ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ଏବେ ଚାଣକ୍ୟ ଏବଂ ତାଙ୍କର ଛାତ୍ରମାନଙ୍କର କାର୍ଯ୍ୟପନ୍ଥା ବଦଳିଗଲା। ସେମାନେ ଯବନମାନଙ୍କୁ ତଡିବା ପାଇଁ ଲୋକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବାକୁ ଲାଗିଲେ। ଏଥିପାଇଁ ପ୍ରତି ଜନପଦର ଘରେ ଘରେ ବୁଲି ଧନବଳ ସହ ଜନବଳ ସଂଗ୍ରହ କରିବା ସେମାନଙ୍କର ମୁଖ୍ୟ କାର୍ଯ୍ୟ ପାଲଟିଲା। ଆଚାର୍ଯ୍ୟ ଚାଣକ୍ୟ ବିଜିତ ରାଜ୍ୟଗୁଡିକରେ ଥିବା ବିତାଡିତ କିମ୍ବା ଅବସାରପ୍ରାପ୍ତ ଦେଶୀୟ ସେନାପତିମାନଙ୍କୁ ଗୁପ୍ତରେ ସାକ୍ଷାତ କରି ସେମାନଙ୍କର ସାହାଯ୍ୟ ନେଲେ। ଜନସାଧାରଣ ତାଙ୍କର ଏହି ଉଦ୍ୟମରେ ପୂର୍ଣ୍ଣପ୍ରାଣରେ ସହଯୋଗ କଲେ। ଚନ୍ଦ୍ରଗୁପ୍ତଙ୍କ ନେତୃତ୍ୱରେ ବିପ୍ଳବୀ ଦଳ ତକ୍ଷଶିଳାର ଅସ୍ତ୍ରାଗାର ଉପରେ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଣ୍ଠନ କରିନେଲେ। ଏହି ଘଟଣାରେ ଫିଲିପ୍ସ ଅତ୍ୟନ୍ତ କ୍ରୁଦ୍ଧ ହେଲେ। ସେ ଅମ୍ବିଙ୍କୁ ଏବଂ ପୁରୁଙ୍କୁ ବିପ୍ଲବୀମାନଙ୍କୁ ଧରିଆଣି ଫାଶୀ ଦେବା ପାଇଁ ନିର୍ଦ୍ଦେଶ ଦେଲେ। ଉଭୟ ଅମ୍ବି ଏବଂ ପୁରୁ ଫିଲିପ୍ସଙ୍କର ଆଧିପତ୍ୟ ଏବଂ ତାଙ୍କର ଦୁର୍ବ୍ୟବହାରକୁ ବାଧ୍ୟ ହୋଇ ସହ୍ୟ କରୁଥିଲେ। ସେମାନେ ପ୍ରକଶ୍ୟରେ ବିଦ୍ରୋହୀମାନଙ୍କୁ ଦମନ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଲେ ମଧ୍ୟ ଅନ୍ତରରେ ଏପରି ଏକ ଜାଗରଣକୁ ସ୍ୱାଗତ କରୁଥିଲେ। ଫିଲିପ୍ସ ସଦା ସର୍ବଦା ଭାରତୀୟମାନଙ୍କୁ ସନ୍ଦେହ କରୁଥିଲେ। ତାଙ୍କର କେତେକ ବ୍ୟକ୍ତିଗତ ଗୁପ୍ତଚର ଥିଲେ। ଦିନେ ତାଙ୍କୁ ଖବର ମିଳିଲା ଯେ ବିପ୍ଲବୀମାନେ ତକ୍ଷଶିଳା ସୀମାନ୍ତରେ ଥିବା ଗୋଟିଏ ଗ୍ରାମରେ ଲୁଚି ରହିଛନ୍ତି। ସେମାନଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ହତ୍ୟା କରିବା ପାଇଁ, ତାଙ୍କ ଆଦେଶରେ କେତେକ ଯବନ ସୈନ୍ୟ ସେହି ଗ୍ରାମ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ବାସ୍ତବରେ ସେ ଗୁପ୍ତଚରକୁ ଯେଉଁ ବ୍ୟକ୍ତି ଏ ସମ୍ବାଦ ଦେଇଥିଲା, ତାକୁ ଚାଣକ୍ୟ ନିଯୁକ୍ତ କରିଥିଲେ। ବିପ୍ଲବୀମାନେ ଏଥିପାଇଁ ପ୍ରସ୍ତୁତ ଥିଲେ। ସେମାନେ ଆକ୍ରମଣକାରୀ ଯବନସୈନ୍ୟଙ୍କୁ ଚତୁର୍ଦ୍ଦିଗରୁ ଘେରି ମୂଳପୋଛ କରିଦେଲେ। ଏଠାରେ ମଧ୍ୟ ଚନ୍ଦ୍ରଗୁପ୍ତ ନିଜର ବୀରତ୍ୱର ନିଦର୍ଶନ ପ୍ରଦର୍ଶନ କରିଥିଲେ।
ଯଥା ସମୟରେ ଫିଲିପ୍ସ ଏ ସମ୍ବାଦ ପାଇଲେ। ସେ ନିଜେ ଏଥିପାଇଁ ଦାୟୀ ଥିଲେ। କହିବେ କାହାକୁ? ସେ ଏକ ନୂତନ କୌଶଳ ପାଞ୍ଚିଲେ। ବିପ୍ଲବୀମାନେ ଦେଶୀୟ ସୈନ୍ୟଙ୍କୁ ହତ୍ୟା କରୁ ନ ଥିଲେ। ଏଥର ସେ ପୁରୋଭାଗରେ ଦେଶୀ ସୈନ୍ୟଦଳଙ୍କୁ ଏବଂ ତାଙ୍କ ପଛେ ପଛେ ଯବନ ସେନାଙ୍କୁ ପଠାଇ ଦେଲେ। ଏମାନେ ଯେଉଁ ଗୃହରେ ବିଦ୍ରୋହୀମାନେ ଥିବା ସନ୍ଦେହ କରୁଥିଲେ, ସେ ଗୃହର ଆବାଳ ବୃଦ୍ଧ ବନିତାଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରୁଥିଲେ। ଚାଣକ୍ୟ ଏବଂ ବିଦ୍ରୋହରେ ଅଂଶ ଗ୍ରହଣ କରିଥିବା ଅନ୍ୟ ସେନାପତିମାନେ ଏଥିରେ ଅତ୍ୟନ୍ତ ଉତ୍କ୍ଷିପ୍ତ ହୋଇ ଫିଲିପ୍ସଙ୍କୁ ହତ୍ୟା କରିବାର ଯୋଜନା କଲେ। ପଞ୍ଜାବର ପ୍ରଧାନ ଅମାତ୍ୟ ଇନ୍ଦ୍ରଦତ୍ତ ଛାତ୍ରାବସ୍ଥାରେ ତକ୍ଷଶିଳା ଗୁରୁକୁଳରେ ଚାଣକ୍ୟଙ୍କର ସହପାଠୀ ଥିଲେ। ସେ ତାଙ୍କଠାରୁ ଫିଲିପ୍ସଙ୍କ ପ୍ରତିରକ୍ଷା ବଳୟରେ ଥିବା ଛିଦ୍ର ସମ୍ପର୍କରେ ଅବଗତ ହେଲେ। ଦିନେ ରାତ୍ରରେ ଚନ୍ଦ୍ରଗୁପ୍ତ କେତେଜଣ ସୈନ୍ୟଙ୍କୁ ସାଙ୍ଗରେ ନେଇ ଫିଲିପ୍ସଙ୍କ ଗୃହକୁ ଘେରାଉ କଲେ। ସେମାନେ ତାଙ୍କର ଅଙ୍ଗରକ୍ଷୀଙ୍କ ସହ ତାଙ୍କୁ ହତ୍ୟା କଲେ।
କିଞ୍ଚିତ୍ ବିଳମ୍ବରେ ବାବିଲୋନରେ ଏ ସମ୍ବାଦ ସିକନ୍ଦରଙ୍କର ହସ୍ତଗତ ହେଲା। ସେତେବେଳେ ସେ ଅସୁସ୍ଥ ଥାଆନ୍ତି। ସେ ସାମୟିକ ଭାବରେ ଅମ୍ବିଙ୍କୁ ଫିଲିପ୍ସଙ୍କ ସ୍ଥାନରେ ଅସ୍ଥାୟୀ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଦେଲେ। ଏହି ଘଟଣାରେ ପୁରୁ ଅସନ୍ତୁଷ୍ଟ ହେଲେ କାରଣ ଏବେ ତାଙ୍କୁ ଅମ୍ବିଙ୍କ ଭଳି ଏକ ଦୁର୍ବଳ ଶାସକଙ୍କ ଆଜ୍ଞା ମାନିବାକୁ ପଡୁଥିଲା। ଏହି ସୁଯୋଗରେ ଚାଣକ୍ୟ ପୁରୁଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଏକ କୌଶଳ ପ୍ରୟୋଗ କଲେ। ସେ ତାଙ୍କୁ ସିନ୍ଧୁ ପ୍ରଦେଶରେ ଥିବା ଛୋଟ ଛୋଟ ଗଣରାଜ୍ୟମାନଙ୍କୁ ଆକ୍ରମଣ କରି ନିଜ ଅଧୀନକୁ ନେଇଯିବା ପାଇଁ ପ୍ରରୋଚିତ କଲେ ଏବଂ ଏଥିରେ ବିପ୍ଲବୀସେନା ତାଙ୍କୁ ସମର୍ଥନ ଦେବେ ବୋଲି ଜଣାଇ ଦେଲେ। ଏଭଳି କରିବା ଅର୍ଥ ସିଧାସଳଖ ୟୁନାନୀ ଶାସନର ଅବଜ୍ଞା କରିବା। ପୁରୁ ଏଥିରେ ସମ୍ମତ ହେଲେ ନାହିଁ। କିନ୍ତୁ ଚାଣକ୍ୟଙ୍କ ନିର୍ଦ୍ଦେଶରେ ଚନ୍ଦ୍ରଗୁପ୍ତ ବାହ୍ଲିକ ଗଣରାଜ୍ୟରେ ପ୍ରଜାଙ୍କର ସାହଚର୍ଯ୍ୟ କ୍ରମେ ନିଜକୁ ଶାସକ ଘୋଷିତ କରିଦେଲେ। ଏହା ଥିଲା ଚନ୍ଦ୍ରଗୁପ୍ତଙ୍କର ପ୍ରଥମ ରାଜ୍ୟାଭିଷେକ। ଏବେ ତାଙ୍କ ହସ୍ତରେ ଏକ ବିଧିବଦ୍ଧ ସୈନ୍ୟଦଳ ଥିଲା। ଏବଂ ସେ ତାକୁ ନିଜେ ସଂଚାଳିତ କରୁଥିଲେ।
ଏହା ମଧ୍ୟରେ ସିକନ୍ଦରଙ୍କର ମୃତ୍ୟୁ ସମ୍ବାଦ ଆସି ପହଞ୍ଚିଲା। ଭାରତରେ ଥିବା ୟୁନାନୀ ସେନାର ମନୋବଳ ତୁଟିଗଲା। ଦେଶୀୟ ରାଜାମାନେ ଆଶ୍ଵସ୍ତି ଅନୁଭବ କଲେ। ଏଥର ପୁରୁ ଚନ୍ଦ୍ରଗୁପ୍ତଙ୍କ ସାହାଯ୍ୟରେ ସିନ୍ଧୁ ଆକ୍ରମଣ କରି ସେଠାକାର ୟୁନାନୀ ରାଜ୍ୟପାଳଙ୍କୁ ବନ୍ଦୀ କଲେ ଏବଂ ସିନ୍ଧୁ ଗଣରାଜ୍ୟର ଗଣାଧିପତିଙ୍କ ସହ ମୈତ୍ରୀ ସ୍ଥାପନ କଲେ। କିନ୍ତୁ ତଥାପି କେତେକ ବିଦେଶୀ ସେନାନାୟକ ଏବେ ମଧ୍ୟ ଭାରତର ଉତ୍ତରପଶ୍ଚିମରେ ଥିବା ରାଜ୍ୟଗୁଡିକରେ ନିଜର ଆଧିପତ୍ୟ ଜାହିର କରୁଥିଲେ। କିନ୍ତୁ ଯେଉଁ ଭାରତୀୟମାନେ ଜୀବିକାର୍ଜନ ପାଇଁ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ, ସେମାନେ ନିଜ ଦେଶର ବିଦ୍ରୋହୀ ସେନାଙ୍କ ପ୍ରତି ନିଷ୍ଠୁର ଆଚରଣ କରିପାରୁ ନ ଥିଲେ। ଅଧିକାଂଶ ସୈନ୍ୟ ବିଭିନ୍ନ ବାହାନାରେ ତ୍ୟାଗପତ୍ର ଦେଇ ଯବନ ଶାସିତ ସେନାରୁ ବାହାରି ଆସୁଥିଲେ ଏବଂ ବିପ୍ଳବୀ ସେନାରେ ଯୋଗ ଦେଉଥିଲେ। ସେମାନଙ୍କର ଅଭିଜ୍ଞତାକୁ ବିନିଯୋଗ କରି ଚନ୍ଦ୍ରଗୁପ୍ତ ନିଜର ସୈନ୍ୟ ସାମର୍ଥ୍ୟ ବୃଦ୍ଧି କରିବାରେ ଲାଗିଥିଲେ। ଏବେ ତାଙ୍କୁ ଜନତାର ସହଯୋଗ ମଧ୍ୟ ଅଧିକରୁ ଅଧିକ ମିଳୁଥିଲା। ଏହା ମଧ୍ୟରେ ଚନ୍ଦ୍ରଗୁପ୍ତ ଆଉ କେତୋଟି ଛୋଟ ଛୋଟ ପଡୋଶୀ ଗଣରାଜ୍ୟକୁ ଅଧିକାର କରିନେଇଥିଲେ। ବସ୍ତୁତଃ ପ୍ରଜାମାନେ ତାଙ୍କୁ ନିର୍ବିବାଦରେ ଗଣାଧିପତି ସ୍ଵୀକାର କରିନେଉଥିଲେ। ଚନ୍ଦ୍ରଗୁପ୍ତଙ୍କ କ୍ରମାଗତ କ୍ଷମତା ବୃଦ୍ଧି ପୁରୁଙ୍କ ମନରେ ବିଦ୍ଵେଷ ଓ ବୈରତା ସୃଷ୍ଟି କରୁଥିଲା। ସେ ଆଶଙ୍କା କରୁଥିଲେ ଯେ, ଦିନେ ତକ୍ଷଶିଳାର ଏହି ଶିକ୍ଷାର୍ଥୀ ତାଙ୍କ ପ୍ରଭୁତ୍ଵ ପଥରେ ଅନ୍ତରାୟ ହୋଇ ଛିଡା ହେବ। ତାଙ୍କର ପ୍ରଧାନ ଅମାତ୍ୟ ଚାଣକ୍ୟଙ୍କର ସହପାଠୀ ଥିଲେ। ସେ ଅମାତ୍ୟଙ୍କ ନିକଟରେ ନିଜର ଶଙ୍କା ପ୍ରକାଶ କଲେ। ଅମାତ୍ୟ ଇନ୍ଦ୍ରଦତ୍ତ କହିଲେ, “ମହାରାଜ, ଆପଣ ନିଶ୍ଚିନ୍ତ ରହନ୍ତୁ। ଚାଣକ୍ୟ ଏତେ ନିର୍ବୋଧ ନୁହନ୍ତି। ସେ ଆପଣଙ୍କ ସହ ଶତ୍ରୁତା କରିବାର ପ୍ରଶ୍ନ ଉଠୁନାହିଁ।” ପୁରୁଙ୍କୁ ଗ୍ରୀକମାନେ ପୋରସ ଡାକୁଥିଲେ। କେତେକଙ୍କ ମତରେ ତାଙ୍କର ପ୍ରକୃତ ନାମ ପୁରୁଷୋତ୍ତମ ଥିଲା। ‘ମୁଦ୍ରାରାକ୍ଷସ’ରେ ବିଶାଖ ଦତ୍ତ ତାଙ୍କର ନାମ ରଖିଛନ୍ତି ‘ପର୍ବତେଶ୍ଵର’।
ଚାଣକ୍ୟଙ୍କର ଶିଖା ଏ ପର୍ଯ୍ୟନ୍ତ ଉନ୍ମୁକ୍ତ ଥିଲା। ବାରବାର ତାଙ୍କର ଚକ୍ଷୁ ସମ୍ମୁଖରେ ଧନନନ୍ଦର ଉପହାସ ଏବଂ ଅପମାନସୂଚକ ବ୍ୟବହାର ଭାସି ଉଠୁଥିଲା। ତାଙ୍କର ସୁଦୂର ପ୍ରସାରୀ ଯୋଜନା ବିଷୟରେ ସେ କାହାରିକୁ ତିଳେ ମାତ୍ର ଜାଣିବାର ସୁଯୋଗ ଦେଉ ନ ଥିଲେ। ଏବେ ତାଙ୍କ ପାଖରେ ଧନ ଥିଲା। ଜନ ବଳ ଥିଲା। ମଗଧ ସିଂହାସନ ପାଇଁ ଧନନନ୍ଦର ବିକଳ୍ପ ସେ ପ୍ରସ୍ତୁତ କରି ସାରିଥିଲେ। ଏଥର ପରବର୍ତ୍ତୀ କର୍ମପନ୍ଥା ସ୍ଥିର କରିବା ପାଇଁ ସେ ପାଟଳୀପୁତ୍ର ଯାତ୍ରା କଲେ। ସେଠାରେ ପହଞ୍ଚି ସେ ନିଜର ବନ୍ଧୁ, ସମସାମୟିକ ଆଚାର୍ଯ୍ୟ ଏବଂ ବିତାଡିତ ସେନାପତି ତଥା ରାଜାଙ୍କ ଉପରେ ଅସନ୍ତୁଷ୍ଟ ରାଜପୁରୁଷମାନଙ୍କୁ ଭେଟିଲେ। ସେମାନଙ୍କ ଠାରୁ ସେ ଜାଣିବାକୁ ପାଇଲେ ଯେ, ଧନନନ୍ଦ ଅଧିକାଂଶ ସମୟରେ ସୁରା ଓ ସୁନ୍ଦରୀମାନଙ୍କ ସହ ବିତାଉଛନ୍ତି। ଏଭଳିକି ଅମାତ୍ୟମାନଙ୍କ ସହ ପରାମର୍ଶ କରିବାକୁ ମଧ୍ୟ ତାଙ୍କୁ ସମୟ ମିଳୁନାହିଁ। ରାଜ୍ୟ ଶାସନରେ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଛି। ସମୟ ଚାଣକ୍ୟଙ୍କ ପାଇଁ ଅନୁକୂଳ ଥିଲା।
କ୍ରମଶଃ