ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ତେଜ ସିଂ ବିଜୟଗଡ଼ରେ ପହଞ୍ଚିବା ପରେ ରାଜକୁମାରୀ ଚନ୍ଦ୍ରକାନ୍ତାଙ୍କୁ ଭେଟିବା ପାଇଁ ଚେଷ୍ଟା କଲା । କିନ୍ତୁ କୌଣସି ଉପାୟରେ ବି ସେ ରାଜକୁମାରୀଙ୍କୁ ଦେଖା କରି ପାରିଲା ନାହିଁ । କାହିଁକି ନା ମହଲର ଚାରିପଟେ କଡା ପ୍ରହରାର ବନ୍ଦୋବସ୍ତ କରାଯାଇଥିଲା । ସବୁ ଦ୍ୱାରପାଳ ଆଉ ସିପାହୀ ବଡ଼ ହୁସିଆର ହେଇ ପ୍ରହରା ଦେଉଥିଲେ । ସେ ଛପି ଛପି ମହଲ ଚାରିପଟେ ବୁଲି ଦେଖିଲା କାଳେ କୋଉଠି ଚୋରା ବାଟ ମିଳିଯିବ । କିନ୍ତୁ ତା’ ଦୁର୍ଭାଗ୍ୟକୁ ସେଦିନ ଚାନ୍ଦିନୀ ରାତି ଥିଲା । ଜହ୍ନର ତୋଫା ଜୋଛନା ମହଲକୁ ଉଦ୍ଭାସିତ କରୁଥିଲା । ଅନ୍ଧାର ରାତି ହେଇଥିଲେ ତାକୁ କିଛି ବି ଅସୁବିଧା ହେଇ ନଥାନ୍ତା ମହଲରେ ପ୍ରବେଶ କରିବା ପାଇଁ । ରଜ୍ଜୁ ଦ୍ୱାରା ସେ ପ୍ରାଚୀର ଲଙ୍ଘି ଯାଇଥାନ୍ତା । ଏବେ କଣ ହେବ …? ତେଜ ସିଂ ଭାବିବାକୁ ଲାଗିଲା ଏ କ୍ଷେତ୍ରରେ କଣ କରାଯାଇ ପାରେ ? ତେବେ କିଛି ତ ଗୋଟେ କରିବାକୁ ପଡିବ ….
ଶେଷରେ ତେଜ ସିଂ ଏକାନ୍ତରେ ନିଜ ଚେହେରାକୁ ଏକ ପ୍ରତିହାରୀ ବେଶରେ ପରିବର୍ତ୍ତିତ କଲା । ତା’ ପରେ ସେ ମହଲର ମୁଖ୍ୟଦ୍ଵାରରେ ଥିବା ଚଉପାଢ଼ି ନିକଟକୁ ଗଲା । ଯେଉଁଠାରେ ଅନେକ ପ୍ରତିହାରୀ ଆଉ ସିପାହୀ ଉପସ୍ଥିତ ଥିଲେ । ଥୋକେ ପ୍ରତିହାରୀ ଚଉପାଢ଼ି ଉପରେ ବସି ହୁକ୍କା ପିଉଥିଲେ ଆଉ ଥୋକେ ପ୍ରହରା ଦେଉଥିଲେ । ସେ ହୁକ୍କା ପିଉଥିବା ଜଣେ ପ୍ରତିହାରୀ ପାଖରେ ବସି କହିବାକୁ ଲାଗିଲା-“ଭାଇ… ମୁଁ ମହାରାଜଙ୍କ ଜଣେ ସେବକ … ଆଜକୁ ୪ ମାସ ହେଲା ମୁଁ ମହାରାଜଙ୍କ ସେବାରେ ଅଛି । ଆଜିକା ସେବା ସାରି ମୁଁ ଘରକୁ ଯାଉଥିଲି । ହେଲେ ତମମାନଙ୍କୁ ହୁକ୍କା ପିଉଥିବାର ଦେଖି ଏ ଆଡେ ଚାଲି ଆସିଲି । ମୋର ବି ଇଚ୍ଛା ହେଉଛି ତମମାନଙ୍କ ସହ ଟିକେ ମଜା ନେବା ପାଇଁ । ତମେ ତ ଜାଣ ଏ ନିଶାପାଣି ଭାରି ଅଡୁଆ । ଦେଖିଲା ମାତ୍ରକେ ମନଟା ଛକପକ ହୁଏ । କଣ ଭାଇ ମୁଁ ତମ ସହ ସାମିଲ ହେଇ ପାରିବି ତ ?”
-“ହଁ..ହଁ.. କାହିଁକି ନୁହେଁ…? ଏଇଟା କଣ ଗୋଟେ କଥା …? ଏଇ ନିଅ …” ଏହା କହି ସେ ପ୍ରତିହାରୀ ଜଣକ ହୁକ୍କାଟିକୁ ତେଜ ସିଂ ଆଡକୁ ବଢ଼େଇ ଦେଲା ।
ତେଜ ସିଂ-” ନା..ନା…ମୁଁ ହିନ୍ଦୁ… ତମର ଏ ହୁକ୍କା ପିଇ ପାରିବିନି । ଧର୍ମ ଭ୍ରଷ୍ଟ ହେଇଯିବି । ହଁ.. ଗୋଟେ କାମ କରି ହେବ…ତମେ ତମ ମସଲା ମତେ ଦିଅ କି ମୁଁ ମୋ ଚିଲମରେ ପିଇ ନେବି…” ଏହା କହି ତେଜ ସିଂ ତା’ ଥଳିଆରୁ ଏକ ଚିଲମ କାଢ଼ିଲା । ସେ ପ୍ରତିହାରୀ ତାକୁ କିଛି ମସଲା ଦେଲା ଆଉ ତେଜ ସିଂ ସେ ମସଲାରେ ଚିଲମ ପ୍ରସ୍ତୁତ କରି ସୋଠା ଲଗେଇଲା ।
ଦି ସୋଠା ଟାଣିଛି କି ନାହିଁ ଅଚାନକ ତାର କାଶ ଆରମ୍ଭ ହେଇଗଲା । କାଶି କାଶି ନୟାନ୍ତ ହେଇ କହିବାକୁ ଲାଗିଲା-“ଏ ମିଆଁ ପୁଅ … ଏ ମସଲା ଗୁଡାକ ଭଲ ମସଲା ନୁହଁ …ପିଉ ପିଉ କାଶ ହେଉଛି । କୋଉଠୁ ଆଣୁଛ ଏ ମସଲା ? ମୁଁ କିନ୍ତୁ ସବୁବେଳେ ସରକାରୀ ମସଲା ପିଏ । ମହାରାଜାଙ୍କ ହୁକ୍କାଦାର ସହ ମୋର ବନ୍ଧୁତା ହେଇ ଯାଇଛି । ସେ ମହାରାଜ ପିଉଥିବା ମସଲାରୁ କିଛି କିଛି ଆଣି ବରାବର ମତେ ଦିଏ । ସେ ମସଲା ପିଇବାରେ ମୋର ଅଭ୍ୟାସ ପଡ଼ିଗଲାଣି । ତାକୁ ଛାଡି ଦେଲେ ମତେ ଆଉ କୋଉ ମସଲା ବି ଭଲ ଲାଗେନା ।”
ଏତକ କହି ପ୍ରତିହାରୀ ରୂପରେ ଥିବା ତେଜ ସିଂ ନିଜ ଥଳିଆରୁ ଆଉ ଏକ ଚିଲମ କାଢିଲା । ସେ ଚିଲମକୁ ସେମାନଙ୍କ ଆଡେ ବଢ଼େଇ କହିଲା-“ନିଅ ତୁମେମାନେ ପିଇ କରି ଦେଖ…ମହାରାଜଙ୍କ ମସଲା କେମିତିଆ…ୟାକୁ ପିଇଲା ପରେ ତମ ମସଲା ସବୁକୁ ଫୋପାଡ଼ି ଦେବ ?”
ଭଲା ସେମାନେ କୋଉଠୁ ମହାରାଜାଙ୍କ ମସଲା ପିଇଥିବେ ଯେ ?…ପିଇଥିବେ କଣ … ଦେଖିଥିବେ କି ନାହିଁ ସନ୍ଦେହ । ତେଜ ସିଂ କଥା ଶୁଣି ସେ ପ୍ରତିହାରୀ ଜଣକ ତୁରନ୍ତ ହାତ ବଢ଼େଇ ଦେଲା ଆଉ କହିବାକୁ ଲାଗିଲା-” ଯାହା ହେଉ ତମ ପାଇଁ ଆଜି ଆମେ ସରକାରୀ ମସଲା ପିଇବାର ମୌକା ପାଇଲୁ ।” ଏତିକି କହି ସେ ଚିଲମକୁ ତେଜ ସିଂ ଠୁ ନେଇ କଷିକି ସୋଠାଏ ନେଇ ଆଉ ଜଣକୁ ବଢ଼େଇ ଦେଲା । ଏମିତି ସମସ୍ତେ ସୋଠାଏ ସୋଠାଏ ମାରି ଚାଲିଲେ । ଜଣଙ୍କ ପରେ ଜଣେ ଚିଲମ ପିଉଥାନ୍ତି ଆଉ ଖୁବ ଗପ ଜମାଉଥାନ୍ତି । ସେ ଚଉପାଢୀରେ ଯେତେ ସିପାହୀ ଥିଲେ ସମସ୍ତେ ଟିକେ ଟିକେ ମହାଦେବଙ୍କ ପ୍ରସାଦ(ଗଂଜେଇ) ପାଇବାରେ ଲାଗିଲେ ।
କଛି ସମୟ ପରେ ସେମାନଙ୍କ ମୁଣ୍ଡ ଘୁରିବାକୁ ଲାଗିଲା । ଚକ୍କର ଖାଇ ସମସ୍ତେ ଦୁଲଦାଲ ହେଇ ତଳେ ପଡି ବେହୋସ ହେଇଗଲେ । ତେଜ ସିଂ କୁ ମୌକା ମିଳିଗଲା । ସେ ଅନାୟସରେ ମୁଖ୍ୟ ଫାଟକ ଟପି ସମସ୍ତଙ୍କ ନଜର ଆଢୁଆଳରେ ରାଜ ଉଦ୍ୟାନ ଭିତରକୁ ଚାଲିଗଲା । ସେଠି ପହଞ୍ଚି ଦେଖିଲା ଜଣେ ପରିଚାରିକା ହାତରେ ମଶାଲ ଧରି ତା’ ଆଡେ ଆସୁଛି । ତେଜ ସିଂ ବଡ଼ ଫୁର୍ତ୍ତିର ସହ ତା’ ପାଖକୁ ଯାଇ ତା’ ବେକରେ ରଜ୍ଜୁ ଲଗେଇ ଏମିତି ଟାଣି ଦେଲା ଯେ ସେ କିଛି ଭାବିବା ଆଗରୁ ଦୁଲ କରି ତଳେ ପଡିଗଲା । ସେଇ ଅବସରରେ ତେଜ ସିଂ ତାକୁ ବେହୋସି ଅତର ଶୁଙ୍ଘେଇ ତାକୁ ବେହୋସ କରିଦେଲା । ତା’ପରେ ତାକୁ ଗୋଟେ କୋଣକୁ ଘୋଷାଡ଼ି ନେଲା ଆଉ ତା’ ପୋଷାକ ଖୋଲି ନିଜେ ପିନ୍ଧି ନେଲା । ନିଜ ଥଳୀରୁ କିଛି ଜିନିଷ ସହ ମହମବତୀ କାଢି ଜଳାଇଲା ଆଉ ଆଇନା ଦେଖି ନିଜକୁ ଅବିକଳ ସେଇ ପରିଚାରିକା ବେଶରେ ସଜେଇ ମଶାଲ ଧରି ମହଲ ଭିତରକୁ ଯିବାକୁ ଲାଗିଲା । ପରିଶେଷରେ ସେ ସେଠାରେ ପହଞ୍ଚି ଗଲା ଯେଉଁଠି ଚନ୍ଦ୍ରକାନ୍ତା, ଚପଳା, ଚମ୍ପା ଆଉ ପାଞ୍ଚ ଦଶ ଜଣ ପରିଚାରିକା ବସି କଥା ହେଉଥିଲେ । ପରିଚାରିକା ବେଶରେ ଥିବା ତେଜ ସିଂ ସେମାନଙ୍କ ଗହଣରେ ଯାଇ ବସିଗଲା । ତାକୁ ଦେଖି ଚପଳା କହିଲା-” କି ଲୋ କେତକୀ , ତତେ ଯୋଉ କାମ ପାଇଁ ପଠେଇ ଥିଲି, ସେ କାମ କରି ଆସିଲୁ କି ନାହିଁ …?”
ଚପଳା କଥା ଶୁଣି ତେଜ ସିଂ ଜାଣିଗଲା କି ସେ ଯେଉଁ ପରିଚାରିକାକୁ ବେହୋସ କରି ଆସିଛି ତା’ ନାଁ କେତକୀ ବୋଲି ।
-“ହଁ.. କାମ ତ କରିବାକୁ ଯାଇଥିଲି… ହେଲେ ବାଟରେ ଏକ ନୂଆ ତାମସା ଦେଖିଲି .. ସେଇ କଥା କହିବା ପାଇଁ ମୁଁ ସେଇଠୁ ଫେରି ଆସିଲି ।”
ଚପଳା-” ଏମିତି ତୁ କଣ ଦେଖିଲୁ କି ?”
ନକଲି କେତକୀ-” ସମସ୍ତଙ୍କ ଆଗରେ କହିବିନି… ଖାଲି ରାଜକୁମାରୀ ଆଉ ତମ ଆଗରେ ହିଁ କହିବି…”
ରାଜକୁମାରୀଙ୍କ ଇସାରା ପାଇ ସମସ୍ତେ ସେଠାରୁ ଚାଲିଗଲେ । ଖାଲି ରହିଗଲେ ଚନ୍ଦ୍ରକାନ୍ତା, ଚପଳା ଆଉ ଚମ୍ପା । ଏବେ ନକଲି କେତକୀ ହସି ହସି କହିବାକୁ ଲାଗିଲା-” କିଛି ପୁରସ୍କାରର ବ୍ୟବସ୍ଥା କରିବ ତ ଗୋଟେ ଖୁସି ଖବର ଶୁଣେଇବି …”
ଚନ୍ଦ୍ରକାନ୍ତା ଭାବିଲେ କି ବୋଧେ ସେ ରାଜକୁମାର ବୀରେନ୍ଦ୍ର ସିଂ ଙ୍କ ଖବର ନେଇ ଆସିଛି । କିନ୍ତୁ ପର ମୁହୂର୍ତ୍ତରେ ଭାବିଲେ ସେ ତ କେବେ ବୀରେନ୍ଦ୍ର ସିଂ ଙ୍କ କଥା ୟା ଆଗରେ କହି ନାହିଁ … ତେବେ ଏ କି ମାମଲା ? କୋଉ ଖୁସି ଖବର ଶୁଣେଇବା ପାଇଁ ସେ ଆଗତୁରା ପୁରସ୍କାର ମାଗୁଛି ? ସେ କହିଲେ -“ହଁ..ହଁ.. ପୁରସ୍କାର ଦିଆ ଯିବ … ଆଗେ ଖୁସି ଖବର ତ ଶୁଣାଅ…”
ନକଲି କେତକୀ-“ପୁରସ୍କାର ପାଇଲା ପରେ ହିଁ କହିବି…ନହେଲେ ମୁଁ ଯାଉଛି…” ଏତିକି କହି ସେ ଉଠି ଠିଆ ହେଇଗଲା ।
କେତକୀର ଏ ପ୍ରକାର ନଖରାମି ଦେଖି ଚପଳା ଆଉ ସହି ପାରିଲାନି । ସେ କହି ଉଠିଲା-” କି ଲୋ କେତକୀ, ତୋର ଆଜି କଣ ହେଇଛି କି… ଆଜି ଭାରି ବଡ଼ ବଡ଼ କଥା କହୁଛୁ…? ଦେଖିବୁ… ଦି ଲାତ ମାରିବି… ଯାଇ ମହଲ ବାହାରେ ପଡ଼ିବୁ…”
ନକଲି କେତକୀ-“କାଇଁ…ମୁଁ କଣ ପେଣ୍ଡୁ…? ତୁ ଲାତ ମାରିବୁ…ଆଉ ମୁଁ ତତେ ଛାଡ଼ିଦେବି…?”
ରହି ପାରିଲାନି ଚପଳା । କେତକୀର ଔଦ୍ଧତ୍ୟ ତା’ ପାଇଁ ଅସହ୍ୟ … ସେ ଦୌଡ଼ି ଗଲା ତା ପାଖକୁ ଆଉ କେତକୀ ଚୁଟିକୁ ଘୋଷାଡ଼ି ପକେଇଲା। ଦୁହେଁ ଭିଡି ଗଲେ । ଅଚାନକ ଚପଳାର ହାତ କେତକୀ ଛାତିରେ ଲାଗିଲା । ତା’ ଛାତିଟା ପ୍ରସ୍ତର ପରି କଠିନ ଜାଣି ଚପଳା ଚମକି ପଡିଲା ଆଉ ତା’ ଠୁ ଦୁରେଇ ଆସିଲା ।
ନକଲି କେତକୀ ହସି ହସି କହିବାକୁ ଲାଗିଲା-“କଣ ହେଲା…ଚାଲିଗଲୁ ଯେ…ଆ…ଲଢ଼ ମୋ ସହ …”
ଚପଳା ନିଜ ଅଣ୍ଟାରୁ ଛୁରୀ ବାହାର କରି ତା’ ଆଗରେ ଠିଆ ହେଇ କହିଲା-” ଆରେ ଓ… କ୍ଷୀପ୍ରଚର…ସତ ସତ କହ କିଏ ତୁ ? ନହେଲେ ଏବେ ତୋ ଜୀବନ ନେଇ ଯିବି …”
କ୍ରମଶଃ