ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ବଜ୍ଜୀ ଗଣରାଜ୍ୟର ଆଠଟି କ୍ଷତ୍ରିୟବଂଶରୁ ନିର୍ବାଚିତ ରାଜପ୍ରତିନିଧିଙ୍କୁ ନେଇ ରାଜପରିଷଦ ଗଠିତ ହେଉଥିଲା। ସାତବର୍ଷରେ ଥରେ ନିର୍ବାଚନ ହେଉଥିଲା। ଗଣପରିଷଦ ସମଗ୍ର ମହାଜନପଦର ଶାସନ ନିୟନ୍ତ୍ରଣ କରୁଥିଲେ। ସ୍ଵର୍ଣ୍ଣସେନ ଏହି ପରିଷଦର ଆଠଟି ମୁଖ୍ୟ ରାଜପୁରୁଷ ମଧ୍ୟରୁ ଜଣେ ଥିଲେ। ତେଣୁ ଆମ୍ରପାଲିଙ୍କର ଦୁର୍ଦ୍ଦଶା ପାଇଁ ସେ ପ୍ରତ୍ୟକ୍ଷ ଭାବରେ ଦାୟୀ ଥିଲେ ମଧ୍ୟ, ତାଙ୍କୁ ଦଣ୍ଡିତ କରିବା ସହଜ ନ ଥିଲା, ସମ୍ଭବ ନଥିଲା। ଏହି ପରିପ୍ରେକ୍ଷୀରେ, ସେ ସମୟରେ ମଧ୍ୟ ଶାସନର କେନ୍ଦ୍ରରେ ଥିବା ରାଷ୍ଟ୍ରନାୟକଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି କ୍ଷମତାର ଅପବ୍ୟବହାର ହେଉଥିଲା। ବିଚାର ଓ ଦଣ୍ଡ ବିଧାନରେ ପକ୍ଷପାତିତା ଅବଲମ୍ବନ କରାଯାଉଥିଲା। ଆମ୍ରପାଲିଙ୍କର ଅନୁସନ୍ଧାନ ପ୍ରକ୍ରିୟା ଶିଥିଳ ହୋଇପଡ଼ିଥିଲା। ପରବର୍ତ୍ତୀ ନଗରବଧୂର ଅନ୍ଵେଷଣ ପାଇଁ ଗୁପ୍ତ ଆଦେଶ ଜାରି କରାଯାଇ ସାରିଥିଲା।
ବିଭନ୍ନ ପରିବ୍ରାଜକଙ୍କ ଭ୍ରମଣ କାହାଣୀରେ, ବୌଦ୍ଧ ଏବଂ ଜୈନ ଗ୍ରନ୍ଥରେ, ଶିଳାଲେଖରେ ଏବଂ ଭୂଗର୍ଭରୁ ଆବିଷ୍କୃତ ମୁଦ୍ରା ଆଦି ବିଭିନ୍ନ ଧାତୁଦ୍ରବ୍ୟରୁ ଜଣାଯାଏ ଯେ, ତତ୍କାଳୀନ ନଗର ସଭ୍ୟତା ବେଶ୍ ଉନ୍ନତ ଥିଲା। ଲୋକେ ସରକାରଙ୍କ ମୋହର ଲଗା ମୁଦ୍ରା ବ୍ୟବହାର କରୁଥିଲେ। ଅଳ୍ପ ଦାମର ମୁଦ୍ରାକୁ 'ଦମ୍ମ' କହୁଥିଲେ। ଅଧିକ ମୂଲ୍ୟବାନ ମୁଦ୍ରା ଥିଲା 'କାର୍ଷପଣ'। ସମ୍ପନ୍ନ ଲୋକେ ମୂଲ୍ୟବାନ ରେଶମର ମଖମଲି ବସ୍ତ୍ର ଏବଂ ବିଭିନ୍ନ ରତ୍ନ ଯୁକ୍ତ ଅଳଙ୍କାର ପରିଧାନ କରୁଥିଲେ। ଶରୀରରେ ଅତର ସିଞ୍ଚି ବାହାରକୁ ବାହାରୁଥିଲେ। ଅଧିକାଂଶ ଧନାଢ୍ୟ ବ୍ୟକ୍ତି ଦାସ, ପରିଚାର ପରିବେଷ୍ଟିତ ହୋଇ ଏବଂ ରଥ, ଘୋଡାଗାଡି, ହସ୍ତୀ, ଅଶ୍ଵ କିମ୍ବା ପାଲିଙ୍କି ଆରୋହଣ କରି ନଗର ଭ୍ରମଣ କରୁଥିଲେ। ସେମାନେ ବିପଣୀରେ ଦ୍ରବ୍ୟ କିଣାବିକା ସମୟରେ ତାମ୍ବୁଳ ସେବନ କରି, ହସ ହସ ମୁଖରେ ବାର୍ତ୍ତାଳାପ କରୁଥିଲେ। ନଗରର ପ୍ରବେଶ ପଥରେ 'ଗୋପୁର' ବା ତୋରଣ ଥିଲା। ସେହି ଅତ୍ୟୁଚ୍ଚ ଗୋପୁର ଉପରୁ ବହୁ ଦୂରକୁ ଲକ୍ଷ୍ୟ କରିହେଉଥିଲା। ସେଠାରେ ପିତଳ ନିର୍ମିତ ତୂର୍ଯ୍ୟଧାରୀ ପ୍ରହରୀଗଣ ମୂତୟନ ଥିଲେ। ବିପଦର ସମ୍ଭାବନା ଦେଖିଲେ ସେମାନେ ତୂର୍ଯ୍ୟନାଦ କରୁଥିଲେ। ସଙ୍କେତ ପାଇବା ମାତ୍ରେ ନଗରର 'ପ୍ରତିହାର' ନଗରବାସୀଙ୍କୁ ସାବଧାନ କରିଦେଉଥିଲେ। ସଙ୍ଗେ ସଙ୍ଗେ ଶତ ସହସ୍ର ସଂଖ୍ୟାରେ ଲୌହ ବର୍ମ(ସାଞ୍ଜୁ) ପରିହିତ ଅଶ୍ଵାରୋହୀ ସୈନ୍ୟ ଧନୁ ତୀର, ଖଡ଼୍ଗ କିମ୍ବା ବର୍ଚ୍ଛା ଧାରଣ କରି ନଗର ଦ୍ଵାର ନିକଟରେ ଉପସ୍ଥିତ ହୋଇ ଯାଉଥିଲେ। ପଡୋଶୀ ରାଜ୍ୟମାନଙ୍କ ମଧ୍ୟରେ ସଦାସର୍ବଦା କଳହ ଲାଗି ରହୁଥିବାରୁ ଗୁପ୍ତଚର ସଂସ୍ଥାକୁ ସବୁ ସମୟରେ ସଚେତ ଏବଂ ସକ୍ରିୟ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା।
ବାଦରାୟଣ ମଠ ସନ୍ନିକଟ କାନନର ଏକ ବୃକ୍ଷ ମୂଳରେ ବୀଣାବାଦକ ନିଜ ସ୍ୱର, ତାଳ ଲୟରେ ମଜ୍ଜି ଯାଇଥିଲା। ସଙ୍ଗୀତର ମୂର୍ଚ୍ଛନା ସହ ସମତାଳରେ ବୃକ୍ଷରାଜି ହିଲ୍ଲୋଳିତ ହେଉଥିଲେ। ମୃଗଯୂଥ ନିର୍ଭୟରେ ଉତ୍କର୍ଣ୍ଣ ହୋଇ ସେ ଧ୍ୱନି ଶ୍ରବଣ କରୁଥିଲେ। ମୟୂରୀଟିଏ ପୁଚ୍ଛ ବିସ୍ତାର କରି ଛନ୍ଦବଦ୍ଧ ଭାବରେ ଅଗ୍ରପଶ୍ଚାତ୍ ଗତି କରୁଥିଲା। ଆମ୍ରପାଲି ଶଯ୍ୟା ତ୍ୟାଗ କଲେ। ବୀଣା ଶବ୍ଦ ଅନୁସରଣ କରି ଅରଣ୍ୟ ଆଡକୁ ଅଗ୍ରସର ହେଲେ। ସେହି ମଧୁର ଧ୍ୱନି ଶ୍ରବଣରେ ତାଙ୍କ ଶରୀରରେ ଶିହରଣ ସୃଷ୍ଟି ହେଲା। ସେ ଚରଣ ଯୁଗଳରେ ମୃଦୁ କମ୍ପନ ଅନୁଭବ କଲେ। ତାଙ୍କ ଅଜ୍ଞାତରେ ପାଦଯୋଡିକ ଧୀରେ ଧୀରେ ଗତିଶୀଳ ହେବାରେ ଲାଗିଲେ। କେତୋଟି ମୁହୂର୍ତ୍ତ ମଧ୍ୟରେ ନୃତ୍ୟ ଓ ବୀଣାତାନର ମଧୁର ସଙ୍ଗମ ସେହି ଅଖ୍ୟାତ ଅରଣ୍ୟକୁ ନନ୍ଦନ କାନନରେ ପରିଣତ କରିଦେଲା। ଧରା ବକ୍ଷରେ ବସନ୍ତ ପ୍ରବେଶ କଲା ଭଳି ଅନୁଭୂତ ହେଲା। ପ୍ରଥମେ ସୁଭଦ୍ର ଚକ୍ଷୁ ମୁଦ୍ରିତ କରି ନିଜର ବୀଣାବାଦନରେ ମଜ୍ଜି ଯାଇଥିଲେ। କିନ୍ତୁ ଅମ୍ବାଙ୍କ ଉପସ୍ଥିତି ତାଙ୍କର ଧ୍ୟାନ ଭଗ୍ନ କଲା। ସମ୍ମୁଖରେ ତାଙ୍କର ପ୍ରିୟତମା ପ୍ରେୟସୀ ଚଞ୍ଚଳା କୁରଙ୍ଗୀ ଭଙ୍ଗୀରେ ବୃକ୍ଷମାନ ପରିକ୍ରମା କରୁଥିଲେ, ସଙ୍ଗୀତର ତାଳରେ, ଲୟରେ।
ବୀଣା ବାଜି ଚାଲିଥିଲା। ନୃତ୍ୟ କରି ଚାଲିଥିଲେ ଆମ୍ରପାଲି। ସତେ ଅବା କେଉଁ ରାଜସଭାରେ ବାଦ୍ୟ ଓ ନୃତ୍ୟମଧ୍ୟରେ ପ୍ରତିଯୋଗିତା ଚାଲିଛି। ଦୀର୍ଘ ସମୟ ଧରି ଦ୍ରୁତ ବୀଣା ବଜାଇବା ଫଳରେ ସୁଭଦ୍ରଙ୍କ ହସ୍ତରୁ ଏବଂ ଅରଣ୍ୟର କଙ୍କରିଳ ଭୂମି ଉପରେ ପଦ ଚାଳନା କରି ଆମ୍ରପାଲିଙ୍କ ନୃତ୍ୟକ୍ଳାନ୍ତ ପଦଯୁଗଳରୁ ରକ୍ତ କ୍ଷରଣ ହେଲା। ଆମ୍ରପାଲି ପ୍ରଥମେ ପରାଜୟ ସ୍ଵୀକାର କଲେ। ସେ ସୁଭଦ୍ରଙ୍କ ନିକଟକୁ ଆସି ଖଣ୍ଡିଏ ପ୍ରସ୍ତର ଉପରେ ବସିପଡିଲେ। ସୁଭଦ୍ରଙ୍କ ହାତ ଧରିନେଇ ବୀଣା ବଜାଇବା ବନ୍ଦ କରିବାକୁ ଅନୁରୋଧ କଲେ। ସେ ତାଙ୍କ ପଣତରେ ସୁଭଦ୍ରଙ୍କ ହସ୍ତରୁ ବହୁଥିବା ରୁଧିର ପୋଛିଦେଲେ। ସୁଭଦ୍ର ମଧ୍ୟ ଆମ୍ରପାଲିଙ୍କ ପଣତ ନେଇ ତାଙ୍କ ମୁଖମଣ୍ଡଳର ବିନ୍ଦୁ ବିନ୍ଦୁ ସ୍ଵେଦକୁ ଅତ୍ୟନ୍ତ ଆଦରରେ ପୋଛିଦେଲେ। ସେ ତାଙ୍କ ପାଦରୁ କ୍ଷରିତ ହେଉଥିବା ରକ୍ତ ପୋଛିବାକୁ ନିଜର ଉତ୍ତରୀୟ ବଢାଉଥିଲେ। କିନ୍ତୁ ଆମ୍ରପାଲି ସୁଭଦ୍ରଙ୍କୁ ନିଜ ପାଦ ସ୍ପର୍ଶ କରିବାକୁ ଦେଲେନାହିଁ; ପାଦ ଘୁଞ୍ଚାଇ ନେଲେ। ସେ ନିଜେ ରକ୍ତ ବହୁଥିବା ସ୍ଥାନକୁ ପଣତରେ ଚାପି ଧରିଲେ। ଉଭୟଙ୍କ ଅଜ୍ଞାତରେ ପ୍ରଣୟର ପୂର୍ବରାଗ ଅଙ୍କୁରିତ ହୋଇସାରିଥିଲା। ପାଲି ସୁଭଦ୍ରଙ୍କ ହାତରୁ ବୀଣା ନେଇ ଗୋଟିଏ କଡରେ ରଖିଦେଲେ। ତାଙ୍କ ଅଙ୍ଗୁଳିଗୁଡିକୁ ନିଜର ପାପୁଲି ଦୁଇଟିରେ ଧରି ଆଉଁଷିବାକୁ ଲାଗିଲେ। ସୁଭଦ୍ର ପ୍ରଶ୍ନ କଲେ, "କିଏ ତୁମେ ରୂପସୀ ନାୟିକା? ଏ ନୃତ୍ୟ କେବଳ ମୋ ମନର ମାନସୀ ଅମ୍ବା ନାଚିପାରନ୍ତି।" ଅମ୍ବା କହିଲେ, "ମୋ ମନରେ ମଧ୍ୟ ସେହି ପ୍ରଶ୍ନ। କିଏ ଆପଣ? ଏ ମଞ୍ଜୁଘୋଷ ବୀଣା କେବଳ ଦୁଇଜଣ ବଜାଇ ପାରନ୍ତି। ନୃତ୍ୟଗୁରୁ ଆଚାର୍ଯ୍ୟ ଉଦୟନ। ତାଙ୍କୁ ମୁଁ ଜାଣେ। ଦ୍ଵିତୀୟ ବ୍ୟକ୍ତି ହେଉଛନ୍ତି ....।" ସୁଭଦ୍ର ଚାପି ଧରିଲେ ଆମ୍ରପାଲିଙ୍କ ମୁହଁ। ସମ୍ଭବତଃ ବୀଣା ଶବ୍ଦରେ ଆକୃଷ୍ଟ ହୋଇ ଭୀଲ୍ ମାନେ ନିକଟକୁ ଆସିବା ଆରମ୍ଭ କରିଦେଇଥିଲେ। ତାଙ୍କ ମଧ୍ୟରେ କିଏ ସରଳ ପଲ୍ଲୀବାସୀ, କିଏ ବୈଶାଳୀର ଗୁପ୍ତଚର ଜାଣିବା ସମ୍ଭବ ନ ଥିଲା। ସୁଭଦ୍ରଙ୍କ ଉତ୍ତରୀୟ ଟାଣି ନେଇ ଆମ୍ରପାଲି ନିଜ ମୁଖ ଆବୃତ କଲେ।
କ୍ରମଶଃ