ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଚପଳା ନାଜିମକୁ ବେହୋସ କରି ନେଉଥିବା ବେଳେ ଅହମଦ ଗୋଟେ ଗଛ ଉପରେ ବସି ଦେଖୁଥିଲା । ତାର କିଛି ସମୟ ପରେ ଯେତେବେଳେ ଚନ୍ଦ୍ରକାନ୍ତା, ଚପଳା ଆଉ ଚମ୍ପା ତିନିହେଁ ମହଲକୁ ଚାଲିଗଲେ ସେତେବେଳେ ଅହମଦ ଭାବିବାକୁ ଲାଗିଲା କି ସେ ତିନିହେଁ ତ ଚାଲିଗଲେ ତାଙ୍କ ସହ ନାଜିମକୁ ତ ଦେଖିବାକୁ ପାଇଲାନି ? ସେମାନେ ନିଶ୍ଚୟ ତାକୁ ଏଇଠି କେଉଁଠି ଲୁଚେଇ ରଖିଛନ୍ତି । ଏହା ଭାବି ସେ ଗଛରୁ ଓହ୍ଲାଇ ଏଣେ ତେଣେ ଖୋଜିବାକୁ ଲାଗିଲା । ଖୋଜି ଖୋଜିକା ସେ ପୂର୍ବୋକ୍ତ ଗନ୍ତାଘର ପାଖକୁ ଚାଲି ଆସିଲା । ସେଇ ଘର ଭିତରେ ନାଜିମ ଚିତ୍କାର କରି ସାହାଯ୍ୟ ପାଇଁ ଡାକୁଥିଲା । ତା’ ଚିତ୍କାର ଶୁଣି ଅହମଦ ସ୍ଥିର ନିଶ୍ଚିତ ହେଇ ଗଲା କି ନାଜିମ ଏଇ ଘରେ ବନ୍ଦୀ ଅଛି । ସେ ଅତି ସନ୍ତର୍ପଣରେ ସେ ଗନ୍ତାଘର କବାଟ ଖୋଲି ଭିତରକୁ ଯାଇ ଦେଖିଲା ନାଜିମ ସେଠି ବନ୍ଧା ହେଇ ପଡିଛି । ସେ ଅତି ଶୀଘ୍ର ତାକୁ ବନ୍ଧନ ମୁକ୍ତ କଲା ପରେ ଦୁହେଁ ଗନ୍ତାଘର ଭିତରୁ ବାହାରକୁ ଆସି କେହି ଦେଖିବା ପୂର୍ବରୁ ତରବର ହେଇ ଉଦ୍ୟାନ ବାହାରକୁ ଚାଲି ଆସିଲେ ଆଉ ଶାନ୍ତିରେ ନିଶ୍ୱାସ ମାରିଲେ ।
ଏଥର ଦୁହେଁ ଧୀରେ ସୁସ୍ଥେ ମହଲ ବାହାରକୁ ଯିବାକୁ ଲାଗିଲେ । ଯିବା ସମୟରେ ସେମାନେ ନିଜ ନିଜ ଭିତରେ କଥା ହେଉଥାନ୍ତି । ନାଜିମ ତା’ ସହ ଘଟିଥିବା ସମସ୍ତ ବୃତ୍ତାନ୍ତ ଅହମଦ ଆଗରେ ବଖାଣି ଗଲା । ସବୁ କଥା ଶୁଣିବା ପରେ ଅହମଦ କହିଲା…
-” ଭାଇ ନାଜିମ… ଏ ଚପଳାଟା ଗୋଟେ ମାରାତ୍ମକ ଜନ୍ତୁ । ଆଗେ ତାକୁ ଜବତ କରିବା ଦରକାର । କାହିଁକି ନା ସେ ଖୁବ ଧୂର୍ତ୍ତ ଆଉ ସେ ଧୀରେ ଧୀରେ ଚମ୍ପାକୁ ବି ହୁସିଆର କରୁଛି । ସେ ଯଦି ଆମ କବ୍ଜାକୁ ନ ଆସେ ତେବେ ଅଳ୍ପ ଦିନରେ ଆମକୁ ଜଣଙ୍କ ବଦଳରେ ଦୁଇ ଜଣଙ୍କୁ ସାମ୍ନା କରିବାକୁ ପଡିବ । ସେ ଚମ୍ପା ବି ଚପଳା ଭଳି ଚାଲାକ ହେଇଯିବ ।”
ନାଜିମ-“ଠିକ ଅଛି… ଆଜି ତ ଆଉ କିଛି କାମ ହେଇ ପାରିବନି । ବହୁତ କଷ୍ଟରେ ଜୀବନଟା ବଞ୍ଚିଗଲା । ହେଲେ କାଲି ଯେମିତି ବି ହେଉ ସେ ଚପଳାକୁ ଜବତ କରିବାକୁ ପଡିବ । ତାକୁ ବନ୍ଦୀ କରି ଏମିତି ଜାଗାରେ ରଖିବା ଯେ କେହି ଯେମିତି ତା’ ଟେର ପାଇବେନି ।”
ଏମିତି କଥାବାର୍ତ୍ତା ହେଇ ଦୁହେଁ ମହଲ ବାହାରକୁ ଆସି ଦେଖିଲେ ଯେ କେତକୀ ତାଙ୍କରି ଆଡେ ଚାଲି ଆସୁଛି । କେତକୀ (ଛଦ୍ମବେଶୀ ତେଜ ସିଂ ) ବି ଏମାନଙ୍କୁ ଦେଖି ମନେ ମନେ ଭାବିଲା ଭଲ ମୌକା ମିଳିଛି । ଏମାନଙ୍କ ସହ ଏକ ଖେଳ ଖେଳିଲେ ବଢିଆ ହେବ । ଦୁଇ ଜଣ ନହେଲେ ନାହିଁ କମ ସେ କମ ଜଣଙ୍କୁ ବନ୍ଦୀ ବନେଇବାକୁ ପଡିବ । ସେ ଜାଣି ଶୁଣି ଏମାନଙ୍କ ପାଖ ଦେଇ ଚାଲି ଗଲା । ନାଜିମ ଆଉ ଅହମଦ ତାର ପିଛା କରି ଜାଣିବାକୁ ଚାହିଁଲେ କି ଏତେ ରାତିରେ ସେ ମହଲ ବାହାରେ କଣ କରୁଛି । ନକଲି କେତକୀ ବୁଲି ପଡି ସେମାଙ୍କୁ କହିଲା…
-“ତମେ ମାନେ ମୋ ପଛରେ କାହିଁକି ପଡ଼ିଛ ? ତମକୁ ଯୋଉ କାମ ଦିଆ ଯାଇଛି ସେ କାମ କରୁନା ?”
ଅହମଦ-“ଆମକୁ କେଉଁ କାମ ଦିଆ ଯାଇଛି … ଆମେ କଣ କରୁଛୁ … ସେସବୁ ତମେ କଣ ଜାଣିଛ ?”
ନକଲି କେତକୀ-“ମୁଁ ସବୁ ଜାଣିଛି … ତମେ ସେହି ସବୁ କାମ କରୁଛ ଯୋଉ କାମରେ ତମକୁ ଚପଳାର ଜୋତା ମିଳୁଛି । ଆରେ ମୂର୍ଖ ଯୋଉ ଜାଗାରେ ତମକୁ ସାହାଯ୍ୟ କରିବା ପାଇଁ ଜଣେ ବି ପରିଚାରିକା ନାହିଁ …ସେଠି ତମେ ହାତ ଗୋଡ ମାରିଲେ ଜୋତା ଖାଇବ ହିଁ ଖାଇବ ।”
କେତକୀ କଥା ଶୁଣି ଦୁହେଁ ଚକିତ ହେଇଗଲେ । ଆଉ ଭାବିବାକୁ ଲାଗିଲେ କି କେତକୀ ବହୁତ ଚାଲାକ ଅଛି । ଯଦି ୟାକୁ ତାଙ୍କ ଗୋଷ୍ଠିରେ ସାମିଲ କରାଯାଏ ତେବେ ବହୁତ ଲାଭ ଦାୟକ ହେଇ ପାରିବ । କିଛି ଲୋଭ ଦେଖାଇଲେ ହୁଏତ ଏ ମାନି ଯାଇ ପାରେ ।
ନାଜିମ କହିଲା-“ଶୁଣ କେତକୀ… ଚାଲାକି କରିବା ଆମର କାମ । ବେଳେ ବେଳେ କିଛି ଭୁଲ ଭଟକା ପାଇଁ ଆମେ ଧରା ପଡୁ ଆଉ ମାଡ଼ ବି ଖାଉ । ସେଥିକୁ ଡରିଲେ ଆମ କାମ କେମିତି ହେବ ? ଏଇ ଚାଲାକି କାମ କରି ଆମେ ଆମ ପେଟ ପୋଷୁଛୁ । ପଦେ ପଦେ କଥାରେ ହଜାର ହଜାର ଟଙ୍କା ବି କମଉଛୁ । ଖୁଦା ବି ଆମ ଉପରେ ମେହେରବାନ ଅଛନ୍ତି । ବେଳେ ବେଳେ ତମ ପରିକା ସାହାଯ୍ୟକାରୀ ବି ମିଳି ଯାଆନ୍ତି । ଯଦି ତମେ ଠିକ ଭାବୁଛ ତେବେ ଆମକୁ ସାହାଯ୍ୟ କର … ଯାହା ଆମକୁ ପାରିଶ୍ରମିକ ମିଳିବ ସେଥିରୁ ତମକୁ ବି କିଛି ଦେବୁ ।”
ନକଲି କେତକୀ-” ସେ ଆଶା ଆଉ ସ୍ୱପ୍ନରେ ବଞ୍ଚିବା ମୁଁ ଶିଖିନି । ମୋର ଅସୁଲ ହେଲା ଏ ହାତରେ ନେ… ସେ ହାତରେ ଦେ… । ଯଦି ଏବେ ମତେ ଟଙ୍କା ଦେବ ତେବେ ଏଇ ସଙ୍ଗେ ସଙ୍ଗେ ତେଜ ସିଂ କୁ ବନ୍ଦୀ କରିବା ଉପାୟ କହି ପାରିବି … ନହେଲେ ତମେ ତମ ବାଟରେ ଯାଅ ମୁଁ ମୋ ବାଟରେ ଯାଉଛି ।”
ତେଜ ସିଂ ର ବନ୍ଦୀ ହେବା କଥା ଶୁଣି ଦୁହିଁଙ୍କ ମନ ଖୁସିରେ ନାଚି ଉଠିଲା । ନାଜିମ କହିଲା-“ଯଦି ତମେ ତେଜ ସିଂ କୁ ଧରେଇ ଦିଅ ତେବେ ତମେ ଯାହା ମାଗିବ ଆମେ ଦେବାକୁ ରାଜି…”
ନକଲି କେତକୀ-“ହଜାରେ ଟଙ୍କାରୁ କମ ହେଲେ ଚଳିବନି … ଯଦି ଦେବାକୁ ରାଜି ତା’ହେଲେ ଟଙ୍କା ଆଣି ମୋ ହାତରେ ଦିଅ ….”
ନାଜିମ-“ଏ ରାତି ଅଧଟାରେ ଆମେ ଟଙ୍କା କୋଉଠୁ ଆଣିବୁ…? ହଁ…କାଲି ସକାଳ ହଉ ଆମେ ଟଙ୍କା ଆଣି ଦେଇ ଦେବୁ ..।”
ନକଲି କେତକୀ -” ସେ ଚାଲାକି ମୋ ସହ ଚଳିବନି… ମୁଁ ଆଗରୁ କହିଛି ଆଜି ନଗଦ କାଲି ବାକି…ଟଙ୍କା ଦେବ ତ ଦିଅ ନହେଲେ ମୁଁ ଚାଲିଲି…”
ନାଜିମ-(ବାଟ ଓଗାଳି )”ଶୁଣ..ଶୁଣ.. ରାଗି କି ଚାଲି ଯାଉଛ କଣ ? ଠିକ ଅଛି ଯଦି ଆମ ଉପରେ ବିଶ୍ୱାସ ହେଉନି ତେବେ ତମେ ଏଇଠାରେ ରୁହ ଆମେ ଟଙ୍କା ନେଇ ଆସୁଛୁ ..”
ନକଲି କେତକୀ-“ଠିକ ଅଛି, ଜଣେ ମୋ ପାଖରେ ରୁହ ଆଉ ଜଣେ ଟଙ୍କା ଆଣିବାକୁ ଯାଅ । “
ନାଜିମ-“ଆଛା…ଅହମଦ ଏଠି ରହୁ ମୁଁ ଯାଉଛି ଟଙ୍କା ନେଇ ଆସିବି …”
ନାଜିମ ଅହମଦକୁ ଛାଡି କ୍ରୁର ସିଂ ପାଖକୁ ଟଙ୍କା ଆଣିବା ପାଇଁ ଚାଲିଗଲା । ସେ ଯିବା ପରେ କେତକୀ ଓ ଅହମଦ ଏଣୁତେଣୁ ଗପସପ ହେବାକୁ ଲାଗିଲେ । ଗପସପ ଭିତରେ କେତକୀ ଦି ଚାରିଟା ଅଳେଇଚ ଦାନା ତା’ ଥଳିରୁ ବାହାର କରି ଅହମଦକୁ ଦେଲା ଆଉ ନିଜେ ବି ଖାଇଲା । ଅହମଦ ତେଜ ସିଂ କୁ ଧରିବା ଆଶାରେ ଏତେ ଖୁସି ହେଇ ଯାଇଥିଲା ଯେ କିଛି ବାଛବିଚାର ନକରି ଅଳେଇଚ ଦାନାକୁ ଖାଇଦେଲା । ହେଲେ କିଛି ସମୟ ପରେ ତା’ ମୁଣ୍ଡ ବୁଲେଇବା ଆରମ୍ଭ କଲା ଆଉ ସେ ବୁଝି ପାରିଲା ଏ କୌଣସି କ୍ଷୀପ୍ରଚରର କାମ ଯିଏ କି ତାକୁ ଧୋକା ଦେଇଛି । ସେ ଚଟାପଟ ନିଜ ଅଣ୍ଟାରୁ ଛୁରୀ ବାହାର କରି କେତକୀକୁ ଆକ୍ରମଣ କଲା । କିନ୍ତୁ କେତକୀ ଆଗରୁ ସତର୍କ ଥିବାରୁ ତା’ ହାତ ଧରି ନେଲା ଆଉ ଅହମଦ କିଛି କରିବା ଆଗରୁ ବେହୋସ ହେଇ ତଳେ ପଡିଗଲା ।
କେତକୀ ରୂପୀ ତେଜ ସିଂ ଅହମଦର ହାତ ଗୋଡ଼ ବାନ୍ଧି ତାକୁ ଏକ ଚାଦର ଭିତରେ ପୁରେଇ ଗଣ୍ଠିଲି କଲା ଆଉ ତାକୁ ନିଜ ପିଠିରେ ପକେଇ ନୌଗଡ଼ ଆଡେ ମୁହାଁଇଲା । ଏଣେ ନାଜିମ ଟଙ୍କା ଆଣିବା ପାଇଁ କ୍ରୁର ସିଂ ଘରେ ପହଞ୍ଚି କବାଟ ବାଡେଇଲା । ସେତେବେଳେ କ୍ରୁର ସିଂ ଗଭୀର ନିଦରେ ଶୋଇଥିଲା । ନାଜିମର ଡାକ ଶୁଣି ଉଠି ଆସି କବାଟ ଖୋଲି ପଚାରିଲା-” କଣ ହେଲା … ମତେ ରାତି ଅଧରେ ଆସି ନିଦରୁ ଉଠାଇଲ …?”
ନାଜିମ ତା’ ସହ ଘଟିଥିବା ସମସ୍ତ ଘଟଣା, କେତକୀ ସହ ଭେଟ ଆଉ ତେଜ ସିଂ କୁ ଧରିବା ପାଇଁ ତା’ ସହ ମୂଲଚାଲ ସବୁ କଥା କ୍ରୁର ସିଂ ଆଗରେ କହିଗଲା । ସବୁ କଥା ଶୁଣି ସେ ଅତି ଖୁସି ହେଇଗଲା । ତୁରନ୍ତ ସିନ୍ଦୁକ ଖୋଲି ହଜାର ଟଙ୍କା ବାହାର କରି ଆଣିଲା ଆଉ କହିଲା -“ନିଅ..ହଜାର ଟଙ୍କା ତୁମକୁ ଦେଉଛି …ନାଇଁ..ନାଇଁ.. ମୁଁ ତୁମ ସହ ଯିବି … “
ନାଜିମ କ୍ରୁର ସିଂ କୁ ସାଥିରେ ନେଇ ପୂର୍ବୋକ୍ତ ସ୍ଥାନରେ ଆସି ପହଞ୍ଚିଲା । ହେଲେ ସେଠି ସବୁ ଶୂନଶାନ । ନା ସେଠି କେତକୀ ଥିଲା ନା ଅହମଦ । ସ୍ତବ୍ଦ ହେଇଗଲା ନାଜିମ । ଆଉ ତା’ ମୁହଁରୁ ବାହାରି ଆସିଲା-” ଇଏ ତ ଧୋକା…”
କ୍ରୁର-“କଣ ହେଲା ନାଜିମ…?”
ନାଜିମ-“କଣ କହିବି…ସେ କେତକୀ ନଥିଲା ନିଶ୍ଚୟ କୌଣସି କ୍ଷୀପ୍ରଚର ଯିଏ କି ଆମକୁ ଧୋକା ଦେଇ ଅହମଦକୁ ଉଠେଇ ନେଲା ।”
କ୍ରୁର-“ଭଲ..ବହୁତ ଭଲ … ତମେ ଉଦ୍ୟାନରେ ଚପଳା ହାତରୁ ମାଡ଼ ଖାଇଲ, ଆଉ ବାକି ଥିଲା ଅହମଦ ତାକୁ କିଏ ଉଠେଇ ନେଲା..ଏବେ ସେ ବି ଜୋତା ଖାଉଥିବ..”
ନାଜିମ ସନ୍ଦେହରେ ଏଣେ ତେଣେ ଖୋଜିଲା ହେଲେ ଶେଷକୁ ନିରାଶ ହେବାକୁ ପଡିଲା। ଆଉ କିଛି ଉପାୟ ନ ଦେଖି ଦୁହେଁ ମନ ଦୁଃଖରେ ଘରକୁ ଫେରିଲେ …
କ୍ରମଶଃ