ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ସଂଗୀତଜ୍ଞ ଉଦୟନ ବିମ୍ବିସାରଙ୍କ ରାଜସଭାରେ କହିଥିଲେ, “ମହାରାଜ, ‘ମଞ୍ଜୁଘୋଷ’ ବୀଣାବାଦନ ସହ ନୃତ୍ୟ କଲାବେଳେ ଆମ୍ରପାଲି ଯେଉଁ ପ୍ରଦର୍ଶନ କରିଥିଲେ, ତାହା ଅତ୍ୟନ୍ତ ଦୁର୍ଲଭ କଳାକୃତି। ଅମ୍ବା ଲାଗୁଥିଲେ, ସତେ ଅବା ଇନ୍ଦ୍ରସଭାରେ ଉର୍ବଶୀ। ତାଙ୍କର ପ୍ରତିଟି ଭଙ୍ଗୀ ଆକର୍ଷକ, ପ୍ରତ୍ୟେକ ମୁଦ୍ରା ମନଲୋଭା! ତାଙ୍କ ଭ୍ରୂଭଙ୍ଗୀ, କ୍ଷୀଣକଟୀର ଦୋଳନ, ଛନ୍ଦାୟିତ ଚରଣଚାଳନା; ଯିଏ ଥରେ ଦେଖିଥିବ, ସିଏ ସାରା ଜୀବନ ଭୁଲି ପାରିବ ନାହିଁ। ଆମ୍ରପାଲି ସବୁକାଳରେ ଜନ୍ମ ନିଅନ୍ତି ନାହିଁ ମଗଧେଶ । କୌଣସି ଦକ୍ଷ ଶିଳ୍ପୀ ହିଁ ପ୍ରସ୍ତର ଗାତ୍ରରେ ତାଙ୍କର ମୂର୍ତ୍ତି ନିର୍ମାଣ କରି ତାଙ୍କୁ ଜୀବନ୍ତ ରଖି ପାରିବ।” ବିମ୍ବିସାର ବୈଶାଳୀ ଯିବା ସମୟରେ ନିଜ ସହ ମଞ୍ଜୁଘୋଷ ବୀଣାଟିଏ ନେଇଯାଇଥିଲେ। ତାଙ୍କର ଗୁପ୍ତ ଅଭିଯାନ କେବଳ ଜଣେ ଜାଣିଥିଲେ। ସେ ଥିଲେ, ତାଙ୍କର ମିତ୍ର ତଥା ମୁଖ୍ୟ ଅମାତ୍ୟ ‘ବର୍ଷକାର’। ବର୍ଷକାର ତାଙ୍କୁ ସାବଧାନ କରିଦେଇଥିଲେ, “ମହାରାଜ, ଏହା ଏକ ବିପଦସଙ୍କୁଳ ପ୍ରୟାସ। ଆପଣଙ୍କର ପରିଚୟ ପ୍ରକାଶିତ ହେଲେ, କେବଳ ଆପଣଙ୍କ ଜୀବନ ସଂକଟାପନ୍ନ ହେବ ତାହା ନୁହେଁ, ସାରା ମଗଧର ସ୍ଵାଧୀନତା ବଜ୍ଜୀ ଗଣରାଜ୍ୟ ଅଧିନକୁ ଚାଲିଯିବାର ସମ୍ଭାବନା ଅଛି। ସେମାନେ ଆପଣଙ୍କ ପ୍ରାଣ ବିନିମୟରେ ଯେ କୌଣସି ଅସମ୍ଭବ ଦାବୀ ଆଦାୟ କରିନେବେ।” ବିମ୍ବିସାର ପ୍ରିୟ ମିତ୍ରଙ୍କ କାନ୍ଧରେ ହାତ ରଖିଲେ। କହିଲେ, “ମଗଧର ପରମ ହିତୈଷୀ, ମୋର ବନ୍ଧୁ ବର୍ଷକାର ଥାଉଁ ଥାଉଁ ମୋର କିଛି କ୍ଷତି ହେବନାହିଁ। ଆଜିଠାରୁ ସାତଦିନ ପାଇଁ ମହାରାଜ ବିମ୍ବିସାର ପାରିଧିକୁ ଯାଉଛନ୍ତି। ବୁଝିଲେ?”
ପରଦିନ ବୈଶାଳୀ ରାଜଗୃହ ରାଜପଥରେ ଜଣେ ଶ୍ମଶ୍ରୁଧାରୀ ଯୁବକ ବୀଣାବାଦନ କରୁଥିବାର ଦେଖାଗଲା। ପଥଚାରୀମାନେସେହି ବୀଣାତନ୍ତ୍ରୀରୁ ନିର୍ଗତ ମଧୁର ମୂର୍ଚ୍ଛନାରେ ଆକର୍ଷିତ ହୋଇ ଚତୁର୍ପାର୍ଶ୍ଵରେ ରୁଣ୍ଡ ହେବାକୁ ଲାଗିଲେ। ଏକ ସମୟରେ ବୀଣାଧ୍ଵନି ବନ୍ଦ ହେଲା। ସମସ୍ତେ ପ୍ରକୃତିସ୍ଥ ହେଲେ। ପଚାରି ବୁଝିଲେ ଯେ, ନବାଗତ ଏହି କଳାକାରର ନାମ ‘ସୁଭଦ୍ର’ ଏବଂ ବୈଶାଳୀର ଏକ ପ୍ରାନ୍ତୀୟ ଜନପଦରୁ ସେ ସହରକୁ ନୂତନ ଭାବେ ଆସିଛି। ନିକଟସ୍ଥ ଗ୍ରାମରେ ବାସକରୁଥିବା ଭୀଲମାନେ ସୁଭଦ୍ରକୁ ଭୋଜନ ପାଇଁ ନିମନ୍ତ୍ରଣ କଲେ। ସେହି ଅବସରରେ ଦସ୍ୟୁମାନେ ଭୀଲ ବସତି ଉପରେ ଆକ୍ରମଣ କରିଦେଲେ। ସେମାନେ କିଛି ଯୁବତୀଙ୍କୁ ବଳ ପୂର୍ବକ ଉଠାଇନେବାପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ଭୀଲ୍ ମାନଙ୍କ ସହ ମିଶି ସୁଭଦ୍ର ଦସ୍ୟୁମାନଙ୍କୁ ମାରି ଗୋଡାଇ ଦେଲେ। ତାଙ୍କର ଏହି ଅଯାଚିତ ସାହାଯ୍ୟ ପାଇଁ ଗ୍ରାମ ପ୍ରଧାନ ତାଙ୍କୁ ନିକଟକୁ ଡାକି କୃତଜ୍ଞତା ଜ୍ଞାପନ କଲେ। ସେ କିଛିଦିନ ଆଶ୍ରୟ ଖୋଜୁଛନ୍ତି ଜାଣି ଅତି ଆନନ୍ଦରେ ନିଜ ଗୃହରେ ଅତିଥି ଭାବରେ ରହିବାକୁ ଅନୁରୋଧ କଲେ।
ସେଦିନ ସ୍ଵର୍ଣ୍ଣସେନ ନାମରେ ରାଜପୁରୁଷ ସହ ପୁରୁଷ ବେଶରେ ଆମ୍ରପାଲି ଅଶ୍ଵ ପୃଷ୍ଠରେ ଆରୋହଣ କରି ଶିକାର କରିବାକୁ ଯାଇଥାନ୍ତି। ଅରଣ୍ୟରେ ହଠାତ୍ କେଉଁଠାରୁ ସିଂହଟାଏ ଲମ୍ଫ ପ୍ରଦାନ କଲା। ସ୍ଵର୍ଣ୍ଣସେନ ଭୟରେ ପଳାୟନ କଲେ। ଅଶ୍ଵାରୋହଣରେ ଅନଭିଜ୍ଞା ଆମ୍ରପାଲି ଭୂପତିତା ହେଲେ ଏବଂ ମସ୍ତକରେ ଆଘାତ ଲାଗି ସଂଜ୍ଞା ହରାଇଲେ। କିଏ ଜଣେ କେଉଁଠୁ ସିଂହ ଉପରକୁ ଗୋଟାଏ ବର୍ଚ୍ଛା ନିକ୍ଷେପ କରିବାରୁ ସେ ଆହତ ହୋଇ ପଳାୟନ କଲା।
ସ୍ଵର୍ଣ୍ଣସେନ ନଗରରେ ପହଞ୍ଚି ପ୍ରଚାର କରିଦେଲେ ଯେ, ଆମ୍ରପାଲି ଅରଣ୍ୟରେ ସିଂହ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସାରା ବୈଶାଳୀରେ ଶୋକର ବାତ୍ୟା ବହିଗଲା ଯେମିତି। ସାଧାରଣ ଜନତାରୁ ଆରମ୍ଭ କରି ନଗର ଶେଠ, ସାମନ୍ତ ଓ ରାଜପୁରୁଷମାନେ ସ୍ତବ୍ଧ ହୋଇଗଲେ। ଶତ ଶତ ସୈନ୍ୟଙ୍କୁ ପ୍ରେରଣ କରାଗଲା ଅରଣ୍ୟ ମଧ୍ୟକୁ। କିନ୍ତୁ କୌଣସି ଆଶାଜନକ ସମ୍ବାଦ ମିଳିଲା ନାହିଁ। ସିଂହ ଆମ୍ରପାଲିଙ୍କୁ କେଉଁ ଗୁମ୍ଫା ଭିତରକୁ ଓଟାରି ନେଇଛି ବୋଲି ସମସ୍ତେ ଅନୁମାନ କଲେ।
ସଂଜ୍ଞା ଫେରିଲା ବେଳକୁ ଆମ୍ରପାଲି ବାଦରାୟଣ ମଠ ନିକଟସ୍ଥ ଭୀଲ ବସ୍ତିରେ ଏକ ଶଯ୍ୟାରେ ଶୟନ କରିଥିଲେ। ତାଙ୍କର ପୁରୁଷ ବେଶ ଖସି ପଡ଼ିଥିଲା। ତାଙ୍କୁ ସୁଭଦ୍ର ଅରଣ୍ୟରୁ ଉଦ୍ଧାର କରି ଆଣିଥିଲେ ଏବଂ ଦେବୀ ଜ୍ଞାନକରି ଭୀଲ୍ ନାରୀମାନେ ଭକ୍ତିର ସହ ତାଙ୍କର ସେବା କରୁଥିଲେ। ଅମ୍ବା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ। ସୁଭଦ୍ର ତାଙ୍କୁ ଉଦ୍ଧାର କରିଛନ୍ତି ଜାଣି ସେ ତାଙ୍କୁ ଧନ୍ୟବାଦ ଦେଲେ। ଦୁହେଁ ପରସ୍ପରକୁ ଛଦ୍ମ ନାମରେ ପରିଚୟ ଦେଲେ। ଆଘାତଜନିତ ଯନ୍ତ୍ରଣା ଉପଶମ ପାଇଁ ସ୍ଥାନୀୟ କବିରାଜ କିଛି ଔଷଧ ଦେଇଗଲେ। ତା ପ୍ରଭାବରେ ଅମ୍ବା ଶୋଇପଡ଼ିଥାନ୍ତି। ହଠାତ ବୀଣାର ମଧୁର ଧ୍ଵନିରେ ତାଙ୍କର ନିଦ୍ରା ଭଗ୍ନ ହେଲା। ସୁଭଦ୍ର ଗୃହ ବାହାରେ କେଉଁ ବୃକ୍ଷ ମୂଳରେ ବୀଣା ବଜାଉଥିଲେ।
[ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀଙ୍କ ରଚିତ ହିନ୍ଦୀ ଉପନ୍ୟାସ “ବୈଶାଳୀ କି ନଗରବଧୂ” (୧୯୪୮) ଅବଲମ୍ବନରେ]
କ୍ରମଶଃ