ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ସେତେବେଳକୁ ବୌଦ୍ଧ ଏବଂ ଜୈନ ଧର୍ମାବଲମ୍ବୀମାନେ ରାଜାଙ୍କର ପୃଷ୍ଠପୋଷକତା ଲାଭ କରି ସମାଜରେ ଗୁରୁତ୍ଵପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେଉଥିଲେ। ହିନ୍ଦୁ ଶାସ୍ତ୍ର ଏବଂ ସଂସ୍କୃତି ଘୋର ଅନାଦରର ସମ୍ମୁଖୀନ ହେଉଥିଲା ଏବଂ ଏହା ଗୁରୁକୁଳର ଶିକ୍ଷକମାନଙ୍କୁ କ୍ଷୁବ୍ଧ କରୁଥିଲା। ସୁତରାଂ ପାଟଳୀପୁତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଚାଣକ୍ୟଙ୍କୁ ଅନେକ ଆଚାର୍ଯ୍ୟ ସମର୍ଥନ କଲେ। ଚାଣକ୍ୟ ମୌର୍ଯ୍ୟବଂଶର ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ବୋଲି ବୃଥାରେ କୁହାଯାଇ ନାହିଁ। ଜଣେ ଅଜ୍ଞାତ କୁଳଶୀଳ ବାଳକକୁ ଭାରବର୍ଷର ସମ୍ରାଟ ପଦରେ ଅଧିଷ୍ଠିତ କରିବା ପାଇଁ କେତେ ସାହସ, ବୁଦ୍ଧି ଏବଂ ଚାତୁର୍ଯ୍ୟ ଆବଶ୍ୟକ ତାହା ସହଜରେ ଅନୁମେୟ।ମଗଧ ଶାସନରେ ବ୍ୟଭିଚାର ସବୁ ବିଭାଗକୁ ଗ୍ରସ୍ତ କରିସାରିଥିଲା। ସୈନ୍ୟ ବିଭାଗରେ ଅର୍ଥ ବିନିମୟରେ ଦୁର୍ବଳ ବ୍ୟକ୍ତିମାନଙ୍କୁ ସ୍ଥାନ ମିଳି ଯାଉଥିଲା। ଅଶ୍ଵ କ୍ରୟରେ ଭ୍ରଷ୍ଟାଚାର ହେତୁ ଦୁର୍ବଳ ଅଶ୍ଵମାନେ ଅଶ୍ଵଶାଳା ମଣ୍ଡନ କରିଥିଲେ। ଅଧିକାଂଶ ରଥ ବ୍ୟବହାର ଉପଯୋଗୀ ନ ଥିଲେ। ଚାଣକ୍ୟ ବିଭିନ୍ନ ସୂତ୍ରରୁ ଏ ସବୁ ସମ୍ବାଦ ଗ୍ରହଣ କଲେ। ତାଙ୍କର ଗତିବିଧି ମହା ଅମାତ୍ୟଙ୍କ ଦୃଷ୍ଟିକୁ ଅଣାଗଲା, ଯେତେବେଳେ ସେ ପାଟଳୀପୁତ୍ରରେ ଏକ ବିଶାଳ ଭୂଖଣ୍ଡ କ୍ରୟ କରିବା ପାଇଁ ଆବେଦନ କଲେ। ତାଙ୍କୁ ଏହି ଭୂମି କ୍ରୟ କରିବାର କାରଣ ପ୍ରଶ୍ନ କରାଯାଇଥିଲା।
ସେ କହିଲେ, ସେ ତକ୍ଷଶିଳା ଭଳି ଏକ ବିରାଟ ବିଶ୍ଵବିଦ୍ୟାଳୟ ଗଢିବାକୁ ଚାହୁଁଛନ୍ତି, ଯେଉଁଠାରେ ଦେଶ ବିଦେଶରୁ ଛାତ୍ରମାନେ ଆସି ବିଭିନ୍ନ ବିଭାଗରେ ବିଦ୍ୟା ଅଧ୍ୟୟନ କରିବେ। ବିଭାଗୀୟ ଅଧିକାରୀ ତାଙ୍କୁ ଏତେ ପରିମିତ ଧନ କେଉଁଠୁ ଆଣିବେ ବୋଲି ପ୍ରଶ୍ନ କଲେ। ଚାଣକ୍ୟ କହିଲେ, “ହୁଏ ତ ରାଜାଙ୍କ ଅନୁଦାନ ମିଳିଯିବ। ନ ହେଲେ ମଧ୍ୟ ଅନେକ ବିତ୍ତଶାଳୀ ଶ୍ରେଷ୍ଠୀ ମୋର ଛାତ୍ର ଏବଂ ବନ୍ଧୁ ଅଛନ୍ତି। ସେମାନେ ମୁକ୍ତ ହସ୍ତରେ ଦାନ କରିବେ। ପାଟଳୀପୁତ୍ର ଗୁରୁକୁଳରେ ଥିବା ଆଚାର୍ଯ୍ୟମାନେ ଏହି ପ୍ରସ୍ତାବକୁ ସମର୍ଥନ କଲେ ଏବଂ ଏଭଳି ମହତ୍ କାର୍ଯ୍ୟ ପାଇଁ ଭୂମି ବିନାମୂଲ୍ୟରେ ଯୋଗାଇଦେବାକୁ ରାଜାଙ୍କଠାରେ ନିବେଦନ କଲେ। ମଗଧ ଶାସନ ପ୍ରତି ଆଚାର୍ଯ୍ୟମାନଙ୍କର ବିଦ୍ଵେଷ ଦୂର କରିବା ପାଇଁ ପ୍ରଧାନ ଅମାତ୍ୟ ନିଜର ସମ୍ମତି ସହ ପ୍ରସ୍ତାବକୁ ଧନନନ୍ଦଙ୍କ ନିଷ୍ପତ୍ତି ନିମନ୍ତେ ପଠାଇଦେଲେ। କିନ୍ତୁ ଧନନନ୍ଦ ଜୈନ ଧର୍ମର ପୃଷ୍ଠପୋଷକ ଥିଲେ। ସେ ପାଟଳୀପୁତ୍ରର ପ୍ରସ୍ତାବିତ ନୂତନ ବିଶ୍ଵବିଦ୍ୟାଳୟ ପାଇଁ ଅନୁଦାନର ମଞ୍ଜୁରି ଦେଲେ ନାହିଁ। କିନ୍ତୁ ଚାଣକ୍ୟ ଅନୁଦାନ ଅପେକ୍ଷାରେ ନ ଥିଲେ। ସେ ଧନ ବିନିମୟରେ ଭୂମି କ୍ରୟ କରିବା ପାଇଁ ପ୍ରସ୍ତୁତ ଥିଲେ।
ତକ୍ଷଶିଳାରୁ ଆସିଥିବା ଜଣେ ଆଚାର୍ଯ୍ୟ ପାଟଳୀପୁତ୍ରରେ ବିରାଟ ଏକ ଶିକ୍ଷାକେନ୍ଦ୍ର ଖୋଲିବାର ଯୋଜନା କରୁଥିବା ବିଷୟକୁ ଅମାତ୍ୟ ରାକ୍ଷସ ସହଜରେ ଗ୍ରହଣ କଲେ ନାହିଁ। ସେ ଚାଣକ୍ୟଙ୍କ ଅତୀତ ବିଷୟରେ ଜାଣିବା ପରେ ଆହୁରି ସତର୍କ ହୋଇଗଲେ। ଇତ୍ୟବସରରେ ତାଙ୍କ ନିକଟରେ ଭାରତର ଉତ୍ତର ପଶ୍ଚିମ ଭାଗରେ ଘଟୁଥିବା ରାଜନୈତିକ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ କିଛି କିଛି ସୂଚନା ମିଳି ସାରିଥିଲା। କିନ୍ତୁ ସେଥିରେ ବିଷ୍ଣୁଗୁପ୍ତଙ୍କର ଭୂମିକା ବିଷୟରେ କିଛି ସମାଚାର ନ ଥିଲା। ତଥାପି ସେ ଚାଣକ୍ୟଙ୍କ ଚାଲିଚଳନ ତଥା ପାଟଳୀପୁତ୍ରକୁ ଆସୁଥିବା ପ୍ରତ୍ୟେକ ବିଦେଶୀ ଆଗନ୍ତୁକଙ୍କ ଉପରେ ଦୃଷ୍ଟି ରଖିବା ପାଇଁ ଗୁପ୍ତଚରମାନଙ୍କୁ ସାବଧାନ କରିଦେଲେ।
ପାଟଳୀପୁତ୍ରରେ ଚାଣକ୍ୟଙ୍କ ଯୋଜନା ବିଷୟରେ ତାଙ୍କର ଘନିଷ୍ଠ ମିତ୍ରମାନେ ମଧ୍ୟ ବିନ୍ଦୁ ବିସର୍ଗ ଜାଣିପାରୁ ନ ଥିଲେ। ସତରେ କଣ ଚାଣକ୍ୟ ବିସ୍ତୃତ ଅଞ୍ଚଳ କ୍ରୟ କରି ସେଠାରେ ଗୁରୁକୁଳ ସ୍ଥାପନ କରିବା ଯୋଜନାରେ ଥିଲେ? ଏହା ମଧ୍ୟରେ ତାଙ୍କର ଭୂମି କ୍ରୟ କରିବା ପ୍ରସ୍ତାବ ସମ୍ରାଟ ଧନନନ୍ଦଙ୍କ ନିକଟରେ ପହଞ୍ଚିଲା। ଏ ଖବର ମଧ୍ୟ ଜଣାଇ ଦିଆଗଲା ଯେ ଭୂମି ଉପରେ ଗୁରୁକୁଳ ସ୍ଥାପନା ପାଇଁ ଆଗ୍ରହୀ ଉଦ୍ୟୋକ୍ତା ହେଉଛନ୍ତି ଆଚାର୍ଯ୍ୟ ବିଷ୍ଣୁଗୁପ୍ତ। ଦେଶଦ୍ରୋହ ଅପରାଧରେ ଦଣ୍ଡ ଭୋଗ କରିଥିବା ଚଣକ ପୁତ୍ର ଚାଣକ୍ୟ! ଧନନନ୍ଦଙ୍କର ଚକ୍ଷୁ ସମ୍ମୁଖରେ ଅତୀତର ସେ ଅପ୍ରୀତିକର ଦୃଶ୍ୟ ପୁନର୍ବାର ପ୍ରତିଭାତ ହେଲା। ଶ୍ରୁତିଗୋଚର ହେଲା, ଗୋଟାଏ କୃଷ୍ଣକାୟ କୃଶାଙ୍ଗ ବ୍ରାହ୍ମଣର ମଗଧ ସାମ୍ରାଟଙ୍କୁ ଚେତାବନୀ। “ଧନନନ୍ଦ! ମୋର ଏ ଶିଖା ଉନ୍ମୁକ୍ତ ରହିଲା। ଯେତେଦିନ ଯାଏ ମୁଁ ତୋତେ ସିଂହାସନରୁ ଓହ୍ଲାଇ ଦେଇ ତୋତେ ସବଂଶ ବିନାଶ ନ କରିଛି, ସେ ପର୍ଯ୍ୟନ୍ତ ଏ ଶିଖା ବନ୍ଧନ ହେବନାହିଁ।” ଧନନନ୍ଦ ବିଶ୍ଵବିଦ୍ୟାଳୟ ପାଇଁ ଅନୁଦାନ ତ ଦୂରର କଥା, ଭୂମି କ୍ରୟ କରିବା ପାଇଁ ମଞ୍ଜୁରି ମଧ୍ୟ ଦେଲେ ନାହିଁ। ସେ ଅମାତ୍ୟ ରାକ୍ଷସଙ୍କୁ ପ୍ରଶ୍ନ କଲେ, “ଏ ପର୍ଯ୍ୟନ୍ତ ଚାଣକ୍ୟଙ୍କୁ ବନ୍ଦୀଶାଳାରେ ନିକ୍ଷେପ କରା ଯାଇ ନାହିଁ କାହିଁକି?” ରାକ୍ଷସ କହିଲେ, “ମୋର ଗୁପ୍ତଚରମାନେ ସଦା ସର୍ବଦା ଆଚାର୍ଯ୍ୟ ବିଷ୍ଣୁଗୁପ୍ତ ଉପରେ ଦୃଷ୍ଟି ରଖିଛନ୍ତି। ଯେ ପର୍ଯ୍ୟନ୍ତ ସେ କୌଣସି ଦଣ୍ଡନୀୟ ଅପରାଧ କରିନାହାନ୍ତି, ତାଙ୍କୁ ବନ୍ଦୀ କରିବା ଅର୍ଥ ସମସ୍ତ ଆଚାର୍ଯ୍ୟଙ୍କୁ ଅସନ୍ତୁଷ୍ଟ କରିବା। ତାଙ୍କର ବିଶ୍ଵବିଦ୍ୟାଳୟ ସ୍ଥାପନ କରିବା ଉଦ୍ଦେଶ୍ୟ ଜାଣିବା ପରେ ପାଟଳୀପୁତ୍ରରେ ତାଙ୍କୁ ସମସ୍ତେ ସମ୍ମାନର ଦୃଷ୍ଟିରେ ଦେଖୁଛନ୍ତି। ଆମକୁ ପ୍ରତିଟି ପଦକ୍ଷେପ ମାପି ଚୁପି ନେବାକୁ ପଡିବ।” ଧନନନ୍ଦ ନୂତନ ଗୁରୁକୁଳ ସ୍ଥାପନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେବା ସମ୍ବାଦ ପାଇ ଚାଣକ୍ୟ ବିଚଳିତ ହେଲେ ନାହିଁ। ଏହା ମଧ୍ୟ ତାଙ୍କର ଯୋଜନାର ଅଂଶ ବିଶେଷ ଥିଲା। ଗୁରୁକୁଳ ପ୍ରତିଷ୍ଠା ହୋଇଥିଲେ ସେ ସେଠାରେ ରହି ନିଜର ଭବିଷ୍ୟତ ଯୋଜନାକୁ କାର୍ଯ୍ୟାନ୍ୱିତ କରାଇଥାନ୍ତେ। ପ୍ରସ୍ତାବକୁ ଅସ୍ଵୀକାର କରି ରାଜାଙ୍କୁ ସମସ୍ତ ଆଚାର୍ଯ୍ୟଙ୍କର ପ୍ରବଳ ଅସନ୍ତୋଷର ଶିକାର ହେବାକୁ ପଡିଲା। ଏହା ମଧ୍ୟ ତାଙ୍କ କାର୍ଯ୍ୟକୁ ସୁଗମ କରିବାର ସମ୍ଭାବନାକୁ ଉଜ୍ଜ୍ଵଳ କରିଥିଲା।
ଇତ୍ୟବସରରେ ଚନ୍ଦ୍ରଗୁପ୍ତ ବାହ୍ଲୀକ ରାଜ୍ୟର ସୀମାକୁ ବୃଦ୍ଧି କରିବା ସହ ମଗଧ ଆକ୍ରମଣ ପାଇଁ ନିଜର ସେନାକୁ ପ୍ରସ୍ତୁତ କରୁଥିଲେ। ପାଟଳୀପୁତ୍ର ଯିବା ପୂର୍ବରୁ ଚାଣକ୍ୟ ସେହିଭଳି ନିର୍ଦ୍ଦେଶ ଦେଇ ଯାଇଥିଲେ। ଦିନେ ପାଟଳୀପୁତ୍ର ପ୍ରବେଶ ପଥରେ ଶିହରଣ ନାମଧାରୀ ଜଣେ ଅଶ୍ଵ ବିକ୍ରେତା ନଗର ଅଧିକାରୀଙ୍କ କାର୍ଯ୍ୟାଳୟରେ ନିଜର ପରିଚୟ ପତ୍ର ପ୍ରଦାନ କଲା। ସେ ଅଶ୍ଵ କ୍ରୟ ବିକ୍ରୟ ପାଇଁ ରାଜ୍ୟ, ରାଜ୍ୟ ପରିଭ୍ରମଣ କରୁଛି ବୋଲି କହିଲା। ନଗର ବାହାରେ ତାର ଅଶ୍ଵ ଏବଂ ଅନ୍ୟ ସାଥୀ ଥିବାର ପ୍ରମାଣ ପାଇ ତାକୁ ରାଜଧାନୀରେ ରହିବାକୁ ଅନୁମତି ପ୍ରଦାନ କରାଗଲା। ‘ଶିହରଣ’ ଚନ୍ଦ୍ରଗୁପ୍ତଙ୍କ ଠାରୁ ଚାଣକ୍ୟଙ୍କ ପାଇଁ କିଛି ସନ୍ଦେଶ ଆଣିଥିଲା। କିନ୍ତୁ ସେ ଉପଲବ୍ଧି କରୁଥିଲା ଯେ ତା ଉପରେ ଗୁପ୍ତଚରମାନେ ଅହର୍ନିଶ ସତର୍କ ଦୃଷ୍ଟି ରଖିଛନ୍ତି। ତେଣୁ ସେ ଚାଣକ୍ୟଙ୍କୁ ଦେଖା ନ କରି ସାଧାରଣ ପର୍ଯ୍ୟଟକଙ୍କ ପରି ପାଟଳୀପୁତ୍ରର ବିଭିନ୍ନ ସ୍ଥାନ ଦର୍ଶନ କରି ସମୟ ବିତାଇଲା।
କ୍ରମଶଃ