ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଚାଣକ୍ୟ ଏକ ବ୍ୟକ୍ତି ନ ଥିଲେ। ସେ ଥିଲେ ଏକ ପରିପୂର୍ଣ୍ଣ ଅନୁଷ୍ଠାନ। ଆଜିକାଲି କିଛି ଦେଶଦ୍ରୋହୀ ଐତିହାସିକ ଭାରତବର୍ଷର ଗୌରବମୟ ଇତିହାସରୁ ମୂଲ୍ୟବାନ ପୃଷ୍ଠାମାନ ଛିନ୍ନ କରିବା ପ୍ରୟାସରେ ଲାଗିଛନ୍ତି। ସେମାନେ ସିକନ୍ଦରଙ୍କ ମହାନତା ସମ୍ପର୍କରେ ବର୍ଣ୍ଣନା କଲାବେଳେ ଶତମୁଖ ହୋଇ ଉଠୁଛନ୍ତି। ଅଥଚ ‘ଅର୍ଥଶାସ୍ତ୍ର’ ଚାଣକ୍ୟ ଲେଖି ନ ଥିଲେ ବୋଲି ଯୁକ୍ତି ବାଢୁଛନ୍ତି। ଚାଣକ୍ୟଙ୍କ ଅସ୍ତିତ୍ଵ ଉପରେ ପ୍ରଶ୍ନବାଚୀ ଲଗାଇ ଦେଉଛନ୍ତି। ହୋଇପାରେ, ଚାଣକ୍ୟ ତାଙ୍କର ପୂର୍ବସୂରୀମାନଙ୍କ ରଚିତ କିଛି ନୀତିଶ୍ଳୋକ ସଂଗ୍ରହ କରି ନିଜ ପୁସ୍ତକରେ ସନ୍ନିବେଶିତ କରିଥିବେ। ଏଥିରୁ କଣ ଆମେ ନିର୍ଣ୍ଣୟ କରିନେବା ଯେ, ଅର୍ଥଶାସ୍ତ୍ରର ପ୍ରଣେତା ଚାଣକ୍ୟ ନ ଥିଲେ? ବୌଦ୍ଧ ଏବଂ ଜୈନ ଲେଖମାନଙ୍କରେ ଚାଣକ୍ୟଙ୍କ କୃତିତ୍ଵକୁ ସ୍ଵୀକାର କରାଯାଇଥିବା ବେଳେ, ଋଷି ପରାଶର କୃତ ‘ବିଷ୍ଣୁପୁରାଣ’ରେ ଚନ୍ଦ୍ରଗୁପ୍ତ ଓ ଚାଣକ୍ୟଙ୍କ ବର୍ଣ୍ଣନା ଉଲ୍ଲେଖ ଥିବା ସତ୍ତ୍ଵେ ଏମାନେ ଏକ ନିହିତ ଉଦ୍ଦେଶ୍ୟରେ ଏଭଳି ପ୍ରଚାର କରୁଥାଇ ପାରନ୍ତି ବୋଲି ବିଶ୍ଵାସ କରାଯାଉଛି। ‘ମୁଦ୍ରାରାକ୍ଷସ’କୁ ମଧ୍ୟ ମାତ୍ର ଏକ ଭିତ୍ତିହୀନ କାଳ୍ପନିକ ନାଟକ ବୋଲି ଅଭିହିତ କରାଯାଉଛି।
ଇତିହାସର ଧାରାକୁ ସାବଲୀଳ ଭାବରେ ଗତିଶୀଳ କରାଇଲେ ତାହା ଅଧିକ ବୋଧଗମ୍ୟ ଏବଂ ସୁଖପାଠ୍ୟ ହେବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଏବଂ ଚରିତ୍ର ସମ୍ପର୍କରେ ଏତେ ବିବିଧତା ବିଦ୍ୟମାନ ଯେ, ତନ୍ମଧ୍ୟରୁ କୌଣସି ଗୋଟିଏ ବର୍ଣ୍ଣନାକୁ ଯୁକ୍ତିଯୁକ୍ତ ଭାବି ଉପସ୍ଥାପନା କରିବା କଷ୍ଟସାଧ୍ୟ ହୋଇ ପଡୁଛି।
ଆଜି ଆମେ ଏହିପରି କେତୋଟି ଭିନ୍ନତା ଉପରେ ଆଲୋଚନା କରିବା। ସମସ୍ତେ ଏକମତ ଯେ, ଚାଣକ୍ୟ ଧନନନ୍ଦଙ୍କ ନିକଟକୁ କୌଣସି କାରଣରୁ ଯାଇଥିଲେ, ଏବଂ ଅପମାନିତ ହୋଇ ଫେରିଥିଲେ। କଣ ଥିଲା ସେ କାରଣ?
୧. ଶକଟାର ତାଙ୍କୁ ରାଜମହଲରେ ଶ୍ରାଦ୍ଧ କରିବାପାଇଁ ଡାକିନେଇଥିଲେ। [ମୁଦ୍ରାରାକ୍ଷସ]
୨. ସେ ଧନନନ୍ଦଙ୍କ ମହଲରେ ଅନୁଷ୍ଠିତ ହେଉଥିବା ଏକ ବାର୍ଷିକ ଶାସ୍ତ୍ର ଆଲୋଚନା ସଭାରେ ଯୋଗ ଦେଇଥିଲେ। ସଭାରେ କେବଳ ରାଜାଙ୍କ ମତକୁ ହିଁ ଶାସ୍ତ୍ର ସମ୍ମତ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରାଯାଉଥିଲା। ତାହା ଦେଖି ସେ ସଭାକକ୍ଷ ତ୍ୟାଗ କରିବାରୁ ଧନନନ୍ଦ ଅପମାନିତ ବୋଧ କରି ତାଙ୍କ ଉପରେ କ୍ରୁଦ୍ଧ ହୋଇଥିଲେ। [‘ଧାରାବାହିକ ‘ଚାଣକ୍ୟ’]
୩, ଧନନନ୍ଦ ଗୋଟିଏ ଦାନକେନ୍ଦ୍ର ଖୋଲିଥିଲେ। ସେ ସେହି କେନ୍ଦ୍ରର ପରିଚାଳକ ହେବାପାଇଁ ପ୍ରାର୍ଥୀ ଭାବରେ ଯାଇଥିଲେ। ତାଙ୍କର ରୂପ ରଙ୍ଗ ରାଜାଙ୍କୁ ଭଲ ଲାଗିଲା ନାହିଁ। ସେ ତାଙ୍କୁ ଅପମାନିତ କରିଥିଲେ।
୪. ସେ ଦାନ ଗ୍ରହଣ କରିବାକୁ ଯାଇଥିଲେ, କିନ୍ତୁ ‘ପାପାର୍ଜିତ ଧନ ଗ୍ରହଣ କରିବେ ନାହିଁ’ ବୋଲି କହି ରାଜାଙ୍କ କ୍ରୋଧ ଉଦ୍ରେକ କରାଇଲେ ଏବଂ ଅପମାନିତ ହେଲେ। [ଚନ୍ଦ୍ରଗୁପ୍ତ ମୌର୍ଯ୍ୟ]
୫, ସେ ରାଜାଙ୍କ ସିଂହାସନ ପାର୍ଶ୍ଵରେ ପଡିଥିବା ଆସନମାନଙ୍କରୁ ଗୋଟିକରେ ବସିଥିଲେ ଏବଂ ଦ୍ଵାରରକ୍ଷୀ କହିବା ସତ୍ତ୍ୱେ ଉଠି ନ ଥିଲେ ଏବଂ ରାଜାଙ୍କ କ୍ରୋଧର ଶରବ୍ୟ ହୋଇଥିଲେ।
୬. ସେ ସୀମାନ୍ତ ରାଜ୍ୟ କେକୟ ଏବଂ ଗାନ୍ଧାରକୁ ଅଧିକାରକୁ ନେଇ ସିକନ୍ଦରଙ୍କୁ ଭାରତରେ ପ୍ରବେଶ କରିବାରେ ବାଧା ଦେବା ପାଇଁ ଅନୁରୋଧ କରିବାରୁ ରାଜା ତାଙ୍କୁ ଏଭଳି ଉଦ୍ଭଟ ଚିନ୍ତାଧାରା ପାଇଁ ତାତ୍ସଲ୍ୟ କରିଥିଲେ। ଉତ୍ତରରେ ସେ ‘ରାଜାଙ୍କଠାରେ ଦୂରଦର୍ଶିତାର ଅଭାବ’ ବୋଲି କହିବାରୁ ରାଜା କ୍ରୁଦ୍ଧ ହେଲେ। [‘ଚନ୍ଦ୍ରଗୁପ୍ତ ମୌର୍ଯ୍ୟ’ ପୂର୍ବ ଧାରାବାହିକ]
ଏହା ମାତ୍ର ଗୋଟିଏ ଉଦାହରଣ। ଏହିଭଳି ପ୍ରତିଟି ବିଷୟ ଓ ଚରିତ୍ର ଉପରେ ଅଦ୍ୟାବଧି ଏତେ ପ୍ରକାର ମତ ପ୍ରକାଶିତ ହୋଇଯାଇଛି ଯେ ତନ୍ମଧ୍ୟରୁ ଶ୍ରେଷ୍ଠ ଏବଂ ଗ୍ରହଣୀୟ ମତ ବାଛିବା ପାଇଁ ଅନେକ ଯୁକ୍ତିର ଆଶ୍ରୟ ନେବା ପାଇଁ ପଡୁଛି।
ଆପଣମାନଙ୍କୁ ତତ୍କାଳୀନ ଐତିହାସିକ ସ୍ଥିତି ଶୃଙ୍ଖଳିତ ଭାବରେ ପରିବେଷଣ କରିବା ମୋର କର୍ତ୍ତବ୍ୟ। ତେଣୁ ଆଜି ଆଉଥରେ ମୁଁ ବିଗତ ଅଧ୍ୟାୟମାନଙ୍କର ସାରାଂଶ ସଂକ୍ଷେପରେ କହିଦିଏଁ। ସୀମାନ୍ତରେ ସିକନ୍ଦରଙ୍କର ଆକ୍ରମଣର ସୂଚନାରେ ତକ୍ଷଶିଳାର ଆଚାର୍ଯ୍ୟ ଚାଣକ୍ୟ ବିଚଳିତ ହୋଇଥିଲେ। ସେ ପଞ୍ଜାବ ଶାସକ ପୁରୁଙ୍କର ଏବଂ ଗାନ୍ଧାର ନରେଶ ଅମ୍ବିଙ୍କର ପ୍ରଧାନ ଅମାତ୍ୟଙ୍କୁ ଭେଟି ତାଙ୍କର ଉଦ୍ବେଗ ପ୍ରକାଶ କରିଥିଲେ। କିନ୍ତୁ ଅମ୍ବି ସିକନ୍ଦରଙ୍କ ଅଧୀନତା ସ୍ଵୀକାର କରିନେବାରୁ ସେମାନେ ଏକତ୍ର ହୋଇ ସିକନ୍ଦରଙ୍କର ବିରୋଧ କରିବା ସମ୍ଭବ ହେଲା ନାହିଁ। ଚାଣକ୍ୟ ଭାବିଲେ, ‘ଏ ସମୟରେ ମଗଧ ହିଁ ତାଙ୍କର ମାତୃଭୂମିକୁ ବିଦେଶୀ ଆକ୍ରମଣରୁ ରକ୍ଷା କରିପାରେ।’ ତେଣୁ ସେ ପାଟଳୀପୁତ୍ରକୁ ଆସିଥିଲେ ଅନେକ ଆଶା ନେଇ। ବନ୍ଧୁ ଅଧିରାଜଙ୍କ ଗୃହରେ ଅତିଥି ହୋଇଥିଲେ। ତତ୍ପରଦିନ ଉଭୟଙ୍କର ରାଜମହଲକୁ ଯିବାର ଥିଲା। ଚାଣକ୍ୟ ବନ୍ଧୁଙ୍କୁ ଜଣେ ଜୈନ ସନ୍ନ୍ୟାସୀର ପରିଧେୟ ସଂଗ୍ରହ କରିବାକୁ କହିଥିଲେ।
ଅଧିରାଜ କହିଲେ, ” ଜୈନ ସନ୍ନ୍ୟାସୀର ପରିଚ୍ଛଦ ମିଳିଯିବ। କିନ୍ତୁ କାହିଁକି? ତୁମେ କଣ କିଛି ବିପଦର ଆଶଙ୍କା କରୁଛ?” ଚାଣକ୍ୟ କହିଲେ, “ଧନନନ୍ଦ ମୋର ସ୍ପଷ୍ଟୋକ୍ତିକୁ ଦାମ୍ଭିକତା ବୋଲି ଗ୍ରହଣ କରିନେଇ ପାରେ। ମୋର ଦୁର୍ଭାଗ୍ୟକୁ ସେଠାରେ ମୋର ପରିଚୟ କାହାରି ଦ୍ୱାରା ଉନ୍ମୋଚିତ ହୋଇଯାଇ ପାରେ। ଉଭୟ କ୍ଷେତ୍ରରେ ସେ ମୋତେ ବନ୍ଦୀ କରିବାକୁ ଆଦେଶ ଦେବ। ପଳାୟନ କରି ପ୍ରାଣରକ୍ଷା କରିବା ପାଇଁ ମୋତେ ଛଦ୍ମବେଶର ଆବଶ୍ୟକତା ପଡିବ। ରାଜଭବନରେ ନିଶ୍ଚୟ କୌଣସି ଗୁପ୍ତ ମାର୍ଗ ଥିବ। ସେତିକି ମଧ୍ୟ ଜାଣି ରଖିବା ଆବଶ୍ୟକ। ଅମାତ୍ୟ ଶକଟାରଙ୍କୁ ଭେଟିଥିଲେ ଭଲ ହୋଇଥାନ୍ତା।” ରାତ୍ରି ଅଧିକ ହେବା ପରେ ଅଧିରାଜ ଏବଂ ଚାଣକ୍ୟ ସତର୍କତାର ସହ ଶକଟାରଙ୍କୁ ଭେଟିଲେ। ଚାଣକ୍ୟଙ୍କ ଯୋଜନା ଶୁଣି ଶକଟାର ବିସ୍ମୟ ପ୍ରକାଶ କଲେ। ସେ କହିଲେ, “ଏଭଳି ଅବାସ୍ତବ ଯୋଜନା ତୁମ ମସ୍ତକକୁ ପ୍ରବେଶ କଲା କେମିତି? ପରିପୂର୍ଣ୍ଣ ସଭାରେ ଉପହସିତ ଏବଂ ଅପମାନିତ ହେବା ପାଇଁ ପ୍ରତିଜ୍ଞା କରି ଆସିଛ ବୋଧହୁଏ?” ଚାଣକ୍ୟ କହିଲେ, “ମୋତେ ଥରେ ଚେଷ୍ଟା କରିବାକୁ ଦିଅନ୍ତୁ। ଆବଶ୍ୟକ ହେଲେ ମୋତେ ପଳାୟନ କରିବାର ପନ୍ଥା କହିଦିଅନ୍ତୁ। ରାଜପ୍ରାସାଦରେ କେହି ତ ଥିବ, ଯିଏ ଧନନନ୍ଦର ବିପକ୍ଷରେ ଚିନ୍ତା କରୁଥିବ?” ଶକଟାର କହିଲେ, “ତାର ଭ୍ରାତାମାନେ ଯଥେଷ୍ଟ ବିଳାସ ବ୍ୟସନରେ ସମୟ କାଟୁଛନ୍ତି। ତାଙ୍କର ସିଂହାସନ କାମନା ନାହିଁ। ଧନନନ୍ଦର ଗୁପ୍ତଚର ତନ୍ତ୍ର ଅତ୍ୟନ୍ତ ସକ୍ରିୟ। ଷଡଯନ୍ତ୍ରର କଳ୍ପନା କରିବାକୁ ମଧ୍ୟ ସେମାନେ ଭୟ କରନ୍ତି, କେବଳ ଜଣକୁ ଛାଡି । କୈବର୍ତ୍ତ ବୋଲି ତାର କନିଷ୍ଠ ଭ୍ରାତା ମନରେ ସମୟ ସମୟରେ ବିଦ୍ରୋହର ଭାବ ଉତ୍ପନ୍ନ ହେବାର ମୁଁ ଲକ୍ଷ୍ୟ କରିଛି। ରାଜ ସିଂହାସନର ଲୋଭ ଦେଖାଇ ତା ଠାରୁ କିଛି ସାହାଯ୍ୟ ମିଳିପାରେ।” ଶକଟାରଙ୍କୁ ନମସ୍କାର କରି ଉଭୟ ବନ୍ଧୁ ଗୃହକୁ ଫେରିଲେ।
କ୍ରମଶଃ