ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ତେଜ ସିଂ ବିଜୟଗଡ଼ ଚାଲିଯିବା ପରେ ରାଜକୁମାର ବୀରେନ୍ଦ୍ର ସିଂ ନିଜ ଅଶ୍ୱରେ ସବାର ହେଇ ନୌଗଡ଼ ମହଲକୁ ଫେରି ଆସିଲେ ସିନା ହେଲେ ମନ ତାଙ୍କର କୌଣସି କାମରେ ଲାଗୁ ନଥାଏ । ଶୟନେ ସପନେ ଜାଗରଣେ ସେ ଖାଲି ଚନ୍ଦ୍ରକାନ୍ତା ଚନ୍ଦ୍ରକାନ୍ତା ଭଜି ହେଉଥାନ୍ତି । ଚନ୍ଦ୍ରକାନ୍ତାଙ୍କ ବିରହ ବେଦନା ତାଙ୍କୁ ବାୟା ବାତୁଳା କରି ସାରିଥିଲା । ନିଜ କକ୍ଷରେ ରାଜକୁମାରୀଙ୍କ ଛବି ଲଗେଇ ତାରି ଆଗରେ ଠିଆ ହେଇ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ ନହେଲେ ନୟନରୁ ଲୋତକ ଝରେଇ ପଲଙ୍କ ଉପରେ ମୁହଁ ମାଡି ଶୋଇ ରହୁଥିଲେ । ହଜି ଯାଇଥିଲା ତାଙ୍କ ଆଖିରୁ ନିଦ । କିଏ କିଛି ପଚାରିଲେ ତାଙ୍କୁ କିଛି ନକହି ଭକ ଭକ ହେଇ ଖାଲି ଚାହିଁ ରହୁଥିଲେ । ପୁଅର ଏ ପ୍ରକାର ଅବସ୍ଥା ମହାରାଜ ସୁରେନ୍ଦ୍ର ସିଂ କୁ ଭଲ ଭାବେ ମାଲୁମ ଥିଲା । ହେଲେ ସେ ଅବା କରିବେ କଣ ? ସବୁ ପ୍ରକାର ଚେଷ୍ଟା ସେ କରି ସାରିଥିଲେ । ସେ ରାଜକୁମାରଙ୍କ ବିବାହ ପ୍ରସ୍ତାବ ନେଇ ମହାରାଜ ଜୟ ସିଂ କୁ ଦେଖା କରିଥିଲେ ସତ ହେଲେ ଜୟସିଂ ରୋକ ଠୋକ ବିବାହ ପ୍ରସ୍ତାବକୁ ଅସ୍ୱୀକାର କଲେ । ଆଉ ଏଣେ ତାଙ୍କ ଉପରେ ଚାପ ପକେଇବା ବି ସମ୍ଭବ ନୁହେଁ କାହିଁକି ନା ବିଜୟଗଡ଼ ରାଜ୍ୟ ନୌଗଡ଼ଠୁ ବେଶ ପ୍ରତିପତ୍ତିଶାଳୀ । ତାଙ୍କର ସୈନ୍ୟ ବଳ ଢେର ଅଧିକ । ତେଣୁ ସବୁ ଦେଖି ଶୁଣି ଚୁପ ରହିବା ଛଡା ମହାରାଜ ସୁରେନ୍ଦ୍ର ସିଂ ଙ୍କ ଆଉ କିଛି ଚାରା ନଥିଲା ।
ରାତି ସୁଦ୍ଧା ଫେରିବା ପାଇଁ ବିରେନ୍ଦ୍ରସିଂଙ୍କୁ ପ୍ରତିଶୃତି ଦେଇ ତେଜ ସିଂ ବିଜୟଗଡ଼ ବାହାରି ଯାଇଥିଲା । ତେଣୁ ବୀରେନ୍ଦ୍ର ସିଂ ତା’ ବାଟ ଚାହିଁ ବସି ରହିଥିଲେ । ଆଖିରେ ନିଦ ନଥିଲା । ମନ ହୃଦୟ ଅସ୍ଥିର । ଅଧ ରାତି ଯାଏ ଯେତେବେଳେ ତେଜ ସିଂ ଫେରି ନଥିଲେ ସେତେବେଳେ ବୀରେନ୍ଦ୍ର ସିଂ ଟିକେ ଚିନ୍ତିତ ହେଇ ପଡିଲେ । କେଉଁଠି କିଛି ଅସୁବିଧା ହେଇନି ତ ? ହେଲେ ବି ସେ ଆଉ କଣ କରି ପାରିବେ ? ଶେଷକୁ ନିଜ କକ୍ଷର ଦ୍ୱାର ଖୋଲା ରଖି ପଲଙ୍କରେ ଟିକେ ବିଶ୍ରାମ ନେଲେ । ଆଖିରୁ ତ ନିଦ ହଜି ସାରିଥିଲା ତେଣୁ ସେ ସ୍ଥିର ଦୃଷ୍ଟିରେ ଦରଜା ଆଡେ ଅନେଇ ତେଜ ସିଂ କୁ ଅପେକ୍ଷା କରି ରହିଲେ । ସକାଳ ହେବାକୁ ଆଉ କିଛି କ୍ଷଣ ବାକି ଥାଏ । ତେଜ ସିଂ ନିଜ ପିଠିରେ ଏକ ଗଣ୍ଠିଲି ପକେଇ ନୌଗଡ଼ ମହଲରେ ପହଞ୍ଚିଗଲେ । ପ୍ରହରା ଦେଉଥିବା ସିପାହୀ ତାଙ୍କୁ ଏ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ଚକିତ ହେଇଗଲା । ହେଲେ ଭୟରେ କିଛି ନକହି ବାଟ ଛାଡି ଦେଲା । ସେ ସିଧା ବୀରେନ୍ଦ୍ର ସିଂ ଙ୍କ କକ୍ଷକୁ ଯାଇ ଦେଖନ୍ତି ତ କୁମାର ଏ ଯାଏ ଜାଗ୍ରତ ଅଛନ୍ତି । ବୀରେନ୍ଦ୍ର ସିଂ ତେଜ ସିଂ ଙ୍କୁ ଦେଖୁ ଦେଖୁ ଉଠି ଠିଆ ହେଇ ପଡିଲେ । ଆଉ ପଚାରିଲେ…
-“କୁହ ଭାଇ, କି ଖବର ଆଣିଛ ?”
ତେଜ ସିଂ ବିଜୟଗଡ଼ର ସମସ୍ତ ବୃତ୍ତାନ୍ତ ଶୁଣେଇ ସାରି ରାଜକୁମାରୀ ଚନ୍ଦ୍ରକାନ୍ତାଙ୍କ ଚିଠି କୁମାରଙ୍କ ହାତକୁ ବଢ଼େଇ ଦେଲା । ଆଉ ପିଠିରେ ଲଦା ହେଇଥିବା ଗଣ୍ଠିଲି ଖୋଲି ଅହମଦକୁ ଦେଖାଇ କହିଲା-” ନିଅନ୍ତୁ କୁମାର, ଏ ରହିଲା ଆପଣଙ୍କ ଚିଠି ଆଉ ଇୟେ ହେଲା ଆପଣଙ୍କ ଉପହାର ।”
ବୀରେନ୍ଦ୍ର ସିଂ ଏସବୁ ଦେଖି ବହୁତ ଖୁସି ହେଇଗଲେ । ସେ ଚିଠିକୁ ବହୁତ ଥର ପଢିଲେ । ଯେତେ ଥର ପଢିଲେ ବି ମନ ସନ୍ତୁଷ୍ଟ ହେଉ ନଥାଏ । ଶେଷକୁ ଚିଠିକୁ ନିଜ ହୃଦୟରେ ଚାପି ଧରି ଆଖି ବୁଜି କିଛି ସମୟ ସ୍ଥିର ହେଇ ବସି ଗଲେ । ତା’ ପରେ ତେଜ ସିଂ ଙ୍କୁ କହିଲେ -” ଶୁଣ.. ଏ ଅହମଦକୁ ନେଇ ଏପରି ଜାଗାରେ ରଖ ଯେପରି କାହାରିକୁ ଖବର ନ ହୁଏ । ଯଦି ଏ କଥା ଚନ୍ଦ୍ରକାନ୍ତାଙ୍କ ବାପା ଜୟ ସିଂ ଜାଣନ୍ତି ତେବେ ବହୁତ ଗଡ଼ବଡ଼ ହେଇଯିବ ।”
ତେଜ-“ମୁଁ ଏସବୁ କଥା ଆଗରୁ ଭାବି ସାରିଛି… ମୁଁ ୟାକୁ ନେଇ ଏକ ପାହାଡ଼ ଗୁମ୍ଫାରେ ରଖିବି … ଯେଉଁ ଗୁମ୍ଫାକୁ ଖାଲି ମୁଁ ହିଁ ଜାଣିଛି …”
ଏତିକି କହି ତେଜ ସିଂ ପୁଣି ଅହମଦକୁ ଗଣ୍ଠିଲିରେ ବାନ୍ଧିଦେଲା ଆଉ ଜଣେ ରକ୍ଷୀକୁ ଡକେଇ ଦେବୀ ସିଂ ନାମକ ଏକ କ୍ଷୀପ୍ରଚରକୁ ଡାକିବାକୁ ପଠେଇଲା । ଦେବୀ ସିଂ ତେଜ ସିଂର ଚେଲା, ଭଲ ବନ୍ଧୁ । ସେ ବି କ୍ଷୀପ୍ରଚର ବୃତ୍ତିରେ ତେଜ ସିଂ ଠୁ କିଛି କମ ନଥିଲା । ଦେବୀ ସିଂ ଆସିଲା ପରେ ତେଜ ସିଂ ଅହମଦର ଗଣ୍ଠିଲିକୁ ପିଠିରେ ପକେଇ ତାକୁ କହିଲା-“ମୋ ସହ ଚାଲ…ତମ ସହ କିଛି କଥା ଅଛି …”
-“ଗୁରୁଜୀ… ଏ ଗଣ୍ଠିଲିଟାକୁ ମତେ ଦିଅ…ଭଲା ମୁଁ ଥାଉ ଥାଉ ତମେ ଏ ଗଣ୍ଠିଲି ବୋହିବ…ମତେ ଭଲ ଲାଗିବନି …” ତାପରେ ଦେବୀ ସିଂ ସେଇ ଗଣ୍ଠିଲିଟିକୁ ତେଜ ସିଂ ପାଖରୁ ଆଣି ନିଜ ପିଠିରେ ଲଦି ତା’ ପଛେ ପଛେ ଚାଲିବାକୁ ଲାଗିଲା ।ଦୁଇ ବନ୍ଧୁ ଚାଲି ଚାଲି ନଗର ବାହାରକୁ ଚାଲି ଗଲେ । ତା’ ପରେ ଆସିଲା ଜଙ୍ଗଲ ଓ ପାହାଡିଆ ରାସ୍ତା । ସେଇ ଅଙ୍କାବଙ୍କା ଘାଟି ରାସ୍ତାରେ ପ୍ରାୟ ଦୁଇ କ୍ରୋଶ ଯିବା ପରେ ସେମାନେ ଏକ ଅନ୍ଧାରୁଆ ଗୁମ୍ଫା ଭିତରେ ପ୍ରବେଶ କଲେ । ସେଇ ଅନ୍ଧାରୁଆ ଗୁମ୍ଫା ଭିତରେ କିଛି ବାଟ ଚାଲିବା ପରେ ସମ୍ୟକ ଆଲୋକ ଦେଖାଗଲା । ସେଇଠାରେ ତେଜ ସିଂ ଅଟକି ଯାଇ ଦେବୀ ସିଂ କୁ କହିଲା -“ଗଣ୍ଠିଲି ତଳେ ରଖ …”
ଦେବୀ-(ଗଣ୍ଠିଲି ରଖି)”ଗୁରୁଜୀ… ଏଇଟା ତ ବଡ଼ ଅଜବ ଜାଗା… ଏଠାକୁ ଯିଏ ଥରେ ଆସିବ , ଫେରିବା ବାଟ ଭୁଲି ଯିବ…”
ତେଜ-“ଶୁଣ ଦେବୀ ସିଂ…ଏ ଜାଗାକୁ ମୋ ଛଡା ଆଉ କେହି ଜାଣି ନାହାନ୍ତି । ତୁମେ ମୋର ବନ୍ଧୁ ବୋଲି ଏଠାକୁ ତୁମକୁ ଆଣି ଆସିଲି । ଏବେ ତୁମକୁ ବହୁତ କିଛି କରିବାକୁ ପଡିବ… କଣ କିଛି ବୁଝି ପାରୁଛ ?”
ଦେବୀ-“ମୁଁ ତ ତମର ଚେଲା … ତମେ ମୋର ଗୁରୁ… ଏ କ୍ଷୀପ୍ରଚର କାମ ମୁଁ ତମ ଠାରୁ ହିଁ ଶିଖିଛି । ଯଦି ଦରକାର ପଡିବ ମୁଁ ତମ ପାଇଁ ଜୀବନ ବି ଦେଇପାରେ ….”
ତେଜ -“ଶୁଣ ତେବେ… ଏବେ ତୁମକୁ ଯାହା କହିବି … ତାକୁ ଟିକେ ଭଲ କରି ଧ୍ୟାନ ଦେଇ ଶୁଣିବ । ଏଇ ଆଗରେ ଯେଉଁ ପଥର ଦ୍ୱାର ଦେଖୁଛ ତାକୁ ଖୋଲିବା ଉପାୟ କେବଳ ମୁଁ ହିଁ ଜାଣିଛି । ମତେ ଛାଡି ଏ ଉପାୟ ମୋ ଗୁରୁ ଜାଣିଥିଲେ ଯିଏ ମତେ କ୍ଷୀପ୍ରଚର କାମ ଶିଖେଇ ଥିଲେ ହେଲେ ସେ ଏବେ ଆଉ ଜୀବିତ ନାହାନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ମୋ ଛଡା ଏହାକୁ ଆଉ କେହି ଖୋଲି ପାରିବେନି । ଆଉ ଏବେ ମୁଁ ତୁମକୁ ଶିଖେଇବି । ଯେଉଁ ସବୁ ଲୋକଙ୍କୁ ମୁଁ ଧରି ଆଣିବି ସେମାନଙ୍କୁ ଏଇଠାରେ ବନ୍ଦୀ ରଖାଯିବ ।ଏଠି ବନ୍ଦୀ ଥିବା ଲୋକଙ୍କର ହାତ ଗୋଡ଼ ବାନ୍ଧିବା ଦରକାର ହେବନି । ଖାଲି ସୁରକ୍ଷା ଦୃଷ୍ଟିରୁ ଏକ ମୁକୁଳା ବେଢ଼ି ଗୋଡ଼ରେ ପକେଇ ଦେଲେ ଚଳିବ । ଯାହା ଫଳରେ ସେ ଧୀରେ ଧୀରେ ଚାଲି ପାରିବ । ଏଠି ବନ୍ଦୀ ଥିବା ଲୋକଙ୍କର ଖାଇବା ପିଇବାର ଚିନ୍ତା କରିବାର ବି ଆବଶ୍ୟକ ନାହିଁ । ଏଠାରେ ବହୁତ ଗୁଡିଏ ଫଳ ଗଛ ଅଛି ଆଉ ଝରଣା ବି ଅଛି । ଏଇ ଯେଉଁ କ୍ଷୀପ୍ରଚରକୁ ଆମେ ଧରି ଆଣିଛେ, ତାକୁ ଏଇଠାରେ ବନ୍ଦୀ କରି ରଖିବା । ତା’ ପରେ ତମେ ମହାରାଜଙ୍କୁ କହି ୧ ମାସ ଛୁଟି ଆଣିବ । କହିବ କି ତମର ଦେହ ଭଲ ରହୁନାହିଁ । ତେଣୁ ତମେ ଟିକେ ଜଳବାୟୁ ପରିବର୍ତ୍ତନ କରିବା ପାଇଁ ବାହାରକୁ ଯିବାକୁ ଚାହୁଁଛ । ମୁଁ ବି ତମ ପାଇଁ ମହାରାଜଙ୍କୁ କହିବି । ଛୁଟି ମିଳିଗଲା ପରେ ତମେ ବିଜୟଗଡ଼ ଯାଇ ସେଠି ଛଦ୍ମବେଶରେ ରହିବ । ଆଉ ସବୁ ଆଡେ ନଜର ରଖିବ । ଯାହା କିଛି ଖବର ମିଳିବ ମତେ ତୁରନ୍ତ ଜଣେଇବ । ଆଉ ମୌକା ଦେଖି ସେ ବଦମାସ ମାନଙ୍କୁ ବନ୍ଦୀ ବନେଇ ଏଠିକୁ ନେଇ ଆସିବ ।”
କ୍ରମଶଃ