋହୀ ମାନଙ୍କ ଦେହରେ ଥିଲା ଧାତବ ସାଞ୍ଜୁ, ଯେଉଁଥିରେ ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ ଆଭା ପତିତ ହେଇ ଆଖିକୁ ଝଲସାଇ ଦେଉଥିଲା । ସେମାନଙ୍କ ହାତରେ ଥିଲା ପତାକା ସଂଯୁକ୍ତ ଭାଲ୍ଲା । ଢାଲ ଓ ତରବାରୀରେ ସଜ୍ଜିତ ହେଇ ମନରେ ଅଦମ୍ୟ ଉତ୍ସାହ ଆଉ ଉଦ୍ଦୀପନ୍ନା ନେଇ ସେମାନେ ଆଗକୁ ବଢି ଚାଲିଥିଲେ । ସେମାନଙ୍କ ଅଗ୍ରଭାଗରେ ଏକ ସୁନ୍ଦର ବଳଶାଳୀ ଅଶ୍ୱ ଯିଏକି ବହୁତ ଗୁଡିଏ ଗହଣା ଆଉ ମଖମଲି କପଡ଼ାରେ ସଜ୍ଜିତ ଥିଲା, ତହିଁରେ କୁମାର ବୀରେନ୍ଦ୍ର ସିଂ ସବାର ହେଇଥିଲେ । ତାଙ୍କର ମସ୍ତକରେ ଶୋଭା ପାଉଥିଲା ଧାତବ ନିର୍ମିତ ଶିରାଣାସ୍ତ୍ର ଆଉ ଯାହାର ଶୀର୍ଷରେ ଶୋଭିତ ଥିଲା ହୁମା ପକ୍ଷୀର ପର ।(ହୁମା ଏକ କାଳ୍ପନିକ ପକ୍ଷୀ ଯିଏ କି କେବଳ ହାଡ଼ ହିଁ ଭକ୍ଷଣ କରେ, କଥିତ ଅଛି ଯାହା ମୁଣ୍ଡରେ ତାର ଛାଇ ପଡେ ସେ ରାଜା ହୁଏ ) ଅଙ୍ଗରେ ତାଙ୍କର ଥିଲା ବହୁମୂଲ୍ୟ ବସ୍ତ୍ର ଯାହାର ଉପରେ ସେ ପିନ୍ଧିଥିଲେ ବଜ୍ରସାଞ୍ଜୁ ।

ସୁଢଳ ଶରୀର, ଗୋରା ରଙ୍ଗ, ବଡ଼ ବଡ଼ ଆଖି ଆଉ ମୁହଁରେ ଚମକ ଝଲସି ଉଠୁଥିଲା । ପାନ୍ନାରେ ତିଆରି କଣ୍ଠହାର ଓ ବାଜୁବନ୍ଧ ଚେହେରାର ଶୋଭାକୁ ଦ୍ଵିଗୁଣିତ କରୁଥିଲା । ଅଣ୍ଟାରେ ତାଙ୍କର ଶୋଭା ପାଉଥିଲା ବେଶ ମୂଲ୍ୟବାନ କମରପଟ୍ଟି, ଯେଉଁଥିରେ ଅନେକ ହୀରା ଖଞ୍ଜା ଯାଇଥିଲା । ସେ ଯେଉଁ ଜୋତା ପିନ୍ଧିଥିଲେ ସେଥିରେ ମୋତିର ଏମିତି କାରୁକାର୍ଯ୍ୟ ହେଇଥିଲା ଯେ ଜୋତାର ଚମଡା ଆଦୌ ବାହାରକୁ ଦେଖା ଯାଉନଥିଲା । ଢାଲ, ତରବାରୀ, ଧନୁତୀରରେ ସଜ୍ଜିତ ହେଇ ହାତରେ ଏକ ଭାଲ୍ଲା ଧରି ସେ ଅଶ୍ୱ ଝପଟାଇ ଚାଲି ଆସୁଥିଲେ । ସୌର୍ଯ୍ୟ, ବୀର୍ଯ୍ୟ ଓ ସାହସକୁ ହୃଦୟରେ ନେଇ ମିତ୍ରଙ୍କୁ ଆଶ୍ୱାସନା ଓ ଶତ୍ରୁଙ୍କ ମନରେ ଭୟ ସୃଷ୍ଟି କରି ସେ ଆଗକୁ ବଢ଼ୁଥିଲେ । ଆଉ ସବୁଠୁ ବଡ଼ କଥା ହେଲା କୁମାରଙ୍କ ସହ ଯେଉଁ ଶହେ ଜଣ ଅଶ୍ଵାରୋହୀ ଥିଲେ ସେମାନେ ବି କୁମାରଙ୍କ ଭଳି ତେଜୀୟାନ ଥିଲେ । ନଗର ତମାମ ଭିଡ଼ ଥିଲା । ସମସ୍ତେ କୁମାରଙ୍କୁ ଦେଖୁଥିଲେ । ଆଉ ତାଙ୍କର ସେ ତେଜ ଆଉ ଠାଣି ଦେଖି ସମସ୍ତଙ୍କର ଆଖି ଝଲସି ଉଠୁଥିଲା । ମହାରାଣୀ ଯିଏ କି ଅନେକ ଦିନ ପରେ କୁମାରଙ୍କ ଦର୍ଶନ କରୁଥିଲେ, ତାଙ୍କର ଏ ପ୍ରକାର ଠାଣିମାଣି ଦେଖି ତାଙ୍କପ୍ରତି ଅହେତୁକ ପ୍ରେମଭାବ ସୃଷ୍ଟି ହେଲା ଆଉ ତାଙ୍କ ମୁହଁରୁ ବାହାରି ପଡିଲା-“ଯଦି ମୋ ଚନ୍ଦ୍ରକାନ୍ତା ପାଇଁ କେହି ଉପଯୁକ୍ତ ବର ଥାନ୍ତି, ତେବେ ସେ କେବଳ ହିଁ ବୀରେନ୍ଦ୍ର । ଏଥର ସେ ଯାହା ବି ହେଉ ସେ ହିଁ ମୋ ଜ୍ୱାଇଁ ହେବେ ।” ଚନ୍ଦ୍ରକାନ୍ତା ଓ ଚପଳା ବି ଅନ୍ୟ ଏକ ଗବାକ୍ଷ ଦେଇ କୁମାରଙ୍କ ଶୋଭାଯାତ୍ରାକୁ ଦେଖୁଥିଲେ । ଚପଳା କଣେଇ କି ଚାହିଁଲା ରାଜକୁମାରୀଙ୍କୁ । ରାଜକୁମାରୀଙ୍କୁ ଲାଜ ଲାଗିଲା । ସେ କିନ୍ତୁ ତାଙ୍କ ହୃଦୟକୁ କୁମାରଙ୍କ ପାଖକୁ ପଠେଇ ସାରିଥିଲେ । ଆଖିରେ ତାଙ୍କର ବନ୍ଦ ହେଇ ରହିଥିଲା କୁମାରଙ୍କ ପ୍ରତିଛବି । ତେଣେ ମହାରାଜ ବି ଅତି ଉତ୍ସୁକତାର ସହିତ କୁମାରଙ୍କ ଆଗମନକୁ ପ୍ରତୀକ୍ଷା କରୁଥିଲେ ।

କ୍ରମଶଃ

Please follow and like us:
0
20
Pin Share20