Coin Monster: Episode 13

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ଅନ୍ୟ ଶିଷ୍ୟମାନଙ୍କ ପ୍ରବଳ ପ୍ରତିବାଦ ସତ୍ତ୍ଵେ ଆମ୍ରପାଲିଙ୍କ ବାସ ଭବନରେ ରହିବା ପାଇଁ, ପୂର୍ବ କଥିତ ଭିକ୍ଷୁଙ୍କୁ ତଥାଗତଙ୍କ ନିକଟରୁ ଅନାୟାସରେ ଅନୁମତି ମିଳି ଯାଇଥିଲା। ବୁଦ୍ଧଦେବ ସେହି ଶିଷ୍ୟର ଚକ୍ଷୁରେ ଦୃଢତାର ଚମକ ଦେଖିଥିଲେ। ବିଶ୍ଵାସ କରିଥିଲେ ତାର ବୈରାଗ୍ୟ ପ୍ରତି ନିଷ୍ଠା ଉପରେ। ସୁତରାଂ ସେହି ଭିକ୍ଷୁ ଅନୁମତି ପ୍ରାପ୍ତ ହୋଇ ଆମ୍ରପାଲିଙ୍କ ବାସଭବନରେ ଆତିଥ୍ୟ ଗ୍ରହଣ କରିଥିଲେ। କୁହାଯାଏ ଯେ ତାଙ୍କ ଉପରେ ଆମ୍ରପାଲିଙ୍କର ନିଟୋଳ ଯୌବନ ଏବଂ ଅନିନ୍ଦ୍ୟ ରୂପର କୌଣସି ପ୍ରଭାବ ପଡି ନ ଥିଲା। ବରଂ ଅମ୍ବା ସାଂସାରିକ ସୁଖ ପ୍ରତି ବିମୁଖ ହେବାର ପ୍ରକ୍ରିୟା ଏହିଠାରୁ ଆରମ୍ଭ ହୋଇଥିଲା।

କୋଶଳର କନ୍ୟା ଥିଲେ କୋଶଳା ଦେବୀ। ବିମ୍ବିସାରଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯାଇ କୋଶଳରାଜ କାଶୀ ଅଧିକାର କରିନେବାରୁ ଅଜାତଶତ୍ରୁ କୋଶଳ ଆକ୍ରମଣ କରି କାଶୀ ପୁନର୍ବାର ନିଜ ଅଧିକାରକୁ ନେଇଗଲେ। ଏହି ବିଜୟରେ ଉତ୍ସାହିତ ହୋଇ ସେ ବଜ୍ଜୀ ଗଣରାଜ୍ୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଦେଲେ। ତାଙ୍କର ଯୋଜନାର ପ୍ରଥମ ପର୍ଯ୍ୟାୟ ଭାବରେ ବୈଶାଳୀ ଅଧିକାର କରିବା ଅନ୍ତର୍ଭୁକ୍ତ ଥିଲା। ବୈଶାଳୀ ମଧ୍ୟ ପ୍ରସ୍ତୁତ ଥିଲା। ଉଭୟ ପକ୍ଷ ମଧ୍ୟରେ ଘୋର ସଂଗ୍ରାମ ହେଲା। ଯୁଦ୍ଧ କ୍ଷେତ୍ରରେ ଅଜାତଶତ୍ରୁ ଆହତ ହେଲେ। ବର୍ଷକାର କୌଶଳରେ ତାଙ୍କୁ ଶତ୍ରୁ କବଳରୁ ଉଦ୍ଧାର କରି ଏକ ନିର୍ଜନ ସ୍ଥାନରେ ଲୁଚାଇ ଦେଲେ। ସେହି ଯୁଦ୍ଧରେ ମଗଧ ସେନା ପରାସ୍ତ ହୋଇ ଲେଉଟି ଗଲେ।

ଘଟଣାକ୍ରମେ କ୍ଷତ ବିକ୍ଷତ ଅବସ୍ଥାରେ ଅଜାତଶତ୍ରୁ ସପ୍ତଭୂମିପ୍ରାସାଦରେ ଆମ୍ରପାଲିଙ୍କ ନିକଟକୁ ଅଣାଗଲେ। ସେ ନିଜକୁ କେବଳ ଜଣେ ସୈନିକ ଭାବରେ ପରିଚୟ ଦେଲେ। ପାଲି ତାଙ୍କୁ ନିଜ ଦେଶର ସୈନିକ ଭାବି ତାଙ୍କର ଚିକିତ୍ସା କଲେ। ସେଠାରେ ଅବସ୍ଥାନ ସମୟରେ ଅଜାତଶତ୍ରୁ ଆମ୍ରପାଲିଙ୍କ ଅସାଧାରଣ ସୌନ୍ଦର୍ଯ୍ୟରେ ବିମୋହିତ ହୋଇଗଲେ। ଆମ୍ରପାଲିଙ୍କ ହୃଦୟରେ ମଧ୍ୟ ଦେଶ ପାଇଁ ଲଢିଥିବା ଏହି ବୀର ସୈନିକ ପାଇଁ କୋମଳ ଭାବନାଟିଏ ଜାଗ୍ରତ ହୋଇଥଲା। ପ୍ରେମ ପ୍ରଗାଢ ହେବାରୁ ଅଜାତଶତ୍ରୁ ନିଜର ପରିଚୟ ପ୍ରଦାନ କଲେ ଏବଂ ତାଙ୍କୁ ବିବାହ କରି ମଗଧର ରାଣୀ କରିବା ପାଇଁ ପ୍ରସ୍ତାବ ଦେଲେ। ଯୁଦ୍ଧରେ ବୈଶାଳୀର ମଧ୍ୟ ଯଥେଷ୍ଟ କ୍ଷୟ କ୍ଷତି ଘଟିଥିଲା। ଅନେକ ସୈନ୍ୟ ପ୍ରାଣ ହରାଇଥିଲେ। ଅଜାତଶତ୍ରୁ ମଗଧର ନରପତି ବୋଲି ଜାଣିବା ପରେ ଆମ୍ରପାଲି କ୍ରୋଧ ପ୍ରକାଶ କଲେ। ସେ ନିଜେ ତାଙ୍କୁ ବୈଶାଳୀର ସୈନ୍ୟମାନଙ୍କ ହସ୍ତରେ ସମର୍ପଣ କରିବା ପୂର୍ବରୁ ପ୍ରାଣ ବଞ୍ଚାଇ ନିଜ ରାଜ୍ୟକୁ ପଳାଇଯିବାକୁ ଅବସରଟିଏ ଦେଲେ।

ବୈଶାଳୀର କିଛି ସୈନ୍ୟ ଏବଂ ସେନାପତି ଯୁଦ୍ଧକ୍ଷେତ୍ରରେ ଅଜାତଶତ୍ରୁଙ୍କୁ ଶିରସ୍ତ୍ରାଣ ପରିଧାନ କରିଥିବା ଅବସ୍ଥାରେ ଦେଖିଥିଲେ। ସେମାନେ ଅଜାତଶତ୍ରୁଙ୍କୁ ବିପଣୀରେ ଦେଖି ସନ୍ଦେହ କଲେ ଏବଂ ଏହି ଖବର ଗୁପ୍ତଚର ବିଭାଗ ଜାଣି ପାରିଲା। କିନ୍ତୁ ବୈଶାଳୀରେ ମଧ୍ୟ ମଗଧର କିଛି ଶୁଭାକାଂକ୍ଷୀ ସ୍ଥାୟୀବାସିନ୍ଦା ଭାବରେ ବାସ କରୁଥିଲେ। ଅଜାତଶତ୍ରୁ ବୈଶାଳୀ ସୈନ୍ୟମାନଙ୍କ ହସ୍ତରେ ବନ୍ଦୀ ହେବା ପୂର୍ବରୁ ସେମାନଙ୍କ ସାହାଯ୍ୟରେ ବୈଶାଳୀର ସୀମା ଅତିକ୍ରମ କରି ମଗଧକୁ ପଳାୟନ କଲେ। କିନ୍ତୁ ସଙ୍ଗରେ ନେଇଗଲେ ଆମ୍ରପାଲିଙ୍କର ଅମ୍ଳାନରୂପ, ଓ ଅଙ୍କୁରିତ ପ୍ରଣୟର ଅଭୁଲା ସ୍ମୃତି।

ଅଜାତଶତ୍ରୁଙ୍କ ପ୍ରତି ଆମ୍ରପାଲିଙ୍କର ଏହି ସାମୟିକ ଦୁର୍ବଳତା ତାଙ୍କ ପାଇଁ ଘାତକ ସିଦ୍ଧ ହେଲା। ସୈନ୍ୟ ବିଭାଗର ମୁଖ୍ୟାଳୟରେ ତାଙ୍କର ବିଚାର ହେଲା। ‘ନିଜ ଦେଶର ଏକ ଅଜଣା ସୈନିକ ବୋଲି ଭାବି ଅଜାତଶତ୍ରୁଙ୍କୁ ଆଶ୍ରୟ ଦେଇଥିଲେ’ ବୋଲି ସେ ଯେତେ ଯୁକ୍ତି ବାଢିଲେ, ତାହା ସତ୍ୟ ବୋଲି କେହି ବିଶ୍ଵାସ କଲେ ନାହିଁ। ଅଧିକ ଅନୁସନ୍ଧାନରେ ସତ୍ୟ ସିଦ୍ଧ ହେବା ପର୍ଯ୍ୟନ୍ତ ତାଙ୍କୁ ବନ୍ଦୀଶାଳାରେ ରଖାଗଲା। ସନ୍ଦେହ ପ୍ରମାଣିତ ହେଲେ, ନିର୍ଦ୍ଧାରିତ ଦଣ୍ଡ ଥିଲା ୟନ୍ତ୍ରଣାଦାୟକ ମୃତ୍ୟୁ, ଜ୍ଵଳନ୍ତ ଅନଳରେ ଜୀବନ୍ତ ଦହନ।

ଇତ୍ୟବସରରେ ମହାତ୍ମା ବୁଦ୍ଧ ବୈଶାଳୀରୁ ମଗଧର ରାଜଧାନୀ ରାଜଗୃହକୁ ଆସିଥିଲେ। ଅଜାତଶତ୍ରୁ ତାଙ୍କ ସହ ସାକ୍ଷାତ କରିବାକୁ ଯାଇଥିଲେ। ସେଠାରେ ସେ କଥା ପ୍ରସଙ୍ଗରେ ବୁଦ୍ଧଙ୍କୁ ପଚାରିଥିଲେ, “ମହାତ୍ମନ୍, ବୈଶାଳୀ ଉପରେ ବିଜୟଲାଭ କରିବାର କଣ କିଛି ଉପାୟ ନାହିଁ?” ବୁଦ୍ଧ ହସିଲେ। କହିଲେ, “ସନ୍ୟାସୀକୁ ସଂଗ୍ରାମର ସୂତ୍ର ପଚାରୁଛ? ହେଉ, ଶୁଣ। ଯେ କୌଣସି ବିଜୟ ପାଇଁ ଅସୀମ ଧୈର୍ଯ୍ୟ, ମନର ଦୃଢତା, ଶତ୍ରୁର ଦୁର୍ବଳ ମୁହୂର୍ତ୍ତର ପ୍ରତୀକ୍ଷା ଏବଂ ଯଥାଯଥ ପ୍ରସ୍ତୁତି ଆବଶ୍ୟକ। ସଂଯୁକ୍ତ ରାଜ୍ୟ କ୍ଷେତ୍ରରେ ଅତୁଟ ଏକତା ହିଁ ସେମାନଙ୍କୁ ଅପରାଜେୟ କରି ରଖିଛି। ଯେ ପର୍ଯ୍ୟନ୍ତ ସେହି ଏକତା ଅକ୍ଷୁର୍ଣ୍ଣ ଥିବ, ବଜ୍ଜୀ ଗଣରାଜ୍ୟର ପରାଜୟ ଅସମ୍ଭବ।”

କ୍ରମଶଃ

Please follow and like us:
0
20
Pin Share20