Coin Monster: Episode 12

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

            ଆମ୍ରପାଲି ଏବଂ ବିମ୍ବିସାର ପରସ୍ପରକୁ ଚିହ୍ନି ସାରିଥିଲେ। ଉଭୟ ଭୀଲବସ୍ତିରୁ ଦୂରରେ ଏକାନ୍ତରେ ମିଳିତ ହେଉଥିଲେ। ବିମ୍ବିସାର ଦକ୍ଷ ଚିତ୍ରକର ଥିଲେ। ସେ ସୁନ୍ଦରୀ ଆମ୍ରପାଲିଙ୍କର ବିଭନ୍ନ ଭଙ୍ଗୀରେ ଏବଂ ନୃତ୍ୟମୁଦ୍ରାରେ ଚିତ୍ରମାନ ଆଙ୍କୁଥିଲେ। ସମ୍ପର୍କ ଗଭୀର ହେଉଥିଲା। ଭୀଲ ସର୍ଦ୍ଦାର ତାଙ୍କ ନିବିଡ ପ୍ରଣୟର ପରିଚୟ ଲାଭ କରି ଉଭୟଙ୍କୁ ପରିଣୟ ସୂତ୍ରରେ ଆବଦ୍ଧ ହେବା ପାଇଁ ଅନୁରୋଧ କଲେ। ଆମ୍ରପାଲି ନିଜର ସୀମା ଅତିକ୍ରମ କରି ସ୍ଵାମୀ ଗ୍ରହଣ କରିବାକୁ ଚାହୁଁ ନ ଥିଲେ। କିନ୍ତୁ ବିମ୍ବିସାର ତାଙ୍କୁ ମଗଧର ରାଣୀ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ। ବିବାହ ଅନୁଷ୍ଠିତ ହେଲା। କିନ୍ତୁ ଆମ୍ରପାଲି ମଗଧ ଯିବାପାଇଁ ପ୍ରସ୍ତୁତ ହେଲେ ନାହିଁ। 'ପରିଣାମ ଭୟଙ୍କର ହେବ ଏବଂ ଯୁଦ୍ଧରେ କେତେ ନିର୍ଦ୍ଦୋଷ ଲୋକଙ୍କର ପ୍ରାଣନାଶ ହେବ, ଚିନ୍ତା କରି ସେ 'ସପ୍ତଭୂମି ପ୍ରାସାଦ'କୁ ଫେରିଯିବାକୁ ଇଚ୍ଛା ପ୍ରକାଶ କଲେ। ବିମ୍ବିସାର ଗୋଟିଏ ସର୍ତ୍ତରେ ତାଙ୍କୁ ଫେରିଯିବାକୁ ଅନୁମତି ଦେଲେ। 'ସେ ମଝିରେ ମଝିରେ ଛଦ୍ମ ବେଶରେ ବୈଶାଳୀକୁ ଆସିଲେ ଆମ୍ରପାଲି ଯେମିତି ତାଙ୍କ ପାଇଁ ସମୟ ଦିଅନ୍ତି'! ଆମ୍ରପାଲି ନଗରକୁ ଏବଂ ବିମ୍ବିସାର ରାଜଗୃହକୁ  ପ୍ରତ୍ୟାବର୍ତ୍ତନ କଲେ। ବିଦାୟ ନେବା ସମୟରେ ଉଭୟ ନିଜ ନିଜର ପରିଚୟ ଏବଂ ସେଠାରେ ବିତାଇଥିବା ସମୟ ସମ୍ପର୍କରେ କେଉଁଠି କିଛି ପ୍ରକାଶ ନ କରିବାକୁ ଭୀଲ ସର୍ଦ୍ଦାରଙ୍କୁ ଏବଂ ପଲ୍ଲିବାସୀଙ୍କୁ ଅନୁରୋଧ କରି ଦେଇଗଲେ।

ଆମ୍ରପାଲିଙ୍କ ନଗରପ୍ରବେଶ ସର୍ବତ୍ର ପ୍ରଚାର ହୋଇଗଲା। ରାଜପୁରୁଷମାନେ ଆନନ୍ଦରେ ଆତ୍ମହରା ହୋଇପଡିଲେ। ଅମ୍ବାପ୍ରେମୀ ଜନତା ଉଲ୍ଲସିତ ହେଲେ। ବିତ୍ତଶାଳୀ ଶ୍ରେଷ୍ଠୀମାନେ 'ତାଙ୍କ ପାଳି କେବେ ଆସିବ' ବୋଲି ଉତ୍କଣ୍ଠାର ସହ ଅପେକ୍ଷା କରିବାକୁ ଲାଗିଲେ।  ନଗର ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ସେ ଗତ କେତେଦିନ ଆମ୍ରପାଲି କେଉଁଠି ଥିଲେ ବୋଲି ପ୍ରଶ୍ନ କରିଥିଲେ। ତାଙ୍କ ସାଙ୍ଗରେ କେତେଜଣ ଭୀଲ ଯୁବତୀ ଆସିଥିଲେ। ସେମାନେ ଆମ୍ରପାଲିଙ୍କୁ ଅରଣ୍ୟରୁ ଆହତ ଅବସ୍ଥାରେ ଉଦ୍ଧାର କରିଛନ୍ତି ଏବଂ ଘରୋଇ ଚିକିତ୍ସାରେ ଆରୋଗ୍ୟ କରି ନେଇ ଆସିଛନ୍ତି ବୋଲି କହିଥିଲେ।

କିନ୍ତୁ ନଗରର ଗୁପ୍ତଚର ବିଭାଗର ମୁଖ୍ୟ କଥାଟିକୁ ସହଜରେ ଗ୍ରହଣ କଲେ ନାହିଁ। ସେ ତାଙ୍କ ଅନୁଚରମାନଙ୍କୁ ଭୀଲ ବସ୍ତିକୁ ପଠାଇ ସତ୍ୟାସତ୍ୟର ଅନୁସନ୍ଧାନ କଲେ। କିଛି ବିଶେଷ ତଥ୍ୟ ମିଳିଲା ନାହିଁ। କେବଳ ଗୋଟିଏ ସମ୍ବାଦ ସନ୍ଦେହ ଉଦ୍ରେକ କରୁଥିଲା। କିଛିଦିନ ତଳେ ଜଣେ ଅଚିହ୍ନା ବୀଣାବାଦକକୁ ଲୋକେ ବାଦରାୟଣ ମଠ ନିକଟରେ ଦେଖିଥିଲେ। ସେ କୁଆଡେ ଗଲା, ତା ବିଷୟରେ କିଛି ସଠିକ ସମ୍ବାଦ ମିଳିଲା ନାହିଁ। ଆମ୍ରପାଲିଙ୍କ ପ୍ରାସାଦ ଚତୁର୍ପାର୍ଶ୍ଵରେ କିଛି ଛଦ୍ମବେଶୀ ରକ୍ଷୀ ଅହୋରାତ୍ର ଲକ୍ଷ୍ୟ ରଖିଲେ।

ଅନେକ ଦିନ ବିତିଗଲା। ସେପରି କିଛି ସୂଚନା ନ ମିଳିବାରୁ ତାଙ୍କ ଉପରୁ ଗୁପ୍ତଚରମାନେ ଦୃଷ୍ଟି ଅପସାରଣ କରିନେଲେ। ମଗଧର ଗୁପ୍ତଚର ମଧ୍ୟ ଏ ସବୁ ସମ୍ବାଦ ରଖୁଥିଲା। ବିମ୍ବିସାର ଅବସର ନିରାପଦ ଦେଖି ପୁନର୍ବାର ବୈଶାଳୀ ଯାତ୍ରା କରିବାପାଇଁ ପ୍ରସ୍ତୁତ ହେଲେ। କିନ୍ତୁ ପ୍ରଧାନ ଅମାତ୍ୟ ବର୍ଷକାର ବିରୋଧ କଲେ। ଏହା ମଗଧର ନିରାପତ୍ତା ଉପରେ କୁଠାରାଘାତ ଥିଲା। ଯୁବରାଜ ଅଜାତଶତ୍ରୁ ଯୁବାବସ୍ଥା ପ୍ରାପ୍ତ ହୋଇ ସାରିଥିଲେ। ସେ ବର୍ଷକାରଙ୍କ ନିକଟରେ ସିଂହାସନ ପ୍ରାପ୍ତିର ଅଭିଳାଷା ପ୍ରକାଶ କରି ସାରିଥିଲେ। ବର୍ଷକାର ଦ୍ଵିଧାରେ ଥିଲେ। ଗୋଟିଏ ପକ୍ଷରେ ନିଜର ପ୍ରିୟବନ୍ଧୁ ବିମ୍ବିସାର ଅନ୍ୟପକ୍ଷରେ ମଗଧର ସ୍ଵାର୍ଥ ଏବଂ ଅଜାତଶତ୍ରୁଙ୍କର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ।

ବର୍ଷକାର ମଗଧ ପାଇଁ ବୈଶାଳୀକୁ ପରାଜିତ କରିବାର ସୂତ୍ର ଅନୁସନ୍ଧାନ କରୁଥିଲେ। ପ୍ରାଣକୁ ସଙ୍କଟରେ ପକାଇ ମଗଧର ଅନେକ ଗୁପ୍ତଚର ଶତ୍ରୁ ରାଜ୍ୟର ଛିଦ୍ର ଖୋଜୁଥିଲେ। କିନ୍ତୁ ବିମ୍ବିସାରଙ୍କର ଗୋଟିଏ ବାରାଙ୍ଗନା ପ୍ରତି ଆକର୍ଷଣ ତାଙ୍କର ସବୁ ଯୋଜନାକୁ ଧୂଳିସାତ୍ କରିଦେବା ପାଇଁ ଯଥେଷ୍ଟ ଥିଲା। ଅଗତ୍ୟା ସେ ଅଜାତଶତ୍ରୁଙ୍କୁ ସମର୍ଥନ ଦେଲେ। ବିମ୍ବିସାର ତାଙ୍କର କାମବାସନା ଚରିତାର୍ଥ କରିବାକୁ ଯାଇ ସିଂହାସନରୁ କାରାଗାରକୁ ସ୍ଥାନାନ୍ତରିତ ହେଲେ।

ଇତ୍ୟବସରରେ ଆମ୍ରପାଲିଙ୍କ ଜୀବନରେ ବିଚିତ୍ର ପରିବର୍ତ୍ତନଟିଏ ଆସିଥିଲା। ଜଣେ ବୌଦ୍ଧଭିକ୍ଷୁ ତାଙ୍କ ନିକଟକୁ ଆସିଥିଲେ ଭିକ୍ଷା ଗ୍ରହଣ ପାଇଁ। ତାଙ୍କ ରୂପରେ ଏକ ସ୍ୱତନ୍ତ୍ର ଆକର୍ଷଣ ଥିଲା। ଆମ୍ରପାଲି କେବେ କେଉଁ ଯୁବକ ମୁଖରେ ଏତେ ପ୍ରଶାନ୍ତ ପବିତ୍ର ଦ୍ୟୁତି ସନ୍ଦର୍ଶନ କରି ନ ଥିଲେ। ସେ ତାଙ୍କୁ ନିଜ ଅତିଥି ଭବନରେ ଆଶ୍ରୟ ଗ୍ରହଣ କରିବାକୁ ପ୍ରସ୍ତାବ ଦେଲେ। କିନ୍ତୁ ବୁଦ୍ଧଦେବଙ୍କ ଅନୁମତି ବିନା ସେ ଅମ୍ବାଙ୍କର ଏହି ଅଯାଚିତ ଦାନ ଗ୍ରହଣ କରିବାକୁ ସବିନୟ ପ୍ରତ୍ୟାଖ୍ୟାନ କରିଦେଲେ। ଆଶ୍ଚର୍ଯ୍ୟ ହେଲେ ଆମ୍ରପାଲି। 'ଯାହାର ଦୃକ୍ ପାତଟିଏ ଲାଭ କରିବାକୁ ନଗରର ସମ୍ପନ୍ନ, ସୁଦର୍ଶନ ଯୁବକମାନେ ଲାଳାୟିତ, ତାଙ୍କର ଆମନ୍ତ୍ରଣକୁ ଏହି ଭିକ୍ଷୁ କେତେ ସହଜରେ ଅସ୍ଵୀକାର କରିଦେଲା!' ଭିକ୍ଷୁ ଅନୁମତି ପ୍ରାପ୍ତ ହୋଇ ଆସିବା ପର୍ଯ୍ୟନ୍ତ ସେ ଅପେକ୍ଷା କଲେ।

କ୍ରମଶଃ
Please follow and like us:
0
20
Pin Share20