ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଭୋଜନ ଅନ୍ତେ ଉଭୟ ବନ୍ଧୁ କିଛି ସମୟ ବିଶ୍ରାମ ନେଉଥିଲେ। ପ୍ରଧାନ ଅମାତ୍ୟ ରାକ୍ଷସଙ୍କ ନିଯୁକ୍ତି, ଶକଟାରଙ୍କ ମୁକ୍ତି ଆଦି ବିଷୟରେ ଆଲୋଚନା ହେଲା। ଅଧିରାଜ ପାଟଳୀପୁତ୍ରକୁ ଚାଣକ୍ୟଙ୍କ ଆସିବାର କାରଣ ପ୍ରଶ୍ନ କଲେ। ଚାଣକ୍ୟ କହିଲେ, “ପାଟଳୀପୁତ୍ରରେ କୌଣସି ଗୁରୁକୁଳରେ ଅଧ୍ୟାପନା କରିବାର ଇଚ୍ଛା ଅଛି।” ଶୁଷ୍କ ହସଟିଏ ହସି ଅଧିରାଜ କହିଲେ, “ବନ୍ଧୁ, ଏବେ ଶିକ୍ଷକମାନେ ଏଠାକାର ଶିକ୍ଷାକେନ୍ଦ୍ରମାନ ତ୍ୟାଗ କରି କାଶୀ ଆଦି ନଗରକୁ ଚାଲିଯାଉଛନ୍ତି। ତୁମେ ଏଭଳି ଆଶା କରି ଆସିଲ କାହିଁକି?” ଚାଣକ୍ୟ ଆଶ୍ଚର୍ଯ୍ୟ ହେଲେ। ତାଙ୍କ ସନ୍ଦେହ ମୋଚନ କରିବାକୁ ଅଧିରାଜ କହିଲେ, “ବୈଦିକ ଯୁଗରୁ ଶାସନତନ୍ତ୍ର ମନୁସ୍ମୃତି ଆଦି ଶାସ୍ତ୍ର ପୁରାଣ ଅନୁସାରେ ଧର୍ମ ଅଧର୍ମ ଭିତ୍ତିରେ ଚାଲୁଥିଲା।
ନୂତନ ଧର୍ମମାନଙ୍କର ଅଭ୍ୟୁଦୟ ଫଳରେ ରାଜାଙ୍କୁ ନୀତି ପ୍ରଣୟନ କରିବାରେ ଅସୁବିଧା ହେଲା। ପ୍ରଜାଙ୍କ ମଧ୍ୟରେ କିଏ କେଉଁ ଧର୍ମକୁ ଅନୁସରଣ କରିବେ ସ୍ଥିର କରିବା କଠିନ ହେଲା। ସମାଜ ଏବେ ସାମ୍ପ୍ରଦାୟିକ ଭିନ୍ନତାର ନୂତନ ସ୍ଥିତି ସହ ଲଢୁଛି। ପ୍ରଥମେ କେବଳ ବ୍ରହ୍ମଚାରୀମାନେ ଗୁରୁଙ୍କ ପାଇଁ ଏବଂ ନିଜର ଅନ୍ନ ସଂସ୍ଥାନ ପାଇଁ ଭିକ୍ଷା ଥାଳ ଧରି ଗୃହସ୍ଥଙ୍କ ଦ୍ଵାରଦେଶକୁ ଯାଇ ଡାକୁଥିଲେ, “ଭବତି ଭିକ୍ଷାଂ ଦେହି।” ଗୃହିଣୀ ପ୍ରସନ୍ନ ଚିତ୍ତରେ ତାଙ୍କର ଭିକ୍ଷା ଥାଳ ଭରିଦେଉଥିଲେ। ଏବେ ବୌଦ୍ଧ ଭିକ୍ଷୁ, ଜୈନ ସନ୍ନ୍ୟାସୀ ସମସ୍ତେ ଥାଳ ଧରି ବୁଲୁଛନ୍ତି। ଜଣେ ନାଗରିକ କେତେଜଣଙ୍କୁ ସନ୍ତୁଷ୍ଟ କରିବ? ତା ଉପରେ ଧନନନ୍ଦର ନୂତନ କରଧାର୍ଯ୍ୟ ପ୍ରଜାମାନଙ୍କୁ ଦରିଦ୍ରରୁ ଦରିଦ୍ରତର କରିବାରେ ଲାଗିଛି। ପ୍ରତ୍ୟେକ ଧର୍ମର ଅନୁଗାମୀ ସମାଜରେ ନିଜକୁ ପ୍ରତିଷ୍ଠିତ କରିବା ଚେଷ୍ଟାରେ ଅଛନ୍ତି। ଉଭୟ ବୌଦ୍ଧ ଓ ଜୈନ ଧର୍ମର ଧର୍ମଗୁରୁମାନେ ରାଜଦରବାରରେ ସ୍ଥାନ ପାଇବା ପାଇଁ ବ୍ୟସ୍ତ। ଥରେ ସ୍ଥାନ ପାଇଗଲେ, ସେମାନେ ରାଜାଙ୍କୁ ତୋଷାମଦ କରିବାରେ ଲାଗି ପଡ଼ୁଛନ୍ତି। ନିଜର ସ୍ଥାନ ସୁଦୃଢ କରିବା ସେମାନଙ୍କର ଏକମାତ୍ର ଧ୍ୟେୟ ହୋଇଥିବାରୁ, ସେମାନେ ରାଜାଙ୍କ ଅନ୍ୟାୟର ମଧ୍ୟ ଭରପୂର ସମର୍ଥନ କରୁଛନ୍ତି।
ନିକଟ ଅତୀତରେ ବ୍ରାହ୍ମଣଙ୍କ ସ୍ଥାନରେ ଦୁଇଜଣ ଜୈନ ଶ୍ରମଣଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯାଇଛି। ବିଶ୍ଵବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି କୌଣସି କର୍ମକ୍ଷେତ୍ରରେ ନିଯୁକ୍ତି ଲାଭ କରିବାରେ ଅନିଶ୍ଚୟତା ସୃଷ୍ଟି ହେଲାଣି। ତେଣୁ ଛାତ୍ର ସଂଖ୍ୟା ହ୍ରାସ ହେବାରେ ଲାଗିଛି। ଆଚାର୍ଯ୍ୟମାନେ ପାଟଳୀପୁତ୍ରରୁ ଅନ୍ୟ ରାଜ୍ୟକୁ ଯାତ୍ରା କରୁଛନ୍ତି। କିନ୍ତୁ ଏଠାକୁ ଆସିବା ପଛରେ ତୁମର ପ୍ରକୃତ ଉଦ୍ଦେଶ୍ୟଟି ତ ତୁମେ ତ କହିଲ ନାହିଁ?” ନନ୍ଦରାଜ ଉପରେ ପ୍ରତିଶୋଧ ନେବାର ଉଦ୍ଦେଶ୍ୟ ନେଇ ଆସିନାହଁ ତ?” ଚାଣକ୍ୟ କହିଲେ, “ଏଠାରୁ ଯିବା ବେଳେ ସେଭଳି ଏକ ସଂକଳ୍ପ କରି ମୁଁ ଯାଇଥିଲି। କିନ୍ତୁ ତକ୍ଷଶିଳା ଶିକ୍ଷାୟତନରେ ମୋର ସମ୍ପୂର୍ଣ୍ଣ କାୟାକଳ୍ପ ହୋଇଗଲା। ବ୍ୟକ୍ତିଗତ ପ୍ରତିଶୋଧ ନୁହେଁ, ବୃହତ୍ତର ସ୍ଵାର୍ଥ ସାଧନ ମୋର ଲକ୍ଷ୍ୟ ବୋଲି ହୃଦୟଙ୍ଗମ ହେଲା।
ବିଦେଶୀ ଯବନ ସେନା ଭାରତବର୍ଷକୁ ଆକ୍ରମଣ କରି ତାର ଅଧୀନକୁ ନେଇଯିବାକୁ ବସିଛି। କିନ୍ତୁ ଆମର କ୍ଷୁଦ୍ର କ୍ଷୁଦ୍ର ରାଜ୍ୟଗୁଡିକ ସଂଘବଦ୍ଧ ହୋଇ ତାର ଆକ୍ରମଣକୁ ପ୍ରତିହତ ନ କରି, ନିଜ ନିଜ ମଧ୍ୟରେ ସଂଘର୍ଷରେ ଲିପ୍ତ ରହୁଛନ୍ତି। ତାକୁ ସୀମାରୁ ତଡିଦେବା ଲକ୍ଷ୍ୟ ନେଇ ମୁଁ ଆସିଛି। ଅଧିରାଜ ହସିଲେ। କହିଲେ, “ତାହା ତୁମେ ସେହିଠାରେ ଥାଇ କରିପାରିଥାନ୍ତ। ତା ବ୍ୟତୀତ ଆକ୍ରମଣ ପ୍ରତିରୋଧ, ବିଜୟ ପରାଜୟ ଏ ଦେଶରେ ଲାଗିରହିଛି ଏବଂ ରହିଥିବ। ଆମେ ହୁଏ ତ କେଉଁ ବିଜେତା ନରପତିଙ୍କର ପ୍ରଜା କିମ୍ବା ଅନ୍ୟ କେଉଁ ବିଜିତ ରାଜ୍ୟର ଅଧିବାସୀ ଭାବରେ ରହିଥିବା। ଦେଶୀ ହେଉ, ବିଦେଶୀ ହେଉ, ପ୍ରଭେଦ କଣ?” ଚାଣକ୍ୟ କହିଲେ, “ଦେଶୀ ଶାସକ ଏ ଦେଶକୁ ନିଜର ବୋଲି ଭାବନ୍ତି। ବିଦେଶୀ ଶାସକ ଏ ଦେଶକୁ ଲୁଣ୍ଠନ କରିବାକୁ ଆସନ୍ତି ଏବଂ ଆମ ଦେଶକୁ କେବେ ମଧ୍ୟ ନିଜର ବୋଲି ଭାବନ୍ତି ନାହିଁ।
ସେମାନେ ଏ ଦେଶର ପ୍ରଜାଙ୍କ ମଙ୍ଗଳ ପାଇଁ ଚିନ୍ତା କରିବେ କାହିଁକି? ମୁଁ ମାସିଡୋନିଆର ଆକ୍ରମଣକାରୀ ତଥାକଥିତ ମହାନ ସିକନ୍ଦର କଥା କହୁଛି। ଛୋଟ ଛୋଟ ଭାରତୀୟ ରାଜ୍ୟଗୁଡିକୁ ଗୋଟିଏ ପରେ ଗୋଟିଏ ବିଜୟ କରି ସେ ମାଡି ଆସୁଛି। ତାକୁ ପ୍ରତିରୋଧ ନ କଲେ ସେ ସମ୍ପୂର୍ଣ୍ଣ ଭାରତକୁ ଗ୍ରାସ କରିଯିବ। ସୀମାନ୍ତରେ ଛୋଟ ଛୋଟ ରାଜ୍ୟଙ୍କର ତାକୁ ବିରୋଧ କରିବାର କ୍ଷମତା ନାହିଁ। କେବଳ ମଗଧର ବିଶାଳ ସେନା ହିଁ ତାର ସଫଳ ପ୍ରତିରୋଧ କରିପାରିବେ। ମୁଁ ଆସିଛି, ସିକନ୍ଦରକୁ ସୀମାରେ ହିଁ ପରାଜିତ କରି ତଡିଦେବା ପାଇଁ ମଗଧରାଜଙ୍କ ସାହାଯ୍ୟ ମାଗିବାକୁ।” ଅଧିରାଜ କହିଲେ, “ତୁମେ କହିବ, ଆଉ ଧନନନ୍ଦ ମାନିଯିବ?” ଚାଣକ୍ୟ କହିଲେ, “ତାର ଅମାତ୍ୟମାନେ ତାକୁ ଉଚିତ ପରାମର୍ଶ ଦେବେ ନାହିଁ?” ଅଧିରାଜ କହିଲେ, “ଚେଷ୍ଟା କର।
କିନ୍ତୁ ସାବଧାନ। ସେ ଯେମିତି ନ ଜାଣେ, ତୁମେ ଆଚାର୍ଯ୍ୟ ଚଣକଙ୍କ ପୁତ୍ର ବୋଲି।” ଚାଣକ୍ୟ କହିଲେ, “ଏବେ ସୁଦ୍ଧା ଏଠାରେ ମୋ ସହ କାହାରି ସାକ୍ଷାତ ହୋଇ ନାହିଁ। କିନ୍ତୁ ରାଜସଭାରେ ପ୍ରବେଶ କରିବା ସମୟରେ ସେମାନେ ପରିଚୟ ପତ୍ର ଦେଖିବାକୁ ଚାହିଁବେ। ତୁମକୁ ମୋତେ ସାହାଯ୍ୟ କରିବାକୁ ପଡିବ।” ଅଧିରାଜ କହିଲେ, “ତୁମ ପାଖରେ ତକ୍ଷଶିଳାର ଅଧ୍ୟାପକ ଭାବରେ ଯେଉଁ ପ୍ରମାଣ ପତ୍ର ଅଛି ତାହା କାମ ଦେବ। ପ୍ରଜାମାନଙ୍କ ଅସନ୍ତୋଷରେ ବିଚଳିତ ହୋଇ ଏବେ ଧନନନ୍ଦ ଦାନ ଛତ୍ର ଖୋଲୁଛି। ଆସନ୍ତାକାଲି ସେ ବ୍ରାହ୍ମଣମାନଙ୍କୁ ସ୍ଵର୍ଣ୍ଣଦାନ କରିବ ବୋଲି ଘୋଷଣା କରିଛି। ଏହା ଏକ ପ୍ରହସନ ମାତ୍ର। ତଥାପି ତୁମେ ଏହି ଅବସରର ବିନିଯୋଗ କରିପାର। କୁହ, “ଜୟ ମହାରାଜ ଧନନନ୍ଦଙ୍କର ଜୟ!” ଦୁଇ ମିତ୍ର ଏକ ସାଙ୍ଗରେ ହସି ଉଠିଲେ।
ଚାଣକ୍ୟ କହିଲେ, “ମୋ ପାଇଁ ଗୋଟିଏ ଜୈନ ସନ୍ନ୍ୟାସୀଙ୍କ ପରିଧେୟର ବ୍ୟବସ୍ଥା କରିଦିଅ। ଆବଶ୍ୟକ ପଡ଼ିପାରେ।” ଅଧିରାଜ ଆଶ୍ଚର୍ଯ୍ୟଚକିତ ଦୃଷ୍ଟିରେ ବନ୍ଧୁଙ୍କୁ ଚାହିଁଲେ। ତାଙ୍କ ଓଠରେ ଥିଲା ରହସ୍ୟମୟ ହସ।
ସମାପ୍ତ